Unknown

 

 

 

 

 

 

 

 

 

୫୨ତମ ସଂଖ୍ୟା କୋଣାର୍କ ୧୯୮୪

ଓଡ଼ିଶା ସାହିତ୍ୟ ଏକାଡେମୀ

 

 

ସୂଚୀପତ୍ର

୧.

ଓଡ଼ିଶାରେ ହରିହର ଉପାସନା

ଡକ୍ଟର ଲକ୍ଷ୍ମଣ କୁମାର ପଣ୍ଡା

୨.

କବି ବିଦ୍ୟାପତି

ଜାନକୀ ବଲ୍ଳଭ ମହାନ୍ତି (ଭରଦ୍ୱାଜ)

୩.

ଓଡ଼ିଆ ସାହିତ୍ୟରେ ନୃତ୍ୟ

ଡକ୍ଟର ବଂଶୀଧର ମହାନ୍ତି

୪.

ଫକୀରମୋହନଙ୍କ ଅଜ୍ଞାତ

ରଚନାବଳୀ ଓ ‘ସମାଲୋଚନା’

ସମୀକ୍ଷକ: ଡକ୍ଟର ଦୁର୍ଗାପ୍ରସନ୍ନ ପଣ୍ଡା

ସଂଗ୍ରାହକ: ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ

୫.

ଅର୍ଧ ସାଧକ କବି

ଡକ୍ଟର କୁଞ୍ଜବିହାରୀ ଦାଶ

୬.

ସୌନ୍ଦର୍ଯ୍ୟବୋଧ ଓ ବିଜ୍ଞାନ

ଶ୍ରୀ ଦେବକାନ୍ତ ମିଶ୍ର

୭.

ଗୋପବନ୍ଧୁଙ୍କ ଗଦ୍ୟ

ଶ୍ରୀ ସୌରୀନ୍ଦ୍ର ବାରିକ

୮.

ସଂସାରୀ

କବିତା ବାରିକ

୯.

ଅନିର୍ବାଣ

ଶ୍ରୀରବି ସିଂ

୧୦.

ଶବ୍ଦ ସଂହାର

ଶ୍ରୀ କୃଷ୍ଣ ମିଶ୍ର

୧୧.

ଗ୍ରନ୍ଥ ସମୀକ୍ଷା

 

୧୨.

ଏକାଡେମୀ ସମାଚାର

 

୧୩.

ସମ୍ପାଦକୀୟ

 

 

ଓଡ଼ିଶାରେ ହରିହର ଉପାସନା

ଡକ୍‌ଟର ଲକ୍ଷ୍ମଣ କୁମାର ପଣ୍ଡା

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ଓଡ଼ିଶାରେ ଶୈବଧର୍ମ ଏକ ପ୍ରଭାବଶାଳୀ ଧାର୍ମିକ ମତବାଦ ରୂପେ ଆତ୍ମପ୍ରକାଶ କରିଥିଲା । ଅଭିଲେଖମାନଙ୍କରୁ ଜଣାଯାଏ ଯେ ଏହି ସମୟ ସୁଦ୍ଧା ଲକୁଳୀଶ-ପାଶୁପତ ଓ ଶୈବ ସିଦ୍ଧାନ୍ତ ମତବାଦ ଓଡ଼ିଶାର ରାଜନ୍ୟବର୍ଗ ଓ ପ୍ରଜାମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା । ଭୁବନେଶ୍ୱରରୁ ଆବିଷ୍କୃତ କୌଣସି ଏକ ଅଶୋକ ସ୍ତମ୍ଭର ଅଂଶ ବିଶେଷରୁ ଭାସ୍କରେଶ୍ୱର ମନ୍ଦିରର ପ୍ରକାଣ୍ଡ ଶିବଲିଙ୍ଗ ପ୍ରତିଷ୍ଠା ବୌଦ୍ଧଧର୍ମ ଉପରେ ଶୈବଧର୍ମର ପ୍ରାଧାନ୍ୟ ପ୍ରତିପାଦିତ କରିଥାଏ । ପରେ ପରେ ଖ୍ରୀଷ୍ଟୀୟ ପଞ୍ଚମ ଶତକରେ ଶୈବକ୍ଷେତ୍ର ଭୁବନେଶ୍ୱର ମାଠରରାଜାମାନଙ୍କ ଶାସନକାଳରେ ବୌଦ୍ଧଧର୍ମର ଏକ ପ୍ରଧାନ ପୀଠ ରୂପେ ପରିଗଣିତ ହୋଇଥିଲା । ମାଠରମାନେ ନାରାୟଣ ଉପାସକ ଥିଲେ । ଭୁବନେଶ୍ୱରର ଅନନ୍ତବାସୁଦେବ ମନ୍ଦିର ସମ୍ମୁଖସ୍ଥ ବିନ୍ଦୁସାଗର ପୁଷ୍କରିଣୀର ପୂର୍ବପଟ ବନ୍ଧକୁ ଲାଗି ବିଷ୍ଣୁଙ୍କର ଏକ ବିଗ୍ରହ ବର୍ତ୍ତମାନ ପୂଜିତ ହେଉଛନ୍ତି । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ବିଚାର କଲେ ଏହା ଖ୍ରୀଷ୍ଟୀୟ ପଞ୍ଚମ ଶତକର ଏକ ସ୍ଥାଣକ ମୂର୍ତ୍ତି ବୋଲି ଜଣାଯାଏ । ସମ୍ଭବତଃ ଏହା ମାଠର ରାଜତ୍ୱକାଳରେ ନିର୍ମିତ ହୋଇଥିଲା । ଏହି ମୂର୍ତ୍ତିକୁ ଅନେକେ କୃଷ୍ଣ-ବିଷ୍ଣୁ ବୋଲି ମତ ଦିଅନ୍ତି । ମୂର୍ତ୍ତିଟି ଚାରିହସ୍ତ ବିଶିଷ୍ଟ । ଉପରିସ୍ଥ ବାମହସ୍ତରେ ଶଙ୍ଖ ଧାରଣ କରିଥିବା ସ୍ଥଳେ, ନିମ୍ନସ୍ଥ ବାମହସ୍ତ ଚକ୍ର ଉପରେରହିଅଛି । ଉପର ଦକ୍ଷିଣ ହସ୍ତରେ ଗଦା ଓ ତଳ ହାତରେ ‘ବରଦ’ ଭଙ୍ଗୀରେ ପଦ୍ମ ଖୋଦିତ ହୋଇଅଛି । ମୂର୍ତ୍ତିଟିର ମୁଖମଣ୍ଡଳ ଶାନ୍ତ ଓ କମନୀୟ । ଚକ୍ଷୁଯୁଗଳ ମୁଦ୍ରିତରହି ଧ୍ୟାନ ମୁଦ୍ରାର ସୂଚନା ଦେଇଥାଏ । ମୁଣ୍ଡରେ କରିଣ୍ଡ ମୁକୁଟ, କର୍ଣ୍ଣରେ ମକର କୁଣ୍ଡଳ, ବକ୍ଷ ଦେଶରେ ଶ୍ରୀବତ୍ସ ଲାଞ୍ଛନ ବା କୌସ୍ତୁଭମଣିର କୌଣସି ଚିହ୍ନ ପରିଦୃଷ୍ଟ ହୁଏ ନାହିଁ, ମାତ୍ର ସେ ବକ୍ଷରେ ଯଜ୍ଞୋପବୀତ, ବାହୁରେ ବାଜୁବନ୍ଧ, ଉଦରରେ ଉଦରବନ୍ଧ, କଟିରେ କଟିମେଖଳା, ଗଳାରେ ଦୁଇଟି ସାଧାରଣ ହାର, ହାତରେ କେୟୁର ଓ ବଳା ଏବଂ କାନରେ ସାଧାରଣ କୁଣ୍ଡଳ ଧାରଣ କରିଛନ୍ତି । ତାଙ୍କର ଗଳାର ହାରରେ, କେୟୁରରେ, ଉତ୍ତରୀୟ ଓ ବସ୍ତ୍ରରେ କିଛି ସୂକ୍ଷ୍ମ କାର୍ଯ୍ୟ କରାଯାଇଛି । ମାଠରବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିବା ଏହି ବିଷ୍ଣୁ ମୂର୍ତ୍ତି ପୂର୍ବରୁ, ଭୁବନେଶ୍ୱର ଅଞ୍ଚଳରେ ଅନ୍ୟ କୌଣସି ଶୈବ ମୂର୍ତ୍ତି ଏ ପର୍ଯ୍ୟନ୍ତ ସୁଦ୍ଧା ଆବିଷ୍କୃତ ହୋଇନାହିଁ । ପରବର୍ତ୍ତୀ କାଳରେ, ଶୈଳୋଦ୍ଭବବଂଶୀ ଶୈବ ଧର୍ମାବଲମ୍ବୀ ନରପତିମାନଙ୍କ ଦ୍ୱାରା ଭୁବନେଶ୍ୱରରେ ବିଭିନ୍ନ ପ୍ରକାରର ଶୈବ କାରୁକାର୍ଯ୍ୟ ସ୍ଥାପିତ ହୋଇଥିଲା । ଏହି ବଂଶର ଦ୍ୱିତୀୟ ମାଧବବର୍ମା କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କଙ୍କ ପ୍ରଭୁତ୍ୱ ସ୍ୱୀକାର କରିଥିଲେ । ଏକାମ୍ର ପୁରାଣର ଏକ ଆଖ୍ୟାୟିକନୁସାରେ ଶଶାଙ୍କ ଏକାମ୍ର କ୍ଷେତ୍ରରେ ଶିବଙ୍କ ପାଇଁ ଏକ ବୃହଦାକାର ମନ୍ଦିର ନିର୍ମାଣ କରିଥିଲେ । ଭୌମକର ଓ ସୋମବଂଶୀ ରାଜତ୍ୱକାଳରେ ଶୈବଧର୍ମ ଓଡ଼ିଶାରେ ଉନ୍ନତିର ଶେଷ ସୀମାରେ ଉପନୀତ ହୋଇଥିଲେ ମଧ୍ୟ ବୈଷ୍ଣବଧର୍ମ ଏ ରାଜ୍ୟରୁ ଅବଲୁପ୍ତ ହୋଇ ନ ଥିଲା । ଜନମାନସରେ ଏ ଉଭୟ ଧର୍ମ ଗଭୀର ଭାବରେ ରେଖାପାତ କରିଥିବାରୁ ତତ୍‌କାଳୀନ ଉତ୍କଳୀୟ ଅଧିବାସୀ ଉଭୟ ହରି ଓ ହରଙ୍କୁ ସମାନ ଆସନ ପ୍ରଦାନ କରିଥିଲେ । କାଳକ୍ରମେ ଏହି ସମନ୍ୱୟାତ୍ମକ ଚିନ୍ତାଧାରା ଚରମ ସୀମାକୁ ଉନ୍ନୀତ ହୋଇ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ଅବଶେଷରେ ‘ହରିହର ଉପାସନା’ରେ ପରିଣତ ହୋଇଗଲା ।

 

କହିବା ବାହୁଲ୍ୟ ଯେ ଖ୍ରୀଷ୍ଟୀୟ ପଞ୍ଚମ ଶତକରୁ ଶୈବ ଓ ବୈଷ୍ଣବଧର୍ମ ମଧ୍ୟରେ ଏହି ସମନ୍ୱୟ ଧାରା ପ୍ରବାହିତ ହୋଇଥିଲା । ସମୁଦ୍ର ଗୁପ୍ତଙ୍କ ଦାକ୍ଷିଣାତ୍ୟ ଅଭିଯାନ ପରେ, କଳିଙ୍ଗରେ ମାଠର ଓ ବାଶିଷ୍ଠବଂଶୀ ରାଜାମାନେ ଯଥାକ୍ରମେ ବୈଷ୍ଣବ ଓ ଶୈବ ଧର୍ମ ପ୍ରତି ପୃଷ୍ଠପୋଷକତା ଆରମ୍ଭ କରିଥିଲେ । ଏହି ସମୟରେ ପରମ ଦୈବତ, ପରମ ଭାଗବତ ମାଠରବଂଶୀୟ ରାଜାମାନେ କଳିଙ୍ଗରେ ପ୍ରଥମେ ବୈଷ୍ଣବ ଧର୍ମର ପରିଚର୍ଯ୍ୟା କରିଥିଲେ । ଏହି ବଂଶର ହସ୍ତୀବର୍ମା ଉମାବର୍ମା ଓ ଅନ୍ୟ କେତେକ ନରପତି ବିଷ୍ଣୁ ଉପାସକ ରୂପେ ନିଜକୁ ଅଭିଲେଖମାନଙ୍କରେ ଉଲ୍ଲେଖ କରିଛନ୍ତି । ପୁନଶ୍ଚ ଷଷ୍ଠ ଶତାବ୍ଦୀର ପ୍ରଭଞ୍ଜନବର୍ମା ନିଜକୁ ଭଗବତ୍‌ ସ୍ୱାମୀ-ନାରାୟଣ ପାଦାନୁଧ୍ୟାତ ନାମରେ ଅଭିହିତ କରିଥିବା ବେଳେ, ବାଶିଷ୍ଠରାଜା ଅନନ୍ତବର୍ମା ଶୈବ ଉପାସକ ଥିବାର ସୂଚନା ମିଳେ । ଏହି ସମୟରେ ଦକ୍ଷିଣ କୋଶଳ ରାଜ୍ୟର ନଳବଂଶୀ ରାଜା ଭବଦତ୍ତବର୍ମା ମହେଶ୍ୱର ଓ ମହାସେନଙ୍କ ଭକ୍ତ ଥିବା ସ୍ଥଳେ, ସେହି ବଂଶର ସ୍କନ୍ଦବର୍ମା ଭଗବାନ ବିଷ୍ଣଙ୍କର ଉପାସକ ଥିଲେ । ମାଠରମାନଙ୍କ ପରେ ପ୍ରାଚୀନ ଗଙ୍ଗବଂଶୀ ରାଜନ୍ୟବର୍ଗ ଗୋକର୍ଣ୍ଣେଶ୍ୱର ଶିବଙ୍କ ସହିତ ଭଗବାନ ନାରାୟଣଙ୍କର ପୂଜାଅର୍ଚ୍ଚନା ମଧ୍ୟ କରୁଥିଲେ । ଗଙ୍ଗାବ୍ଦ ୭୯ ବା ଖ୍ରୀ.ଅ. ୫୭୭ରେ ହସ୍ତୀବର୍ମା ନରସିଂହ ପାଲ୍ଲୀ ତାମ୍ର ଶାସନାନୁସାରେ ନିଜକୁ ‘ପରମ-ମାହେଶ୍ୱର’ ଭାବରେ ପରିଚିତ କରାଇଥିଲେ ମଧ୍ୟ ସେହି ଅଭିଲେଖରେ ସେ ଭଗବାନ ନାରାୟଣଙ୍କ ଉଦ୍ଦେଶ୍ୟର ବରାହବର୍ତ୍ତିନୀ ବିଷୟ ଅନ୍ତର୍ଗତ ରୋହଣକ ଗ୍ରାମ ଦାନ କରିଥିବାର ଉଲ୍ଲେଖରହିଛି । ପ୍ରୋକ୍ତ ଅଭିଲେଖ ବର୍ଣ୍ଣିତ ‘‘ସପ୍ତାର୍ଣ୍ଣବଶାୟୀମାନେ ସପ୍ତସମୋପଗୀତାୟ ସପ୍ତଲୋକୈକ ନାଥାୟରଣଭୀତୋଦୟଭିଦାନାୟ ନାରାୟଣାୟ ...’’ ପଂକ୍ତିରୁ ଗଙ୍ଗ ନରପତିଗଣ ଶୈବ ଓ ବୈଷ୍ଣବ ଧର୍ମର ସମନ୍ୱୟରେ ବିଶ୍ୱାସ କରୁଥିବାର ସୂଚନା ମିଳେ । ସେ ତାଙ୍କର ଇଷ୍ଟଦେବ ଗୋକର୍ଣ୍ଣେଶ୍ୱରଙ୍କୁ ସକଳ ଭୁବନ ନିର୍ମାଣର ସୂତ୍ରଧାର ରୂପେ ବନ୍ଦନା କରିବା ସଙ୍ଗେ ସଙ୍ଗେ, ନାରାୟଣ ବିଷ୍ଣୁଙ୍କୁ ସପ୍ତଲୋକର ଅଧୀଶ୍ୱର ଭାବରେ ମଧ୍ୟ ଅର୍ଚ୍ଚନା କରିଛନ୍ତି । ସାନ୍ତବୋମ୍ମାଲି ଅଭିଲେଖାନୁସାରେ ଗଙ୍ଗରାଜା ଇନ୍ଦ୍ରବର୍ମା ହସ୍ତୀବର୍ମାଙ୍କ ପରି ଶୈବ ଉପାସକ ଥିଲେ ମଧ୍ୟ ସେ କୌଣସି ଏକ ସ୍ଥାନୀୟ ମନ୍ଦିରରେ ପୂଜିତ ହେଉଥିବା ଭଗବାନ ରାମେଶ୍ୱର ଭଣାରକଙ୍କର ପୂଜାଅର୍ଚ୍ଚନା ତଥା ପରିଚାଳନା ନିମିତ୍ତ ହରିଭଟ୍ଟ କ୍ଷେତ୍ର ଗ୍ରାମ ଦାନ କରିଥିଲେ । ‘ରାମେଶ୍ୱର’ ନାମ ଶୈବ ଓ ବୈଷ୍ଣବ ଧର୍ମର ସମନ୍ୱୟ ପାଇଁ ଏକ ବିଶିଷ୍ଟ ତାତ୍ପର୍ଯ୍ୟ ବହନ କରିଥିବା ମନେହୁଏ । କାରଣ ଭଗବାନ ରାମେଶ୍ୱର ସମ୍ଭବତଃ ଆଂଶିକ ଭାବରେ ରାମ (ହରି) ଓ ଆଂଶିକ ଭାବରେ ହରି (ଈଶ୍ୱର) ରୂପରେ ପୂଜିତ ହେଉଥିଲେ । ସେହିପରି ଶୈଳୋଦ୍ଭବ ରାଜା ଦ୍ୱିତୀୟ ମାଧବ ବର୍ମା ଶୈବ ଥାଇ ମଧ୍ୟ ବରାବର ଚକ୍ରଧର ଭଗବାନ ମାଧବଙ୍କ ପ୍ରତି ତାଙ୍କର ଭକ୍ତି ପ୍ରଦର୍ଶନ କରିଥିଲେ । ସମ୍ବବତଃ ‘ମୌନ’ ଓ ‘‘ଧ୍ୟାନ’’ର ପ୍ରତୀକ ବିଷ୍ଣୁଙ୍କର ନାମାନୁସାରେ ସେ ‘‘ମାଧବ’’ ନାମରେ ନାମିତ ହୋଇଥିଲେ ।

 

ଭୌମକର ବଂଶର ରାଣୀ ତ୍ରିଭୁବନ ମହାଦେବୀ ‘ପରମବୈଷ୍ଣବୀ’ ଥିଲେ, କିନ୍ତୁ ସେ ବିରାଟ ବଂଶର ଶଶିଲେଖାଙ୍କ ଦ୍ୱାରା ନିର୍ମିତ ‘ନନେଶ୍ୱର ଶିବ’ ମନ୍ଦିରରେ ଅଧିଷ୍ଠିତ ‘ଉମା-ମହେଶ୍ୱର’ଙ୍କ ଅର୍ଚ୍ଚନା ନିମିତ୍ତ ନୈବେଦ୍ୟ, ଚରୁ, ଚନ୍ଦନ ପ୍ରଭୃତିର ଅଖଣ୍ଡ ଦାନ ବ୍ୟବସ୍ଥା ପାଇଁ କୋଟ୍ଟପୁରା ଗ୍ରାମ ଦାନ କରିଥିଲେ । ଏହି ବଂଶର ଶୈବ ଧର୍ମାବଲମ୍ବୀ ଅନ୍ୟାନ୍ୟ ରାଜାମାନଙ୍କ ପ୍ରଦତ୍ତ ରାଜକୀୟ ମୋହରମାନଙ୍କରେ ବିଷ୍ଣୁଙ୍କ ପ୍ରତିଧ୍ୱନିତ ବହନ କରୁଥିବା ‘ଶଙ୍ଖ’, ଲାଞ୍ଚନ ଥିବାର ପରିଲକ୍ଷିତ ହୋଇଥାଏ । ସେହିପରି ଚନ୍ଦ୍ରବଂଶର ରାଜା ତିବରଦେବ ବୈଷ୍ଣବ ଥିଲେ, କିନ୍ତୁ ତାଙ୍କ ପରବର୍ତ୍ତୀ ବଂଶଧରମାନେ (ଇତିହାସରେ ଯେଉଁମାନେ ସୋମବଂଶୀ ନାମରେ ଖ୍ୟାତ) ଶିବ ତଥା ଶୈବ ଧର୍ମର ପୃଷ୍ଠପୋଷକତା କରିଥିଲେ । ଶୈବ ଧର୍ମରେ ଅନୁପ୍ରାଣିତ ଏହି ସୋମବଂଶୀ ନରପତିମାନଙ୍କର ରାଜକୀୟ ଅନୁଶାସନ ତଥା ଖୋଦିତ ମୋହରଗୁଡ଼ିକ ବୈଷ୍ଣବୀୟ ଗଜଲକ୍ଷ୍ମୀ ଚିତ୍ର ବହନ କରିଅଛି । ଏହି ବଂଶର ମହାଶିବଗୁପ୍ତ ବାଳାର୍ଜ୍ଜୁନ ‘ପରମ-ମାହେଶ୍ୱର’ ଥିଲେ କିନ୍ତୁ ତାଙ୍କର ମାତା ବାସଟା ଦେବୀ ନୃସିଂହଙ୍କର ଉପାସିକା ଥାଇ ଶ୍ରୀପୁରୁଷୋତ୍ତମଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଥିବା ବିଷୟ ତାଙ୍କର ଶ୍ରୀପୁର ତାମ୍ର ଶାସନରୁ ସୂଚିତ ହୋଇଥାଏ । ପୁନଶ୍ଚ ମହାଶିବଗୁପ୍ତ ଯଯାତି ଜଗନ୍ନାଥଙ୍କୁ ପୁନରୁଦ୍ଧାର କରି ତାଙ୍କ ଉଦ୍ଦେଶ୍ୟରେ ଏକ ମହନୀୟ ପ୍ରାସାଦ ନିର୍ମାଣ କରିଥିବାର ସୂଚନା ଇତିହାସରୁ ମିଳିଥାଏ । ସେହିଭଳି ଖିଞ୍ଜଳି ମଣ୍ଡଳର ଭଞ୍ଜବଂଶୀ ରାଜାମାନେ ଭୈରବଙ୍କର ଉପାସକ ଥିଲେ, ମାତ୍ର ସେମାନେ ବିଷ୍ଣୁ-ଭଟ୍ଟାରକଙ୍କର ଅନୁଗ୍ରହ ପ୍ରାର୍ଥନା ପୂର୍ବକ ତାଙ୍କର ଉପାସନା ପାଇଁ ବିପୁଳ ଦାନ କରିଥିଲେ ।

 

ଯୁଗ ଯୁଗ ଧରି ଶୈବ ଓ ବୈଷ୍ଣବ ଚିନ୍ତାଧାରାର ଏହି ମଧୁର ସହାବସ୍ଥାନ ଓଡ଼ିଶାର ପ୍ରତ୍ନତାତ୍ତ୍ୱିକ ଉପାଦାନ ତଥା ମନ୍ଦିର ଭାସ୍କର୍ଯ୍ୟରୁ ଅଧିକ ପ୍ରମାଣିତ ହୋଇଥାଏ । ମୁଖଲିଙ୍ଗମ୍ର ମଧୁକେଶ୍ୱର ଶିବମନ୍ଦିରର ଜଗମୋହନରେ ଗରୁଡ଼ ଓ ବୃଷଭ ଦ୍ୱାରା ସଂଯୁକ୍ତ ସିଂହାସନାରୁଢ଼ ଏକ ମନୋରମ ‘ହରିହର’ ମୂର୍ତ୍ତି ପରିଲକ୍ଷିତ ହୁଏ । ମୂର୍ତ୍ତିଟିର ପ୍ରଭାମଣ୍ଡଳ, ଅର୍ଦ୍ଧ-ବୃତ୍ତାକାର ଏବଂ କିରୀଟ ସମଗୋଲାକାର । ଚତୁର୍ଭୁଜ ବିଶିଷ୍ଟ ଏହି ହରିହର ବିଗ୍ରହ ଦୁଇ ହସ୍ତରେ ଗଦା ଓ ସର୍ପ ଧାରଣ କରିଛନ୍ତି । ଅନ୍ୟ ଦୁଇଟି ହସ୍ତରୁ ଗୋଟିଏ ‘ପଦ୍ମ’ର ପ୍ରତୀକ ଭଳି ମନେ ହେଉଥିବା ସ୍ଥଳେ ଅନ୍ୟଟି ବାମଜାନୁ ସହିତ ସଂଯୁକ୍ତ ହୋଇଅଛି । ମୂର୍ତ୍ତଟିର ଉଭୟ ପାର୍ଶ୍ୱରେ ଦୁଇଜଣ ଉପାସକ (attendant) ଦଣ୍ଡାୟମାନରହି ଜଣେ ଚକ୍ର ଓ ଅନ୍ୟ ଜଣକ ତ୍ରିଶୂଳ ଧାରଣ କରିଛନ୍ତି । ମୂର୍ତ୍ତିଟି ଷଷ୍ଠ-ସପ୍ତମ ଶତାବ୍ଦୀର ବୋଲି ଆଲୋଚକମାନେ ମତ ଦିଅନ୍ତି । ତେଣୁ ଏହାକୁ ପ୍ରାଚୀନତମ ହରିହର ମୂର୍ତ୍ତି ରୂପେ ଗ୍ରହଣ କରାଯାଇପାରେ । ସମ୍ଭବତଃ ହସ୍ତୀବର୍ମା ଓରଫରଣଭୀତ ଗୋକର୍ଣ୍ଣେଶ୍ୱର ଶିବଙ୍କ ଭକ୍ତ ଥାଇ, ସପ୍ତାର୍ଣ୍ଣବଶାୟୀ ବିଷ୍ଣୁଙ୍କର ଆରାଧନା କରିବାକୁ ଅନୁପ୍ରାଣିତ ହୋଇଥିଲେ ଏବଂ ତଦନୁସାରେ ଏପରି ମୂର୍ତ୍ତ ଗଠନ କରିବାପାଇଁ ବିଶେଷ ଆଗ୍ରହ କରିଥିଲେ । ସ୍ଥାନୀୟ ଅଗ୍ନୀଶ୍ୱର ମନ୍ଦିର ଗାତ୍ରର ଅନ୍ୟ ଏକ ସ୍ଥାନରେ ଅନୂରୂପ ଏକ ଚତୁର୍ଭୁଜ ବିଶିଷ୍ଟ ହରିହର ମୂର୍ତ୍ତି ଅଙ୍କିତ ହୋଇଥିବାର ଦେଖାଯାଏ । ଦକ୍ଷିଣ ହସ୍ତଦ୍ୱୟରେ ବିଗ୍ରହଟି ଅକ୍ଷମାଳା ଓ କମଣ୍ଡଳୁ ଧାରଣ କରିଥିବା ସ୍ଥଳେ, ବାମହସ୍ତ ଦ୍ୱୟରେ ଶଙ୍ଖ ଓ ଚକ୍ର ସଂଯୁକ୍ତ କରାଯାଇଛି । ମୂର୍ତ୍ତିଟି ଉଲଗ୍ନ ଥିବାରୁ ଊର୍ଦ୍ଧ୍ୱଲିଙ୍ଗ ସୁସ୍ପଷ୍ଟ ହୋଇଅଛି । ବିଗ୍ରହ ସହିତ ସଂଯୁକ୍ତ ପ୍ରଭାମଣ୍ଡଳ ସମତଳ ଏବଂ କିରୀଟ ସମଗୋଲାକାର । ଏଥିରୁ ଅନୁମିତ ହୁଏ ଯେ ପ୍ରାଚୀନ ଗଙ୍ଗମାନଙ୍କ ରାଜତ୍ୱ କାଳରେ ମୁଖଲିଙ୍ଗମ ଏକ ବିଶିଷ୍ଟ ଶୈବକ୍ଷେତ୍ର ଭାବରେ ପ୍ରତିଷ୍ଠା ଲାଭ କରିଥିଲେ ମଧ୍ୟ ଏଠାରେ ବୈଷ୍ଣବ ଦେବାଦେବୀଙ୍କୁ ନେଇ ଏକ ସୁସ୍ଥ ଧାର୍ମିକ ସଂଶ୍ଳେଷଣର ପରିପ୍ରକାଶ ଅନୁଭୂତ ହୋଇଥିଲା ।

 

ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀରେ ଶୈଳୋଦ୍ଭବକାଳୀନ ଧର୍ମପୀଠ କୃଷ୍ଣଗିରି ଅଞ୍ଚଳରେ ବିଷ୍ଣୁ ଓ ଉମା-ମହେଶ୍ୱରଙ୍କର ଅନେକ ବିଗ୍ରହ ଆମର ଦୃଷ୍ଟି ପଥାରୂଢ଼ ହୋଇଥାଏ । ସୋମବଂଶୀ ରାଜତ୍ୱ କାଳରେ ପଶ୍ଚିମ ଓଡ଼ିଶାର ବିଶିଷ୍ଟ ତନ୍ତ୍ରକ୍ଷେତ୍ର ରାଣୀପୁର-ଝରିଆଲର ସୋମେଶ୍ୱର ଶିବ ମନ୍ଦିରର ଅଦୂରରେ ଗୋପାଳ (ବିଷ୍ଣୁ)ଙ୍କର ଇଟା ମନ୍ଦିର ଏବଂ ଭଞ୍ଜବଂଶୀ ରାଜାମାନଙ୍କ ପୃଷ୍ଠପୋଷକତା ଲାଭ କରି ବୌଦ ଅଞ୍ଚଳର ଗନ୍ଧରାଡ଼ିଠାରେ ନୀଳମାଧବ ବିଷ୍ଣୁ ଏବଂ ସିଦ୍ଧେଶ୍ୱର-ଶିବଙ୍କର ଯୁଗ୍ମ ମନ୍ଦିର ପ୍ରତିଷ୍ଠିତ ହୋଇଥିଲା । ମୁକ୍ତେଶ୍ୱର, ଇନ୍ଦ୍ରେଶ୍ୱର (ରାଜରାଣୀ), ବ୍ରହ୍ମେଶ୍ୱର ଓ ଲିଙ୍ଗରାଜ ପ୍ରଭୃତି ବିଖ୍ୟାତ ମନ୍ଦିରମାନ ନିର୍ମାଣ କରିଥିବା ସୋମବଂଶୀ ନରପତିଗଣ ଶୈବ ଓ ବୈଷ୍ଟବୀୟ ଏହି ସମନ୍ୱିତ ଚିନ୍ତାଧାରାକୁ କାଳକ୍ରମେ ଦକ୍ଷିଣ କୋଶଳ ରାଜ୍ୟରୁ ଭୁବନେଶ୍ୱର ଅଞ୍ଚଳକୁ ପରିବ୍ୟାପ୍ତ କରିଥିଲେ । ଓଡ଼ିଶାର ସାମାଜିକ ଓ ଧର୍ମ କ୍ଷେତ୍ରରେ ଏହି ସମନ୍ୱିତ ଚିନ୍ତାଧାରା ଶତାବ୍ଦୀ ଶତାବ୍ଦୀ ଧରି ପ୍ରକଟିତ ହୋଇ ସାମାଜିକ ସ୍ୱୀକୃତ ଲାଭ କରି ପାରିଥିଲା । ଏହାର ପରିଣତି ସ୍ୱରୂପ ଭୁବନେଶ୍ୱରର ପରଶୁରାମେଶ୍ୱର ଓ ଶିଶିରେଶ୍ୱର ଏବଂ ବଡ଼ମ୍ବା ନିକଟସ୍ଥ ସିଂହନାଥ ପ୍ରଭୃତି ଶିବ ମନ୍ଦିରମାନଙ୍କରେ ବିଷ୍ଣୁ ମୂର୍ତ୍ତିର ଖୋଦନ କରାଯାଇ ଏହି ସମନ୍ୱିତ ଚିନ୍ତାଧାରାକୁ ଆହୁରି ବ୍ୟାପକ କରାଯାଇଥିଲା । କାଳକ୍ରମେ ବିଷ୍ଣୁ ଓ ଶିବ ଏକ ଏବଂ ଅଭିନ୍ନ ବୋଲି ଲୋକମୁଖରେ ଧାରଣା ଦୃଢ଼ୀଭୂତ ହେବାରୁ ଓଡ଼ିଶାର ଶିଳ୍ପୀମାନେ ଭୁବନେଶ୍ୱରର ମନ୍ଦିରଗାତ୍ରରେ ଅଧିକ ସଂଖ୍ୟାରେ ହରିହର ମୂର୍ତ୍ତି ଖୋଦନ କରିବା ପାଇଁ ଉତ୍ସାହିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ପ୍ରସିଦ୍ଧ ତନ୍ତ୍ରପୀଠ ବୈତାଳ (କପାଳିନୀ) ମନ୍ଦିରର ଉତ୍ତରପଟ କାନ୍ଥରେ ଖୋଦିତ ହୋଇଥିବା ଚତୁର୍ଭୁଜ ବିଶିଷ୍ଟ ତଥା ବଦ୍ଧପଦ୍ମାସନାସୀନ ହରିହର ମୂର୍ତ୍ତି ଆମର ପ୍ରଣିଧାନଯୋଗ୍ୟ । ମୂର୍ତ୍ତିଟି ଉପରିସ୍ଥ ବାମ ଓ ଦକ୍ଷିଣ ହସ୍ତରେ ଯଥାକ୍ରମେ ଶଙ୍ଖ ଓ ଅକ୍ଷମାଳା ଧାରଣ କରିଥିବା ଦେଖାଯାଏ । ମୂର୍ତ୍ତିଟିରେ ଊର୍ଦ୍ଧ୍ୱଲିଙ୍ଗର ନିଃଚିତ୍ରଣ ଅତ୍ୟନ୍ତ ସୁସ୍ପଷ୍ଟ । ସେହିପରି ଓଡ଼ିଶାର ଦକ୍ଷିଣାଞ୍ଚଳରେ ତେଲନଦୀ କୂଳରେ ଅବସ୍ଥିତ ବୈଦ୍ୟନାଥର କୋଶଳେଶ୍ୱର ମନ୍ଦିରର ଉତ୍ତରପଟରେ ଚତୁର୍ଭୁଜ ବିଶିଷ୍ଟ ଏକ ହରିହର ମୂର୍ତ୍ତିର ଚିତ୍ର ପରିଲକ୍ଷିତ ହୁଏ । ମୂର୍ତ୍ତିଟିର ନିମ୍ନସ୍ଥ ଦକ୍ଷିଣ ହସ୍ତ ବରଦ ମୁଦ୍ରାର ସୂଚନା ଦିଏ । ନିମ୍ନସ୍ଥ ବାମ ହସ୍ତଟି ଭଗ୍ନାବସ୍ଥାରେରହିଅଛି । ଉପରିସ୍ଥ ଦକ୍ଷିଣ ହସ୍ତରେ ମୂର୍ତ୍ତିଟି ଶିବଙ୍କ ଆୟୁଧତ୍ରିଶୁଳ ଧାରଣ କରିଥିବା ସ୍ଥଳେ ବାମ ହସ୍ତରେ ବିଷ୍ଣୁଙ୍କ ଚିତ୍ର ଦର୍ଶକର ଦୃଷ୍ଟି ଆକର୍ଷଣ କରିଥାଏ । ଏହାକୁ ସେମାବଂଶୀ ରାଜତ୍ୱ କାଳରେ ଶୈବ ଓ ବୈଷ୍ଣବ ଧର୍ମ ମଧ୍ୟରେ ଥିବା ଧାର୍ମିକ ସମନ୍ୱୟର ଏକ ଜ୍ୱଳନ୍ତ ଉଦାହରଣ ରୂପେ ଗ୍ରହଣ କରାଯାଇ ପାରେ ।

 

ଯୁଗ ଯୁଗ ଧରି ଏକତ୍ର ଅବସ୍ଥାନ କରିଥିବା ଏବଂ ବିବର୍ତ୍ତନ ମଧ୍ୟ ଦେଇ ଆତ୍ମପ୍ରକାଶ କରିଥିବା ଏହି ସମନ୍ୱିତ ଚିନ୍ତାଧାରା ଭୁବନେଶ୍ୱରର ‘କୀର୍ତ୍ତିବାସ’ଙ୍କୁ ଉତ୍ସର୍ଗୀକୃତ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ଶ୍ରୀକୃଷ୍ଣଙ୍କ ଚିତ୍ରରୁ ଅନୁମିତ ହୁଏ ଯେ ଏହା ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ‘ହରିହର’ ଉପାସନାର ଏକ ବିଶିଷ୍ଟ କ୍ଷେତ୍ର ରୂପେ ଆତ୍ମପ୍ରକାଶ କରିଥିଲା ଏବଂ ଏହାରି ପ୍ରଭାବରେ ମନ୍ଦିର-ଗାତ୍ରରେ କ୍ରମଶଃ କେତେକ ଧାର୍ମିକ ପରିବର୍ତ୍ତନର ସୂଚନା ମିଳିଥିଲା । ଲିଙ୍ଗରାଜ ମନ୍ଦିରର କଳସ ଉପରେ ଥିବା ଧ୍ୱଜସ୍ତମ୍ଭଟିକୁ ସାଧାରଣତଃ ଆଂଶିକ ଭାବରେ ତ୍ରିଶୁଳ ଓ ଚକ୍ରର ମିଶ୍ରଣ ବୋଲି କେତେକ ମତ ଦେଉଥିବାବେଳେ ଅନେକ ଏହାକୁ ଶିବଙ୍କ ପିନାକ ଓ ବିଷ୍ଣୁଙ୍କ ଶାର୍ଙ୍ଗଧନୁର ପ୍ରତୀକ ବୋଲି କହିଥାନ୍ତି । ଲିଙ୍ଗରାଜଙ୍କୁ ଉପାସନା କାଳରେ ଏହି ସ୍ୱୟମ୍ଭୁଲିଙ୍ଗ କୌଣସି ଏକ ରେଖାଦ୍ୱାରା ହରି ଓ ହର ରୂପରେ ବିଭକ୍ତ ହୋଇଥିବାର ସୂଚନା ସ୍ଥାନୀୟ ସେବକମାନେ ଦର୍ଶାଇଥାନ୍ତି । ସେହିଦିନଠାରୁ ଶିବ ଓ ବିଷ୍ଣୁଙ୍କର ଅତିପ୍ରିୟ ପତ୍ର ଯଥାକ୍ରମେ ବିଲ୍ୱ ଓ ତୁଳସୀଦ୍ୱାରା ଉକ୍ତ ମନ୍ଦିରର ପୂଜା ଅନୁଷ୍ଠିତ ହୋଇଥାଏ । ଲିଙ୍ଗରାଜ ମନ୍ଦିରର ପୂଜାବିଧି ହରିହର ମନ୍ତ୍ରରେ ଅନୁଷ୍ଠିତ ହେଉଥିବାର ସୂଚନା ମନ୍ଦିର ସେବକମାନଙ୍କଠାରୁ ଜଣାଯାଏ । ଆହୁରି ମଧ୍ୟ ଭୋଗମଣ୍ଡପର ସମ୍ମୁଖରେ ଥିବା ସ୍ତମ୍ଭ ଉପରେ ଉଭୟ ଗରୁଡ଼ ଓ ବୃଷଭଙ୍କ ଅବସ୍ଥିତି ହରିହର ଚିନ୍ତାଧାରାକୁ ଅଧିକ ଦୃଢ଼ୀଭୂତ କରିଥାଏ ।

ସୋମବଂଶୀ ରାଜତ୍ୱ ପରେ ଗଙ୍ଗବଂଶୀ ରାଜାମାନଙ୍କର ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ପ୍ରଭୂତ ରାଜ୍ୟବିସ୍ତାର ଫଳରେ ଏହି ହରିହର ଉପାସନା ଅଧିକ ସୁଦୂରପ୍ରସାରୀ ହୋଇପାରିଥିଲା । ଏହି ସମୟରେ ଓଡ଼ିଶାର ରାଜଧର୍ମ ମୁଖ୍ୟତଃ ବୈଷ୍ଣବ ଧର୍ମ ବା ଜଗନ୍ନାଥ ଧର୍ମରେ ପର୍ଯ୍ୟବସିତ ହୋଇଥିଲେହେଁ ଶୈବ ମତବାଦ, ଶିବ ମନ୍ଦିର ଓ ଶିବ ବିଗ୍ରହ ଆଦୌ ଅବହେଳିତ ହୋଇନଥିଲା । ବରଂ ଏହା ଫଳରେ ଶାସକଗୋଷ୍ଠୀ ଅଧିକ ଜନପ୍ରିୟ ହୋଇଥିଲେ । ଗଙ୍ଗରାଜା ଅନନ୍ତବର୍ମା ଚୋଡ଼ଗଙ୍ଗଦେବ ଖ୍ରୀ.ଅ. ୧୧୧୨ରେ ସୋମବଂଶର ଶେଷ ନରପତି କର୍ଣ୍ଣଦେବଙ୍କୁ ପରାସ୍ତ କରି ଉତ୍କଳ ଅଧିକାର କରିବା ପୂର୍ବରୁ ଶିବଭକ୍ତ ବା ପରମ-ମାହେଶ୍ୱର’ ଥିଲେ । ବିଶିଷ୍ଟାଦୈତ ମତବାଦର ପ୍ରବର୍ତ୍ତକ ରାମାନୁଜଙ୍କ ସଂସ୍ପର୍ଶରେ ଆସି ସେ ଶୈବରୁ ବୈଷ୍ଣବ ହୋଇଥିଲେ ମଧ୍ୟ ଶୈବଧର୍ମପ୍ରତି ତାଙ୍କର ଅନୁରାଗ କୌଣସି ପ୍ରକାରେ ରାହୁଗ୍ରସ୍ତ ହୋଇନଥିଲା । ସେ ବାରମ୍ବାର ହରିହର ଉପାସନା ପାଇଁ ଖ୍ୟାତି ଲାଭ କରିଥିବା ‘କୀର୍ତ୍ତି ବାସ’ ମନ୍ଦିର ପରିଦର୍ଶନ କରି ସେଠାରେ ବୈଷ୍ଣବ ଚିନ୍ତାଧାରା ପ୍ରବର୍ତ୍ତନ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ନଟ ମନ୍ଦିରର ଉତ୍ତର ଦ୍ୱାରରେ ଥିବା ପାରମ୍ପରିକ ବୈଷ୍ଣବ ଆୟୁଧ ଶଙ୍ଖ ଓ ଚକ୍ରର ଅବତାରଣ ଆମର ଦୃଷ୍ଟିପଥାରୂଢ଼ ହୋଇଥାଏ । ଦକ୍ଷିଣ ଦ୍ୱାରରେ ମଧ୍ୟ ବୈଷ୍ଣବୀୟ ଆୟୁଧମାନଙ୍କ ସହ ଦ୍ୱାରପାଳ ଜୟବିଜୟଙ୍କ ମୂର୍ତ୍ତି ଖୋଦନ କରାଯାଇଥିଲା । ପୁନଶ୍ଚ ଭୋଗମଣ୍ଡପର ଦକ୍ଷିଣ ଦିଗସ୍ଥ ନୃସିଂହ ମନ୍ଦିରର ଏକ ଅଂଶରେ ବରାହ ମୂର୍ତ୍ତିର ମଧ୍ୟ ଅବତାରଣା କରାଯାଇଥିଲା । ଏତଦ୍‌ବ୍ୟତୀତ, ଉକ୍ତ ଭୋଗମଣ୍ଡପର ଦକ୍ଷିଣରେ ଅନ୍ୟ ଏକ ମନ୍ଦିରରେ ଅନନ୍ତ, ବାସୁଦେବ ଓ ଏକାଂନସାଙ୍କର ମୂର୍ତ୍ତି ପୂଜିତ ହେଉଛନ୍ତି । ସମ୍ଭବତଃ ଏହି ମନ୍ଦିର ଚନ୍ଦ୍ରିକା ଦେବୀଙ୍କଦ୍ୱାରା ନିର୍ମିତ ବିନ୍ଦୁସାଗର ଉପକଣ୍ଠସ୍ଥ ପ୍ରସିଦ୍ଧ ଅନନ୍ତ-ବାସୁଦେବ ମନ୍ଦିର ନିର୍ମାଣକୁ ପ୍ରଭାବିତ କରିଥିଲା । ଏହା ଫଳରେ ଓଡ଼ିଶାରେ ହରିହର ଉପାସନା ଗଙ୍ଗରାଜତ୍ୱ କାଳରେ ଶୀର୍ଷସ୍ଥାନ ଅଧିକାର କରିପାରିଥିଲା । ହରିହର ଉପାସନା ପାଇଁ ପ୍ରସିଦ୍ଧ ଲାଭ କରିଥିବା ସମସାୟିକ ଅନ୍ୟାନ୍ୟ କୀର୍ତ୍ତିମାନଙ୍କ ମଧ୍ୟରେ କଟକ ଜିଲ୍ଲାର ନିଆଳିଠାରେ ଶୋଭନେଶ୍ୱର ଶିବ ମନ୍ଦିର ଓ ଚାଟେଶ୍ୱରର ଶିବ ମନ୍ଦିର ଅନ୍ୟତମ । ଶୋଭନେଶ୍ୱର ଦେବ ଏହି ମନ୍ଦିର ଶିବ ଓ ବିଷ୍ଣୁଙ୍କ ଅର୍ଚ୍ଚନା ପାଇଁ ନିର୍ମାଣ କରିଥିଲେ । ମୁଖ୍ୟତଃ ଏହା ଏକ ଶିବ ମନ୍ଦିର ହେଲେହେଁ ଏହାର ଜଗମୋହନ ଓ ମନ୍ଦିର ପରିସର ବରାହ ଓ ବାସୁଦେବଙ୍କର ମୂର୍ତ୍ତି ଖୋଦନ କରାଯାଇଛି । ସୁତରାଂ ବିଖ୍ୟାତ ଲିଙ୍ଗରାଜ ମନ୍ଦିର ପରି ଉକ୍ତ ମନ୍ଦିର ମଧ୍ୟ ହରିହର ଉପାସନାର ଅନ୍ୟ ଏକ ପ୍ରଧାନ ପୀଠରୂପେ ଖ୍ୟାତିଲାଭ କରିଥିଲା । ସେହିଭଳି ଗଙ୍ଗରାଜା ତୃତୀୟ ଅନଙ୍ଗଭୀମଦେବଙ୍କ ସେନାପତି ବିଷ୍ଣୁ ଆଚାର୍ଯ୍ୟ ଶୈବଧର୍ମାନରାଗୀ ଥିଲେ । ସେ କଟକ ଜିଲାର ଚାଟେଶ୍ୱରଠାରେ ଏକ ଶିବମନ୍ଦିର ନିର୍ମାଣ କରିଥିଲେ । ଉକ୍ତ ମନ୍ଦିରସ୍ଥ ଶିଳାଲେଖରେ ବର୍ଣ୍ଣିତ ‘‘ବିଶ୍ୱମ୍‌ ବିଷ୍ଣୁମୟମ ଯଥା ପରିଣତମ୍‌.......’’ ପଂକ୍ତିରୁ ଜଣାଯାଏ ଯେ ଗଙ୍ଗରାଜତ୍ୱରେ ଶୈବକ୍ଷେତ୍ରମାନଙ୍କରେ ବିଷ୍ଣୁଙ୍କର ବ୍ୟାପକତାର ପରିପ୍ରସାର କେବଳ ଶିବ ଓ ବିଷ୍ଣୁଙ୍କୁ ଏକ ଏବଂ ଅଭିନ୍ନ ଭାବରେ ପ୍ରତିପାଦିତ କରିଥାଏ । ଏ ସମ୍ପର୍କରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଆଲୋଚକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ । ମୁଖ୍ୟତଃ ଏହା ଦାରୁବ୍ରହ୍ମଙ୍କର ସପ୍ତଧା ରୂପ (ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା ସୁଦର୍ଶନ ମାଧବ, ଶ୍ରୀଦେବୀ ଓ ଭୂଦେବୀ)ର ପରିପ୍ରକାଶ ହୋଇଥିଲେହେଁ ମନ୍ଦିର ବେଢ଼ାରେ ବଟେଶ୍ୱର ପାତାଳେଶ୍ୱର, ଈଶାନେଶ୍ୱରଙ୍କ ବିଗ୍ରହ ସମ୍ମାନର ସହିତ ପୂଜିତ ହୋଇଥାନ୍ତି । ଶ୍ରୀ ଜଗନ୍ନାଥଙ୍କର ବିଭିନ୍ନ ଯାତ୍ରା ଅବସରରେ ପଞ୍ଚମହେଶ୍ୱର (ଯମେଶ୍ୱର, କପାଳମୋଚନ, ଲୋକନାଥ, ମାର୍କଣ୍ଡେଶ୍ୱର ଏବଂ ନୀଳକଣ୍ଠେଶ୍ୱର) ଚଳନ୍ତି ପ୍ରତିମାଙ୍କ ସହିତ ବାହାରକୁ ଯାଆନ୍ତି । ଏହା ବ୍ୟତୀତ ଜଗମୋହନ, ଭୋଗମଣ୍ଡପ ଓ ମନ୍ଦିର ଗାତ୍ରରେ ଶିବ ଓ ନଟରାଜଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ଖୋଦିତ ହୋଇଅଛି । ଏହି ପ୍ରସଙ୍ଗରେ ଆହୁରି ମଧ୍ୟ କୁହାଯାଇପାରେ ଯେ ଓଡ଼ିଶାରେ ଯେଉଁ କେତେକ ଦୁର୍ଗା-ମାଧବ ମୂର୍ତ୍ତି ଅଦ୍ୟାପୀ ପ୍ରତ୍ନତତ୍ତ୍ୱବିତ୍‌ମାନଙ୍କ ଦୃଷ୍ଟିକୁ ଆସିଛି ସେଗୁଡ଼ିକ ମଧ୍ୟରେ ଦୁର୍ଗା ଓ ମାଧବଙ୍କ ସହିତ ‘ଶିବଲିଙ୍ଗ’ ମଧ୍ୟ ସ୍ଥାନ ଅଧିକାର କରିଅଛି । ଏଥିରୁ ବେଶ୍‌ ଧାରଣା କରିହୁଏ ଯେ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ ଶିବବିଗ୍ରହମାନଙ୍କ ସହିତ ‘ଦାରୁବ୍ରହ୍ମ ଶ୍ରୀ ଜଗନ୍ନାଥଙ୍କର ଅବିଚ୍ଛେଦ୍ୟ ସମ୍ପର୍କ ସ୍ଥାପନ କରି ଗଙ୍ଗରାଜାମାନେ ଧାର୍ମିକ ନିରପେକ୍ଷତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଉପସ୍ଥାପିତ କରିଛନ୍ତି ।

 

କେବଳ ପ୍ରସିଦ୍ଧ ପୀଠ ଏକାମ୍ରକ୍ଷେତ୍ର ବା ଶ୍ରୀକ୍ଷେତ୍ର ନୁହେଁ, ସମଗ୍ର ଓଡ଼ିଶାର ବ୍ରାହ୍ମଣଶାସନ ଗୁଡ଼ିକ ସମ୍ବନ୍ଧରେ ଆଲୋଚନା କଲେ ଜଣାଯାଏ ଯେ ଉକ୍ତ ଶାସନଗୁଡ଼ିକରେ ପ୍ରଥମେ ଶିବ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଗଙ୍ଗ ରାଜତ୍ୱରେ ଏହି ସମନ୍ୱୟାତ୍ମକ ଚିନ୍ତାଧାରର ପରିପ୍ରେକ୍ଷୀରେ ଅଧିକାଂଶ ପ୍ରସିଦ୍ଧ ବ୍ରାହ୍ମଣ ଶାସନରେ ପ୍ରତିଷ୍ଠିତ ଗୋପୀନାଥଙ୍କ ବିଗ୍ରହରେ ଗୋପୀ ଓ ଗୋବୃନ୍ଦ ଖୋଦିତ ହୋଇଛନ୍ତି । ଶ୍ରୀକୃଷ୍ଣ ତ୍ରିଭଙ୍ଗ ଠାଣିରେ ଛିଡ଼ାହୋଇ ବଂଶୀବାଦନ କରୁଛନ୍ତି । ଏଠାରେ ରାଧାଙ୍କର ଅବସ୍ଥିତ ଆଦୌ ନାହିଁ । ଖୁବ୍‌ ସମ୍ଭବତଃ ପରବର୍ତ୍ତୀ କାଳରେ ଅର୍ଥାତ୍‌ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀ ବେଳକୁ ନିମ୍ବାକାଚାର୍ଯ୍ୟଙ୍କ ଦ୍ୱାରା ପ୍ରବର୍ତ୍ତିତ ‘ରାଧାବାଦ’ ପ୍ରବର୍ତ୍ତନ ଫଳରେ ଜଗନ୍ନାଥଙ୍କୁ ମଧ୍ୟ ‘‘ରାଧାକୃଷ୍ଣ ତନୂଧରଃ’’, ‘‘ରସାନନ୍ଦଃ, ରାଧାଦରସବପୁରାଲିଙ୍ଗନ ସୁଖଃ’’ ରୂପେ ପରିକଳ୍ପନା କରାଯାଇଛି ଏବଂ ଶାସନମାନଙ୍କରେ ପ୍ରତିଷ୍ଠିତ କୃଷ୍ଣ ବିଗ୍ରହଙ୍କର ବାମପାର୍ଶ୍ୱରେ ‘ରାଧା’ ବିଗ୍ରହ ପ୍ରତିଷ୍ଟା କରାଯାଇଛି ।

ଗଙ୍ଗମାନେ ହରିହରାତ୍ମକ ସମନ୍ୱୟ ଚିନ୍ତାଧାରାକୁ ଆହୁରି ବ୍ୟାପକ କରିବାକୁ ଯାଇ ପଞ୍ଚୋପାସନାର ପ୍ରବର୍ତ୍ତନ କରିଛନ୍ତି । ଅର୍ଥାତ୍‌ କର୍ମକାଣ୍ଡରେ ଯେଉଁଠି ଗଣେଶ, ଭାସ୍କର, ବିଷ୍ଣୁ, ଶିବ ଓ ଦୁର୍ଗାଙ୍କ ମଧ୍ୟରୁ ଅନ୍ୟତମ ବିଗ୍ରହ ପୂଜିତ ହେବେ, ସେଠାରେ ଚତୁଃପାର୍ଶ୍ୱରେ ଅନ୍ୟ ଚାରୋଟି ବିଗ୍ରହ ନଶ୍ଚିତ ଭାବରେ ପୂଜା ପାଇବେ । ଖୁବ୍‌ ସମ୍ଭବତଃ ଏହି ବିଧିବିଧାନ ପ୍ରାକ୍‌ ମଧ୍ୟଯୁଗରେ ପ୍ରବର୍ତ୍ତିତ ହୋଇଥିଲା । ସେ ଯାହା ହେଉ ଶୈବ ଓ ବୈଷ୍ଣବ ଧର୍ମ ମଧ୍ୟରେ ଥିବା ଏହି ସମନ୍ୱିତ ଚିନ୍ତାଧାରା ସମୟକ୍ରମେ ଅଧିକ ପରିବ୍ୟାପ୍ତ ହୋଇ ଜଗନ୍ନାଥ ଧର୍ମରେ ଲୀନ ହୋଇଯିବା ସଙ୍ଗେ ସଙ୍ଗେ ଶୈବ ଓ ବୈଷ୍ଣବମାନଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ରତା କ୍ରମଶଃ ଅବଲୁପ୍ତ ହୋଇଗଲା ଏବଂ ସେମାନେ ଶିବ ଓ ବିଷ୍ଣୁଙ୍କୁ ଏକ ଏବଂ ବିଭିନ୍ନ ମନେକରି ଆରାଧନା କଲେ । ସେଇଥିପାଇଁ ‘ଏକାମ୍ର ପୁରାଣରେ ଉଲ୍ଲେଖ ଅଛି :-

‘‘ନ ବିଷ୍ଣୁ ଶିବୟୋର୍ଭେଦ ଏଷଧର୍ମଃ ସନାତନଃ ।

ପରିପାଲ୍ୟ ଇମଂ ଧର୍ମଂ ନରୋ ମୁକ୍ତି ମବାପ୍ନୁୟାତ୍‌ ।।’’

ସହାୟକ ଗ୍ରନ୍ଥ ଓ ପ୍ରବନ୍ଧ ସୂଚୀ :

୧.

Archaelogical Remains at Bhubanesawr ଗ୍ରନ୍ଥ ଓ ଭୁବନେଶ୍ୱରରେ ଅଶୋକସ୍ତମ୍ଭ ଆବିଷ୍କାର’ ପ୍ରବନ୍ଧ-ଡ: କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ।

୨.

Sidelights on History & Culture of Orissa-(ସମ୍ପାଦନା) ଡ: ମନ୍ମଥନାଥ ଦାସ ।

୩.

History of Orissa, Vol. I and II- ଡ: ହରେକୃଷ୍ଣ ମହତାବ ।

୪.

History of Medieval Vishnavisim-ଅଧ୍ୟାପକ ପ୍ରଭାତ ମୁଖାର୍ଜି ।

୫.

History of Oriss, Vol , II,ରାଖାଲଦାସ ବାନାର୍ଜି ।

୬.

An Account of Orissa proper or Cuttack -ଷ୍ଟାର୍ଲିଂ

୭.

History of the Gangas-ଡ: ସତ୍ୟନାରାୟଣ ରାଜଗୁରୁ ।

୮.

ଓଡ଼ିଆ ଜାତିର ଇତିହାସ-ଡଃ ନବୀନ କୁମାର ସାହୁ ।

୯.

ଓଡ଼ିଶାର ସାଂସ୍କୃତିକ ଇତିହାସ -(ସମ୍ପାଦନା)-ଓଡ଼ିଶା କଲଚରାଲ୍‌ ଫୋରାମ, ଭୁବନେଶ୍ୱର

୧୦.

ଶ୍ରୀ ଜଗନ୍ନାଥ ସଂସ୍କୃତି-(ସମ୍ପାଦନା)-ଓଡ଼ିଶା କଲଚରାଲ୍‌ ଫୋରାମ, ଭୁବନେଶ୍ୱର

୧୧.

ଓଡ଼ିଶାର ଶୈବ ସଂସ୍କୃତି-(ସମ୍ପାଦନା)-ଓଡ଼ିଶା କଲଚରାଲ୍‌ ଫୋରାମ, ଭୁବନେଶ୍ୱର

୧୨.

Mukhalingam Temples-ଡ଼ି. ବ୍ୟାରେଟ୍‌

୧୩.

ଏକାମ୍ର ପୁରାଣ-ରତ୍ନାକର ଗର୍ଗବଟୁ ସଂକଳନ ।

୧୪.

ନୀଳାଦ୍ରି ମହୋଦୟ-ସୋନପୁର ସଂସ୍କରଣ ।

୧୫.

ମହାଭାରତ-୫ । ୧୦ । ୧୪ ।

୧୬.

Inscriptions of Orissa, Vols. I, II, III, IV ଡଃ ସତ୍ୟ ନାରାୟଣ ରାଜଗୁରୁ ।

୧୭.

Orissa Historical Research Journal-Vols, I, III, and XIII.

୧୮.

Journal of Bihar and Orissa Research Society-Vol II & VI.

୧୯.

Journal of Andhra Historical Research Society-Vol. I.

୨୦.

Indian Antiquary-Vol. XVIII.

୨୧.

Journal of Royal Asistic Society, 1915.

୨୨.

Epigraphia India,-Vols. XI, XXIX, XXX

ପ୍ରାଧ୍ୟାପକ ଇତିହାସ ବିଭାଗ,

ବିକ୍ରମଦେବ କଲେଜ,

ଜୟପୁର

କୋରାପୁଟ

***

 

କବି ବିଦ୍ୟାପତି

ଜାନକୀ ବଲ୍ଳଭ ମହାନ୍ତି (ଭରଦ୍ୱାଜ)

ଆଧୁନିକ ବିହାରର ଉତ୍ତରାଞ୍ଚଳ ବା ପ୍ରାଚୀନ ମିଥିଳା ରାଜ୍ୟରେ ଚତୁର୍ଦ୍ଦଶ ଶତାବ୍ଦୀରେ କବି ବିଦ୍ୟାପତିଙ୍କର ଆବିର୍ଭାବ । ସେତେବେଳେ ମାଗଧୀ ପ୍ରାକୃତି ଅବହଟ୍ଟ ଭାଷାରେ ରୂପାନ୍ତରିତ ହୋଇ ସାରିଥିଲା ଓ ମୈଥିଳୀ ଭାଷା ସଦ୍ୟ ଜନ୍ମଲାଭ କରିଥିଲା । ଏହି ଯୁଗ ଥିଲା ସ୍ଥୂଳତଃ ଆଧୁନିକ ଭାରତୀୟ ଭାଷାମାନଙ୍କର ଅଭ୍ୟୁଦୟର ଭାଷା କାଳ । ଏହି ଯୁଗରେ କବିମାନଙ୍କ ମଧ୍ୟରେ ବିଦ୍ୟାପତିଙ୍କୁ ଉତ୍ତର ଭାରତୀୟ ସର୍ବଶ୍ରେଷ୍ଠ କବି କହିଲେ ଅତ୍ୟୁକ୍ତ ହେବନାହିଁ । ଆଲୋଚକ ଶଙ୍କରୀ ପ୍ରସାଦ ବସୁ ତାହାଙ୍କୁ ‘ମଧ୍ୟ ଯୁଗର ପୂର୍ବ ଭାରତୀୟ କବି ସାର୍ବଭୌମ ଭାବେ ଅଭିହିତ କରି ଅଛନ୍ତି । ତାହାଙ୍କ କବିତ୍ୱର ସୌରଭ ଯଥାଥତଃ ଦେଶ-କାଳର ସୀମା ଅତିକ୍ରମ କରି ସାର୍ବଜନୀନ ଓ ଚିରନ୍ତନ ଗୌରବ ଅର୍ଜନ କରିଅଛି । ତାହାଙ୍କ ସୁଲଳିତ ପଦାବଳୀର ରସମାଧୂର୍ଯ୍ୟ, ଆଳଂକାରିକ କାରୁକାର୍ଯ୍ୟ, ବର୍ଣ୍ଣନା-ଚାତୁର୍ଯ୍ୟ ଯୁଗେ ଯୁଗେ କାବ୍ୟରସିକମାନଙ୍କ ସମାଦର ଲାଭ କରି ଆସିଛି । ବିଶେଷତଃ ଭାରତର ପୂର୍ବାଞ୍ଚଳୀୟ ସାହିତ୍ୟ କ୍ଷେତ୍ରରେ ବିଦ୍ୟାପତିଙ୍କ ରଚନାବଳୀର ପ୍ରଭାବ ସର୍ବାଧିକ ବ୍ୟାପକ ଥିବା ଜଣାଯାଏ ।

 

ଜୀବନ-ଧାରା

ଖ୍ରୀ: ୧୩୭୦ରେ ବିହାରର ଦରଭଙ୍ଗା ଅଞ୍ଚଳର ମଧୁବଣି ଜିଲ୍ଲାର ବିସଫି ନାମକ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ତାହାଙ୍କ ପିତାଙ୍କ ନାମ ଗଣପତି ଓ ମାତାଙ୍କ ନାମ ଗଙ୍ଗାଦେବୀ । ତାହାଙ୍କ ପିତାମହ ଓ ପ୍ରପିତାମହ ପ୍ରଭୃତି ପୂର୍ବ ପୁରୁଷଗଣ ମିଥିଳାର ରାଜଦରବାରରେ ଅତ୍ୟନ୍ତ ଦାୟିତ୍ୱ ସମ୍ପନ୍ନ କର୍ମରେ ନିୟୋଜିତ ଥିଲେ ଏବଂ ମିଥିଳା ସାମାଜିକ ଓ ଧାର୍ମିକ ଜୀବନକୁ ସେମାନଙ୍କ ଦାନ ଥିଲା ଅତୀବ ମହତ୍ୱପୂର୍ଣ୍ଣ । ଏହିପରି ଏକ ଯଶସ୍ୱୀ ପରିବାରରେ ବିଦ୍ୟାପତିଙ୍କ ଜନ୍ମ । କବି ଥିଲେ ମିଥିଳାର ରାଜା କୀର୍ତ୍ତିସିଂହଙ୍କର ଶୈଶବର କ୍ରୀଡ଼ା-ସହଚର । ଶୈଶବରେ ସେ ଆନୁଷ୍ଠାନିକ ରୀତିରେ ଶିକ୍ଷା ଲାଭ କରିଥିଲେ । ଅନୁମତି ହୁଏ, ତରୁଣ ବୟସରୁ ତାଙ୍କୁ ଅଧ୍ୟୟନ ତ୍ୟାଗ କରି କୀର୍ତ୍ତିସିଂହଙ୍କ ଅଧୀନରେ ରାଜକୀୟ କାର୍ଯ୍ୟରେ ନିୟୋଜିତ ହେବାକୁ ପଡ଼ିଥିଲା ।

 

ମହାରାଜ କୀର୍ତ୍ତିସିଂହ ଓ ଶୈବ ସିଂହ ପ୍ରଭୃତି ବହୁ ରାଜାଙ୍କ ଦରବାରରେ ତାହାଙ୍କ କବିତ୍ୱ ସମାଦୃତ ହୋଇଥିଲା । କୀର୍ତ୍ତିସିଂହଙ୍କ ଦରବାରରେ ଥିବା ସମୟରେ ସେ ମହାରାଜାଙ୍କ ପ୍ରଶସ୍ତି ସମ୍ବଳିତ ‘କୀର୍ତ୍ତିଲତା’ ଗ୍ରନ୍ଥଟି ଖ୍ରୀ ୧୪୦୨- ୧୪୦୫ ମଧ୍ୟରେ ରଚନା କରିଥିଲେ । କୀର୍ତ୍ତିସିଂହଙ୍କ ମୃତ୍ୟୁ ପରେ ସେ ରାଜା ଦେବସିଂହଙ୍କ ଦରବାରରେ ଆଶ୍ରୟ ଲାଭ କଲେ । ଏହିଠାରେ ସେ ବହୁବର୍ଷ ଅତିବାହିତ କରିଥିଲେ ଓ ଏଠାରେ ତାହାଙ୍କ କବିପ୍ରତିଭା ପୂର୍ଣ୍ଣ ବିକାଶ ଲାଭ କରିଥିଲା ।

 

ଦେବସିଂହଙ୍କ ନାତି ଶିବ ସିଂହ ଥିଲେ କବିଙ୍କର ମୁଖ୍ୟ ପୃଷ୍ଠପୋଷକ । ଏହାଙ୍କ ପତ୍ନୀ ମହାଦେବୀ ଲକ୍ଷ୍ମୀ ମା ମଧ୍ୟ କବିଙ୍କୁ ଅତ୍ୟନ୍ତ ଶ୍ରଦ୍ଧା କରୁଥିଲେ । କବି ପୁରାତନ ମୈଥିଳୀ ଅବହଟ୍ଟ ଭାଷାରେ ଶିବସିଂହଙ୍କ ପ୍ରଶସ୍ତି ସମ୍ବଳିତ ‘କୀର୍ତ୍ତି ପତାକା’ ନାମକ ଏକ କାବ୍ୟ ରଚନା କରିଥିଲେ । ଏତଦ୍‌ ବ୍ୟତୀତ ସେ ଏହି ସ୍ଥାନରେ ଥିବା ସମୟରେ ସଂସ୍କୃତରେ ‘ପୁରୁଷ ପରୀକ୍ଷା’, କେତେକ ସ୍ମୃତିଗ୍ରନ୍ଥ ଓ ମୈଥିଳୀ ଭାଷାରେ ବହୁ ସଙ୍ଗୀତ ମଧ୍ୟ ରଚନା କରିଥିଲେ । ପୁରୁଷ ପରୀକ୍ଷା ଗ୍ରନ୍ଥଟି ରାଜକୁମାରଙ୍କୁ ନୀତିଶିକ୍ଷା ଦେବା ଉଦ୍ଦେଶ୍ୟରେ ରଚିତ ।

 

ଶିବ ସିଂହ ମୁସଲମାନ ଆକ୍ରମଣକାରୀଙ୍କ ଦ୍ୱାରା ପରାଜିତ ହେଲା ପରେ ରାଣୀ ଲକ୍ଷ୍ମୀମା ନେପାଳର ଏକ ଗ୍ରାମରେ ଦୀର୍ଘ ବାରବର୍ଷ ଅଜ୍ଞାତବାସ କରିଥିଲେ । ଏହି ସମୟରେ କବି ବିଦ୍ୟାପତି ମଧ୍ୟ ସେଠାରେ ଅବସ୍ଥାନ କରୁଥିଲେ ଓ ଶିବ ସିଂହ ଓ ରାଣୀ ଲକ୍ଷ୍ମୀମାଙ୍କ ନାମରେ ଭଣିତା କରି କେତେକ ସଙ୍ଗୀତ ରଚନା କରିଥିଲେ । ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ସେ କେତେକ ଧର୍ମାଶାସ୍ତ୍ର ଓ କର୍ମକାଣ୍ଡ ପ୍ରଭୃତିରଚନାରେ ମନୋନିବେଶ କରିଥିଲେ । ଲକ୍ଷ୍ମୀମା’ଙ୍କୁ ସେ ସଂସ୍କୃତ ଭାଗବତ ଆବୃତ୍ତି ଓ ବାଖ୍ୟା କରି ଶୁଣାଉଥିବା ମଧ୍ୟ ଜଣାଯାଏ ।

 

ଲକ୍ଷ୍ମୀମାଙ୍କ ମୃତ୍ୟ ପରେ କବି ପଦ୍ମସିଂହ ଓ ପରେ ତାହାଙ୍କ ବିଧବା ପତ୍ନୀ ବିଶ୍ୱାସ ଦେବୀଙ୍କ ଦରବାରରେ ଅବସ୍ଥାନ କରିଥିଲେ । ବିଶ୍ୱାସ ଦେବୀଙ୍କ ନିର୍ଦ୍ଦେଶରେ ସେ ସଂସ୍କୃତରେ ‘ଗଙ୍ଗା ବାକ୍ୟାବଳୀ’ ଓ ‘ଶୈବ ସର୍ବସ୍ୱସାର’ ରଚନା କରିଥିବା ଜଣାଯାଏ । ସମ୍ଭବତଃ ସେ ଏହି ସ୍ଥାନର ଅବସ୍ଥାନ କରୁଥିବା ସମୟରେ ଶିବ ଓ ଗଙ୍ଗାଙ୍କ ଉଦ୍ଦେଶ୍ୟରେ କେତେକ ସଙ୍ଗୀତରଚନା କରିଥିଲେ । ‘ଗୋରେଖ ବିଜୟ’ ନାମକ ଏକ ମୈଥାଳୀ ନାଟକ ମଧ୍ୟ ତାହାଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ବିଷୟ ଜଣାଯାଇଅଛି । ଏଥିରେ ମଧ୍ୟ କେତେକ ଗୀତ ସନ୍ନିବିଷ୍ଟ ।

 

ଏହାପରେ କବି ଅନ୍ୟ କେତେକ ରାଜାଙ୍କ ଦରବାରରେ ଖ୍ରୀ ୧୪୪୭ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ । ହରିସିଂହ ଦେବଙ୍କ ଦରବାରରେ ଥିବାବେଳେ ସେ ‘ବିଭାଗ ସାରା’ ନାମକ ସ୍କୃତିଗ୍ରନ୍ଥରଚନା କରିଥିଲେ ଓ ତାହାଙ୍କ ପତ୍ନୀ ଧୀରମତିଙ୍କ ଆଦେଶରେ ‘ଦାନ ବାକ୍ୟାବଳୀ’ରଚନା କରିଥିଲେ । ଏହିପରି ଭାବେ କବି ବହୁ ରାଜବଂଶର ଉତଥାନ-ପତନ ସହ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଥିଲେ । ସେ ବ୍ୟବହାର-କୁଶଳ ଥିବା ଅନୁମିତ ହୁଏ । ସେ ଯେ ଚତୁର, ବୁଦ୍ଧିମାନ ଓ ସୁରସିକ ଏହା ତାହାଙକ କବିତାବଳୀରୁ ମଧ୍ୟ ଜଣାଯାଇ ଥାଏ । ବିରହ ମିଳନାତ୍ମକ ସରସ ସଙ୍ଗୀତ ବ୍ୟତୀତ ତାହାଙ୍କରଚିତ ସଂସ୍କୃତି ଓ ଅବହଟ୍ଟରେ ରଚିତ ଗ୍ରନ୍ଥ ଗୁଡ଼ିକ ଯେପରି ନୀତିମୂଳକ ସେହିପରି ଶିକ୍ଷାପ୍ରଦ । ରାଜା ପ୍ରତିବେଶୀ ରାଜାଙ୍କ ସହ କିପରି ପତ୍ରାଳାପ କରିବେ, ସେନାପତି ଯୁବରାଜଙ୍କ ସହ କିପରି ବ୍ୟବହାର କରିବେ ଦାସମାନଙ୍କ ଲାଗି ମୁକ୍ତିପତ୍ର କିପରି ଲେଖା ହେବ, ଏତାଦୃଶ ବ୍ୟବହାରିକ ବିଷୟର ନମୁନା ତାହାଙ୍କ ‘ଲିଖନବଳୀରେ ପ୍ରଦତ୍ତ ହୋଇଅଛି ।

 

କବିଙ୍କର ଦୁଇଟି ପତ୍ନୀ ଥିଲେ ଓ ଶେଷ ଜୀବନରେ ସେ ପୁତ୍ର କନ୍ୟାଦି ସହ ଶାନ୍ତିପୂର୍ଣ୍ଣ ପାରିବାରିକ ଜୀବନ ଯାପନ କରୁଥିଲେ । ଖ୍ରୀ ୧୪୪୮ରେ ତାହାଙ୍କ ମୃତ୍ୟୁ ହୋଇଥିଲା । ଶୁଣାଯାଏ ଗଙ୍ଗାନଦୀ କୂଳରେ ଦେହତ୍ୟାଗ କରିବା ଉଦ୍ଦେଶ୍ୟରେ ଯାତ୍ରା କରୁଥିବା ସମୟରେ ପଥମଧ୍ୟରେ ସେ ମୃତ୍ୟୁବରଣ କରିଥିଲେ ।

 

ରଚନାବଳୀ -

କବି ସଂସ୍କୃତ ଓ ଅବହଟ୍ଟ ଭାଷାରେ ବହୁ ଗ୍ରନ୍ଥରଚନା କରିଥିଲେହେଁ ମୈଥିଳୀ ଭାଷାରେ ଲିଖିତ ତାହାଙ୍କ ପଦ ବା ସଂଗୀତଗୁଡ଼ିକ ସର୍ବୋତ୍‌କୃଷ୍ଟ ଓ କାଳଜୟୀ କୀର୍ତ୍ତି ଭାବ ପରିଗଣିତ । କବି ଶୈବ ଥିଲେହେଁ ତାହାଙ୍କରଚିତ ଅଧିକ ସଂଖ୍ୟକ ଗୀତ ରାଧାକୃଷ୍ଣ ପ୍ରେମଲୀଳାକୁ ଉପଜୀବ୍ୟ କରି ଲିଖିତ । ଏହି ଗୀତଗୁଡ଼ିକ ସଂସ୍କୃତ ‘ଗୀତଗୋବିନ୍ଦ’ ଓ ବହୁ ପ୍ରକୀର୍ଣ୍ଣ ସଂସ୍କୃତ ଓ ପ୍ରାକୃତ ଆଦିରସ ଗର୍ଭିତ ଶ୍ଳୋକର ପ୍ରକରଣକୁ ଆଦର୍ଶକରି ରଚିତ ହୋଇଥିବା ଅନୁମେୟ ।

 

ବିରହ-ମିଳନ ମାଧୁରୀ ମିଶ୍ରିତ ଏହି କବିତାଗୁଡ଼ିକ ତତ୍‌କାଳୀନ ରାଜା ଓ ସାମନ୍ତମାନଙ୍କ ଚିତ୍ତ ବିନୋଦନ ଉଦ୍ଦେଶ୍ୟରେ କବି ପ୍ରଣୟନ କରିଥିବା ସମ୍ଭବପର । ସେ ଯୁଗରେ ନର୍ତ୍ତକ ଓ ନର୍ତ୍ତକୀମାନେ ଏହାକୁ ଅଭିନୟ ସହକାରେ ଗାନ କରୁଥିଲେ । ତତ୍‌କାଳୀନ ରାଜା ଓ ତାହାଙ୍କ ପରିବାରବର୍ଗ ତଥା ରାଜଦରବାରର ସଦସ୍ୟ ବର୍ଗ ମଧ୍ୟ ଆଦିରସାତ୍ମକ ଏତାଦୃଶ ସଙ୍ଗୀତକୁ ଖୁବ୍‌ ଆଦର କରୁଥିବେ । ସମ୍ଭବତଃ ସେମାନଙ୍କ ଅନୁରୋଧରେ ଉତ୍ସାହିତ ହୋଇ କବି ରାଧାକୃଷ୍ଣ ପ୍ରେମଲୀଳାର ବିବିଧ ପର୍ଯ୍ୟାୟ ଓ ଋତୁ ପରିବର୍ତ୍ତନର ବିବିଧ ପର୍ଯ୍ୟାୟକୁ ଭିତ୍ତି କରି ବହୁ ସଂଖ୍ୟକ ଗୀତରଚନା କରିଯାଇଛନ୍ତି । କାଳକ୍ରମେ ଏହି ଗୀତଗୁଡ଼ିକ ମିଥିଳାର ସୀମା ଅତିକ୍ରମ କରି ନବଦ୍ୱୀପ ଓ ବୃନ୍ଦାବନର ବୈଷ୍ଣବ ଗୋଷ୍ଠୀଙ୍କ ସମାଦର ଲାଭ କଲା । ଏହି ଗୀତଗୁଡ଼ିକର ଜନପ୍ରିୟତା ଫଳରେ ବହୁ କବି ବିଦ୍ୟାପତି ଭଣିତା ଯୋଗକରି ଗୀତ ମଧ୍ୟରଚନା କରିଥିଲେ । ବିଶେଷତଃ, ବଙ୍ଗଳାରେ ବିଦ୍ୟାପତି ଭଣୀତା ଥିବା ବହୁ ଗୀତର ସନ୍ଧାନ ମିଳିବାରୁ ଏକଦା ତାହାଙ୍କୁ ବଙ୍ଗଳାର କବି ବୋଲି ଗ୍ରହଣ କରାଯାଉଥିଲା । ବହୁ ପ୍ରକ୍ଷିପ୍ତ ଗୀତର ସମ୍ମିଶ୍ରଣ ଫଳରେ ଓ ବହୁ ଶତାବ୍ଦୀର ବ୍ୟବଧାନ ଫଳରେ କବିଙ୍କ କବିତାରେ ବଙ୍ଗଳା, ଓଡ଼ିଆ, ଅସମିଆ, ମଗ୍‌ହି, ଭୋଜପୁରୀ, ନେପାଳୀ, ସାନ୍ତାଳୀ, ବ୍ରଜଭାଷା ଓ ଅବଧୀ ପ୍ରଭୃତି ଭାଷାର ଶବ୍ଦ ମଧ୍ୟ ଦେଖିବାକୁ ମିଳିଥାଏ ।

 

ବିଦ୍ୟାପତିଙ୍କୁ ଯଥାର୍ଥତଃ ମୈଥିଳୀ ଭାଷାର ‘ନବ ଜୟଦେବ’ ଭାବେ ଅଭିହିତ କରାଯାଇଅଛି । ତାହାଙ୍କ ସମକାଳୀନ ତଥା ପରବର୍ତ୍ତୀ ବହୁ କବି ତାହାଙ୍କ ରଚନାବଳୀ ଦ୍ୱାରା ପ୍ରଭାବିତ ହୋଇଥିଲେ ଏହା କହିବା ବାହୁଲ୍ୟ ମାତ୍ର । ତାହାଙ୍କ ଗୀତାବଳୀର ଅନୁସରଣରେ ବଙ୍ଗ, ଆସାମ, ଓଡ଼ିଶା ପ୍ରଭୃତି ଭାରତର ପୂର୍ବାଞ୍ଚଳରେ ଏକ ମିଶ୍ରିତ ଭାଷାରେ ‘ପଦ’ ବା ସଙ୍ଗୀତ ରଚନାରେ ସୂତ୍ରପାତ ହୋଇଥିଲା । ଏହି କୃତ୍ରିମ ଭାଷାହିଁ ବ୍ରଜବୋଲି ଭାଷା ନାମରେ ପରିଚିତ ।

 

ଶ୍ରୀଚୈତନ୍ୟ ବିଦ୍ୟାପତିଙ୍କ ରଚନାକୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଗାନ କରୁଥିବାରୁ ଏହି ଭାଷା ଗୌଡ଼ୀୟ ବୈଷ୍ଣବ ସମାଜରେ ଅଧିକ ସମାଦର ଲାଭ କରିଥିଲା । ଏଣୁ ଓଡ଼ିଆ, ବଙ୍ଗଳା, ହିନ୍ଦୀ (ବ୍ରଜଭାଷ୍ୟ) ଓ ମୈଥିଳୀ ଭାଷାର ସମନ୍ୱୟରେ ଯେଉଁ କୃତ୍ରିମ ବ୍ରଜ-ବୋଲି ଭାଷା ସୃଷ୍ଟି ହୋଇଥିଲା ତାହା ଯେ ବିଦ୍ୟାପତିଙ୍କ ଗୀତର ପରିଣାମ, ଏବିଷୟରେ ସନ୍ଦେହର ଅବକାଶ ନାହିଁ । ଜ୍ଞାନ ଦାସ, ଗୋବିନ୍ଦ ଦାସ, ନରୋତ୍ତମ ଦାସ ପ୍ରଭୃତି ପ୍ରାଚୀନ ବଙ୍ଗୀୟ କବିଗଣ ଏହି ଭାଷାରେ ବହୁ ସଙ୍ଗୀତରଚନା କରିଥିଲେ । ଏପରିକି ଆଧୁନିକ ଯୁଗରେ ମଧ୍ୟ ବଙ୍କିମ ଚନ୍ଦ୍ର ରାଜକୃଷ୍ଣ ରାୟ ପ୍ରଭୃତି ଏହି ଭାଷ୍ୟରେ ଗୀତରଚନା କରିଅଛନ୍ତି । ସର୍ବୋପରି ରବୀନ୍ଦ୍ର ନାଥ ଠାକୁର ମଧ୍ୟ ଭାନୁ ସିଂହ ଠାକୁର ଛଦ ନାମରେ ବ୍ରଜବୋଲି ଭାଷ୍ୟରେ ବହୁ ସଙ୍ଗୀତରଚନା କରିଥିଲେ ।

 

‘ଗୀତ ଗୋବିନ୍ଦ’ ରଚିତ ହେବା ପରେ ଉତ୍ତର ଭାରତୀୟ ଆଞ୍ଚଳିକ ଭାଷାରେ ବୈଷ୍ଣବ କବିତା ବା ପଦାବଳୀ ରଚୟିତା ଭାବେ ବିଦ୍ୟାପତି ହେଉଛନ୍ତି ପ୍ରଥମ ଓ ବିଶିଷ୍ଟତମ କବି । ରାଧାକୃଷ୍ଣଙ୍କ ପୂର୍ବରାଗ, ଶ୍ରୀ ରାଧାଙ୍କ ବୟଃସନ୍ଧି, ମିତ୍ରାଲାପ, ସଖୀ ସମ୍ଭାଷଣ, ଅଭିସାର, ମିଳନ, ବସନ୍ତ ଲୀଳା, ପ୍ରେମ ବୈଚିତ୍ତ୍ୟ, ଆକ୍ଷେପ, ବିରହ, ରସୋତ୍ସାହ, ମାନ, ପ୍ରଭୃତି ବିବିଧ ବିଭାଗର ଅଭିବ୍ୟକ୍ତିରେ ବିଦ୍ୟାପତିଙ୍କ କାବ୍ୟିକ କୁଶଳତା ଅତୁଳନୀୟ । ପରମ ପ୍ରେମିକା ରୂପେ ଶ୍ରୀରାଧାଙ୍କ ମନୋଭାବକୁ କବି ସୂକ୍ଷ୍ମ ମନସ୍ତତ୍ତ୍ୱବୋଧ ଓ ଶିଳ୍ପବୋଧରେ ରସାଣିତ କରି ଯେପରି ଉପସ୍ଥାପିତ କରିଛନ୍ତି ତାହାର ପଟାନ୍ତର ବିରଳ । ଧୀରେ ଧୀରେ କୃଷ୍ଣପ୍ରେମର ଉତ୍ତାଳ ତରଙ୍ଗ-ଲୀଳାରେ ସେ ହୋଇଯାଇଛନ୍ତି ଆତ୍ମବିସ୍ମୃତା । ବିରହରେ ତାହାଙ୍କ ବେଦନା-ବିଷଣ୍ଣତା ଯେପରି କମନୀୟ ସେହିପରି ମିଳନରେ ତାହା ହୋଇ ଉଠିଛି ଅପୂର୍ବ ରାଗ-ରଞ୍ଜିତ । ସଖୀମାନେ ରାଧାଙ୍କୁ ସେହି ମିଳନାନୁଭୂତି ବିଷୟରେ ପ୍ରଶ୍ନ କରିବାରୁ ସେ କହିଛନ୍ତି, ସେହି ଅପାର୍ଥିବ ଅନୁଭୂତିକୁ କ’ଣ କଥାରେ କହିହେବ ?

‘‘ସଖୀ କି ପୁଛସି ଅନୁଭବ ମୋୟ

ସେ ହୋ ରତି ଅନୁରାଗ ବଖାନିଏ

 

ତିଳ ତିଳ ନୂତନ ହୋୟ ।

ଜନମ ଅବଧି ହମ ରୂପ ନେହାରଲ

 

ନୟନ ନ ତିରପିତ ଭେଲ

ସେହୋ ମଧୁବୋଲ ସବଶହି ସୁନଲ

 

ସ୍ମୃତି ପଥ ପରସନ ଭେଲ ।

କତ ମଧୁ ଜାମିନ ରଭସ ଗମାଓଲ

 

ନ ବୁଝଲ କୈସନ କେଲ

ଲାଖ ଲାଖ ଯୁଗ ହିୟେ ହିୟ ରାଖଲ

 

ତଇ ହିଅ ଜୂଡ଼ଲ ନାଗେଲ ।

କତ ବିଦଗଧ ଜନରସ ଆମୋଦଲ

 

ଅନୁଭବ କାହୁ ନା ପେଖ

ବିଦ୍ୟାପତି କହେ ପ୍ରାଣ ଜୂଡ଼ାଏତ

 

ଲାଖେ ନା ମିଲଲ ଏକ ।’’

 

ଏହି ଗୀତଟିର ଓଡ଼ିଆ ପଦ୍ୟାନୁବାଦ

ସଖୀ ପଚାରୁ କାହିଁକି ମୋତେ

ସେ ବିଚିତ୍ର ଅନୁଭବ କାହାଣୀ

ସେ ପୀରତି ଅନୁରାଗ            ତିଳେ ତିଳେ ଅଭିନବ

ହୋଇବ କିପରି ତାହା ବଖାଣି ?

ଜନମ ଦିନରୁ ମୁହିଁ                  ସେ ରୂପକୁ ନିରେଖିଲି

ତୃପତି ନୋହିଲା ମୋର ନୟନ

 

ସେହି ମଧୁର ବଚନ                  ଶୁଣି ଶୁଣି ଅନୁଦିନ

ଶ୍ରୁତି ପଥ ନୋହିଲା ପ୍ରସନ୍ନ ।

କେତେ ଯାମିନୀ ମଧୁର            ଆମୋଦେ କଲି ବିଭୋର

ନ ବୁଝିଲି ସେ କେଳି କେସନ

 

ହୃଦୟେ ହୃଦୟରଖି            ଲକ୍ଷ ଲକ୍ଷ ଯୁଗସଖୀ

ମୋ ହୃଦୟ ନୋହିଲା ପ୍ରସନ୍ନ ।

ବିଦଗଧ ଜନ କେତେ            ରସ ଆମୋଦିଲେ ଚିତ୍ତେ

ନ ଦେଖିଲି ଅନୁଭବୀ କା’ରେ

ବିଦ୍ୟାପତି କହେ ସହି            ଲକ୍ଷ ଜନେ ଜଣେ କେହି

ନ ମିଳିଲେ ପ୍ରାଣ ତୋଷିବାରେ ।

 

ଏହି ଗୀତଟି ସମ୍ପର୍କରେ ବିଶିଷ୍ଟ ଆଲୋଚକ ଶ୍ରୀ କୁମାର ବନ୍ଦୋପାଧ୍ୟାୟଙ୍କ ଉକ୍ତି ଏଠାରେ ପ୍ରଣିଧାନଯୋଗ୍ୟ-‘‘ଏଠାରେ କୌଣସି ଏକ ବିଶେଷ ଲୌକିକ ପ୍ରେମର ବ୍ୟର୍ଥତା ପ୍ରକାଶ ପାଇନାହିଁ । ମାନବ ଚିତ୍ତର ସନାତନ ରହସ୍ୟର ସୂକ୍ଷ୍ମ ତାତ୍‌ପର୍ଯ୍ୟଟି ଏଠାରେ ସାର୍ଥକ ଭାବରେ ପ୍ରତିଫଳିତ ହୋଇଅଛି । ପ୍ରେମର ଚିରନ୍ତନ ଅତୃପ୍ତି, ଆଦର୍ଶ ଓ ବାସ୍ତବ ମଧ୍ୟରେ ଅନତିକ୍ରମ୍ୟ ବ୍ୟବଧାନ, ସୌନ୍ଦର୍ଯ୍ୟର ଖଣ୍ଡିତ ପ୍ରକାଶରୁ ଏହାର ମୂଳ ପ୍ରସ୍ରବଣ ଆଡ଼କୁ ଦୁରୁହ ଅଭିଯାନ, ରୂପରେ ରୂପାତୀତର ବ୍ୟଞ୍ଜନା, X X X ଇତ୍ୟାଦି ପ୍ରେମର ଦୁରବଗାହ ମହିମା ଓ ଆକର୍ଷଣର ସ୍ୱର ଏହି କବିତାରେ ଯେପରି ଆଶ୍ଚର୍ଯ୍ୟ ଅଭିବ୍ୟକ୍ତ ଲାଭ କରିଛି, ତହିଁରୁ ଏହା ପୃଥିବୀର ଶ୍ରେଷ୍ଠ ଗୀତି ସମୂହ ମଧ୍ୟରେ ସ୍ଥାନ ଲାଭ ପାଇଁ ଉପଯୁକ୍ତ । କିଟସ୍‌ଙ୍କ ସୌନ୍ଦର୍ଯ୍ୟ ଉପଭୋଗରେ ଅପରିତୃପ୍ତି ଓ ସେଲିଙ୍କ ଆଦର୍ଶ ସନ୍ଧାନରେ ଊର୍ଦ୍ଧ୍ୱାଭିଯାନପ୍ରୟାସୀ ହୃଦୟାବେଗ ଯେପରି ଏହି ମହାଗୀତରେ ନିବିଡ଼ ଏକାତ୍ମତାରେ ଯୁକ୍ତ ହୋଇଅଛି ।’’ (୧)

 

(୧) ବାଙ୍ଗଲା ସାହିତ୍ୟେର କଥା-ଶ୍ରୀ କୁମାର ବନ୍ଦୋପାଧ୍ୟାୟ (ପୃ:୬୨)

 

ନବୀନ ବୟସୀ ଶ୍ରୀ ରାଧାଙ୍କ ପ୍ରଥମ ପ୍ରଣୟର ଚାଞ୍ଚଲ୍ୟକୁ ଦୀପ୍ତ ଓ ରହସ୍ୟମୟ କରିବାରେ ବିଦ୍ୟାପତିଙ୍କ ପ୍ରତିଭା କିପରି ତନ୍ମୟ ତାହା ନିମ୍ନୋକ୍ତ ଗୀତଟିରୁ ଅନୁମେୟ ।

 

‘ଖନେ ଖନେ ନୟନ କୋନ ଅନୁସରଇ

ଖନେ ଖନେ ବସନ ଧୂଲି ତନୁ ଭରଇ

ଖନେ ଖନେ ବସନ ଛଟା ଛୁଟ ହାସ

ଖନେ ଖନେ ଅଧର ଆଗେ କରୁ ବାସ ।

ଚଉଁକି ଚଳାଏ ଖନେ ଖନେ ଚଳୁ ମନ୍ଦ

ମନମଥ ପାଠ ପହିଲ ଅନୁବନ୍ଧ ।

ହିରିଦୟ-ମୁକୁଳ ହେରି ହେରି ଥୋର

ଖନେ ଆଁଚର ଦଏ ଖନେ ହୋୟ ଭୋର ।

ବାଳା ଶୈଶବ ତାରୁନ ଭେଟ

ଲଖଏ ନ ପରିଅ ଜେଠ କନେଠ

ବିଦ୍ୟାପତି କହ ସୁନ ବର କାନ

ତରୁନିମ ଶୈଶବ ଚିହ୍ନର ନ ଜାନ ।’’

 

ଓଡ଼ିଆ ପଦ୍ୟାନୁବାଦ -

କ୍ଷଣୁ କ୍ଷଣ ନୟନ କୋଣକୁ ଅନୁସରଇ

କ୍ଷଣୁ କ୍ଷଣ ବସନର ଧୂଳି ତନୁ ଭରଇ ।

କ୍ଷଣୁ କ୍ଷଣ ଦସନ ଛଟାରେ ଫୁଟେ ହାସ

କ୍ଷଣୁ କ୍ଷଣ ଅଧର ସେ ଆଚ୍ଛାଦଇ ବାସ ।

ଚମକି ଚଳଇ ବେଗେ କେବେ ଚଳେ ଧୀର

ଆଦ୍ୟ ଭୂମିକାଟି ଏହି ମନ୍ମଥ ପାଠର ।

କେବେ ଅଳ୍ପ ନିରେଖି ହୃଦୟ ମୁକୁଳ

ବସନେ ଆବରି ପରକ୍ଷଣେ ହୁଏ ଭୋଳ ।

ଶୈଶବ ଯୌବନ ଭେଟ ବାଳାର ଶରୀରେ

କିଏ ବଡ଼ କିଏ ସାନ ବାରି ନୁହେଁ ତାରେ ।

କହେ ବିଦ୍ୟାପତି କାହ୍ନୁ ହୁଅ ଅବଧାନ

ବାରି ହୁଏ ନାହିଁ ଏବେ ଶୈଶବ ଯୌବନ ।

 

ଏହିପରି ପ୍ରଣୟ ରାଗରଞ୍ଜିତ ବିଚିତ୍ର କଳା-ବିଳାସର ଉଦ୍‌ଭାବନ, ଛନ୍ଦ-ବର୍ଣ୍ଣ ଭାବ-ରୂପ ସୁଷମାର ବୈଚିତ୍ର୍ୟ ପ୍ରକଟନ ଓ ବେଦନା ଆକ୍ଷେପର ମଧୁର ଅଭିବ୍ୟକ୍ତି ଯୋଗୁଁ ତାହାଙ୍କ ସଙ୍ଗୀତ କିପରି ଅପୂର୍ବ ରସମୟ ତାହାର ଆଉ ଗୋଟିଏ ଦୃଷ୍ଟାନ୍ତ ଏଠାରେ ଦିଆଯାଇ ପାରେ ।

 

‘‘ଫୁଟଲ କୁସୁମ ନବ କୁଞ୍ଜ କୁଟୀର ବନ

 

କୋକିଳ ପଞ୍ଚମ ଗାଓଇରେ

ମଲୟାନିଲ ହିମ ସିଖର ସିଧାରଲ

 

ପିଆ ନିଜ ଦେଶ ନ ଆଓଇ ରେ ।

ଚାନନ ଚାବ ତନ ଅଧିକ ଉତାପଏ

 

ଉପବନ ଅତି ଉତରୋଳ ରେ

ସମୟ ବସନ୍ତ କନ୍ତ ରହୁ ଦୂର ଦେଶ

 

ଜାନଲ ବିହି ପ୍ରତିକୂଳ ରେ ।

ଆନମିଖ ନୟନ ନାହିଁ ମୁଖ ନିରଖଇତ

 

ତିରପିତ ନଭେଲ ନୟାନରେ

ଇ ସୁଖ ସମୟ ସହଏ ଏତ ସଙ୍କଟ

 

ଅବଳା କଠିନ ପରାଣରେ ।

ଦିନୁଦିନ ଖିନ ତନୁ କମଳିନୀ ଜନୁ

 

ନ ଜାନି କି ଜୀବ ପରଜନ୍ତରେ

ବିଦ୍ୟାପିତ କହ ଧିକ ଧିକ ଜୀବନ

 

ମାଧବ ନିକରୁଣ କନ୍ତରେ ।’’

 

ଫୁଟିଲା କୁସୁମ ନବ            କୁଞ୍ଜ କୁଟୀର ବନ

କୋକିଳ ପଞ୍ଚମେ ଏବେ ଗାଇଲାରେ

ମଳୟ ଅନିଳ ହିମ            ଶିଖରୁ ଆସିଲା ବହି

ପ୍ରିୟ ଗୃହେ ଫେରି ତ ନ ଆସିଲାରେ ।

ଚନ୍ଦ୍ର ଚଳନ ତନୁକୁ                  ଅଧିକ ତପତ କଲା

ବନ ମୁଖରିତ ଅଳି ରୋଳରେ

ସମୟ ବସନ୍ତ ଏବେ            କାନ୍ତରହିଲେ ବିଦେଶେ

ଜାଣିଲି ମୁଁ ବିହି ପ୍ରତିକୂଳରେ ।

ଅନିମେଷ ମୋ’ ନୟନ            ଦର୍ଶନେ ପ୍ରିୟ ବଦନ

ତୃପତ ନହେଲା ଏ ନୟନରେ

ଏହି ସୁଖର ସମୟେ            ଏତେ ସଙ୍କଟ କେ ସହେ

ଅବଳାର କଠିନ ପରାଣରେ ।

ଦିନୁ ଦିନୁ କ୍ଷୀଣ ତନୁ            ଯଥା ବନେ କମଳିନୀ

ନ ଜାଣେ ମୁଁ ଜୀଇବି କେମନ୍ତରେ

ବିଦ୍ୟାପତି କହେ            ଧିକ ଧିକ ମୋ’ ଜୀବନ

କଠୋର ମାଧବ ମୋର କାନ୍ତରେ ।

 

କୃଷ୍ଣଲୀଳାତ୍ମକ ଗୀତ ବ୍ୟତୀତ କବି କେତେକ ଶିବ ବନ୍ଦନାମୂଳକ ଓ ଆତ୍ମାନୁଭୂତିସମ୍ପନ୍ନ ଗୀତ ମଧ୍ୟ ରଚନା କରି ଅଛନ୍ତି । ପରିଣତ ବୟସରେ ଲିଖିତ ନିମ୍ନୋକ୍ତ ଗୀତରୁ ତାହାଙ୍କ ଭକ୍ତିମତ୍ତା ଓ ଆତ୍ମସମର୍ପଣ ଭାବ ସୂଚିତ ହୁଏ ।

 

 

ତାତଲ ସୈକତେ ବାରିବିନ୍ଦୁ ସମ

 

ସୁତ ମିତ, ରମନି ସମାଜ

ତୋହେ ବିସରି ମନ

 

ତାହେ ସମରପିବୁ

ଅବମଝୁ ହବ କୋନ କାଜ ।୧।

ମାଧବ, ହମ

 

ପରିନାମ ନିରାଶା

ତୁହୁ ଜଗ ତାରନ

 

ଦୀନ ଦୟାମୟ

ଅଭୟ ତୋହର ବିସବାସା ।୨।

ଭନହି ବିଦ୍ୟାପତି

 

ସେସ ସମନ ଭୟ

ତୁଅ ବିନା ଗତି ନାହିଁ ଆରା

ଆଦି ଅନାଦିକ

 

ନାଅ କହାଓସି

ଅବ, ତାରନ ଭାର ତୋ ହାରା ।୫।

ମାଧବ, ଶେଷରେ ଏଇ ମୋ’ ଆଶା

ଦୀନ ଦୟାମୟ

 

ଜଗତ ତାରଣ

ତୁମେଇ ମୋର ଭରସା ।୧।

ତାଲିଲା ବାଲିରେ

 

ବାରବିନ୍ଦୁ ସମ

ସୁତ ମିତ ନାରୀଗଣ

ତୋତେ ଭୁଲି ତାଙ୍କୁ

 

ମନ ଅରପିଲ

ଏବେ ହେବ କି କାରଣ ।୨।

ଭଣେ ବିଦ୍ୟାପତି

 

ସମନ ଭୟରୁ

ନାହିଁ ଗତି ତୁମ୍ଭ ବିନା

ତୁ ବୋଲାଉ

 

ଆଦି ଅନାଦି କାରଣ

ତାରିବା ଭାର ତୋ ସିନା ।୫।

 

ବିଦ୍ୟାପତି ଓ ଓଡ଼ିଆ ସାହିତ୍ୟ :

ଶ୍ରୀଚୈତନ୍ୟଙ୍କ ଓଡ଼ିଆ ଆଗମନ ପୂର୍ବରୁ ବିଦ୍ୟାପତିଙ୍କ ଗୀତିରଚନା ଓଡ଼ିଶାରେ ପ୍ରସାର ଲାଭ କରିଥିବା ସୁନିଶ୍ଚିତ ମନେହୁଏ । ଓଡ଼ିଶାର ଦକ୍ଷିଣାଞ୍ଚଳର ତତ୍‌କାଳୀନ ଶାସକ ଓ ରାଜପ୍ରତିନିଧି ରାୟ ରାମାନନ୍ଦ-ସ୍ୱରଚିତ ଏକ ବ୍ରଜବୋଲି କବିତା ଶ୍ରୀଚୈତନ୍ୟଙ୍କୁ ପ୍ରଥମ ସମ୍ଭାଷଣ କାଳରେ ଗୋଦାବରୀ ତଟରେ ଶୁଣାଇଥିବା ପ୍ରସଙ୍ଗ ‘ଚୈତନ୍ୟ ଚରିତାମୃତ’ରୁ ଜଣାଯାଏ । ପରବର୍ତ୍ତୀ କାଳରେ ଶ୍ରୀକ୍ଷେତ୍ରରେ ଅବସ୍ଥାନ ସମୟରେ ରାୟ ରାମାନନ୍ଦ ଶ୍ରୀଚୈତନ୍ୟଙ୍କୁ ଭାବାନୁରୂପ ବିଦ୍ୟାପତିଙ୍କ କେତେକ କବିତା ମଧ୍ୟ ଶୁଣାଇଥିଲେ । ରାମାନନ୍ଦ ମୈଥିଳୀ କବିତା ରୀତିରେ ବଙ୍ଗଳା, ବ୍ରଜଭାଷ୍ୟ ଓ ଓଡ଼ିଆ ଶବ୍ଦାବଳୀ ମିଶାଇ ବହୁ ପଦାବଳୀ ମଧ୍ୟ ରଚନା କରିଯାଇ ଅଛନ୍ତି ।

 

ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ବ୍ରଜବୋଲି ଭାଷାରେ ଅନ୍ୟ କେତେକ କବି ମଧ୍ୟ ଗୀତରଚନା କରିଥିଲେ । ଏତାଦୃଶ ଗୀତରଚୟିତା ଭାବରେ ପ୍ରତାପରୁଦ୍ର, ଚମ୍ପତିରାୟ, ମାଧବୀ ଦାସୀ, ମୁରାରୀ ପ୍ରଭୃତିଙ୍କ ନାମ ଉଲ୍ଲେଖଯୋଗ୍ୟ । ବଙ୍ଗଳା ‘ପଦକଳ୍ପତରୁ’ ପ୍ରଭୃତି ସଂକଳନମାନଙ୍କରେ ଏହି କବିମାନଙ୍କ ରଚିତ କେତେକ ଗୀତ ସଂକଳିତ ହୋଇଅଛି । ସପ୍ତଦଶ ଶତାବ୍ଦୀରେ ଓଡ଼ିଶାର ବ୍ରଜବୋଲି ଗୀତରଚୟିତା ଭାବେ ରାୟ ଦାମୋଦର ଦାସ ଚାନ୍ଦକବି, ଯଦୁପତି ଦାସ ପ୍ରଭୃତି କବିଗଣ ସୁବିଖ୍ୟାତ । ରାୟ ଦାମୋଦର ଓ ଚାନ୍ଦକବି ପୁରୀର ରାଜା ରାମଚନ୍ଦ୍ର ଦେବଙ୍କ ସଭାକବି ଏବଂ ଯଦୁପତିଦାସ ନରସିଂହ ଦେବଙ୍କ ସଭାକବି ଥିଲେ । ପ୍ରାଚୀ ସମିତି ପକ୍ଷରୁ ପ୍ରକାଶିତ ‘‘ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ’’ରେ ଏହି କବି କ୍ରୟଙ୍କ କେତେଗୋଟି ସଙ୍ଗୀତ ସଂକଳିତ ହୋଇଅଛି । ପରିତାପର ବିଷୟ, ଓଡ଼ିଶାର କବିମାନଙ୍କ ରଚିତ ବ୍ରଜବୋଲି ଗୀତମାନଙ୍କର ସଂକଳନ ଓ ତତ୍‌ ସମ୍ପର୍କୀୟ ଅନୁଶୀଳନ ଏପର୍ଯ୍ୟନ୍ତ ହୋଇ ପାରିନାହିଁ ।

 

ଊନବିଂଶ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ ଓଡ଼ିଶାର ବହୁ ବୈଷ୍ଣବ କବି ଏହି ମିଶ୍ର ଭାଷାରେ, ବିଦ୍ୟାପତିଙ୍କ ସଙ୍ଗୀତ ଆଦର୍ଶରେ ଗୀତ ରଚନା କରିଥିବାର ପ୍ରମାଣ ମିଳୁଅଛି । ଉଦାହରଣ ସ୍ୱରୂପ ଅଷ୍ଟାଦଶ ଶତକର କବି ପିଣ୍ଡିକ ଶ୍ରୀଚନ୍ଦନ ଓ ଗୌର ଚରଣ ଅଧିକାରୀଙ୍କ (୧୮୧୪-୧୮୯୦) ନିମ୍ନୋକ୍ତ ଗୀତ ଦୁଇଟିର ଆଦ୍ୟପଦ ଏଠାରେ ଉଲ୍ଲେଖ କରାଗଲା ।

 

(୧) ଓହେ ମାଧବ, ତବ ବିରହେ ଦୁଖୀ ରାଇ

 

ପ୍ରଖର ମନସିଜ ବିଶିଖ ଭୟ ଉର

 

ତୁହା ଭାବେ ଲୀନ ହୋଇ ହେ ।୦।

ରୋଦତ ଖେଦ ଅଧୀର ଭର ନିନ୍ଦିତ

 

ଚନ୍ଦନ ଚାନ୍ଦ ଉଦିଆରା

ବିଷଧର ପୁର ଗରଳ ବହି ଆନତ

 

ମାନତ ମଳୟ ସମୀରା ।୧।

 

(ପିଣ୍ଡିକ ଶ୍ରୀଚନ୍ଦନ-‘ବସନ୍ତ ରାସ’)

 

 

(୨) ଗାନକର ହରିନାମରସିଆ

 

ବରଜ ରାଜ କହ୍ନୟାରୀ

ଗୋପ ଗୁଆଲିନୀ ମାନସ ଲୁଟେ

 

ମୋହନ ବେଶ ବନାୟାରୀ ।

(ଗୌର ଚରଣ)

 

ଅତୀତରେ କେତେକ ଆଲୋଚକ ଏତାଦୃଶ ଗୀତି ରଚନାକୁ ବିକୃତ ବଙ୍ଗଳା ମନେକରି ଏହା ପ୍ରତି ଉପେକ୍ଷା ପ୍ରଦର୍ଶନ କରିଅଛନ୍ତି । ଓଡ଼ିଶାର କବିଗଣ ବ୍ରଜବୋଲି ଭାଷ୍ୟରେ ଗୀତ ରଚନା କଲାବେଳେ ତହିଁରେ ଓଡ଼ିଶାର ଦେଶଜ ଶବ୍ଦ ସଂଯୋଜନ କରିବା ଏକାନ୍ତ ସ୍ୱାଭାବିକ । ଉଦାହରଣ ସ୍ୱରୂପ ଚମ୍ପତିଙ୍କ ରଚନାକୁ ଦୁଇଟି ପଦ ଏଠାରେ ଉଦ୍ଧାର କରାଗଲା ।

 

(କ) ଦଶଗୁଣ ଅଧିକ

 

ଅନଳେ ତନୁ ଦାହିଲା

ରତି ଚିହ୍ନି ଦେଖି ପ୍ରତି ଅଙ୍ଗେ

ଚମ୍ପତି ପୈଡ଼

 

କପୁର ଯବ ଜମିଲବ

ତବ ମିଲବ ହରି ସଙ୍ଗେ ।

(ବୈଷ୍ଣବ ପଦାବଳୀ (ବଙ୍ଗଳା) ପୃ୫୨୪)

(ପୈଡ଼-ପଇଡ଼ । କର୍ପୂର ମିଶା ପଇଡ଼ ପାଣି ପିଇଲେ ବିଷ ହୁଏ)

(ଖ) ତାହେ ଲାଗି ଅନ୍ନପାନି

 

ସବ ତେଜଲା

ଜପକରୁ ତାଙ୍କର ନାମ

ଚମ୍ପତି ପତି କହ

 

ସୋଇ ଯୁବତି ବର

ଗାଓତ ପୁନ ତଛୁ ଗାମ ।

(ଅନ୍ନପାନି-ଭାତ ଓ ପାଣି । ତାଙ୍କର-ତାହାଙ୍କର । ଗାମ-ଗୁଣାବଳୀ)

 

ଓଡ଼ିଶାରେ ନୂତନ ଛନ୍ଦର ଅନୁପ୍ରବେଶ କ୍ଷେତ୍ରରେ ମଧ୍ୟ ବିଦ୍ୟାପତିଙ୍କ ପ୍ରଭାବକୁ ଅସ୍ୱୀକାର କରାଯାଇ ନପାରେ । କେତେକ ଓଡ଼ିଆ ଛନ୍ଦର ଆଦି ରୂପ ବିଦ୍ୟାପତିଙ୍କ ସଂଗୀତାବଳୀରେ ପରିଦୃଷ୍ଟ ହୁଏ । ଯଥା:-

 

(୧) ଓଡ଼ିଶା ନବାକ୍ଷରୀ ବୃତ୍ତ ବା ଗୁଜ୍ଜରୀ ରାଗ ସହ ବିଦ୍ୟାପତିଙ୍କ ନିମ୍ନୋକ୍ତ ଗୀତଟିର ସାଦୃଶ୍ୟ ବିଦ୍ୟମାନ ।

 

‘‘ଏ ଧନି କର ଅବଧାନ

ତୋ ବିନେ ଉନମତ କାନ ।

କାରଣ ବିନୁ ଖେଳେ ହାସ

କି କହଏ ଗଦଗଦ ଭାଷ ।’

(କାନ-କାହ୍ନୁ)

 

(୨) ଅଷ୍ଟ ଅକ୍ଷର ବିଶିଷ୍ଟ ଓଡ଼ିଆ ନଳିନୀ ଗୌଡ଼ା ବୃତ୍ତ ସହ ବିଦ୍ୟାପତିଙ୍କ ବସନ୍ତ ବର୍ଣ୍ଣନାମୂଳକ ନିମ୍ନୋକ୍ତ ଗୀତଟିର ସାଦୃଶ୍ୟ ସୁସ୍ପଷ୍ଟ ।

 

‘ମଳୟ ପବନ ବହ

ବସନ୍ତ ବିଜୟ କହ

।।

ଭ୍ରମର କରଇ ରୋଳ

ପରିମଳ ବହି ଓର

।।

ଋତୁପତି ରଙ୍ଗ ଦେଲା

ହୃଦୟ ରଭସଁ ଭେଲା

।।

(ଭେଲା-ହେଲା । ରଭସଁ – ଆନନ୍ଦିତ)

 

 

(୩) ଦଶ ଅକ୍ଷର ବିଶିଷ୍ଟ ଓଡ଼ିଆ ମୁଖାରୀ ବୃତ୍ତ ସହ ବିଦ୍ୟାପତିଙ୍କ ନିମ୍ନୋକ୍ତ ଗୀତଟିର ସାଦୃଶ୍ୟ ବିଦ୍ୟମାନ ।

 

‘ମଧୁଋତୁ ମଧୁକର ପାନ୍ତି

ମଧୁର କୁସୁମ ମଧୁ ମାତି

ମଧୁର ବୃନ୍ଦାବନ ମାଝ

ମଧୁର ମଧୁର ରସ ରାଜ ।

 

ମଧୁର ମଧୁର ରସଗାନ

ମଧୁର ବିଦ୍ୟାପତି ଭାନ ।’

(ପାନ୍ତି-ପନ୍ତି । ମାଝ-ମଝିରେ । ଭାନ-ଭଣେ)

 

(୪) କେଦାର, ଦେଶାକ୍ଷ, ଚକ୍ରକେଳି ପ୍ରଭୃତି ନାମରେ ପରିଚିତ ଏକାଦଶ ଅକ୍ଷର ବିଷିଷ୍ଟ ଓଡ଼ିଆ ବୃତ୍ତ ସହ ବିଦ୍ୟାପତିଙ୍କ କବିତାର ସାଦୃଶ-

 

‘ଆଜ୍‌ କାହେ ତୋୟ ଐସନ ଦେଖି

ହୋୟ ଢୂଳୁ ଢୂଳୁ ଅରୁନ ଆଁଖି ।

ଅଙ୍ଗ ଦେଇ ମୋଡ଼ି କହିଛ କଥା

ଜନୁ ଅନ୍ତରେ କି ଭେଲ ବ୍ୟଥା।

ବିଦ୍ୟାପତି କହ ଏକଥା ଦଢ଼

ଗୋପନ ପିରତି ବିସମ ବଡ଼ ।’

 

(ଆଜୁ-ଆଜି । କାହେ-କିମ୍ପା ।। ତୋୟ-ତୋତେ । ଐସନ-ଏପରି । ହୋୟ-ହୁଏ । ଜନୁ-ଯେପରି । ଦଢ଼-ଦୃଢ଼)

 

(୫) ଷୋଡ଼ଶ ଅକ୍ଷର ବିଶିଷ୍ଟ ଓଡ଼ିଆ ରାମକେରୀ ବୃତ୍ତ ସହ ବିଦ୍ୟାପତିଙ୍କ ଗୀତର ସାଦୃଶ୍ୟ-

 

‘ନାମିତ ଅଳକେ ବେଢ଼ଲା

 

ମୁଖ-କମଳ ଶୋଭେ

ରାହୁକୁ ବାହୁ ପରଶିଲା

 

ଶଶି ମଣ୍ଡଳ ଲୋଭେ ।

କଳସ କୁଚ ଲୋଟାଇଲୀ

 

ଘନ ସାମରି ବେଣୀ

କନକ ପରଖ ସୁତଲୀ

 

ଜାନି କାରି ନାଗିନୀ ।’

 

ନଇଁ ପଡ଼ିଥିବା ଅଳକ ବେଷ୍ଟିତ ମୁଖମଣ୍ଡଳ ଶୋଭା ପାଉଛି । (ଏହା) ଶଶିମଣ୍ଡଳ ଲୋଭରେ ରାହୁର ବାହୁ ସ୍ପର୍ଷ କରିବା ସଦୃଶ । (ତାହାର ଘନ କୃଷ୍ଟବେଶୀ କୁଚ କଳସରେ ଲୋଟୁଛି । (ଏହା) ସ୍ୱର୍ଣ୍ଣ ପର୍ବତ ଉପରେ କୃଷ୍ଣସର୍ପିଣୀ ଶୋଇବା ସଦୃଶ ।)

 

ବିଦ୍ୟାପତିଙ୍କ ନିମ୍ନୋକ୍ତ ଗୀତ ସହ ସପ୍ତଦଶ ଶତାବ୍ଦୀର କବି ଦେବ ଦୁର୍ଲଭ ଦାସଙ୍କ ‘ରହସ୍ୟ ମଞ୍ଜରୀ’ର ଏକ ଛାନ୍ଦର ସାଦୃଶ୍ୟ ମଧ୍ୟ ଏ ପ୍ରସଙ୍ଗରେ ଉଲ୍ଲେଖଯୋଗ୍ୟ । ଯଥା-ବିଦ୍ୟାପତିଙ୍କ ଗୀତ-

‘ଯବ ଗୋଧୂଳି ସମୟ ବେଲି

ଧନି ମନ୍ଦିର ବାହାର ଭେଲି ।

ନବ ଜଳଧର ବିଜୁରି ରେହା

ଦ୍ୱନ୍ଦ ପସାରିଆ ଗେଲି ।୧।

ଧନି ଅଳପ ବୟସୀ ବାଳା

ଜନୁ ଗାଁ ଥନି ପୁହପ ମାଳା

ଥୋରି ଦରଶନେ ଆଶା ନ ପୁରଇ

ବାଢ଼ଲ ମଦନ ଜ୍ୱାଳା ।୨।

ଦେବ ଦୁର୍ଲଭଙ୍କରଚନା-

‘ସଜଳ ଜଳଦ କାନ୍ତି

ନୀଳମଣି ଜିଣି ଭାନ୍ତି

ଅମଳ କମଳ ମୁଖ ମଞ୍ଜୁଳ

ଅଳିକ ଅଳକା ପନ୍ତି ।

ଅରୁଣ ଅଧର ରାଜେ

ମୁରଲୀ ମଧୁର ବାଜେ

ନାସେ ମୋତିବର ଗଗନେ ଶୁକ୍ର

ଅଧର ପରେ ବିରାଜେ ।’

 

ଅଭିମନ୍ୟୁ ପ୍ରଭୃତି ଓଡ଼ିଶାର ବୈଷ୍ଣବ କବିମାନଙ୍କ କବିତାରେ ବିଦ୍ୟାପତିଙ୍କ କବିତାର ବହୁ ଭାବର ପ୍ରଭାବ ମଧ୍ୟ ପରିସ୍ଫୁଟ । ବିଶେଷତଃ ଅଭିମନ୍ୟୁଙ୍କ ବୟଃସନ୍ଧି ମୂଳକ ଛାନ୍ଦଟିରୁ ଏହା ସହଜରେ ଅନୁମେୟ ।

ବିଦ୍ୟାପତିଙ୍କ ସଙ୍ଗୀତର ପ୍ରଭାବ ଯୋଗୁ ଅସମିଆ ସାହିତ୍ୟରେ ମଧ୍ୟ ବ୍ରଜବୋଲି ଭାଷାରେ ବହୁ ପଦାବଳୀ ରଚିତ ହୋଇଥିଲା । ଆସାମର ବିଶିଷ୍ଟ କବି ଶଙ୍କର ଦେବ (୧୪୪୯-୧୫୭୮) ସର୍ବାଦୌ ଏତାଦୃଶ ଗୀତ ରଚନା କରିଥିଲେ । ପରବର୍ତ୍ତୀ କାଳରେ ଅନ୍ୟାନ୍ୟ କବି ମଧ୍ୟ ଏତାଦୃଶ ଗୀତ ରଚନାରେ ମନୋନିବେଶ କରିଥିବା ଜଣାଯାଏ । ଏହି ଗୀତଗୁଡ଼ିକ ‘ବର ଗୀତ’ ବା ଦିବ୍ୟ ସଙ୍ଗୀତ ନାମରେ ଆସାମରେ ପରିଚିତ ।

ଏହିପରି ଭାବେ ଏହି ମହାନ କବିଙ୍କ ସଙ୍ଗୀତ ଶହ ଶହ ବର୍ଷଧରି ପୂର୍ବାଞ୍ଚଳୀୟ ଭାଷା ଓ ସାହିତ୍ୟକୁ ବିପୁଳ ପରିମାଣରେ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ଏକ ବିସ୍ତୃତ ଅଞ୍ଚଳରେ ଯେ ସଂପ୍ରୀତ ଓ ସମ୍ମେଳନର ଭାବ ତରଙ୍ଗ ଖେଳାଇ ଦେଇଥିଲା, ଏ ବିଷୟରେ ସନ୍ଦେହର ଅବକାଶ ନାହିଁ । ଯାହାହେଉ ଏଇ ପ୍ରଭାବ ସମ୍ପର୍କରେ ଓଡ଼ିଶାରେ ଅଧିକ ଅନୁଶୀଳନର ଯେ ଆବଶ୍ୟକତା ରହିଛି ଏହା ଅନସ୍ୱୀକାର୍ଯ୍ୟ ।

 

 

ଜୟଦେବ ନଗର

ଭୁବନେଶ୍ୱର

***

 

Unknown

ଓଡ଼ିଆ ସାହିତ୍ୟରେ ନୃତ୍ୟ

ଡକ୍‌ଟର ବଂଶୀଧର ମହାନ୍ତି

ଓଡ଼ିଶାର ଯାବତୀୟ ସାଂସ୍କୃତିକ ରୂପରେଖ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ଗଢ଼ି ଉଠିଛି କହିବା ବାହୁଲ୍ୟ ହେବ । ଓଡ଼ିଆ ବା ଓଡ଼ିଶାର ସଂସ୍କୃତି ହିଁ ଶ୍ରୀଜଗନ୍ନାଥ-ତାଙ୍କୁ ଛାଡ଼ିଦେଲେ ଓଡ଼ିଶାର କିଛି ନାହିଁ ଗୀତ ବୋଲି ବୋଲିବାକୁ ହେବ । ଓଡ଼ିଆ ଜାତିର ସୂକ୍ଷ୍ମତମ ପ୍ରାଣହିଁ ତା’ର ଶ୍ରୀଜଗନ୍ନାଥ ଚେତନା । ସଙ୍ଗୀତ, ଗୀତ, ନୃତ୍ୟ, ଚାରୁକଳା, ସ୍ଥାପତ୍ୟ ପୁଣି ତା’ର ସମସ୍ତ ଚାଲିଚଳଣି ଶ୍ରୀଜଗନ୍ନାଥଙ୍କୁ ଧରି ହଜାର ହଜାର ବର୍ଷ ଗତି କରି ଆସିଛି । ଆଦିବାସୀ ଶବରର ଅଦ୍ଭୁତ ଦେବତାଙ୍କୁ ଶ୍ରୀଜଗନ୍ନାଥ ନାମ ଦେଇ ତାଙ୍କପାଇଁ ଏ ଦେଶର ରାଜା ଅଜସ୍ର ଅର୍ଥ ବ୍ୟୟ କରି ରାଜ୍ୟର ସର୍ବୋଚ୍ଚ ମନ୍ଦିର ତୋଳାଇବା ଅତି ଆଶ୍ଚର୍ଯ୍ୟ କଥା-ପୁଣି ଯେଉଁ ରାଜ୍ୟ ପତିତ ରାଜ୍ୟ ଅପବିତ୍ର ରାଜ୍ୟ ଭାବରେ କଥିତ ହେଉଥିଲା, ସେହି ପତିତ ଲୋକମାନଙ୍କର ଦେବତାଙ୍କୁ ସାଧୁ ସନ୍ନ୍ୟାସୀ ବ୍ରାହ୍ମଣ କ୍ଷତ୍ରିୟମାନେ ବି ଶତ ଶତ ପ୍ରଣତି ଢାଳୁଛନ୍ତି ହିନ୍ଦୁଧର୍ମର ସବୁ ନୀତି ନିୟମ ଏଠାରେ ପରାଭୂତ ।

 

ତେବେ ଯାହା ହେଉନା କାହିଁକି ଆମର ଓଡ଼ିଆ ସାହିତ୍ୟ ମୁଖ୍ୟତଃ ଶ୍ରୀଜଗନ୍ନାଥ ସାହିତ୍ୟ-ଏହି ସାହିତ୍ୟରେ ବହୁ ଆବହମାନ କାଳରୁ ସଙ୍ଗୀତ, ନୃତ୍ୟ, ଗୀତରେ ଆଭାସ ରହିଅଛି । ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ନିଯୋଗ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଗୀତର ବହୁ ନିଯୋଗ ରହିଛି, ଯାହା ଆମ ସମସ୍ତଙ୍କୁ ଜଣାନାହିଁ । ଶ୍ରୀ ପୁରୁଷୋତ୍ତମଙ୍କ କର୍ମାଙ୍ଗୀ ପାଣ୍ଡୁଲିପିରେ (୧) ରାଣ ପଣ୍ଡା (୨) ଭଜନି (୩) ମାହାରୀ (୪) ବୀଣାକାର ପ୍ରଭୃତି ନିଯୋଗର ବର୍ଣ୍ଣନାରହିଛି । ଶ୍ରୀ ଗୀତଗୋବିନ୍ଦ ପାଠ ସହିତ ମାହାରୀନୃତ୍ୟ ଶ୍ରୀମନ୍ଦିରରେ ଥିଲା ବହୁକାଳରୁ ପ୍ରଚଳିତ । ଦକ୍ଷିଣ ଭାରତୀୟ ମନ୍ଦିରମାନଙ୍କରେ ଦେବଦାସୀ ପ୍ରଥାର ପ୍ରଚଳନ ମଧ୍ୟରହିଥିଲା । ମାହାରୀନୃତ୍ୟ ପ୍ରସଙ୍ଗରେ କର୍ମାଙ୍ଗୀର ବିବରଣୀ ହେଲା- ‘‘ମାହାରୀୟେ ବାହାର ନିଯୋଗ ଦର୍ଶନକୁ ଜୟ ବିଜୟ ଦ୍ୱାର ନ ଡେଇଁବେ । ଭିତର ଗାଉଣି ପାଳିଆ କଳାଘାଟ ଦ୍ୱାର ପର୍ଯ୍ୟନ୍ତକେ ଯିବେ । ଏ ବିଭାଘରେ ମଙ୍ଗଳଗୀତ ପଢ଼ିବେ । ଚମ୍ପକ ଦ୍ୱାଦଶୀ ଗୁଆଲି ପଟୁଆରେ ଯିବେ । ରଥରେ ପରମେଶ୍ୱରଙ୍କ ବାହୁଡ଼ା କାଳେ ପରମଲକ୍ଷ୍ମୀଙ୍କ ପଟୁଆରରେ ଯିବେ । ମହାଲକ୍ଷ୍ମୀ ଯହିଁ ତହିଁ ବିଜେ ହେଲେ ଏ ଛନ୍ଦ କରି ଗମିବେ ମଙ୍ଗଳ ପଢ଼ିବେ ନିତ୍ୟ ପହୁଡ଼ ସମୟେ କଳାଘାଟଦ୍ୱାରେ ଗୀତ ଗାଇବେ । ନିତ୍ୟାନି ଧୂପ ସମୟେ ଗରୁଡ଼ ଆଗେ ଅଳଷାନାଚ ନାଚିବେ । ଷୋଳ ପୂଜାରେ ବିମ୍ବଳାଈଙ୍କ ମଣ୍ଡପେ ନାଚିବେ । ଚାପପଟୁଆରେ ନାଚିବେ । ମହାପ୍ରଭୁଙ୍କ ଚାପରେ ନିତ୍ୟାନି ନାଚିବେ । ଏ ପର ଅଙ୍ଗ ନ ଛୁଇଁବେ ସେବକେ । ଗମିଲେ ଓଳଗି ହେବେ । ଅପରକୁ ଓଳଗି ନ ହେବେ । ଭିତରଛ ନନ୍ଦ ହେଲେ ଏଥ୍‌ ରୋହଣୀ ଯଶୋଦା ହେବେ ପଟୁଆର କରିବେ । ବାହୁଡ଼ା ବିଜେକାଳେ ବଚନିକା କରିବେ । ସେବକ ଘରେ ଉଚ୍ଛବ ହେଲେ ମଙ୍ଗଳ ପଢ଼ିବେ । କଉଡ଼ି ନେବେ । ପରମେଶ୍ୱରଙ୍କ ପ୍ରାୟେ ମହାଶ୍ରମଙ୍କ ନଅରେ ଖଟିବେ ବିଜେ ଆବର ତୁଲାଇବେ ।

 

ବୀଣାକାର ସେବକେ ଏ ନାରଦ ସେବା ବୀଣା ନେଇ ପରମେଶ୍ୱରଙ୍କ ପହୁଡ଼କାଳେ ସୁଗୀତ କଳସା ଗାଇ ପରମେଶ୍ୱରଙ୍କ କଳାଘାଟ ଦ୍ୱାରେ ବୀଣା ବଜାଇବେ । ପହୁଡ଼ ପୂର୍ବୁ ଗାଉଣି ଗୀତ ଗୀତଗୋବିନ୍ଦ ଗାଇବେ ।’’ (କର୍ମାଙ୍ଗୀ, ପୃ.୧୮)

 

ପ୍ରାଚୀନ ଓଡ଼ିଶାରେ ବହୁ କାଳରୁ ଲୋକନୃତ୍ୟ ଓଡ଼ିଶାର ଆଦିବାସୀ ସମାଜ ଓ ଜନସାଧାରଣରେ ପ୍ରଚଳିତ ଥିଲା । ସମ୍ୱଲପୁର ଜିଲ୍ଲାର ‘କରମା ନାଚ’ ‘ଡାଲଖାଇ ନାଚ’ ଓଡ଼ିଶାର ପ୍ରସିଦ୍ଧ ଲୋକନୃତ୍ୟ ଭାବରେ ଖ୍ୟାତି ଲାଭ କରିଛି । ପୁଣି ଷଡୈକଳା ଓ ମୟୁରଭଞ୍ଜର ‘ଛଉ’ ନୃତ୍ୟ ମଧ୍ୟ ଓଡ଼ିଶାର ଲୋକନୃତ୍ୟ ଭାବରେ ଜଗତ ପ୍ରସିଦ୍ଧ । ଏହା ଛଡ଼ା ‘ରସରକେଲି’ ‘ଘୁମୁରା’ ‘ଦାସକାଠିଆ’ ‘ଗୋଟିପୁଅ’ ‘ରାସ’ ଓ ଅନ୍ୟାନ୍ୟ ଶତାଧିକ ଲୋକନୃତ୍ୟ ଓଡ଼ିଶାର ଗାଁ ଗହଳିରେ ପୁରିରହିଛି ।

 

ଓଡ଼ିଶା ସ୍ଥାପତ୍ୟରେ ଖ୍ରୀ:ପୂ: ୨ୟ ଶତକରୁ ଅର୍ଥାତ୍‌ ଖାରବେଳଙ୍କ ସମୟରୁ ଓଡ଼ିଶାର ନୃତ୍ୟ କଳାର ଇତିହାସ ଦେଖିବାକୁ ମିଳିଥାଏ । ଓଡ଼ିଶାର ଶତ ଶତ ମନ୍ଦିର ଗାତ୍ର ନୃତ୍ୟକଳାରେ ପରିପୂର୍ଣ୍ଣ । କିନ୍ତୁ ଦୁଃଖର କଥା ଯେ ଲୋକନୃତ୍ୟ, ସ୍ଥାପତ୍ୟ ବା ସାହିତ୍ୟରେ ନୃତ୍ୟକଳାର ଗବେଷଣା ଏ ପର୍ଯ୍ୟନ୍ତ ହୋଇ ନାହିଁ । ଓଡ଼ିଶାର ନୃତ୍ୟ, ଗୀତ, ସଙ୍ଗୀତ କଳାର ଇତିହାସ ଏ ପର୍ଯ୍ୟନ୍ତ ଅନ୍ଧକାର ଭିତରେ ପ୍ରଚ୍ଛନ୍ନ ରହିଛି । ଓଡ଼ିଆ ସାହିତ୍ୟରେ ନୃତ୍ୟକଳାର ବର୍ଣ୍ଣନା ମଧ୍ୟ ଏକ ଗବେଷଣାର ବିଷୟ ।

 

ଆମର ମନେହୁଏ ଗଙ୍ଗମାନଙ୍କର ରାଜତ୍ୱରେ ଓଡ଼ିଶାରେ ରାଜଦରବାରରେ ଯେଉଁ ସଙ୍ଗୀତ ଓ ନୃତ୍ୟକଳାର ଅଭୂତପୂର୍ବ ବିକାଶ ଘଟିଲା, ତାହାର ପ୍ରଭାବ ଆଗେ ତତ୍କାଳୀନ ମନ୍ଦିର ସମୂହର ଗାତ୍ରରେ ଦେଖିବାକୁ ପାଇଲୁ । କୋଣାର୍କ, ପୁରୀ ଓ ଭୁବନେଶ୍ୱର ମନ୍ଦିରରେ ସୁନ୍ଦର ନୃତ୍ୟରତା ରମଣୀମାନଙ୍କର ଆଲେଖ୍ୟ ଏହାର ପ୍ରମାଣ ।

 

ଓଡ଼ିଶାର ମନ୍ଦିର-ଶିଳ୍ପରେ ଏକ ପ୍ରଧାନ ବୈଶିଷ୍ଟ୍ୟ ହେଲା ‘ନାଟ ମନ୍ଦିର’- ଏହି ନାଟ ମନ୍ଦିର ବା ନାଟ ମଣ୍ଡପ ହେଉଛି ନୃତ୍ୟ ମଣ୍ଡପ । ଖ୍ରୀ.୧୧-୧୭ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଦେବ ମନ୍ଦିରମାନଙ୍କରେ ଦେବଦାସୀ ବା ମାହାରୀ ନୃତ୍ୟ ପ୍ରଚଳିତ ଥିଲା ଖୁବ୍‌ ଭଲ ଭାବରେ: କିନ୍ତୁ ପରେ ପରେ ଏହି ଦେବଦାସୀ ନୃତ୍ୟ ଲୋପ ପାଇ ବସିଲା । ଓଡ଼ିଶାର ବିଭିନ୍ନ ରାଜପରିବାର ମଧ୍ୟ ଓଡ଼ିଶାର ନୃତ୍ୟକଳାକୁ ଉତ୍ସାହିତ କରିଥିବାର ପ୍ରମାଣ ଆମ୍ଭେମାନେ ପାଇଥାଉଁ ।

 

ଆଜି ଆମେ ଯାହାକୁ ଓଡ଼ିଶୀ ନୃତ୍ୟ ବୋଲି କହୁଛୁ ତାହା ମୁଖ୍ୟତଃ ଶାସ୍ତ୍ରୀୟ ‘ଭରତ ନାଟମ୍ୟ୍‌’ ଉପରେ ନିର୍ଭର କରିଛି ଓ ବିଭିନ୍ନ ସମୟରେ ଓଡ଼ିଶାର ନୃତ୍ୟଶିଳ୍ପୀମାନଙ୍କର କେତେକ ବୈଶିଷ୍ଟ୍ୟ ଗର୍ଭସ୍ଥ କରିଛି । ଆମେ ଆଜି ତାହାକୁ ଓଡ଼ିଶୀ ନୃତ୍ୟ ବୋଲି ଅଭିହିତ କରୁଥାଉଁ ।

 

ଖ୍ରୀ:ଚତୁର୍ଦ୍ଦଶ ଶତକର ସାରଳା ମହାଭାରତରେ ଓଡ଼ିଶୀ ନୃତ୍ୟକଳାର ବହୁ ଆଭାସ ଦେଖିବାକୁ ମିଳିଥାଏ । ‘ଭରତ ନାଟ୍ୟମ୍‌’ ଏକ ସମୟରେ ଓଡ଼ିଶାରେ ଏତେ ଲୋକପ୍ରିୟତା ଅର୍ଜନ କରିଥିଲା ଯେ ନୃତ୍ୟ ଅର୍ଥରେ ‘ଭରତ ବା ‘ଭରହ’ ଶବ୍ଦ ଥିଲା ସେତେବେଳର ଅତି ଲୋକପ୍ରିୟ ଶବ୍ଦ-

 

ଯେପରି :-

‘ଭରହ ଆରମ୍ଭକାଳେ ସୁମର ବାସେଳି’

-

ବନପର୍ବ

‘ବୀଣା ବଇଁଶୀ ଯେ ସରଗୁଣା ଅଧାଟି

 

 

ପଟାକୁଣ୍ଡଳି ଯେ ଭରହରସେ ଖଟି’

-

ସଭାପର୍ବ

 

ତେଣୁ ପ୍ରାଚୀନ ଓଡ଼ିଶାରେ ‘ଭରତ ନାଟ୍ୟମ୍’ ଓ ‘ଭରତ ନାଟ୍ୟଶାସ୍ତ୍ର’ର ବିଶେଷ ପ୍ରଚଳନ ଥିଲା । ନୃତ୍ୟକାରିଣୀମାନେ ସାରଳା ମହାଭାରତରେ ନଟକାରୀ ବିଳାସିନୀ ବା ବିଳାସୁଣୀ ଭାବରେ କଥିତ । ସାରଳା ମହାଭାତରେ ବନପର୍ବରେ ଓଡ଼ିଶୀ ନୃତ୍ୟର ଯେଉଁ ଜୀବନ୍ତ ବର୍ଣ୍ଣନା ଦିଆଯାଇଛି ସେ ପ୍ରକାର ବର୍ଣ୍ଣନା ପରବର୍ତ୍ତୀ ଓଡ଼ିଆ ସାହିତ୍ୟରେ ଅନ୍ୟ କୌଣସି କବିଙ୍କର ଲେଖାରେ ଦେଖିବାକୁ ମିଳେ ନାହିଁ । ଓଡ଼ିଶୀ ନୃତ୍ୟର ଏହି ବର୍ଣ୍ଣନାଟି କିପରି ଜୀବନ୍ତ ତାହା ଏହି ଉଦ୍ଧୃତଟି ଜଣାଇ ଦେଇଥାଏ ।

 

ଯେପରି :-

‘ଚଉଷଠୀ କୋଟି ବିଦ୍ୟାଧରମାନେ

ମର୍ଦ୍ଦଳ ଢାଳ କଂସାଳ କାହାଳ ବିଧାନେ ।

ଚମ୍ପପୁଟ ଚାପୁଟ ଘଟିତ ଉଦେଘଟି

ନବମ ପଞ୍ଚମ ଆରକତ ଆରମ୍ଭ ଖଣ୍ଡନଟୀ ।

ଚଉଷଠି କୋଟି ଯେ ବିଦ୍ୟାଧର ବାଳୀ

ଅନେକ ବେଶ ବୃଷାଳ ଶରୀରେ ଆଭରଣ ରତ୍ନମାଳି ।

ତ୍ରିକଟ କର୍ଣ୍ଣକଟ ଶବଦ ଚକ୍ଷୁ ଢାଳି

ମତ୍ତ ମତ୍ତାଙ୍ଗ ଅଭିଗତେ ପରିପାଳି ।

ଧିଧିକାର ଶବଦ ଗଣିକାଙ୍କର ନାଟ

ଆରମ୍ଭିଲେ ତାଣ୍ଡବ ମହାରସ ପ୍ରକଟ ।

ବେଣୁ ବଇଁଶୀ ସରଗଣା ଅଧାଟି

ଉପାୟେ ସମାଗମ ସେ ଗୀତରସେ ଖଟି ।

ଢଳିଣ ଢାଳିଣ ବିସର୍ଜନ କି ଭଙ୍ଗୀ

ଝମ ଝମ ପାଦଗତି ନାଚନ୍ତି ତ୍ରୀଭଙ୍ଗୀ ।

ଆରୋପଣ ବିଦ୍ୟା ଚଉଷଠି ବିନ୍ଧାଣ

ଗତି ହସ୍ତେ ଦେଇଂ ହେଠ ବେନିଠାଣ ।

ମଧୁରସ ଭାବ ବକ୍ର କରି ଦାସୀ

ଚକ୍ଷୁ ଢାଳିଣ ଶୁଭ୍ରବେଶୀ କୋକିଳ ଭାବେ ଭାଷି ।

ଧିକ ଧିକ ମୃଦଙ୍ଗ ବାଦ୍ୟରସେ ଖଟି...’’ ଇତ୍ୟାଦି ।

 

ସାରଳା ସାହିତ୍ୟରେ ନୃତ୍ୟର ଏହି ସୁଦୀର୍ଘ ବର୍ଣ୍ଣନା ଭିତରେ ଓଡ଼ିଶୀ ନୃତ୍ୟ ଗୀତ ଓ ଛନ୍ଦର ଜୀବନ୍ତ ବର୍ଣ୍ଣନା ଯେ ପ୍ରତିଫଳିତ ହୋଇଛି କହିବା ବାହୁଲ୍ୟ ମାତ୍ର । ଚମ୍ପପୁଟ, ଚାପୁଟ, ଉଦେଘଟି ପ୍ରଭୃତି ନୃତ୍ୟକଳାର ବଳିଷ୍ଠ ଭଙ୍ଗୀ । ନୃତ୍ୟର ଏହି ବିଶେଷ ଭଙ୍ଗୀ ସମସାମୟିକ ମୈଥିଳୀ କବି ଜ୍ୟୋତିଶେଖରାଚାର୍ଯ୍ୟଙ୍କର ବର୍ଣ୍ଣରତ୍ନାକାରରେ ଦେଖିବା ମିଳିଥାଏ । ସେହି ମହାଭାରତର ବନପର୍ବର ଶେଷ ଭାଗରେ ଅର୍ଜ୍ଜୁନ କହିଛନ୍ତି ଯେ ସେ ବିରାଟପୁରରେ ନୃତ୍ୟ କରିବେ ଏବଂ ତାଙ୍କର ଭକ୍ତି ମଧ୍ୟରେ ‘ପଞ୍ଚତାଳ’ ଓ ‘ଏକବିଂଶ ପ୍ରକାର ନୃତ୍ୟ ମୂର୍ଚ୍ଛନାର ପ୍ରସଙ୍ଗ ରହିଛି ।

 

ଯେପରି :-

‘କନ୍ୟାପୁରେ ମୁହିଂ କରାଇବି ନୃତ୍ୟ

ବାଜେଣିକାର ତାଣ୍ଡବରସ ନୃତ୍ୟକାର ଗୀତ ।

ସ୍ୱାମୀ ପଞ୍ଚତାଳ ଖଟଣି ୟେକବିଂଶ ନୃତ୍ୟ ମୂର୍ଚ୍ଛନା’ (ବନପର୍ବ)

 

ବନପର୍ବରେ ଅର୍ଜ୍ଜୁନ ନାଟ ମନ୍ଦିରରେ ନୃତ୍ୟ ପରିବେଷଣ କରିବାର କଥା ଉଲ୍ଲେଖ ଅଛି । ମହାଭାରତର ବିଭିନ୍ନ ପର୍ବରେ ବିବାହ ପ୍ରସଙ୍ଗରେ ବାରନାରୀ, ବିଳାସିନୀମାନେ ‘ମଙ୍ଗଳଗୀତ’ ଗାନ କରିବାର ବହୁଳ ବର୍ଣ୍ଣନା ରହିଛି । ମଧ୍ୟ-ପର୍ବରେ ଚନ୍ଦ୍ରାବତୀ ସ୍ୱୟମ୍ୱର ପ୍ରସଙ୍ଗରେ ରହିଛି ଯେ ଗାୟେଣୀମାନେ ଗୀତଗାନ କରିବେ ଓ ଗଣିକା, ସୁରବିଳାସିନୀମାନେ ନୃତ୍ୟ କରିବେ । ଏହାର ଉଦାହରଣ ହେଲା -

 

‘ବଜାନ୍ତି ଗାବନ୍ତି ମୁଗ୍‌ଧରେ ଗାୟେଣୀ

ନାଚନ୍ତି ଗଣିକାୟେ ସୁରବିଳାସୁଣୀ ।

ମଦ୍ଦାଳ କଂସାଳ ବାଉଁଶି ଶବଦେ,

ଚଞ୍ଚପୁଟ ଚାପୁଟ ଉଦେଘଟୀ ଛନ୍ଦେ ।’’ (ମଧ୍ୟପର୍ବ)

 

ଅନ୍ୟତ୍ର -

‘କନଡ଼ା ରାଗେଣ ଯେ ମହୁରୀ ବାଜଇ

ବାଜଣା ଯନ୍ତ୍ର ବଜାଇ ସେ ନାରଦ ନାଚଇ ।’ (ମଧ୍ୟପର୍ବ)

 

ଓଡ଼ିଶାର ନୃତ୍ୟଶାସ୍ତ୍ର ପ୍ରସଙ୍ଗରେ ଏପର୍ଯ୍ୟନ୍ତ ସବିଶେଷ ଗବେଷଣା ହୋଇନାହିଁ । ସାରଳା ମହାଭାରତକାଳୀନ ମହେଶ୍ୱର ପାତ୍ରଙ୍କର ‘ଅଭିନୟ ଚନ୍ଦ୍ରିକା’ରେ ‘ଓଡ଼୍ର’ ନୃତ୍ୟର ଯେଉଁ ବର୍ଣ୍ଣନା ରହିଛି ତାହା ସମ୍ଭବତଃ ଓଡ଼ିଶୀ ନୃତ୍ୟ ହୋଇପାରେ । ଏହା ବ୍ୟତୀତ ଅନ୍ୟ ଏକ ଗ୍ରନ୍ଥ ହେଉଛି ଯଦୁନାଥ ସିଂହ ବିରଚିତ ଅଭିନୟଦର୍ପଣ ପ୍ରକାଶ । ‘ନୀଳାଚଳ ଅର୍ଚ୍ଚନ ଚନ୍ଦ୍ରିକା’ ନାମକ ଗ୍ରନ୍ଥରେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନୃତ୍ୟଗୀତ ସମର୍ପଣର ବିଧାନ ମଧ୍ୟ ବର୍ଣ୍ଣିତ ହୋଇଛି । ସଙ୍ଗୀତ ସଦାନନ୍ଦ, କୃଷ୍ଣଦାସ ବଡ଼ଜେନାକୃତ ‘ଗୀତ ପ୍ରକାଶ’, ଲୋକନାଥ ଖଡ଼୍‌ଗରାୟଙ୍କର ‘ଗୀତ ଗୌରୀଶ’ ପ୍ରଭୃତି ଅନେକ ଗ୍ରନ୍ଥରେ ଓଡ଼ିଶୀ ନୃତ୍ୟକଳାର ଯେଉଁ ସବୁ ଚଳଣି ରହିଛି ସେ ସବୁର ଯଥାର୍ଥ ଗବେଷଣା ଏପର୍ଯ୍ୟନ୍ତ ହେଇନାହିଁ ।

 

ଖଣ୍ଡଗିରିର ‘ରାଣୀଗୁମ୍ଫା’ର ଭିତ୍ତିରେ ବାଦ୍ୟଯନ୍ତ୍ର ସହ ଯେଉଁ ନୃତ୍ୟର ଚିତ୍ର ଦିଆଯାଇଛି ସେଥିରୁ ଜଣାଯାଏ ଯେ ଖ୍ରୀ.ପୂ. ଶତାବ୍ଦୀରୁ ଓଡ଼ିଶାରେ ନୃତ୍ୟର ଧାରା:ରହିଆସିଛି- ନିଜେ ମହାମେଘବାହନ ଖାରବେଳ ମଧ୍ୟ ନୃତ୍ୟବିଦ୍ୟାରେ ନିପୁଣ ଥିବାର ତାଙ୍କ ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ ।

 

ଓଡ଼ିଆ ସାହିତ୍ୟର ବିଭିନ୍ନ-ଛତ୍ରରେ ‘ନୃତ୍ୟ’ର ବର୍ଣ୍ଣନା ଅଳ୍ପାଧିକ ପରିମାଣରେ ଦେଖିବାକୁ ମିଳିଲେ ମଧ୍ୟ ଓଡ଼ିଶାର ଗାଁ ଗହଳି, ପୁରପଲ୍ଲୀ ଏବଂ ରାଜପ୍ରସାଦରେ ଉନ୍ନତ ନୃତ୍ୟର ଧାରା ପ୍ରଚଳିତ ଥିଲା ।

 

ଖ୍ରୀ:୧୫-୧୬ଶ ଶତାବ୍ଦୀରେ ଆମେ ଦେଖିବାକୁ ପାଉ ବିଶେଷ ଭାବରେ ‘ରାସ’ ନୃତ୍ୟ । ପଞ୍ଚସଖାଙ୍କ ମଧ୍ୟରେ ମହାପୁରୁଷ ଅଚ୍ୟୁତାନନ୍ଦ ଓଡ଼ିଶାରେ ଗୋପାଳମାନଙ୍କ ମଧ୍ୟରେ ‘ଓଗାଳ ନୃତ୍ୟ’ ଓ ‘ରାସ’ ନୃତ୍ୟର ପ୍ରଚଳନ କରାଇଥିଲେ । ସେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାସ ନୃତ୍ୟ ଅଭିନୀତ କରାଇଥିବାର ବର୍ଣ୍ଣନା ତାଙ୍କ ସାହିତ୍ୟରୁ ଜଣାପଡ଼ିଥାଏ ।

 

ଭଞ୍ଜଯୁଗର ଓଡ଼ିଆ ସାହିତ୍ୟରେ ନୃତ୍ୟର ବହୁଳ ବର୍ଣ୍ଣନା ନ ଥିଲେ ହେଁ ଏହି ସମରେ ଓଡ଼ିଶାର ରାଜଦରବାରମାନଙ୍କରେ ନୃତ୍ୟ ଗୀତ ସହିତ ବିଭିନ୍ନ ସଙ୍ଗୀତ ଶାସ୍ତ୍ର ପ୍ରଣୟନ ହୋଇଥିବାର ଜଣାଯାଇଥାଏ । ଭଞ୍ଜ ସାହିତ୍ୟରେ କାମକଳା ମାଧ୍ୟମରେ ନୃତ୍ୟର ଆଭାସ ଦିଆଯାଇଛି; କିନ୍ତୁ ସେସବୁ ଏତେ ବୈଚିତ୍ର୍ୟପୂର୍ଣ୍ଣ ନୁହେଁ । ଶୃଙ୍ଗାରିକତା ସହିତ ନୃତ୍ୟର ଅବିଚ୍ଛେଦ୍ୟ ସମ୍ପର୍କ ଆବହମାନ କାଳରୁ ଭାରତୀୟ ସାହିତ୍ୟ ସମୂହରେ ପ୍ରତିଫଳିତ ହୋଇଛି ।

 

 

ପ୍ରସ୍ତାବ ଚିନ୍ତାମଣି :

‘ପ୍ରସ୍ତାବ ଚିନ୍ତାମଣି’ ଗ୍ରନ୍ଥ ଏକ ପ୍ରାଚୀନ ଓଡ଼ିଆ ଗଦ୍ୟରଚନା, ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରକାଶ କରିଅଛନ୍ତି । ଏହି ଗ୍ରନ୍ଥରେ ୧୮-୧୯ଶ ଶତାବ୍ଦୀ ଓଡ଼ିଶାର ରାଜ୍ୟମାନଙ୍କରେ କିପରି ନୃତ୍ୟର ପ୍ରଚଳନ ଥିଲା ତାହାର ବର୍ଣ୍ଣନା ବିଭିନ୍ନ ସ୍ଥାନରେ ଦିଆଯାଇଛି । ପ୍ରସ୍ତାବ ଚିନ୍ତାମଣିର ବିଭିନ୍ନ ବର୍ଣ୍ଣନାରୁ ଜଣାଯାଏ ଯେ, ଯେକୌଣସି ନାୟିକାର ନୃତ୍ୟ ବେଶ୍ୟା ଶ୍ରେଣୀ ମଧ୍ୟରେ ସୀମାବଦ୍ଧ ଥିଲା । ମନ୍ଦିରରେ ଦେବଦାସୀ ବା ମାହାରୀ ନୃତ୍ୟ ହେଉ ବା ରାଜଦରବାରରେ ନାୟିକାର ନୃତ୍ୟ ହେଉ ସେମାନେ ଥିଲେ ବେଶ୍ୟା, ଗଣିକା ବା ବିଳାସିନୀ । ବିଭିନ୍ନ ସ୍ଥାନରେ ସଙ୍ଗୀତ ଓ ନୃତ୍ୟର ବର୍ଣ୍ଣନା କିପରି ଦିଆଯାଇଅଛି ତାହା ଦେଖିବାର କଥା -

 

‘‘ଚିତ୍ରବିଦ୍ୟା, ବୀଣା, ରବା, ମର୍ଦ୍ଦଳ, ଅମୃତୀ, ଡଂପା, ସିତାର, ସ୍ୱରମଣ୍ଡଳ,

ଜଳତରଙ୍ଗ ଢକ୍‌କା, ମୃଦୁଙ୍ଗ, ପଣବ, ଗୋମୁଖ, ବୈଂଶୀ, ମୁଖଚୁମ୍ୱ, କାଠିତାଳ,

ସ୍ମର ମଦଳା ଇତ୍ୟାଦି ବିଦ୍ୟାମାନଙ୍କୁ ଗୁରୁମାନଙ୍କଠାରୁ ଶିକ୍ଷା କରିଥାନ୍ତି ’’ (ପୃ-୪୮)

 

ଅନ୍ୟତ୍ର ନୃତ୍ୟର ବର୍ଣ୍ଣନାରେ -

‘‘ମନ୍ତ୍ରୀପୁଅ ଯୁବରାଜଙ୍କ ଆଗ୍ରହ ଶୁଣି ସେ ଗୁଣୀମାନଙ୍କୁ ବୋଲୁଅଛି- ‘‘ଆହେ ଚନ୍ଦ୍ରଶେଖର ! ଶ୍ରୀ ଦେଉଙ୍କ ଆଜ୍ଞା ପ୍ରମାଣେ ସାମାନ୍ୟରେ ନୃତ୍ୟ ଟିକିଏ ଆରମ୍ଭ କର ।’’ ଶୁଣି ସେ ବେଶ୍ୟାମାନେ ମୁଖପୋତି ଅଳ୍ପ ହସି ଆପଣା ଭାଷାରେ ରହସ୍ୟରେ କଥାବର୍ତ୍ତା ହେଲେ । ....ଏମନ୍ତ ବୋଲି ଆପଣା ମାଦଳକୁ ବହିବା ଲୋକଠାରୁ ଆଣିଲା । ଦିବ୍ୟ ଜରିଖୋଳ ଲାଗିଛି । ସୁନାବଳା ଦିଓଟାରେ ପାଟବେଲୁର ଲାଗି ଜରିଝୁମ୍ପା ଦିଓଟା ଲାଗିଛି । ତାହା ଉତ୍ତମ କରି ଅଣ୍ଟାରେ ବାନ୍ଧିଲା । ମଞ୍ଜରା ଧରିବାବାଲାକୁ ଡାକିଲା । ସେମାନେ ଉତ୍ତମ ହୋଇ ତିଆର ହେଲେ । ...ମେଘ ଘଡ଼ି ଘଡ଼ି ପ୍ରାୟେରବ ଶୁଭିଲା । ପ୍ରଥମୁଂ ଉକୁଚି ତାଳ ଲୟ ଦେଇ ଅନାହତ ଇତ୍ୟାଦିରେ ବଜାଇଲା । ତହିଂ ଉତ୍ତାରୁ ସେ ବେଶ୍ୟା ଗଉରୀ ନାମ ଯାହାର, ନକ୍ଷତ୍ର ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପରା ଠିଆ ହୋଇଛି । ତାକୁ ଚାହିଂ ଭାଇ ତା’ର ବୋଇଲା ‘‘ଏଥର ରାଗ ଆରମ୍ଭ କର’’ । ଶୁଣି ଅଖିଳମୋହିନୀ ସଙ୍ଗତେ ଭୈରବ ରାଗ ଆଳାପ କଲା । ସପ୍ତସ୍ୱର ସିଦ୍ଧ ହୋଇ କ୍ରମରେ ଉଚ ଓହର ଗଡ଼ି, ଯମକ, କମ୍ପ, ଲୟ, ରାଗ ମୂର୍ଚ୍ଛନାରେ ରାଗ ମୂର୍ତ୍ତି ବଡ଼ ହୁଅନ୍ତେ, ସ୍ୱର ଆକାଶରେ ମିଶି ବଡ଼ ମାଧୁର୍ଯ୍ୟ ଶୁଭିଲା-।...ଏ ଉତ୍ତାରୁ ପ୍ରଥମରୁ ତାଳ ନାଚିବା ଆରମ୍ଭ କରି ପାଦରେ ସୁନାମୁଦିଆରେ ଗୁନ୍ଥା ଦିବ୍ୟ ପାଣିଦିଆ କଂସା ଘାଗୁଡ଼ି ଦୁଇମାଳ ମୁଣ୍ଡେ ଲଗାଇ ବାନ୍ଧିଲେ । ...ସାତ ହାତ ଲମ୍ୱ ଚଉଦପା ଓସାର ମୁଠା ଭିତରେ ସମ୍ଭାଇ ଏମନ୍ତ ଝୁନା ପାଛୁଡ଼ାଟାକୁ କାଢ଼ି ମାଦଳ ଉପରକୁ ପକାଇ ଦିଅନ୍ତେ ଶରଦ କାଳରେ ଆଶ୍ଚର୍ଯ୍ୟ କଳଙ୍କ ପୂର୍ଣ୍ଣଚନ୍ଦ୍ର ଯୋଉଂ ରୂପେ ପାତଳ ଶୁକ୍ଳ ମେଘ ଭିତରୁ ବାହାରି ପଡ଼ଇଟି, ସେ ରୂପେ ଶୋଭା ପାଇଲା । ପ୍ରଥମୁଂ ଏକତାଳି ତାଳରେ ନାଚିଲା ନାନାପ୍ରକାର କରି ।’’ (ପୃ ୭୩ ୭୪)

 

ଏସବୁ ଉଦ୍ଧୃତିରୁ ପ୍ରତିପନ୍ନ ହୁଏ ଯେ ଓଡ଼ିଶାର ଦକ୍ଷିଣାଞ୍ଚଳର କରଦ ରାଜ୍ୟର ରାଜାମାନେ ଏ ପ୍ରକାର ଦକ୍ଷିଣୀ ବା ଓଡ଼ିଶୀ ନୃତ୍ୟକୁ ଉତ୍ସାହିତ କରୁଥିଲେ । ଓଡ଼ିଶୀ ନୃତ୍ୟରେ ନୃତ୍ୟରତା ନାୟିକାର ବେଶ, ଭୂଷା, ଅଳଙ୍କାର ଓ ତାହାର ନୃତ୍ୟର ବିଭିନ୍ନ ତାଳମାନ ଲୟ-ନୃତ୍ୟରେ ବ୍ୟବହୃତ ବିଭିନ୍ନ ବାଦ୍ୟଯନ୍ତ୍ରର ବ୍ୟବହାର ଖ୍ରୀ:୧୭-୧୮ଶ ଶତକ ଗୌରବମୟ ନୃତ୍ୟ ପରଂପରାର ପ୍ରମାଣ ଦେଇଥାଏ ।

 

ଖ୍ରୀ: ଊନବିଂଶ ଶତକରେ ଇଂରେଜ ଶାସନ ଆରମ୍ଭରେ ଆଭିଜାତ ପରିବାରରେ ଏବଂ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କର ବିବାହ ଉତ୍ସବରେ ବେଶ୍ୟାନୃତ୍ୟ କିଛି ସମୟ ପାଇଁ ଲୋକପ୍ରିୟତା ଅର୍ଜନ କରିଥିଲା । ଏସବୁ ବିହାର ଓ ବଙ୍ଗ ଦେଶର ପ୍ରଭାବ । କିନ୍ତୁ ଏ ପ୍ରକାର ନୃତ୍ୟ ବିରୋଧରେ ସେତେବେଳେ ପ୍ରବଳ ଜନମତ ସୃଷ୍ଟିଲାଭ କରିବା ଫଳରେ ତାହା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇ ଯାଇଥିଲା ।

 

ଆଜିର ବିଂଶ ଶତାବ୍ଦୀରେ ପ୍ରାଚୀନ ଅପେକ୍ଷା ଅଧିକ ଭାବରେ ଓଡ଼ିଶୀ ନୃତ୍ୟ ଉତ୍ସାହିତ ହେବା ସହିତ ଏହି ଗୌରବମୟ ପାରଂପରିକ ନୃତ୍ୟ ପ୍ରତି ସମଗ୍ର ବିଶ୍ୱଜନତାର ଦୃଷ୍ଟି ଆକର୍ଷିତ ହୋଇଛି । ବିଭିନ୍ନ ଆଦିବାସୀ ନୃତ୍ୟ ସହିତ ଓଡ଼ିଶାର ସୁପ୍ରସିଦ୍ଧ ‘ଛଉ ନାଚ’ ମଧ୍ୟ ପ୍ରାଚୀନ ଓଡ଼ିଶାର ନୃତ୍ୟ ପରଂପରାର ଏକ ଗୌରବମୟ ବିଭାବ । କିନ୍ତୁ ଏସବୁ ନୃତ୍ୟର ବର୍ଣ୍ଣନା ଆଜିର ଆଧୁନିକ ସାହିତ୍ୟରେ ଦେଖିବାକୁ ମିଳି ନ ଥାଏ, ଯଦିଓ ଏହିସବୁ ନୃତ୍ୟର ପ୍ରଚାର ଏବଂ ପ୍ରସାର ପ୍ରାଚୀନ ଅପେକ୍ଷା ଯଥେଷ୍ଟ ଅଧିକ ।

 

ଓଡ଼ିଶାର ପ୍ରାଚୀନ ନୃତ୍ୟକଳା ସମ୍ୱନ୍ଧରେ ବହୁ ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଉଛି ଏବଂ ବହୁ ଗବେଷକ ଏହି ଗୌରବମୟ ପରଂପରାର ପ୍ରକାଶ ପାଇଁ ଚେଷ୍ଟିତ । ଓଡ଼ିଶା ବାହାରେ ଦେଖାଇବା ଭଳି ହିନ୍ଦୀ ବା ଇଂରାଜୀରେ ଓଡ଼ିଶୀ ନୃତ୍ୟକଳା, ଓଡ଼ିଶୀ ସଙ୍ଗୀତ ଉପରେ ପ୍ରାମାଣିକ ଗ୍ରନ୍ଥ ପ୍ରକାଶ ପାଇବା ଉଚିତ ଯାହା ଫଳରେ ଆମେ ଆମର ଗୌରବମୟ ପରଂପରା ରକ୍ଷା କରିବା ।

 

ପ୍ରଫେସର, ଓଡ଼ିଆ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ୱର-୪

***

 

ଫକୀରମୋହନଙ୍କ ଅଜ୍ଞାତ ରଚନାବଳୀ ଓ ‘ସମାଲୋଚନା’

ସମୀକ୍ଷକ : ଡଃ ଦୁଗାପ୍ରସନ୍ନ ପଣ୍ଡା

ସଂଗ୍ରାହକ : ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରିପାଠୀ

ସନ ୧୩୦୬ ସାଲ କାର୍ତ୍ତିକମାସ ଅକ୍ଟୋବର ୧୮୯୮ରେ କଥାସମ୍ରାଟ ଫକୀରମୋହନଙ୍କ ପ୍ରଥମ କ୍ଷୁଦ୍ରଗଳ୍ପ ‘ରେବତୀ’ ଉତ୍କଳ-ସାହିତ୍ୟ (୨/୧୦)ରେ ପ୍ରକାଶିତ ହେବାର ଠିକ୍‌ ଦୁଇମାସ ପରେ ଉତ୍କଳସାହିତ୍ୟ (୩/୧) ସଂଖ୍ୟାରେ ‘ରେବତୀ’ର ଏକ ସଂଳାପଧର୍ମୀ ସମୀକ୍ଷା ପ୍ରକାଶ ପାଇଲା । ଏହାକୁ ଫକୀରମୋହନ ‘ଶ୍ରୀ’ ଛଦ୍ମନାମରେ ପ୍ରକାଶ କରିଥିଲେ । ରେବତୀକୁ ‘ଶ୍ରୀ ଧୂର୍ଯ୍ୟଟି’ ଛଦ୍ମନାମରେ ପ୍ରକାଶ କରିବା ପୂର୍ବରୁ ଫକୀରମୋହନ ଶ୍ରୀଯୁକ୍ତ ପଞ୍ଚାନନ ଛଦ୍ମନାମରେ ‘ରଙ୍ଗରସ’ ପ୍ରକାଶ କରିଥିଲେ । ‘ରଙ୍ଗରସ’ ଏବେ ମଧ୍ୟ ବିଜ୍ଞ ସମାଲୋଚକଙ୍କର ଦୃଷ୍ଟି ଆକର୍ଷଣ କରିପାରି ନାହିଁ । ‘ଶ୍ରୀ ଧୂର୍ଜ୍ଜଟି’ ନାମଟିକୁ ଓଡ଼ିଆପାଠକମାନେ ଉତ୍କଳ-ସାହିତ୍ୟ (୧/୧୦) ସଂଖ୍ୟାରେ ପ୍ରଥମେ ଦେଖିବାକୁ ପାଇଲେ ଏବଂ ସେହି ଛଦ୍ମନାମରେ ‘ଛ ମାଣ ଆଠଗୁଣ୍ଠ’ ଧାରାବାହିକ ଭାବରେ ଉତ୍କଳ-ସାହିତ୍ୟରେ ପ୍ରକାଶିତ ହୋଇଥିଲା । ‘ରେବତୀ’ ପ୍ରକାଶିତ ହେବାର ଠିକ୍‌ ଏକ ବର୍ଷ ପରେ ଉତ୍କଳ-ସାହିତ୍ୟ (୩/୧୦) ସଂଖ୍ୟାରେ ଫକୀରମୋହନଙ୍କ ଦ୍ୱିତୀୟ ଗଳ୍ପ ‘କୁଳ କୁନ୍ତଳା’ ପ୍ରକାଶିତ ହୋଇଛି । ଏହା ମଧ୍ୟ ‘ଧୂର୍ଜଟୀ’ ନାମରେ ପ୍ରକାଶ ପାଇଛି ଏବଂ ଏଯାବତ୍‌ ଅନେଙ୍କରେ ଦୃଷ୍ଟିକୁ ଆସି ପାରିନାହିଁ ।

 

ଫକୀରମୋହନଙ୍କର ‘ଆଳିମାଳିକା’ ଆଉ ଏକ ଅଜ୍ଞାତ ରଚନା, ଯାହା ଉତ୍କଳ-ସାହିତ୍ୟରେ ଧାରାବାହିକ ଭାବେ ପ୍ରକାଶିତ ହୋଇଛି । ଫକୀରମୋହନଙ୍କ ଅନାଲୋଚିତ ଏବଂ ଅଜ୍ଞାତ ରଚନାବଳୀ ମଧ୍ୟରୁ ଏକ ମହତ୍ତ୍ୱପୂର୍ଣ୍ଣ ରଚନା ହେଉଛି ‘ସମାଲୋଚନା’ । ସ୍କଟଙ୍କ ‘ରେବେକା’ କିମ୍ବା ବଙ୍କିମଙ୍କ ‘ଦୁର୍ଗେଶନନ୍ଦିନୀ ପରି ଏକ ସ୍ଥୂଳକାୟ ଉପନ୍ୟାସ ପରିବର୍ତ୍ତେ ସେ କାହିଁକି କ୍ଷୁଦ୍ରଗଳ୍ପଟିଏ ଲେଖିବାକୁ ମନୋନିବେଶ କଲେ, ତା’ର କୈଫିୟତ୍‌ ‘ଶ୍ରୀ’ ଅତି ସୁନ୍ଦର ପ୍ରଦାନ କରିଛନ୍ତି । ବୈଦଗ୍‌ଧ୍ୟ, ସତ୍ୟୋପଲବ୍‌ଧି (ଲେଖକଙ୍କ ଭାଷାରେ ଗସ୍ତଲବ୍‌ଧ ଜ୍ଞାନ) ଏବଂ ସାରସ୍ୱତୀ ବିଚାରବତ୍ତା ନ ଥିଲେ କ୍ଷୁଦ୍ରଗଳ୍ପ ଯେ ଲେଖାଯାଇ ନ ପାରେ ଏହାହିଁ ‘ଶ୍ରୀ’ ଦୃଢ଼ଭାବେ ପ୍ରକାଶ କରିଛନ୍ତି । ସମକାଳୀନ ଲେଖକମଣ୍ଡଳୀ ମଧ୍ୟରେ ମଧୁସୂଦନଙ୍କ ନୀତିବାଦକୁ ଆର୍ଟପରିପ୍ରେକ୍ଷୀରେ ସେ ଖୁବ୍‌ ନିମ୍ନ ଦୃଷ୍ଟିରେ ଦେଖିଥିବାରୁ ଏବଂ ରାଧାନାଥଙ୍କ ‘କଳା ପାଇଁ କଳା’ର ଉଦ୍‌ଘୋଷଣାକୁ ସେ ପୂର୍ଣ୍ଣ ସମର୍ଥନ କରୁ ନ ଥିବାରୁ ‘ରେବତୀ’ ଗଳ୍ପରେ ଏ ସବୁର ଏକ ମୌନ ପ୍ରତିବାଦ କିପରିରହିଛି ତା’ ମଧ୍ୟ ‘ଶ୍ରୀ’ ପ୍ରକାଶ କରିଛନ୍ତି । ତାଙ୍କ କ୍ଷୁଦ୍ରଗଳ୍ପ ‘ରେବତୀ’ର ପାଠକ ମନେ କରି ପାରନ୍ତି ଯେ ସେ ଥିଲେ ସ୍ତ୍ରୀ-ଶିକ୍ଷାର ବିରୋଧୀ ଓ କବ୍ୟିକ ନ୍ୟାୟଦାନ ଦିଗରେ ନିତାନ୍ତ ଅନୁଦାର । ଆର୍ଟିଷ୍ଟର ରାଜ୍ୟ ନୀତିର ରାଜ୍ୟ ନୁହେଁ । ତେଣୁ ଫକୀରମୋହନ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ କହିଛନ୍ତି- ‘ମୁଁ’ କ’ଣ ତତୁର୍ଭୁଜ ହୁଅନ୍ତି ।’

 

ସମୀକ୍ଷକମାନଙ୍କର ଅବବୋଧ ନିମନ୍ତେ ଏଠାରେ ‘ସମାଲୋଚନା’ର ଏକ ପୂର୍ଣ୍ଣ ବିବରଣୀଦେବା ଉଚିତ ମନେହୁଏ ।

 

‘ସମାଲୋଚନା’

ମୋହନ

-

ରେବତୀ କି ଦେଖିଛ ?

ଶଙ୍କର

-

ରେବତୀ କିଏ ?

ମୋହନ

-

ରେବତୀ ଗୋଟିଏ ଦୁଇ ତିନିମାସିଆ ଝିଅ

ଶଙ୍କର

-

କାହା ଝିଅ ?

ମୋହନ

-

ସାରିଆ ଭଉଣୀ ।

ଶଙ୍କର

-

କାହା ଝିଅ ?

ମୋହନ

-

ତା’ର ଗୋଟିଏ ଭାଇ ନାଁ-ଛମାଣ ଆଠଗୁଣ୍ଠ ।

ଶଙ୍କର

-

ମୁଁ ପଚାରୁଛି କାହା ଝିଅ, ନା ଛମାଣ ଆଠଗୁଣ୍ଠ ।

ମୋହନ

-

ରେବତୀ ବାପ ଗସ୍ତ କରିବା ବାଲା

ଶଙ୍କର

-

କିଏ ମ? କଉଁଠି ଗସ୍ତ କରନ୍ତି ?

ମୋହନ

-

ଓଡ଼ିଶା ଗସ୍ତ କରିଛନ୍ତି । ପୁଣି ଦକ୍ଷିଣପଥ ଗସ୍ତକରିବେ ପରା ।

ଶଙ୍କର

-

ସେ କିଏ ?

ମୋହନ

-

ସେ ବାଲ୍ମୀକି ।

ଶଙ୍କର

-

ତୁମର ତ ସେ ସ୍ୱଭାବ, ଗୋଟାଏ କଥା ପଚାରିଲେ କେଭେଁ ସିଧା ସଳଖ ଉତ୍ତର ଦେବ ନାହିଁ ।

ମୋହନ

-

ସେ ଓଡ଼ିଆ ବାଲ୍ମୀକି ମ

ଶଙ୍କର

-

କହ, କହ, ରେବତୀ କାହା ଝିଅ ?

ମୋହନ

-

ଶ୍ୟାମବନ୍ଧୁ ମହାନ୍ତି ଝିଅ ।

ଶଙ୍କର

-

ଶ୍ୟାମବନ୍ଧୁ ମହାନ୍ତି କିଏ ?

ମୋହନ

-

ତାଙ୍କ ଘର ପାଟପୁର ମୌଜାରେ, ସେ ଜଣେ ଜମିଦାରୀ ଗୁମାସ୍ତା ।

ଶଙ୍କର

-

କଉ ପାଟପୁର ? ଆମ ଅଳସୁଆ ପାଟପୁର ନା ?

ମୋହନ

-

ହରିହରପୁର ପାଟପୁର । ଅଳସୁଆ ପାଟପୁର ତ ବାଲେଶ୍ୱରରେ ।

ଶଙ୍କର

-

ଏ ପାଟପୁର କ’ଣ ବାଲେଶ୍ୱରରେ ନୁହେଁ କି ?

ମୋହନ

-

ହଁ, ହଁ, ରେବତୀ ବାପ ବି ବାଲେଶରିଆ । ତାଙ୍କ ଘର ଗୁପାଳପୁରର ଦକ୍ଷିଣ ଆଡ଼କୁ । ଗୁଡ଼ି ପୁଖରୀ ନିକଟରେ, ଗୁବିନ୍ଦବାବୁଙ୍କର ତାଙ୍କର ଭାରି ଭାବ ।

ଶଙ୍କର

-

କଅଣ ଗୁଡ଼ାଏ କହୁଛ ?

ମୋହନ

-

ହଇହେ, ରେବତୀ କି ଦେଖିବ, ଦେଖିବ ?

ଶଙ୍କର

-

କଅଣ, ଅନ୍ତୁଡ଼ୀଶାଳରୁ ଉଠେଇ ଆଣିଛି କି ?

ମୋହନ

-

ହଁ, ଦେଖାଉଛି ।

ଶଙ୍କର

-

ହଁ, ଦେଖିଲି ।

ମୋହନ

-

ଦେଖିଲ ? କିପରି ?

ଶଙ୍କର

-

ବେଶ୍‌ ବହି ଖଣ୍ଡିଏ । ଧୂର୍ଜଟୀ ବେଶ୍‌ ଲେଖକ ।

ମୋହନ

-

ଆଉ ?

ଶଙ୍କର

-

କିନ୍ତୁ-ଏତିକିରେ ଶେଷ କରି ଦେଲେ ।

ମୋହନ

-

ଆଉ କେତେ ହୁଅନ୍ତା କି ?

ଶଙ୍କର

-

ରେବତୀ ଷ୍କଟଙ୍କ ରେବେକା ପରି, କିମ୍ବା ଦ୍ୱିତୀୟା ଚନ୍ଦ୍ରଙ୍କର ଦୁର୍ଗେଶନନ୍ଦିନୀ ପରି ଖଣ୍ଡିଏ ହୋଇ ଥାଆନ୍ତା କି । ଏ ତ ଦଣ୍ଡକେ ସରିଗଲା ।

ମୋହନ

-

ଲେଖକ ବଡ଼ ଚତୁର । ଦେଶ, କାଳ, ପାତ୍ର ଜ୍ଞାନ ତାଙ୍କଠି ଖୁବ୍‌ ଅଛି । ବାଲ୍ମୀକି ରୂପରେ ଅବତୀର୍ଣ୍ଣ ହେବାରୁ ସବୁ ଘରକୁ ଯାଇ ପାରିଲେ ନାହିଁ । କେବଳ ଭାଗବତ ଘରେ ରୁଦ୍ଧ ହୋଇରହିଲେ । ହେରଡ଼ଟସ୍‌ ରୂପ ଧାରଣ କରିବାରୁ ତାଙ୍କୁ କିଛିକାଳ ଛାତ୍ରବୃତ୍ତିକୁ ଦେଇ ପାଶ୍ଚାତ ଛାପାଖାନାରେ ସଢ଼ାଇଲେ; ସେଠଁ କିଛି ଦିନ ନୀରବ ହୋଇ ପ୍ରଚ୍ଛନ୍ନ ଫକୀର ବେଶରେ ଗସ୍ତ କରି ଗସ୍ତଲବ୍‌ଧ ଜ୍ଞାନ ବଳରେ ନବ ନିର୍ମ୍ମିତ ଗୃହରେ ଧୂଜଟି ରୂପେ ରେବତୀକୁ ଜନ୍ମ ଦାନ କଲେ । ରେବୀ ପ୍ରତି ସାଧାରଣଙ୍କ ଆଦର ଦେଖିଲେ ଆଉ ଆଉ ଗସ୍ତ କରି ରେବୀର ଭାଇ ଭଉଣୀଗୁଡ଼ିକୁ ପଦାକୁ ବାହାର କରିବେ ।

ଶଙ୍କର

-

ଆଚ୍ଛା ସବୁଗୁଡ଼ିକ ମାରି ପକାଇଲେ କାହିଁକି ? ବଡ଼ ନିଷ୍ଠୁର ଲୋକ; ଜଣକୁ ସୁଦ୍ଧା ତାଙ୍କ ସାନଭାଇ ମଧୁ ଡାକ୍ତରଙ୍କ ଔଷଧ ଖୁଆଇ ବଞ୍ଚାଇ ପାରିଲେ ନାହିଁ ।

ମୋହନ

-

ମାଳୀ ସାହିରେ ଓଲାଉଠା ହେବାରୁ ଭୋବନୀ ବିଶ୍ୱାଳ ଘରେ ସାତପ୍ରାଣୀଯାକ ଯେ ଏକା ଦିନେ ମରିଗଲେ ।

ଶଙ୍କର

-

ହଁ, ସେ ଏ ସମାନ ନୁହେ ? ହଉ ରେବତୀର କି ଦୋଷ ଯେ ସେ ମଲା ? ବାସୁଦେବ ତ ବଡ଼ ନିରୀହ ଲୋକ !

ମୋହନ

-

ଠିକ୍‌ । ଏକାଡ଼େମୀର ମାଷ୍ଟର ଜୀବନବାବୁ ହରିକୃଷ୍ଣବାବୁ ଦିପୋଟି, ଦାମୋଦରପୁରର ରଘୁନାଥ ଭୂୟାଁ, ଏ ଗୁଡ଼ିକ ତ ସେମିତି ଭଲ ଲୋକ ଥିଲେ ?

ଶଙ୍କର

-

ଥାଉ, ସେ ସବୁ କଥା ଗଲା । କିନ୍ତୁ ଲେଖକ ପ୍ରାଚୀନତାପ୍ରିୟ, ତାଙ୍କର ଉଦାରତା ନାହିଁ ।

ମୋହନ

-

ଓଆଜୀବ୍‌ ! ତାଙ୍କ ମୁଣ୍ଡବାଳ ଗୋଟିଏ ଗୋଟିଏ ପାଚି ଆସିଲାଣି । ଲେଖନଟା ବି ପାଚି ଆସିଲାଣି, ଆଉ ତାଙ୍କର ଦାର ନାହିଁ ।

ଶଙ୍କର

-

ବାଃ, ବଡ଼ ବାହାଦୂର, ରାୟ ବାହାଦୁର । ତୁମକୁ ଭାରୀ ଶରଦି ହୋଇଛି ଜଣାଗଲା । ଆଚ୍ଛା, ତାଙ୍କ ମତଟା ସଂକୀର୍ଣ୍ଣ ନୁହେଁ ? ସେ ଆଧୁନିକ ସ୍ତ୍ରୀ ଶିକ୍ଷାର ବିରୋଧୀ, ନୁହେଁ ?

ମୋହନ

-

ହଁ, ମୁଁ ମଧ୍ୟ ପ୍ରଥମେ ସେୟା ବୁଝି କାର୍ଯ୍ୟବିଧିର ଦ ୨୫୦ଫା ଅନୁସାରେ କୈଫିୟତ ତଲବ କରିଥିଲି କି ସେ ପିନାଲ କୋଡ଼ ନ ଦ ୫୧୨/୫୧୩ଫା ଅନୁସାରେ କି ନିମନ୍ତେ ଅଭିଯୁକ୍ତ ନ ହେବେ । କେବେ ହେଲେ ଏହାର ସନ୍ତୋଷଜନକ ହେତୁ ଦର୍ଶାଇବେ । ତାଙ୍କ କୈଫତ୍‌ ପାଇବା ପୂର୍ବରୁ ଉଦାରତା ଗୁଣରେ ମୁଁ ନିଜେ ଗୋଟାଏ କୈଫିୟତ ଲେଖିଥିଲି । ଦିନେ ହରିହର ତୀର୍ଥରେ ତାଙ୍କ ସହିତ ମୁଲାକାତ୍‌ ହେବାରେ ତାଙ୍କ କୈଫୟତ୍‌ ଏବଂ ମୋ’ କୈଫିୟତ୍‌ ଏବଂ ଆଉ ଏକ ବ୍ୟକ୍ତିଙ୍କର ସାମ୍ଭାବ୍ୟ ପ୍ରଶ୍ନରେ ତାଙ୍କର ସାମ୍ଭାବ୍ୟ ଉତ୍ତର ପରକାଳ କରିବାରେ ପ୍ରଥମ ଦିଓଟିର ମେଳ ସତ୍ୟ ସାବସ୍ତ୍ୟ ହେଲା, ତୃତୀୟଟିକ ଫଲ୍‌ଗୁ ନଦୀକି ଫେରାର୍‌ କରାଗଲା ।

ଶଙ୍କର

-

କଅଣ ହେଲା, କହିଲ, ମଲ୍ଲୀନାଥ ତ ନାକରେ ।

ମୋହନ

-

କଅଣ ହେଲା କି- ଆଚ୍ଛା, ତାଙ୍କର ବା ମୋହର କୈଫିୟତ୍‌କୁ ବିଶଦ ରୂପେ ତର୍ଜ୍ଜମା କରି କହେଁ । ଧୂର୍ଜଟିଙ୍କ କହିବାର, ‘‘ମୁଁ ତ ସାଠିଆ କମ୍ପାନୀରୁ ଜଣେ, ଆଖି କାନ କଣାବଙ୍କା ହେଲା ବୋଲି ମୁଁ କଅଣ ଚତୁର୍ଭୁଜ ହୁଅନ୍ତି ?’’

ଶଙ୍କର

-

ବେଶ୍‌ ବୁଝିଲି । ଆଚ୍ଛା, ସମସ୍ତେ ତ ମଲେ । ଅଶୌଚ ପାଳିଲା କିଏ ? ବୁଢ଼ୀ ଆଉ ଏ ରେବତୀକି ନିଆଁ ଦେଲା କିଏ ?

ମୋହନ

-

ଅଶୌଚ ଘେନିଲା ଲାଟ୍‌ କାଉନିସଲ । ଡୁଗୁରୀ ରେବତୀକି ଚୁହ୍ଲୀନିଆଁ ଦେଇ ସାଙ୍ଗେ ସାଙ୍ଗେ ଆପଣା ମୁହଁରେ ନିଆଁ ଦେଲା ।

ଲେଖକ

-

ପାଠକ ଅବଧାନ ! ସାବଧାନ, ଶେଷ ପଙ୍‌କ୍ତିଟି ମନେ ମନେ ପଢ଼ିବା ହେବେ ।

 

ଶ୍ରୀ –

(ଉତ୍କଳ ସାହିତ୍ୟ ୩/୧ ମାଘ ୧୩୦୬, ମସିହା ୧୮୯୮)

ଏଥିରେ ଥିବା କେତେକ ଶବ୍ଦର ବ୍ୟାଖ୍ୟା ଦେବା ଏ କ୍ଷେତ୍ରରେ ପ୍ରାସଙ୍ଗିକ ମନେହୁଏ

 

ମୋହନ-ଶଙ୍କର-

ଫକୀରମୋହନ ସେନାପତି ଓ ଗୌରୀଶଙ୍କର ରାୟ ? ସମ୍ପାଦକ, ଉତ୍କଳଦୀପିକା ।

 

ରେବତୀ ବାପ ଗସ୍ତ କରିବା ବାଲା-

ଫକୀରମୋହନଙ୍କ ଜୀବନାନୁଭୂତି ଓ ସତ୍ୟୋପଲବ୍‌ଧି ମଧ୍ୟରୁ ରେବତୀର ସୃଷ୍ଟି ପରିକଳ୍ପିତ । ଦେଓ୍ୱାନ ଭାବରେ ଓଡ଼ିଶାର ବହୁ ସ୍ଥାନ ଭ୍ରମଣ କରି ସେ ବହୁ ଅନୁଭୂତି ସଂଗ୍ରହ କରିଥିଲେ । ତେଣୁ ରେବତୀ ବାପ (ଫକୀରମୋହନ) ଗସ୍ତ କରିବା ବାଲା ବୋଲି କୁହାଯାଇଛି ।

 

ଦକ୍ଷିଣାପଥ ଗସ୍ତ କରିବେ-

‘ଶ୍ରୀ’ ଛଦ୍ମ ନାମରେ ‘ସମାଲୋଚନା’ ପ୍ରକାଶିତ ହେବାର ଦଶମାସ ପରେ ଫକୀରମୋହନ କଂଗ୍ରେସ ଅଧିବେଶନରେ ଯୋଗ ଦେବାପାଇଁ ଦକ୍ଷିଣ (ମାନ୍ଦ୍ରାଜ) ଯାତ୍ରା କରିଥିଲେ ।

 

ଗୁପାଳପୁର-ଗୁଡ଼ିପୁଖୁରୀ-

ଗୋପାଳ ଗାଁର ଦକ୍ଷିଣ ଦିଗରେ ଫକୀରମୋହନ କଲେଜ ପାଖରେ ଥିବା ପୋଖରୀର ନାମ ‘ଗୋଡ଼ି ପୋଖରୀ’ । ତାହା ବାଲେଶ୍ୱରୀ ଭାଷାରେ ‘ଗୁଡ଼ି ପୁଖୁରୀ’ ।

 

ଗୁବିନ୍ଦବାବୁ-

ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ଥିଲେ ବାଲେଶ୍ୱରରୁ ପ୍ରକାଶିତ ସମ୍ବାଦବାହିକାର ପରିଚାଳନା ସମ୍ପାଦକ । ସେ ଫକୀରମୋହନଙ୍କର ସମସାମୟିକ ଓ ଘନିଷ୍ଠ ଥିଲେ ।

 

 

ଦଣ୍ଡକେ ସରିଗଲା-

‘ରେବତୀ’ ପ୍ରଥମେ ଓଡ଼ିଆ କ୍ଷୁଦ୍ରଗଳ୍ପ । ଏ ପର୍ଯ୍ୟନ୍ତ ଓଡ଼ିଆ ପାଠକ ବହୁ ସମୟ ଧରି ଉପନ୍ୟାସର ଆନନ୍ଦ ଲାଭ କରି ଆସୁଥିଲେ । ତେଣୁ କ୍ଷୁଦ୍ରଗଳ୍ପର ହଠାତ୍‌ ସମାପ୍ତି ତାଙ୍କୁ ଚକିତ କରି ଦେଇଛି ।

 

ଦ୍ୱିତୀୟା ଚନ୍ଦ୍ର -

ଔପନ୍ୟାସିକ ବଙ୍କିମ ଚନ୍ଦ୍ର ଚଟୋପାଧ୍ୟାୟଙ୍କୁ କୁହାଯାଇଛି । ଦ୍ୱିତୀୟା ଦିନ ଚନ୍ଦ୍ର ବଙ୍କା ଦିଶେ ।

 

କେବଳ ଭାଗବତ ଘରେ ରୁଦ୍ଧ ହୋଇ ରହିଲେ-

ଉତ୍କଳବ୍ୟାସ ଫକୀରମୋହନ ତାଙ୍କ ଦ୍ୱିତୀୟା ପତ୍ନୀ କୃଷ୍ଣାକୁମାରୀଙ୍କ ନିମନ୍ତେ ସଂସ୍କୃତ ମହାଭାରତ, ରାମାୟଣ ଓ ଭାଗବତର ଅନୁବାଦ କରିଥିଲେ । ସେ ଅନେକ ଦିନ ପର୍ଯ୍ୟନ୍ତ ଅନୁବାଦ କାର୍ଯ୍ୟରେ ରୁଦ୍ଧ ହୋଇ ପଡ଼ିଥିଲେ । ଭାଗବତ ଘରର ଆଦେଶରେ ରୁଦ୍ଧ ହୋଇଥିବାରୁ ତାଙ୍କ ସାହିତ୍ୟିକ ଜଗତରେ ସେ ପାପୀ ଓ ନିଷ୍ପାପ ସମସ୍ତଙ୍କୁ ଗୋଟିଏ ଆସନରେ ବସାଇଛନ୍ତି । ତାଙ୍କ ଭାଗବତ ଘରେ ଏକତ୍ର ବସିଛନ୍ତି ଚମ୍ପା ସାଆନ୍ତାଣୀ, ମରୂଆ, ରୁକୁଣୀ, ଚେମା ଓ ଏପରି ଅନେକ ଲୋକ । ରାମଚନ୍ଦ୍ର ମଙ୍ଗରାଜ ରହିଛନ୍ତି ପାଣମାନଙ୍କ ମେଳରେ । ଇତି ପୂର୍ବରୁ ଧନୀ, ନିର୍ଦ୍ଧନ-ପଣ୍ଡିତ, ମୂର୍ଖ କିମ୍ବା ଶାସକ, ଶାସିତଙ୍କୁ ଗୋଟିଏ ଆସନରେ କୌଣସି ସାହିତ୍ୟ ବସାଇ ନ ଥିଲା ।

 

ହେରଡ଼ଟସ-

ଆଦି ଐତିହାସିକ । ଫକୀରମୋହନ ଓଡ଼ିଶାର ହେରଡ଼ଟସ ଥିଲେ । ସେ ଭାରତ ଇତିହାସ ରଚନା କରିଥିଲେ । ଏହି ପୁସ୍ତକକୁ ସେ ସମୟରେ ପାଠ୍ୟ ପୁସ୍ତକ ଭାବରେ ଗ୍ରହଣ କରାଯାଇଥିଲା । ଏ ପ୍ରସଙ୍ଗରେ ଉ. ସା.ର ଫକୀରମୋହନ ବିଶେଷାଙ୍କ, ଚନ୍ଦ୍ରମୋହନ ମହାରଣାଙ୍କ ‘ଏ ବି ଗୁଜର ଯାଏଗ।’ ପ୍ରବନ୍ଧ ଦ୍ରଷ୍ଟବ୍ୟ ।

 

ଛାତ୍ରବୃତ୍ତି-

ଇତିହାସ ବ୍ୟତୀତ ସେ ଅନ୍ୟ କେତେକ ପାଠ୍ୟ ପୁସ୍ତକ ମଧ୍ୟ ରଚନା କରିଥିଲେ । ଫକୀରମୋହନଙ୍କ ରଚିତ ଓଡ଼ିଆ ବ୍ୟାକରଣ ଫକୀରମୋହନ ସାହିତ୍ୟ ପରିଷଦର ସଭାପତି କବି ବ୍ରଜନାଥ ରଥଙ୍କ ନିକଟରେ ଏବେ ମଧ୍ୟ ରହିଛି ।

 

ପ୍ରଚ୍ଛନ୍ନ ଫକୀର ବେଶ-

ଦେୱାନ ଥିଲାବେଳେ ସେ ଯେଉଁ ବାସ୍ତବିକ ଓ କାଳ୍ପନିକ ଗସ୍ତ କରିଛନ୍ତି ତାହା କେନଚିତ୍‌ ଉତ୍କଳପୁତ୍ରେଣ ବିରଚିତଂ ‘ଉତ୍କଳ ଭ୍ରମଣଂ’ରେ ସୂଚିତ । ସେଇ ଗସ୍ତ ଲବ୍‌ଧ ଜ୍ଞାନ ବା ସତ୍ୟୋପଲବ୍‌ଧି ବଳରେ ଫକୀରମୋହନ ସ୍ୱକୀୟ କଥା ସାମ୍ରାଜ୍ୟ ସୃଷ୍ଟି କରିଛନ୍ତି ।

 

ମଧୁ ଡାକ୍ତରଙ୍କ ଔଷଧ-

ଭକ୍ତକବି ମଧୁସୂଦନ ରାଓଙ୍କ ନୀତିବୋଧ ପ୍ରତି ଏଠାରେ ତିର୍ଯ୍ୟକ୍‌ ଦୃଷ୍ଟି ପ୍ରଦତ୍ତ ହୋଇଛି । ମଧୁ ରାଧୁ’ଙ୍କ ପ୍ରତି ତାଙ୍କର ବ୍ୟଙ୍ଗ ଦୃଷ୍ଟି ପ୍ରସଙ୍ଗରେ ନନାଙ୍କ ପାଞ୍ଜି ଦ୍ରଷ୍ଟବ୍ୟ । (ମଧୁ ରାଧୁ ବନ୍ଧା କବିମାନେ ଏକ ଏକ ଚିଲାରେ ଚିଲିକା ପାର) ଗ୍ରନ୍ଥାବଳୀ ୧୯୬୩, ୨ୟ ଖଣ୍ଡ ପୃ.୬୬୬)

 

ମାଳିସାହି ଭଲଲୋକ ଥିଲେ-

କଳାର ବିଚାରଣାରେ ଭଲଲୋକ ସବୁବେଳେ ବଞ୍ଚିବା ସମ୍ଭବ ନୁହେଁ ।

 

ତାଙ୍କର ଦାର ନାହିଁ-

‘ସମାଲୋଚନା’ ପ୍ରକାଶିତ ହେବାବେଳକୁ ଫକୀରମୋହନଙ୍କ ଦ୍ୱିତୀୟା ସ୍ତ୍ରୀ କୃଷ୍ଣାକୁମାରୀ ପରଲୋକ ପ୍ରାପ୍ତ ହେଲେଣି । ତା’ପରେ ସେ ଦାର ଗ୍ରହଣ କରିନାହାନ୍ତି ।

 

କାର୍ଯ୍ୟବିଧିର ଦ ୨୫୦ଫା-

ଏହି ଦଫା ଅନୁସାରେ ଅଭିଯୋଗକାରୀ ମିଥ୍ୟା ମୋକଦ୍ଦମା କରିଛି ବୋଲି ଅଭିଯୁକ୍ତ, ଅଭିଯୋଗକାରୀଙ୍କ ବିରୁଦ୍ଧରେ ପୁନଶ୍ଚ ମୋକଦ୍ଦମା କରି ଦଣ୍ଡିତ କରାଇ ପାରନ୍ତି । ଫକୀରମୋହନ ସ୍ତ୍ରୀ ଶିକ୍ଷାର ବିରୋଧ କରୁଛନ୍ତି ବୋଲି ସେ ଦଣ୍ଡ ପାଇବାର ଯୋଗ୍ୟ । ବ୍ୟାଙ୍ଗାତ୍ମକ ଭାବରେ ଏହି ଉକ୍ତି ପ୍ରଦତ୍ତ ।

 

ପେନାଲ କୋର୍ଡ଼ ନ. ଦ ୫୧୨/୫୧୩ଫା-

ପେନାଲ କୋର୍ଡ଼ରେ ଦ ୫୧୧ଫା ପର୍ଯ୍ୟନ୍ତ ରହିଛି । ଏଠାରେ ବ୍ୟାଙ୍ଗତ୍ମକ ଭାବରେ ଦ ୫୧୨/୫୧୩ ଫାର ଉଲ୍ଲେଖ କରାଯାଇଛି । ଅର୍ଥାତ୍‌ ଫକୀରମୋହନ କୌଣସି ପ୍ରକାରେ ଦଣ୍ଡିତ ହୋଇ ପାରିବେ ନାହିଁ । ସେପରି କରିବାକୁ ହେଲେ ଆଇ. ପି. ସି, ରେ ନୂଆ ଦଫା ସୃଷ୍ଟି କରିବାକୁ ହେବ ।

 

ହରିହର ତୀର୍ଥରେଣ-

ଜଣେ କେହି ପଣ୍ଡିତ ବୋଧହୁଏ । ‘ରେବତୀ’ ପ୍ରତି ପଣ୍ଡିତମାନଙ୍କର ଅନୁକୂଳ ଶ୍ରଦ୍ଧା ଅଛି କି ନାହିଁ ତାହା ସମ୍ଭବତଃ ସେ ଜାଣିବା ପାଇଁ ଚାହିଁଛନ୍ତି ।

 

ସାମ୍ଭାବ୍ୟ ପ୍ରଶ୍ନ, ସାମ୍ଭାବ୍ୟ ଉତ୍ତର-

ରେବତୀ ସମ୍ପର୍କରେ କି କି ପ୍ରଶ୍ନ ଉଠିପାରେ ଓ ତା’ର ଉତ୍ତର କ’ଣ ହୋଇପାରେ ସେ କଥା ସେ ବିଶେଷ ଭାବରେ ଚିନ୍ତା କରି ପ୍ରଥମ ଗଳ୍ପଟିକୁ ରଚନା କରିଛନ୍ତି ।

 

ମଲ୍ଲୀନାଥ-

ଟୀକାକାର ।

 

ଲାଟ କାଉନିସଲ-

ବ୍ରିଟିଶ ସରକାରଙ୍କ ଶିକ୍ଷାନୀତି ପ୍ରତି ଏଠାରେ ଇଙ୍ଗିତ କରାଯାଇଛି । ତତ୍‌କାଳୀନ ଶିକ୍ଷାନୀତି ସ୍ତ୍ରୀଶିକ୍ଷା ପ୍ରତି ଅନୁଦାର ଥିଲା-ଏହା ହିଁ ସୂଚିତ ।

 

ଫକୀରମୋହନଙ୍କ ଏ ପ୍ରକାର ଅନେକ ଅଜ୍ଞାତରଚନା ସଂଗ୍ରହ କରାଯାଉଛି । ତାହା କ୍ରମଶଃ ପ୍ରକାଶ କରାଯିବ ।

 

***

 

ଅର୍ଧ ସାଧକ କବି

ଡକ୍‌ଟର କୁଞ୍ଜବିହାରୀ ଦାଶ

ଖଣ୍ଡେ ଅଧେ ପୁସ୍ତକ ଲେଖି ନୀରବ ହୋଇ ଯାଇଛନ୍ତି ଓଡ଼ିଶାର ଅଧିକାଂଶ କବି; ପ୍ରତିଭାର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇଛି ଅଳ୍ପ କେତେକ ଜୀବନରେ ମାତ୍ର । କବିର ସାଧନା ପଥରେ ବହୁ ବାଧାବିଘ୍ନ ପରିବେଶ ପ୍ରତିକୂଳ; ଦାରିଦ୍ର୍ୟ ବିକଟ, ଆତ୍ମବିଶ୍ୱାସ ଟଳମଳ; ପ୍ରଲୋଭନ ଭୟଙ୍କର, ତପସ୍ୟାଭ୍ରଷ୍ଟ କରିବା ଲାଗି ପଥେ ପଥେ ମେନକା, ଉର୍ବଶୀ । ଜୀବନ ସଂଗ୍ରାମକୁ ରକ୍ତାକ୍ତ କରିବା ଲାଗି ବହୁ ଅପ୍ରତ୍ୟାଶିତ ଝଟିକା ପଦେ ପଦେ କବି-ପୌରୁଷକୁ ଆହ୍ୱାନ କରେ । ଅନ୍ତରର ସୂକ୍ଷ୍ମ ଭାବକୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚତୁର୍ଦ୍ଦିଗରେ । ପ୍ରତିଭାକୁ ଜଳାଇରଖିବା, ଉଜ୍ଜ୍ୱଳତର କରି ଜାଳିବା ବିରାଟ ବ୍ୟକ୍ତିତ୍ୱର ଅପେକ୍ଷାରଖେ । କଥା ଅଛି –

 

ଦୁର୍ଗମ ପଥ ଏ ଭଜନ

ଭୟେ ଭାଜିଲେ ମୁନିଜନ ।

 

କେବଳ ଈଶ୍ୱରପ୍ରାପ୍ତି ନୁହେଁ, ନିବିଡ଼ ରସାନନ୍ଦ ପ୍ରାପ୍ତି ଲାଗି ମଧ୍ୟ ଏହି ଉକ୍ତି ପ୍ରଯୋଜ୍ୟ ହୋଇପାରେ । ସାହିତ୍ୟ ସାଧନାରେ କେବଳ ସଂସାରୀ ନୁହନ୍ତି, ମୁନିମାନେ ମଧ୍ୟ କୃତିତ୍ୱ ଦର୍ଶାଇଛନ୍ତି- ସାହିତ୍ୟ ଭଜନ କରି ନ ପାରି ବହୁ ମୂନିଜନ ଭାଜିଛନ୍ତି । ବାଲ୍ମୀକି ଆଉ ବ୍ୟାସଦେବଙ୍କୁ ବାଦ୍‌ ଦେଲେ ଋଷିଙ୍କ ଭିତରୁ କବି ହୋଇ ପାରିଛନ୍ତି କେତେ ଜଣ ? ଯୋଗୀର ସାଧନ ଠାରୁ କବିର ସାଧନା କଠିନତର । ବ୍ରହ୍ମାନନ୍ଦ ଅପେକ୍ଷାର ସାନନ୍ଦ ଲାଭ ବ୍ୟାପକତର ସାଧନାର ଅପେକ୍ଷାରଖେ । ଗୋଟିକରେ ସାନ୍ତ ଅନନ୍ତର ମିଳନ, ଅନ୍ୟଟିରେ ଅଗଣିତ ମନ ସହିତ ବ୍ୟକ୍ତିମନର ସାଗର ସଙ୍ଗମ ।

 

ସାହିତ୍ୟ ସାଧନା ଅଧିକାଂଶଙ୍କ ପକ୍ଷରେ ଏକ ସାମୟିକ ବିନୋଦନ । ସ୍ୱଳ୍ପ ସାଧକ ପୂର୍ଣ୍ଣାଙ୍ଗ ସିଦ୍ଧିର ଅଧିକାରୀ ହୋଇ ପାରିବ କିପରି ?

 

ଅବଶ୍ୟ ପ୍ରତିଭାର ତାରତମ୍ୟ ଅଛି; ଖଣ୍ଡିଏ କ୍ଷୀଣାଙ୍ଗ ପୁସ୍ତକ ଲେଖି କବି ଜୟଦେବ ବିଶ୍ୱଖ୍ୟାତି ଅର୍ଜନ କରିଛନ୍ତି । ଏ ଭଳି ବିରଳ ଦୃଷ୍ଟାନ୍ତକୁ ବାଦ୍‌ ଦେଲେ ସାଧନାର ସ୍ଥାନ ସାହିତ୍ୟ ରାଜ୍ୟରେ ଯେ ଅତି ଉଚ୍ଚରେ, ସ୍ୱୀକାର କରିବାକୁ ହେବ ।

 

ପ୍ରାଚୀନ କବିମାନଙ୍କର ବହୁ ପୋଥି କୀଟଦଷ୍ଟ, ବନ୍ୟା ବା ଗୃହଦାହରେ ବିନଷ୍ଟ ହୋଇଅଛି । ଧ୍ୱଂସାବଶିଷ୍ଟ ପାଣ୍ଡୁଲିପି ଏବେ ବି ଆଲୋକ ଦେଖି ନାହିଁ । ସେମାନଙ୍କ ଜୀବନଯନ୍ତ୍ରଣା ବା ଗ୍ରନ୍ଥରଚନାର ଅନ୍ତରାୟ ସମ୍ବନ୍ଧରେ ଆମେ ପ୍ରାୟ କିଛି ଜାଣୁ ନାହିଁ । କିନ୍ତୁ ଏ କଥା ନିଶ୍ଚିତ ଯେ ସାହିତ୍ୟପ୍ରେମୀ ବିଦଗ୍‌ଧମାନେ କୌଣସି ଉଚ୍ଚାଙ୍ଗ ପାଣ୍ଡୁଲିପିକୁ ନଷ୍ଟ ହେବାକୁ ଦିଅନ୍ତି ନାହିଁ । ତା’ର ବହୁ ନକଲ ମିଳିଥାଏ ।

 

ପ୍ରାଚୀନ କବିମାନଙ୍କ ମଧ୍ୟରୁ କେହି କେହି ନିଜ ନିଜ କାବ୍ୟରେ ସ୍ୱଜୀବନ ବିଷୟରେ କିଛି କିଛି କହିଥାନ୍ତି । ସେଥିରୁ ଜୀବନ ସାଧନା, ଯନ୍ତ୍ରଣା ଓ ଅନ୍ତରାୟ ସମ୍ବନ୍ଧରେ କିଛି ଧାରଣା କରିହୁଏ-

 

ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ, ଅଚ୍ୟୁତାନନ୍ଦ ଦାସ, ଉପେନ୍ଦ୍ରଭଞ୍ଜ, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା, ଅଭିମନ୍ୟୁ ସାମନ୍ତସିଂହାର, ଓ ଗୋପାଳକୃଷ୍ଣ, ପ୍ରାଚୀନ ଓଡ଼ିଶାର ମହାନ୍‌ ସାଧକ କବି । ପ୍ରତିଭା ଓ ସାଧନାର ସମନ୍ୱୟରେ ସେମାନଙ୍କ ସୃଷ୍ଟି କାଳଜୟୀ ହୋଇଅଛି । ବାକୀ ସମସ୍ତଙ୍କୁ ଅର୍ଧସାଧକ ବୋଲି ଗୋଟିଏ ପର୍ଯ୍ୟାୟର ଅନ୍ତର୍ଭୁକ୍ତ କରାଯାଇ ନ ପାରେ । କେତେକ ହୁଏତ ଅର୍ଧସାଧକ, କେତେକଙ୍କର ପ୍ରତିଭା ଅପେକ୍ଷାକୃତ ନିକୃଷ୍ଟଧରଣର; ଲୋକଙ୍କର ଅନାଦର ଅବହେଳା ଫଳରେ ସେମାନଙ୍କ ଗ୍ରନ୍ଥ ବିନଷ୍ଟ ହୋଇଛି, ସେମାନେ ଅର୍ଧ ବିସ୍ମୃତ ବିସ୍ମୃତ ହୋଇଅଛନ୍ତି ।

 

ରାଜପୋଷାକତାର ଅଭାବ କେତେକଙ୍କ ସାଧନା କ୍ଷେତ୍ରରେ ହୁଏତ ଅନ୍ତରାୟ ହୋଇଅଛି-। ରାଜପୋଷକତା ଲାଭ ଏକ ପରମ ସୌଭାଗ୍ୟ ଭାବେ ବିବେଚିତ ହୁଏ । କିନ୍ତୁ ସ୍ୱାଧୀନ ପ୍ରକାଶ କ୍ଷେତ୍ରରେ ଏହା ବାଧକ ହୋଇଥାଏ; ବହୁ କ୍ଷେତ୍ରରେ ଆତ୍ମ ସ୍ୱାଧୀନତାକୁ ବଳି ଦେବାକୁ ପଡ଼ିଥାଏ । ତା’ ଅପେକ୍ଷା ଦାରିଦ୍ର୍ୟ ବରଣକୁ ବହୁ କବି ଅଧିକ ଶ୍ରେୟସ୍କର ମନେ କରିଛନ୍ତି-। ସ୍ପର୍ଦ୍ଧିତ ମସ୍ତକକୁ ତିଳେ ଅବନତ କଲେ, ଉଚ୍ଚ ଆଦର୍ଶକୁ କିଞ୍ଚିତ କ୍ଷୁର୍ଣ୍ଣ କଲେ ହୁଏତ କବଚକୁଣ୍ଡଳ, ଜମି-ଜାଗିରୀ ଆଦି ରାଜୈଶ୍ୱର୍ଯ୍ୟ ମିଳିଯାଏ ।

 

ଧନ, କବି ଦୀନକୃଷ୍ଣଙ୍କୁ ପ୍ରଲୋଭିତ କରି ନାହିଁ; କ୍ଷମତାର ଶଙ୍କା ବିତ୍ରସ୍ତ କରି ନାହିଁ । ନିଜେ ଲେଖି ରାଜାଙ୍କ ନାମରେ ଭଣିତା କରିବାର ମିଥ୍ୟାଚାରକୁ ସେ ପ୍ରଶ୍ରୟ ଦେଇ ନାହାନ୍ତି । ଏହାକୁ ପ୍ରଶ୍ରୟ ଦେବା ଅର୍ଥ ଦୁର୍ନୀତି ବା ଦୂରାଚାରକୁ ପ୍ରଶ୍ରୟ ଦେବା । ବ୍ୟାଧି ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ କରିବା ସଙ୍ଗେ ସଙ୍ଗେ କବି କାବ୍ୟ ସୃଷ୍ଟି କରି ଚାଲିଛନ୍ତି । ଏ ତାଙ୍କର ଏକ ମହାନ୍‌ ବିଶେଷତ୍ୱ । ଲେଖନୀ ତାଙ୍କର ଇଷ୍ଟଦେବୀ; ତାକୁ ସେ ଦ୍ୱିଚାରିଣୀ କରିବାକୁ ଦେଇନାହାନ୍ତି, ବ୍ୟକ୍ତିଗତ ଜୀବନରେ ଯେତେ ଦୁଃଖକଷ୍ଟ ଘଟୁ ପଛକେ । ସେ ସ୍ୱଚ୍ଛନ୍ଦ ସୁଖରେ, ବାହାରକୁ ଯାହା ଦୁଃଖପରି ଦିଶେ, ରାଜ-ଶାସ୍ତି ବରଣ କରିଛନ୍ତି । ଏହା ତାଙ୍କ ସାଧନା ପଥରେ ବ୍ୟାଘାତ ସୃଷ୍ଟି କରି ନାହିଁ,ରସନିଃସରଣରେ ସାମାତ୍ୟତମ ଅନ୍ତରାୟ ସୃଷ୍ଟି କରି ନାହିଁ । ଏହା ଚିରନ୍ତିନ କବିବ୍ୟକ୍ତିତ୍ୱର ଶ୍ରେଷ୍ଠ ପରିପୂରକ ହୋଇଅଛି ।

 

କବି ପକ୍ଷରେ ଭୟଙ୍କରତ୍ତମ ବିପତ୍ତି ଖିଆଲୀ କ୍ଷମତାର ତୁଷ୍ଟି, ମୂର୍ଖ ସ୍ତୁତି । ଏହି ମହାମୂର୍ଖ ହିଁ ତା’ର ଲେଖନୀକୁ ପଥଚ୍ୟୁତ କରେ; ବିବେକ ବୁଦ୍ଧି ହେଲା ପରେ କବି ଶୀର୍ଷତମ ସ୍ଥାନରୁ ତଳକୁ ଖସିଆସେ ।

 

ଦୁରାରୋଗ୍ୟ ବ୍ୟାଧି ରଚନାପଥରେ ଅନ୍ୟ ଏକ ଅନ୍ତରାୟ । ଏହା ଦୀନକୃଷ୍ଣଙ୍କ ଅଙ୍ଗକୁ ଅଚଳ କରିଥିଲା, ମନକୁ ନୁହେଁ । ବ୍ୟାଧିତ୍ୱ ଅବସ୍ଥାରେ ସେ ଯେତେ ଇଚ୍ଛା ସେତେ ଲେଖିଥିଲେ; କାରଣ ବିରଳ ସମାଜ-ସମ୍ଭ୍ରମ ତାଙ୍କ ବାତାବରଣକୁ ନିର୍ଜନତର ରଖିଥିଲା ।

 

ସବୁ ଲେଖକ ରାଜପୋଷକତା ଲାଭ କରନ୍ତି ନାହିଁ । ପାଠକଙ୍କ ପୋଷକତା ଲାଗି ଦୀର୍ଘକାଳ ପ୍ରଚୁର ଧୈର୍ଯ୍ୟ ଆବଶ୍ୟକ ହୋଇଥାଏ, ଫଳରେ କିଛି ଲାଭଜନକ ଉପାୟ ପାଇବା ମାତ୍ରେ ଲେଖକ ଲେଖା ଛାଡ଼େ । କ୍ଷମତାର ତରବାରୀ ଲାଭ କରିବା ମାତ୍ରେ କାହା କାହା ହାତରୁ କଲମ ଆପେ ଆପେ ଖସିପଡ଼େ । ନିଃଶ୍ୱାସ ପ୍ରଶ୍ୱାସ ପରି ଯାହା ମନରେ ସ୍ୱାଭାବିକ ଗତିରେ ଭାବସମ୍ଭାର ଗତିକରେ, ଲେଖାକୁ ଯେ ପ୍ରାଣଧର୍ମ ବୋଲି ମନେକରେ, ପରିସ୍ଥିତି ଯେତେ ପ୍ରତିକୂଳ ହେଲେ ବି ସେ ଲେଖାଲେଖି ଛାଡ଼ିପାରେ ନାହିଁ ।

 

କବିବର ରାଧାନାଥଙ୍କର ସାଧନା ଖଣ୍ଡିତ । ମହାଯାତ୍ରା, ପାର୍ବତୀ, ଉର୍ବଶୀ, ଦରବାର କାବ୍ୟ ଅପୂର୍ଣ୍ଣ, ଏଥିପାଇଁ ମନ ଅବସାଦରେ ମଳିନ ହୁଏ । କିନ୍ତୁ କାବ୍ୟ ସାହିତ୍ୟରେ ଆଧୁନିକ ଯୁଗସ୍ରଷ୍ଟାଙ୍କର ଏହି ଅପୂର୍ଣ୍ଣତା ବ୍ୟକ୍ତିଗତ ବିପର୍ଯ୍ୟୟ ଭାବେ ବିବେଚିତ ହୋଇ ନ ଥାଏ । ଏକ ଜାତୀୟ ଦୁର୍ଭାଗ୍ୟ ବୋଲି ଧରାଯାଏ । କାରଣ ତାଙ୍କ ରରଚନାରେ ଜାତି, ଗୌରବ, ଗର୍ବ ଅନୁଭବ କଲା ଭଳି ଉଚ୍ଚକୋଟୀର କାବ୍ୟକଳା ନିହିତ ଥିଲା । ଅପୂର୍ଣ୍ଣ କାବ୍ୟ ସବୁ ଲେଖି ପୂର୍ଣ୍ଣ କରିବା ଲାଗି ଜାତୀୟ ଭାବାପନ୍ନ ସାହିତ୍ୟପ୍ରେମୀ ପାଠକମାନଙ୍କ ଠାରୁ ବହୁ ପ୍ରେରଣାପୂର୍ଣ୍ଣ ଆନ୍ତରିକ ଅନୁରୋଧ କବିଙ୍କ ନିକଟରେ ଆସି ପହଞ୍ଚୁଥିଲା।

 

କିନ୍ତୁ କବି ବିଷମ ସଂକଟରେ ପଡ଼ିଥିଲେ, ସେଥିରୁ ମୁକ୍ତ ହେବା ସହଜସାଧ୍ୟ ନ ଥିଲା । ବିଷୟ ଜଞ୍ଜାଳ ବା ଅନଟନ ନୁହେଁ; ଏହା ଏକ ଦ୍ୱନ୍ଦ୍ୱ ଯୁଦ୍ଧ, ନିଜ ସହିତ ନିଜର, ଅତୀତ ସହିତ ବର୍ତ୍ତମାନର, ମହାନ୍‌ ଆଦର୍ଶ ସହିତ ସାଂଘାତିକ ତ୍ରୁଟି ବିଚ୍ୟୁତିର । ନିଷ୍କ୍ରିୟତା ଓ ଘୋର ମାନସିକ ଯନ୍ତ୍ରଣା ଏହାର ଅବଶ୍ୟମ୍ଭାବୀ ପରିଣତି ।

 

ଚିର ହାହାମୟ ଏ ଛାର ଜୀବନ

ଜୀବନ ନୁହଁଇ ଜୀବନ୍ତ ମରଣ ।

 

ରାଧାନାଥଙ୍କ ସୁଖୀ, ସର୍ଜନଶୀଳ ଜୀବନ ପ୍ରତି ଲକ୍ଷ୍ୟ କଲେ ଏ ପଦଟି ନିରର୍ଥକ ବୋଧ ହେଉଥିଲା । ଜୀବନର ଶେଷ ଭାଗରେ ଭବିଷ୍ୟତ ଦ୍ରଷ୍ଟା କବିଙ୍କର ଏ ବାଣୀ ତାଙ୍କ ଜୀବନ ପକ୍ଷରେ ପରମ ସତ୍ୟ ରୂପେ ପ୍ରତିଭାତ ହେଲା ।

 

କବି ହୁଗୁଳି ଅବସ୍ଥାନ କାଳରେ ପୌଢ଼ ବୟସରେ ସାହିତ୍ୟିକା ନଗେନ୍ଦ୍ରବାଳାଙ୍କ ପ୍ରେମରେ ପଡ଼ିଲେ । କବିତା ସଂଶୋଧନ କରୁ କରୁ ସେ ନିଜେ ସଂଶୋଧନର ବାହାରକୁ ଚାଲିଗଲେ । ପଶ୍ଚାତ୍ତାପର କବଳରୁ ଖସିଆସି ସଂସାରରେ ସାଧାରଣ ମଣିଷ ପରି ଚଳବିଚଳ ହେବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ । ସ୍ଖଳନ ବା ଚରିତ୍ରହାନିର ବିସମ୍ବାଦ ସେ ଓଡ଼ିଆ, ହିନ୍ଦୀ, ବଙ୍ଗଳା ଓ ଇଂରାଜୀରେ ଛପି ସର୍ବତ୍ର ପ୍ରକଟ କରିଥିଲେ । ରାଧାନାଥ ଅନୁତାପରେ ଦଗ୍‌ଧ ହୋଇ ଶୁଦ୍ଧ ସୁବର୍ଣ୍ଣ ବର୍ଣ୍ଣରେ ହୁଏତ ମହାତ୍ମାସ୍ତରକୁ ଉନ୍ନୀତ ହୋଇଥିଲେ; କିନ୍ତୁ ଅନ୍ତରର ଦହନ ଜ୍ୱାଳାରୁ ନିଷ୍କୃତି ମିଳି ନ ଥିଲା ।

 

ପ୍ରାଣର ଗଭୀର ବେଦନା ସେ ‘ନିବେଦନ’ କବିତାରେ ବ୍ୟକ୍ତି କରିଛନ୍ତି –

‘‘ଅହଂଭାବେ ହୋଇ ସଦା ଅଭିଭୂତ

ହେଲି ମୁଁ ପବିତ୍ର ଜୀବନୁଁ ବିଚ୍ୟୁତ

ବିଦାରି ହୃଦକୁ କରେ ଧୁନା ଧୁନା

ବିଷଦଗ୍‌ଧ ପାପସ୍ମୃତି ଏକମୁନା ।

ଯହିଁ ଯାଏ ତହିଁ ଯାଏ ସେ ଗୋଡ଼ାଇ

ନିଜ ଠାରୁ ପଳାଇବା ରାହା କାହିଁ ?’’

 

‘‘ଆତ୍ମକଥା’ରେ ଏଇ ଭାବ ଭିନ୍ନତର ରୂପେ ପ୍ରକାଶ ପାଇଅଛି-

‘‘ପାପର ଏଭଳି ପ୍ରଭାବ ଯେ ଥରେ ସେଥିରେ ପଶିଗଲେ ପାପୀ ଯେବେ ତାହା ପରିତ୍ୟାଗ କରି ପୁଣି ପୁଣ୍ୟ ମାର୍ଗରେ ବିଚରଣ କରିବାକୁ ଇଚ୍ଛା କରେ, ଆଉ ବାଟ ପାଏ ନାହିଁ ।

 

ମୋହର ଇଚ୍ଛା, ମୁଁ ମୁକ୍ତ ଜୀବନ ପାଇ ପୁଣ୍ୟ ମାର୍ଗରେ ବିଚରଣ କରନ୍ତି, ସର୍ବଦା ଠିକ୍‌ ବାଟରେ ଯାଆନ୍ତି । ଧର୍ମ ଏବଂ ଜନସେବାରେ ଜୀବନ ଉତ୍ସର୍ଗ କରନ୍ତି । ହାୟ ସେ ଉପାୟରୁ ମୁଁ ବଞ୍ଚିତ ।

 

‘‘ବର୍ତ୍ତମାନ ପୂର୍ବ ଭଳି ମୋର ରଚନା ଶକ୍ତି ନାହିଁ । ପାପ ପ୍ରାଣ ସର୍ବଦା ଜଳୁଅଛି ।’’

‘‘ମନେ କରିଥିଲି ପେନ୍‌ସନ୍‌ ଘେନି ଅବସରକ୍ରମେ ମାତୃଭାଷାର ସେବା କରିବି । ଧର୍ମ ଓ ନୀତି ସମ୍ବନ୍ଧରେ ସଂସ୍କୃତରେ କବିତା ଲେଖିବି । ମୋହର ଆଶା କେବଳ ଆଶାରେ ପରିଣତ ହେଲା ।’’

 

‘‘ଦଶରଥ ବିୟୋଗ’’ ଭଳି ନୀତିପୂର୍ଣ୍ଣ କବିତା ଲେଖିବାର ୪।୬ ମାସ ଉତ୍ତାରୁ ମୁଁ ଏପରି ପ୍ରଲୋଭନରେ ପଡ଼ିଗଲି ।

 

ପ୍ରାୟ ଚାରିବର୍ଷ ହେବାକୁ ଲାଗିଲା । ମୋର ଏପରି ମାନସିକ ଓ ତନ୍ନିବନ୍ଧନ ଶାରୀରିକ ଯନ୍ତ୍ରଣା ହେଉଅଛି ଯେ ପ୍ରତ୍ୟହ ଆତ୍ମହତ୍ୟା କରିବାକୁ ପ୍ରବୃତ୍ତି ହୁଏ । ଅତି ତୀବ୍ର ସ୍ମୃତି ଶେଳ ସଂପ୍ରତି ଦାରୁଣ ବାୟୁଶୂଳ ରୋଗରେ ପରିଣତ ହୋଇଅଛି । ଯନ୍ତ୍ରଣାବଶତଃ ମୁଁ ଅଧିକାଂଶ ସମୟ ଶଯ୍ୟାରେ ପଡ଼ିରହିଥାଏ ।’’

 

୧୯୦୪ ରୁ ୧୯୦୭-ଏଇ ଚାରିବର୍ଷ ତାଙ୍କ ଘୋର ଆତ୍ମଗ୍ଳାନି ଓ ଦୁଶ୍ଚିନ୍ତା ମଧ୍ୟରେ କଟିଥିଲା ।

 

ଏ ଭଳି ମାନସିକ ଦୁଃସ୍ଥିତି ମଧ୍ୟରେ ସେ ‘‘ସାବିତ୍ରୀ ଚରିତ’’, ‘‘ଧବଳେଶ୍ୱର ସ୍ତୁତି’’ ‘‘କାଳିକା ସ୍ତୁତି’’, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ’ ‘ନିବେଦନ’, ‘ସତ୍ୟ ପ୍ରତି ସତ୍ୟଦ୍ରୋହୀର ଉକ୍ତି’ ପ୍ରଭୃତି କେତୋଟି ଗୌଣରଚନା ଲେଖିଥିଲେ । ଏ ସାହିତ୍ୟିକ ପ୍ରୟାସ ତାଙ୍କର ଆତ୍ମଶୋଧନ ମୂଳକ ଥିଲା-। କିନ୍ତୁ ଅସଂପୂର୍ଣ୍ଣ କୌଣସି ମହାନ୍‌ କାବ୍ୟ ଶେଷ କରିବା ଲାଗି ତାଙ୍କର ସାହସ ବା ମାନସିକ ଶକ୍ତି ଆସି ନ ଥିଲା । ସେଥିଲାଗି ଯେଉଁ ଅଧ୍ୟବସାୟ ନିଷ୍ଠା ବା ଏକାଗ୍ରତ ଆବଶ୍ୟକ, ତାହା କବି ହରାଇ ବସିଥିଲେ ।

 

ବୟସ ବୃଦ୍ଧି ସଙ୍ଗେ କବିତ୍ୱ ଶକ୍ତି ଅବକ୍ଷୟର ଆଭାସ ମିଳିବା ଆଗରୁ ଦୁଶ୍ଚିନ୍ତାଗ୍ରସ୍ତ କିଂ କର୍ତ୍ତବ୍ୟବିମୂଢ଼ ରାଧାନାଥ ଲେଖନୀ ତ୍ୟାଗ କରିଥିଲେ । କିନ୍ତୁ ନନ୍ଦକିଶୋରଙ୍କ ହସ୍ତରୁ ସରସ୍ୱତୀ ନିଜେ ଲେଖନୀ ଛଡ଼ାଇ ନେଲେ, ଏହାର ଉପଯୁକ୍ତ ମର୍ଯ୍ୟାଦା ସଂରକ୍ଷିତ ହେଲା ନାହିଁ ବୋଲି ।

 

ନନ୍ଦକିଶୋରଙ୍କ କବିତ୍ୱ କ୍ଷୀଣଜୀବୀ; କ୍ଷୟର ସ୍ୱଳ୍ପ ଆଭାସ ହୁଏତ ‘ନିର୍ମାଲ୍ୟ’ରୁ ମିଳିଥିଲା । କିନ୍ତୁ କବିତ୍ୱର ଦ୍ରୂତ ଅବକ୍ଷୟ ଘଟାଇଲେ ସ୍ୱୟଂ କବି । ସରକାରୀ କର୍ମ ଜଞ୍ଜାଳ, ଗୃହ ଜଞ୍ଜାଳର ଚାପରେ ପଡ଼ି ଲେଖାଲେଖି ପ୍ରତି ଚରମ ଅବହେଳା ପ୍ରଦର୍ଶନ କଲେ । ବାଣୀ ଅଭିମାନିନୀ । ଆଳସ୍ୟ ବା ଅବହେଳା ସେ ବରଦାସ୍ତ କରିପାରନ୍ତି ନାହିଁ । ଦୁରଭ୍ୟାସ ଫଳରେ କାନ୍ଧରୁ ଲକ୍ଷ୍ମୀ ଛାଡ଼ିଗଲା ପରି ଅନଭ୍ୟାସରେ ବାଣୀ ଲେଖନୀ ପ୍ରତ୍ୟାହାର କରନ୍ତି ।

 

୧୮୯୮ରୁ ୧୯୦୨ ନନ୍ଦକିଶୋର ଆର୍ଥିକ ଦୁଃସ୍ଥିତି ମଧ୍ୟରେ ଥିଲେ; କିନ୍ତୁ ବାଣୀ ତାଙ୍କ ପ୍ରତି ସୁପ୍ରସନ୍ନା ଥିଲେ । ଏହା ଥିଲା ନନ୍ଦକିଶୋରଙ୍କ ଲେଖନୀର ସୁବର୍ଣ୍ଣ ଯୁଗ ।

 

ପ୍ରାଣରେ ବିପୁଳ ପ୍ରବାହ, ଲେଖନୀର ସ୍ୱଚ୍ଛନ୍ଦ, ସ୍ୱାଭାବିକ ଗତି । ପଲ୍ଲୀ ପ୍ରକୃତି ସହିତ ସ୍ୱଚ୍ଛ ମନରେ ସେ ବିଶ୍ରମ୍ଭାଳାପ କରୁଥିଲେ । ମନରେ ତିଳାର୍ଦ୍ଧ କ୍ଷୋଭ ବା ଦୁଃଖ ନ ଥିଲା । ଯଶଲିପ୍‌ସୁ, ତରୁଣ କବି ଦିନେ ଘୋଷଣା କରିଥିଲେ-

 

‘‘ଯାଆନ୍ତୁ କମଳା ସୁଖସୌଧେ ସଖାଗଣ

ଦରିଦ୍ର କୁଟୀରେ ମମ ଯାପିବି ଜୀବନ ।’’

 

ତା’ ଅର୍ଥ-ମୋ’ ବନ୍ଧୁମାନେ ବହୁ ଧନସମ୍ପଦ ଅର୍ଜନ କରି ଭୋଗ ବିଳାସରେ ଜୀବନଯାପନ କରନ୍ତୁ । ମୁଁ କାହା ପ୍ରତି ଈର୍ଷା ବା ଅସହିଷ୍ଣୁ ହେବି ନାହିଁ । ମୋ’ ଦରିଦ୍ର କୁଟୀରରେ ବସି ସନ୍ତୋଷ ମନରେ ମୁଁ ସାହିତ୍ୟସାଧନା କରିବି । ମୋର ଏକମାତ୍ର ଉଚ୍ଚାକାଙ୍‌କ୍ଷା ବୀଣାପାଣିଙ୍କର କରୁଣାଲାଭ । ଆଜୀବନ ସାଧନାରେ ଜଣେ ମହାନ୍‌ କବି ଭାବେ ପ୍ରତିଷ୍ଠା ଲାଭ କରିବ, ଜଣେ ଧନୀ ହୋଇ ଅଳସ ଆମୋଦ ପ୍ରମୋଦରେ କାଳ ହରଣ କରିବି ନାହିଁ ।

 

‘‘କିନ୍ତୁ ପରିଣାମେ ଛାୟାବାଜି ବତ

ଆଶାରେ ସେ ଆଶା ହେଲା ପରିଣତ ।’’

 

ଆଦ୍ୟ ତାରୁଣ୍ୟର ସେ ଦୃଢ଼ ସଂକଳ୍ପ ପ୍ରଲୋଭନର ଚମକ ଓ ଚାକଚକ୍ୟ ସମକ୍ଷରେ ପାଣି ଫାଟିଗଲା । ତାଙ୍କ ପୁର ‘ଧବଳମୟ ହୋଇ’ ଉଠିଲା; ଧନ, ଜନ, ଗୋପଲକ୍ଷ୍ମୀରେ ତାଙ୍କ ଚୌଦିଗ ହସି ଉଠିଲା । ବସନ୍ତ କୋକିଳର କୁହୁଧ୍ୱନି ଅପେକ୍ଷା ଲକ୍ଷ୍ମୀଙ୍କ ପେଚକ ଧ୍ୱନି ତାଙ୍କୁ ଅଧିକ ମୁଗ୍‌ଧ କଲା । ସଖାମାନଙ୍କ ପରି ସେ ସୌଧବିହାରୀ ହେଲେ । ସାଂସାରିକ ବିବିଧ ସୁଖସମ୍ଭାର ମଧ୍ୟରେ କିନ୍ତୁ ସେ କବି-ଆତ୍ମାକୁ ହରାଇ ବସିଲେ । ପଥଚ୍ୟୁତ କବିଭାବେ ବିରହିତ ହେଲାପରେ ସେ କୋହରେ ଲେଖିଲେ-

 

‘‘ବାଣୀ ଆରାଧନା ତେଜି ସେବିଲେ ସଂସାର

ମନା ହୋଇଗଲା ମୋତେ ଶ୍ରୀ କୋଠଭଣ୍ଡାର ।’’

 

ଯେତେ କ୍ଷୋଭ, ଅନୁଶୋଚନା କଲେ ବି ତାଙ୍କ ପୂର୍ବରଚନା ଶକ୍ତି ଆଉ ଫେରିଲା ନାହିଁ । କବିତ୍ୱର ଅଧୋଗତି ଓ କବିଙ୍କ ଆତ୍ମଗ୍ଳାନି ଲକ୍ଷ୍ୟ କରି ଶ୍ରୀ ଅଭିଭାବକ ବ୍ୟଙ୍ଗ କରି ଲେଖିଲେ-

 

‘‘ଛାଡ଼ିଲ ସ୍ୱର୍ଗ ଅଧିକାର ମର୍ତ୍ତ୍ୟେ ଗଲ ଖସି

ଭୁଲିଲ ଲକ୍ଷ୍ୟ ଗୋଲାକାର ରୌପ୍ୟ ଖଣ୍ଡେରସି ।’’

 

ସଖା ସୁହୃଦଗଣ ଯେପରି ଈଶ୍ୱରଦତ୍ତ ପ୍ରତିଭାକୁ ବୃତ୍ତିବେଦୀରେ ବିସର୍ଜନ ଦେଇ ସୁଖର ସଂସାର ଗଢ଼ିଥିଲେ, ସେ ସେହିପରି କଲେ । ସିଦ୍ଧି ଆସିବା ମୁହୂର୍ତ୍ତରେ କବି ସାଧନା ଛାଡ଼ିଲେ । ସେହି ଛିନ୍ନ ସୂତ୍ରକୁ ଗଇଁଠେଇବା ଲାଗି ପରେ ସେ ଯେତେ ଚେଷ୍ଟା କଲେ, ସମସ୍ତ ବ୍ୟର୍ଥ ହେଲା । କବିତା ନାମରେ ପଦଯୋଡ଼ିବା ମାତ୍ର ସାର ହେଲା । ଭାଷା ଓ ଶୈଳୀରେ ଅପୂର୍ବ ଅପୂର୍ଣ୍ଣ ‘କନକଲତା ଉପନ୍ୟାସ ଖଣ୍ଡି ବହୁପାଠକଙ୍କ ଅନୁରୋଧରେ ଶେଷଜୀବନରେ ସେ ଶେଷ କଲେ । କିନ୍ତୁ ପୂର୍ବାର୍ଦ୍ଧ ଓ ପରାର୍ଦ୍ଧ ମଧ୍ୟରେ କଳାଗତ ଓ ଭାଷାଶୈଳୀଗତ ଆକାଶ ପାତାଳ ତାରତମ୍ୟ ରହିଗଲା ।

 

ନନ୍ଦକିଶୋର ଖାଣ୍ଟି ଓଡ଼ିଆ କବି । ନଗର ଓ ଗ୍ରାମର ସାହିତ୍ୟ ମଧ୍ୟରେ ଗଢ଼ି ଉଠୁଥିବା ଭେଦଭାବ ସେ ସଫଳଭାବେ ଦୂର କରିପାରିଥିଲେ । ତେଣୁ ତାଙ୍କ ପ୍ରତିଶ୍ରୁତି ଭଙ୍ଗ ଓଡ଼ିଆ ଓଡ଼ିଆ ସାହିତ୍ୟ ପକ୍ଷରେ ଏକ ବିପର୍ଯ୍ୟୟ ।

 

କବି ଦୀର୍ଘାୟୁ ନୁହନ୍ତି । କିନ୍ତୁ ଶରୀରର ବିଲୟ ପୂର୍ବରୁ ତାଙ୍କ ବାଣୀର ଅପମୃତ୍ୟୁ ନିଶ୍ଚିତଭାବେ ଏକ ଦୁଃସହ ଶୋକାବହ ଘଟଣା ।

 

ଉତ୍କଳ-ଭାରତୀ କୁନ୍ତଳାକୁମାରୀ ସାବତଙ୍କ ଜୀବନକାଳ ମାତ୍ର ୩୮ ବର୍ଷ । ତା’ ମଧ୍ୟରୁ ଓଡ଼ିଆ ଭାଷା ଶିକ୍ଷା ଲେଖାଲେଖି ଲାଗି ପ୍ରସ୍ତୁତିରେ ୨୦ ବର୍ଷ ବିତିଥିଲା । ବାକି ୧୮ବର୍ଷ ତାଙ୍କର ଲିଖନକାଳ, ତା’ ମଧ୍ୟରୁ ୮ବର୍ଷ କଟିଗଲା କଟକରେ; ଶେଷ ଦଶବର୍ଷ ଦିଲ୍ଲୀରେ । କଟକ ରହଣି କାଳରେ ସେ ଯାବତୀୟ ଉପାଦେୟ ରଚନା ଲେଖି ଯଶ ପ୍ରତିଷ୍ଠାର ଅଧିକାରିଣୀ ହୋଇପାରିଥିଲେ-। ଲେଖନୀ ପୋଖତ ହେଲାବେଳକୁ ସେ ପ୍ରାୟ ଲେଖାଲେଖି ଛାଡ଼ିଲେ ।

 

କୁନ୍ତଳାକୁମାରୀ ପ୍ରତ୍ୟକ୍ଷ ସ୍ୱାଧୀନତା ସଂଗ୍ରାମରେ ଯୋଗ ନ ଦେଲେ ମଧ୍ୟ ଜାତିକୁ ଉଦ୍‌ବୁଦ୍ଧ କରିବାଲାଗି ସେ କବିତ୍ୱକୁ ନିୟୋଜିତ କରିଥିଲା । ଫଳରେ ରଚିତ ହେଲା ଆହ୍ୱାନ-ବିଦେଶୀ ଶାସକଙ୍କଦ୍ୱାରା ବାଜ୍ୟାପ୍ତ ହେବାର ଗୌରବ ଏହା ଅର୍ଜନ କରିଥିଲା । ତା’ପରେ ପ୍ରକାଶିତ ହେଲା ଆହୁତି; ଆହ୍ୱାନର ସମଭାବାପନ୍ନ । ଡାକ୍ତରୀ ବୃତ୍ତିର ଘୋର ଜଞ୍ଜାଳ ମଧ୍ୟରେ ପ୍ରବାସୀ ଓଡ଼ିଆଙ୍କ ସ୍ମୃତି ଜାଗ୍ରତ ହେବାରୁ ସେ ଲେଖିଲେ ‘‘ଓଡ଼ିଆଙ୍କ କାନ୍ଦଣା’’; ଗୌରବଯୁଗର ଓଡ଼ିଆଙ୍କ କୀର୍ତ୍ତି ଓ କୃତିତ୍ୱ ଚିତ୍ରଣ କରି ସେ ଲେଖିଥିଲେ, ‘‘ଦିଲ୍ଲୀ ଚିଠି’’, ଯାହା ‘‘ସହକାର’’ରେ ପ୍ରକାଶିତ ହୋଇଥିଲା । ଦଶବର୍ଷ ଦିଲ୍ଲୀରହଣି କାଳର ଏତିକି ମାତ୍ର ସାହିତ୍ୟ ଫସଲ । କୁନ୍ତଳା ଏଥିରେ ସନ୍ତୁଷ୍ଟ ନଥିଲେ । ଅକର୍ମଣ୍ୟତାର ଦଂଶନଜ୍ୱାଳା ଅସହ୍ୟ ହେବାରୁ ସେ ଲିଖିତ ଚିଠିପତ୍ରରେ ନାନାଭାବରେ ସେଫେଇ ଦେଉଥିଲେ ।

 

‘‘ବର୍ତ୍ତମାନ ଡାକ୍ତରୀ ମୋ’ ଜୀବନ ଖାଇଲାଣି । ଅର୍ଥ ଅଛି, ପ୍ରତିଷ୍ଠା ଅଛି, ସ୍ୱାସ୍ଥ୍ୟ ଓ ସୁଖ ନାହିଁ ।

ଏ ଜୀବନ ମୋର ଏକାନ୍ତ ଅବସାଦକ । କିନ୍ତୁ ପରିସ୍ଥିତିର ଘନବେଢ଼ା ମୋତେ ଏପରି ଆବଦ୍ଧ କରି ପକାଇଛି ଯେ ଏଥିରୁ ଉଦ୍ଧାର ପାଇବାକୁ ଉପାୟ ନାହିଁ ।

 

ବ୍ରହ୍ମଚାରୀ ତ ଜାଣ ଅସାହିତ୍ୟିକ । ସେ ବ୍ୟବସାୟୀ । ସେ ସାହିତ୍ୟର କ୍ଷତିବୃଦ୍ଧି, ଲାଭ ଲୋକସାନ ବୁଝନ୍ତି ନାହିଁ । ତାଙ୍କର ଇଚ୍ଛା, ଯାହା ପଇସା ସଂଗ୍ରହ କରି ନପାରିବ, ସେ ଆଉ ମୋତେ ସେଥିରେ ଲଗାଇବେ ନାହିଁ । ତେଣୁ ସାହିତ୍ୟ ଛାଡ଼ିଲି । ଯେଉଁ ସାହିତ୍ୟ ଲାଗି ମୁଁ ମଣିଷ ହେଲି, ତାକୁ ବାଧ୍ୟ ହୋଇ ତ୍ୟାଗ କରି ବସିଛି ।’’

 

ଲକ୍ଷେଟଙ୍କା ରୋଜଗାର କଲାପରେ ସେ ଓଡ଼ିଶା ଫେରିଆସିବେ, କଳ୍ପିତ ‘ଭାରତୀ ତପୋବନ’କୁ ଜୀବନ୍ୟାସ ଦେବେ, ସମ୍ବାଦପତ୍ର ପ୍ରକାଶ କରିବେ, ‘‘ବସୁମତୀ ସାହିତ୍ୟ ମନ୍ଦିର’’ ପରି ବହି ଛପାଇ ସେ ଶସ୍ତାରେ ବିକ୍ରୀ କରିବେ, ତାଳପତ୍ର ପୋଥି ସଂଗ୍ରହ ଓ ସଂକଳନ କରି ପ୍ରକାଶ କରିବେ । ତାଙ୍କର ଏସବୁ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା ।

 

ଅନ୍ୟାନ୍ୟ ଅନେକ କାରଣ ମଧ୍ୟରେ ପ୍ରଣୟ-ଭଙ୍ଗ କୁନ୍ତଳାଙ୍କ ଲେଖକ-ଜୀବନ ଅବସାନର ଏକ କାରଣ ହୋଇପାରେ । ପରିଣୟର ବିଧି ରକ୍ଷାରେ ବରରୂପରେ ଯେ ଆସିଲେ, ସେ ଏକ ବଳିବର୍ଦ୍ଦ, ରସଲେଶହୀନ, ଅକର୍ମଣ୍ୟ, ଅପଦାର୍ଥ, ତାଙ୍କର ସ୍ୱାମୀତ୍ୱର ରୁଢ଼ ଅଧିକାର ଜାରୀ କୁନ୍ତଳାଙ୍କୁ ପଦେପଦେ ନିପୀଡ଼ିତ କରୁଥିଲା । ଅର୍ଥ ଉପାର୍ଜନର ଏକ ମେସିନ୍‌ ରୂପେ ସେ ପତ୍ନୀଙ୍କୁ ଦେଖୁଥିଲେ । ସାହିତ୍ୟ କଳାକୁ ଲୋକ ଅନୁଧ୍ୟାନ କରିବାର କାରଣ ସେ ହୃଦୟଙ୍ଗମ କରି ପାରୁନଥିଲେ ।

 

ଶେଷ ଜୀବନରେ ହିନ୍ଦୀ ପ୍ରତି ଆକର୍ଷଣ ଓଡ଼ିଆ ସାହିତ୍ୟ ପ୍ରତି ଅବହେଳାର ଆଉ ଏକ କାରଣ । ସର୍ବଭାରତୀୟ ପ୍ରତିଷ୍ଠା ଲାଭ-ଲିପସା ଏ ସମୟରେ ତାଙ୍କ ମନରେ ଉତ୍କଟ ହୋଇଥିଲା ।

 

ହିନ୍ଦୀ ଭାଷାରେ ଦଖଲ ଆସିବା ପରେ ସେ ‘ବରମାଳା’ ନାମକ ଗୀତି-କବିତା ଗୁଚ୍ଛ ଓ ତା’ପରେ ‘ଜାଗରଣ’, ‘ସତୀତ୍ୱ’ ‘ସୁଦିନ’ ପ୍ରଭୃତି ପୁସ୍ତକ ହିନ୍ଦୀରେ ପ୍ରକାଶ କରିଥିଲେ । ‘ମନମୌଜି’, ‘ନାରୀ’, ‘ଭାରତୀ’ ପ୍ରଭୃତି ହିନ୍ଦୀ ପତ୍ରିକାର ସମ୍ପାଦିକା ମଧ୍ୟ ହୋଇଥିଲେ । ଓଡ଼ିଶା ଓ ଓଡ଼ିଆ ଭାଷା ସହିତ ସେ କାହିଁକି ସମ୍ପର୍କ ତୁଟାଇଦେଲେ, ସେ କୈଫତ୍‌ ଦେଇଛନ୍ତି ।

 

‘‘ଆଜିକାଲି ଓଡ଼ିଆ ଖବର କାଗଜ ମୁଁ ଆଉ ସବ୍‌ସ୍କ୍ରାଇବ୍‌ କରୁନାହିଁ । ଏଠାରେ ଆଟମସ୍‌ଫିୟର ଭିନ୍ନରକମର । ଏଠିରହିବାଦ୍ୱାରା ମନ ସଂକୀର୍ଣ୍ଣତାକୁ ଭୁଲି ଭାରତୀୟ ମହାଭାବରେ ପୂର୍ଣ୍ଣ ହୋଇଯାଏ । ଆଜିକାଲି ପ୍ରାୟ ଇଂରାଜୀରେ କିଛି କିଛି ଲେଖୁଛି । ଓଡ଼ିଆରେ ଲେଖିଲେ କେବଳ ଏକ କୋଟି ଲୋକଙ୍କ ଭିତରେ ସୀମାବଦ୍ଧ ହୋଇରହିଥିବ । ସେହି ଏକ ସୀମା ଭିତରେ ପୁଣି ଓଡ଼ିଆଙ୍କ ସଂଖ୍ୟା ନିତାନ୍ତ ଅଳ୍ପ । ଜଗତ ସହିତ ସମ୍ବନ୍ଧରଖିବାକୁ ହେଲେ ଗୋଟିଏ ବିଶାଳ ଭାଷାରେ ମଧ୍ୟ ଅଧିକାର ରଖିବା ପ୍ରୟୋଜନ ।’’

 

ଓଡ଼ିଶୀୟ, ଭାରତୀୟ ଓ ଆନ୍ତର୍ଜାତିକ ଭାବ ସଂଘର୍ଷ ମଧ୍ୟରେ ତାଙ୍କ ମନରେ ପ୍ରଶ୍ନ ଉଠିଲା-ଓଡ଼ିଆରେ ଲେଖିବି କାହିଁକି ? ଯେଉଁ ସୋପାନ ଉପରେ ପଦନ୍ୟାସ କରି ଉଚ୍ଚ ପ୍ରତିପତ୍ତି ସ୍ତରକୁ ଉଠିଥାଏ, କୃତଘ୍ନ ମନୁଷ୍ୟ ମୁହଁ ବୁଲାଇବାମାତ୍ରେ ତାହା ଭୁଲିଯାଏ । କୁନ୍ତଳାଙ୍କ ପକ୍ଷରେ ଏହା ଏକ ଭାଗ୍ୟର ବିଡ଼ମ୍ବନା ବୋଲିବାକୁ ହେବ । କାରଣ ଯେଉଁ ସର୍ବଭାରତୀୟ ବା ଆନ୍ତର୍ଜାତିକ ମନରେ ସ୍ଥାନ ପାଇବାଲାଗି ବ୍ୟାକୁଳ ହୋଇ ସେ ଓଡ଼ିଆ ସାହିତ୍ୟ ତ୍ୟାଗ କରିଥିଲେ, ସେଥିରେ ସେ ସମ୍ପୂର୍ଣ୍ଣଭାବେ ବିସ୍ମୃତ । ତାଙ୍କ ଗୌରବମୟ ଆସନ କିନ୍ତୁ ପ୍ରତିଷ୍ଠିତ ହୋଇଛି ଓଡ଼ିଶାରେ, ଓଡ଼ିଆଙ୍କ ମନରେ, ବିଶେଷତଃ ନାରୀ ମହଲରେ । ଶ୍ରଦ୍ଧା, ସ୍ନେହ ଓ ସମ୍ମାନର ଅଧିକାରିଣୀ ନାରୀ ସମାଜର ମୁକୁଟମଣି ସେ । ସେହି ନାମ ସ୍ମରଣରେ ପ୍ରତି ଓଡ଼ିଆ ନାରୀର ମସ୍ତକ ଭକ୍ତିରେ ଅବନତ ହୁଏ ।

 

ବିରୁଦ୍ଧ ପରିବେଶ, ବିକଟ ଦାରିଦ୍ର୍ୟ, ଦୁରାରୋଗ୍ୟ ବ୍ୟାଧି, ମାନସିକ ଦ୍ୱନ୍ଦ୍ୱ, ପ୍ରଚଣ୍ଡ ପ୍ରଲୋଭନ ଆତ୍ମବିଶ୍ୱାସ ଓ ମାନସିକ ସ୍ଥୈର୍ଯ୍ୟର ଅଭାବ, ପୋଷକତାର ଅଭାବ ଭୟାବହ ପର ଧନ ଅବଲମ୍ବନ, ନିଜ ସାହିତ୍ୟ ପ୍ରତି ଆନୁଗତ୍ୟର ଅଭାବ, ଆତ୍ମତୃପ୍ତି ଓ ଅହଂଭାବ ପ୍ରଭୃତି ସାହିତ୍ୟ ସୃଷ୍ଟି ପଥରେ ବହୁ ଅନ୍ତରାୟ ରହିପାରେ । ସେସବୁ ଲଙ୍ଘନ କରିବା ଲାଗି ଦୃଢ଼ ଆତ୍ମବଳ, କଠୋର ସାଧନା ଶକ୍ତି ଓ ଭୀଷ୍ମ ପ୍ରତିଜ୍ଞା ଆବଶ୍ୟକ । ସାହିତ୍ୟିକ ପଛରେ ପୌରୁଷ ଶକ୍ତିସଂପନ୍ନ ବ୍ୟକ୍ତିତ୍ୱ ନରହିଲେ ଓଡ଼ିଆ ସାହିତ୍ୟର ଦାରିଦ୍ର୍ୟ ଦୂର ହୋଇପାରିବ ନାହିଁ ।

 

ପ୍ରଥମ ଶ୍ରେଣୀର ଅଧିକାଂଶ ଛାତ୍ର ବୃତ୍ତି ପୀଠରେ ବଳି ପଡ଼ନ୍ତି । ସେଥିରୁ ଖଲାସ ହୋଇ ଆସିଲା ପରେ ମୁଣ୍ଡରେ କିଛି ନ ଥାଏ । ଜୀବନ ପୋକ ଲାଗି ଲାଗି ଖାଦ୍ୟପେୟ ବାସ ଓ ଚଳଣିର ମାନ କିଛି ବଢ଼ାଇଥାନ୍ତି । ସ୍ୱଜାତି ଓ ମାନବ ଜାତିକୁ ସେମାନଙ୍କର ଅଧିକ ଦାନ କ’ଣ ?

 

ବର୍ତ୍ତମାନ ବହୁ ବାଣିଜ୍ୟ ବ୍ୟବସାୟର ଲାଭଜନକ ପନ୍ଥା ଉନ୍ମୁକ୍ତ ଥିବାବେଳେ ‘‘ଶୁଷ୍କ ବନ୍ଧ୍ୟଯଶ ଓ ଅର୍ଦ୍ଧାଶନ’କୁ ବରଣ କରିଥିବା ଆଜୀବନ ସାହିତ୍ୟବ୍ରତୀଙ୍କ ସଂଖ୍ୟା ଅତ୍ୟନ୍ତ ଊଣା ହୋଇଆସୁଛି । ଅଧିକାଂଶ ଅର୍ଦ୍ଧ-ସାଧକ, ସାମୟିକ ସାଧକ, ଅସାଧକ ବା ମନ୍ଦ କବି ଯଶପାର୍ଥୀ । ଫଳରେ ସାହିତ୍ୟର ଦୃଢ଼ ଓ ଦ୍ରୁତଗତି ବା ସମୃଦ୍ଧି ସାଧିତ ହୋଇପାରୁ ନାହିଁ । ମାତୃଭାଷା ପ୍ରତି ପ୍ରାଣପୂର୍ଣ୍ଣ ଅନୁରାଗ, ଆନୁଗତ୍ୟ ଓ ତ୍ୟାଗନିଷ୍ଠା ବିରଳତର ହୋଇ ଆସୁଥିବା ବେଳେ ବାଣୀମନ୍ଦିରରୁ ତପସ୍ୟାର ଆହ୍ୱାନ ଆସେ; ତରୁଣ ତରୁଣୀ ପ୍ରସନ୍ନ ପ୍ରୀତିରେ ତାହା ଗ୍ରହଣ କରିବେ କି ?

 

‘‘ଉଦୟଶ୍ରୀ’’, କଟକ-୧୨

***

 

ସୌନ୍ଦର୍ଯ୍ୟବୋଧ ଓ ବିଜ୍ଞାନ

ଶ୍ରୀ ଦେବକାନ୍ତ ମିଶ୍ର

ବୈଜ୍ଞାନିକ କ୍ରିୟାଶୀଳତା ସୌନ୍ଦର୍ଯ୍ୟବୋଧ-ନିର୍ଭରଶୀଳ ହୋଇ ନ ଥିବା ସମ୍ପର୍କରେ କବିମାନେ ଦୋଷାରୋପ କରନ୍ତି । ନିର୍ମଳ ଆକାଶର ଶୋଭା ବର୍ଦ୍ଧନ କରୁଥିବା କୌଣସି ନକ୍ଷତ୍ରକୁ ଅବଲୋକନ କଲାବେଳେ ବୈଜ୍ଞାନିକମାନେ ତାହାର ରୂପଲାବଣ୍ୟକୁ ଉପଭୋଗ କରିବା ପରିବର୍ତ୍ତେ ତାହାକୁ ଗଠନ କରିଥିବା ଗ୍ୟାସ ପରମାଣୁଗୁଡ଼ିକ ସମ୍ୱନ୍ଧରେ ଚିନ୍ତା କରନ୍ତି । ନକ୍ଷତ୍ରରାଜିର ସୌନ୍ଦର୍ଯ୍ୟରୁ ବିଜ୍ଞାନ ‘କେବଳ’ ଗ୍ୟାସୀୟ ପରମାଣୁଗୁଡ଼ିକର ସମାହାରରେ ଗଠିତ ବସ୍ତୁପିଣ୍ଡଗୁଡ଼ିକ ପୃଥକ କରିଦିଏ । ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ତଥା ସ୍ୱନାମଧନ୍ୟ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ରିଚାର୍ଡ଼ ଫାଇନ୍‌ମ୍ୟାନ କବିମାନଙ୍କର ଏଭଳି ସମାଲୋଚନାକୁ ପ୍ରତ୍ୟାଖ୍ୟାନ କରନ୍ତି । ତାଙ୍କ ମତାନୁଯାୟୀ ଉଲ୍ଲିଖିତ ପ୍ରକାରେ କବିମାନେ ଯେପରି ଭାବରେ ‘କେବଳ’ ଶବ୍ଦଟିକୁ ବ୍ୟବହାର କରନ୍ତି, ତାହା ନିରର୍ଥକ । ସେ ଜଣେ ବୈଜ୍ଞାନିକ ହୋଇଥିଲେ ମଧ୍ୟ ରାତ୍ରିର ନିର୍ମଳ ଆକାଶରେ ସୁଶୋଭିତ ନକ୍ଷତ୍ରମାଳାର ଦୃଶ୍ୟକୁ ଉପଭୋଗ କରନ୍ତି । ପ୍ରକୃତପ୍ରେମୀ କବିମାନଙ୍କ ଭଳି ଏହା ମଧ୍ୟ ତାଙ୍କ ମନରେ ପ୍ରଶାନ୍ତ ଭରିଦିଏ । ମାତ୍ର ସେ କବିମାନଙ୍କ ତୁଳନାରେ ବେଶି ଦେଖୁଛନ୍ତି କି କମ୍‌ ଦେଖୁଛନ୍ତି, ତା’ର ଗୁଣାତ୍ମକ ମାନ କ’ଣ ନିର୍ଣ୍ଣୟ କରିହେବ ? ପଦାର୍ଥ ବିଜ୍ଞାନର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଦି ଫାଇନ୍‌ମ୍ୟାନ ଲେକ୍‌ଚର୍‌ସ’ ଶୀର୍ଷକ ପାଠ୍ୟ ପୁସ୍ତକର ପାଦଟୀକାରେ ସେ ଲେଖିଛନ୍ତି ଯେ, *୧. ।। ମହାକାଶର ବ୍ୟାପ୍ତି ତାଙ୍କ କଳ୍ପନା ପ୍ରବଣତାକୁ ବିସ୍ତୃତ କରେ । ଏକ ନିୟୂତ ବର୍ଷ ପୂର୍ବରୂ ନକ୍ଷତ୍ରମାନଙ୍କଠାରୁ ଆସୁଥିବା ଆଲୋକରଶ୍ମିକୁ ସେ ନିଜ ଚକ୍ଷୁ ସାହାଯ୍ୟରେ ଦେଖି ପାରନ୍ତି । କୌଣସି କଳାପ୍ରେମୀ ପର୍ଯ୍ୟବେକ୍ଷକ ଅତୀତରେ କ’ଣ ନିଜ କଳ୍ପନାପ୍ରବଣତା ବିନିମୟରେ ଏପରି ସତ୍ୟର ସନ୍ଧାନ ଦେଇ ପାରିଛନ୍ତି ! ଆଧୁନିକ ଯୁଗର କବିମାନେ ଏପରି ଘଟଣା ଉଲ୍ଲେଖ କରୁନାହାନ୍ତି କାହିଁକି ?

 

*୧.

‘‘Poets say science takes away from the beauty of the stars ‘mere’ globs of gas atoms. Nothing is ‘mere’ ! I too can see the stars on a desert night and feel them. But do I see less or more ? The vastness of the heavens stretches my imagination-stuck on this carrousel, my little eye can catch one-million-year-old light.......For far more marvelous is the truth than any artist of the past imagined ! Why do the poets of the present not speak of it.’’

 

ବିଜ୍ଞାନ-ଜଗତରେ ଯୁଗାନ୍ତକାରୀ ତତ୍ତ୍ୱଗୁଡ଼ିକୁ ପ୍ରତିଷ୍ଠା କରି ମନୁଷ୍ୟର ଚେତନାରେ କ୍ରାନ୍ତିକାରୀ ଉତ୍ତରଣ ଘଟାଇଥିବା ବହୁ ବୈଜ୍ଞାନିକ ଫାଇନ୍‌ମ୍ୟାନ୍‌ଙ୍କ ଭଳି ଘୋଷଣା କରିଛନ୍ତି ଯେ, ବିଜ୍ଞାନ କେବେହେଲେ ପ୍ରକୃତିକୁ ତାହାର ଅପରୂପ ସୌନ୍ଦର୍ଯ୍ୟଠାରୁ ପୃଥକ କରେ ନାହିଁ । ବୈଜ୍ଞାନିକମାନେ ପ୍ରକୃତିର ଶୋଭା-ସମ୍ଭାରକୁ ବିଚାରକୁ ନେବା ପରିବର୍ତ୍ତେ କେବଳ କେତେକ ନୀରସ ଗାଣିତିକ ସମୀକରଣ ଜରିଆରେ ତାହାକୁ ଚିତ୍ରଣ କରିବାକୁ ପ୍ରୟାସୀ ହୁଅନ୍ତି ନାହିଁ । ବିଚିତ୍ରବର୍ଣ୍ଣା ପ୍ରକୃତର ବୈଚିତ୍ର୍ୟ, ଛନ୍ଦମୟତା, ନିୟମାନୁବର୍ତ୍ତିତା ଅନ୍ୟମାନଙ୍କ ଭଳି ବୈଜ୍ଞାନିକମାନଙ୍କ ମନରେ ରୋମାଞ୍ଚ ଓ ଭାବାବେଗ ସୃଷ୍ଟି କରେ । ‘ସୁନ୍ଦର ତୃପ୍ତିରେ ଅବସାଦ ନାହିଁ; ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’-ଏପରି ଭାବାବେଗ ହିଁ ବୈଜ୍ଞାନିକମାନଙ୍କୁ ଗବେଷଣା ଚଳାଇବାର ଉନ୍ମାଦନା ଯୋଗାଇଦିଏ । ଫାଇନ୍‌ମ୍ୟାନ୍‌ଙ୍କ ମତାନୁଯାୟୀ କୌଣସି ଏକ ପ୍ରାକୃତିକ ଦୃଶ୍ୟର ଅପୂର୍ବ ସୁଷମା କବି-ପ୍ରାଣକୁ ବା ବୈଜ୍ଞାନିକ-ପ୍ରାଣକୁ ବିଚଳିତ କରିଥିବା ଅବସ୍ଥାରେ ହାତ-ପାଆନ୍ତାରେ ଗୋଟିଏ ଅଲେଖା କାଗଜ ଫର୍ଦ୍ଦ ପାଇଯିବା କ୍ଷଣି ଉଭୟେ ତାହାର ସଦ୍‌ବ୍ୟବହାର କରନ୍ତି । ସଂପୃକ୍ତ ଦୃଶ୍ୟଟି କବିଙ୍କ ଭାବରାଜ୍ୟରେ ଯେଉଁ ପ୍ରକାର ଭାବନାର ସୂତ୍ରପାତ ଘଟାଏ, ତାହାକୁ ସେ ନିଜସ୍ୱ ଶୈଳୀରେ କବିତା ଆକାରରେ ରୂପ ଦିଅନ୍ତି ଏବଂ ସେହି ଦୃଶ୍ୟଟି ବୈଜ୍ଞାନିକଙ୍କ ମାନସପଟରେ ତାହାର କ୍ରିୟାଶୀଳତାର ରହସ୍ୟ ଭେଦ କରିବା ପାଇଁ ଯେଉଁ ପ୍ରକାର କୌତୂହଳ ମିଶ୍ରିତ ଭାବର ଜାଗରଣ ଘଟାଏ, ତାହାକୁ ସେ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନର ଭାଷାରେ ପ୍ରକାଶ କରନ୍ତି-

 

ଭାବାଭିବ୍ୟକ୍ତିର ଭଙ୍ଗୀ ଓ ବୌଦ୍ଧିକ ଅବଦାନର ଗୁଣାତ୍ମକ ରୂପ ଦୃଷ୍ଟିରୁ କଳା ଓ ବିଜ୍ଞାନ ପରସ୍ପରଠାରୁ ଭିନ୍ନ ଜଣା ପଡ଼ୁଥିଲେ ମଧ୍ୟ ଉଭୟବିଧ ସୃଷ୍ଟିଶୀଳ ପ୍ରକ୍ରିୟା ମଧ୍ୟରେ କୌଣସି ନିବିଡ଼ ସମ୍ପର୍କ ଅଛି କି ? ଏପରି ସମ୍ପର୍କର ସ୍ଥାୟିତ୍ୱ ସମ୍ୱନ୍ଧରେ ଆମେ ନିଶ୍ଚିତଭାବରେ କେତେକ ଚାକ୍ଷଷ ପ୍ରମାଣ ପାଉଛୁ । ବିଶେଷ ଚିନ୍ତା ନକରି ମଧ୍ୟ ଆମେ ଜାଣି ପାରୁଛୁ ଯେ, କେତେକ ସୃଷ୍ଟିଶୀଳ ପ୍ରତିଭା-ସମ୍ପନ୍ନ ବ୍ୟକ୍ତି, ଉଭୟ କଳା ଓ ବିଜ୍ଞାନ ପ୍ରତି ଆକୃଷ୍ଟ ହୋଇଛନ୍ତି । ଚଳିତ ଶତାବ୍ଦୀର ଅନ୍ୟତମ ଯୁଗସ୍ରଷ୍ଟା ବୈଜ୍ଞାନିକ ଆଇନଷ୍ଟାଇନ ଭାଓଲିନ୍‌ ବଜାଉଥିବାର ଘଟଣା ସର୍ବଜନବିଦିତ । ଠିକ୍‌ ସେହିପରି ଲିଓନାଡ଼ୋ ଦା ଭିନ୍‌ସି ଏକାଧାରରେ ଉଚ୍ଚକୋଟୀର ଉଦ୍ଭାବକ ତଥା କଳାକାର ଭାବରେ ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଦ୍ୱାରା ଲିଖିତ ଡାଇରୀଗୁଡ଼ିକରେ ଉଭୟବିଧ ସୃଷ୍ଟିଶୀଳତାର ପରିପ୍ରକାଶ ଆମ୍ଭମାନଙ୍କୁ ମୁଗ୍‌ଧ କରୁଛି । ପରିହାସ ଛଳରେ କୁହାଯାଏ ଯେ ଚାରିଜଣ ଗଣିତଜ୍ଞଙ୍କୁ ଗୋଟିଏ ଘର ଭିତରେ ବସାଇ ଦେଲେ ସେମାନେ ଚାରିଟି ତାର ନିର୍ମିତ ଯନ୍ତ୍ର (String quartet) ସାହାଯ୍ୟରେ କୌଣସି ସଙ୍ଗୀତରଚନା କରିପାରିବେ (ଫାଇନ୍‌ମ୍ୟାନ୍‌ କୌତୂହଳ ପ୍ରକାଶ କରନ୍ତି ଯେ କୌଣସି ସାଂସ୍କୃତିକ ସମାରୋହରେ ସେ ବଙ୍ଗୋ ଡ୍ରମ୍‌ ବଜାଉଥିବା ବେଳେ ପରିଚୟ ପ୍ରଦାନ କରୁଥିବା ବ୍ୟକ୍ତି ଘୋଷଣା କରନ୍ତି, ‘‘ରିଚାର୍ଡ଼ ଫାଇନ୍‌ମ୍ୟାନ୍‌ ବଙ୍ଗୋଡ୍ରମ୍‌ ବଜାଉଛନ୍ତି ।’’ ଏପରି କ୍ଷେତ୍ରରେ ପରିଚୟ ପ୍ରଦାନ କରୁଥିବା ବ୍ୟକ୍ତି ଦର୍ଶକଙ୍କ ନିକଟରେ ତାଙ୍କୁ ଜଣେ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ଭାବରେ ପରିଚିତ କରାନ୍ତି ନାହିଁ । ଅଥଚ, ଅନ୍ୟ କ୍ଷେତ୍ରରେ ତାଙ୍କୁ ତାତ୍ତ୍ୱିକ ପଦାର୍ଥବିଜ୍ଞାନୀ ଭାବରେ ପରିଚିତ କରାଯାଉଥିବା ବେଳେ କୁହାଯାଏ ଯେ ସେ ମଧ୍ୟ ଖୁବ୍‌ ଭଲ ଭାବରେ ବଙ୍ଗୋଡ୍ରମ ବଜାଇ ପାରନ୍ତି; ଏହା ଯେପରି ଏକ ବ୍ୟତିକ୍ରମ !)

 

ଉଭୟ କଳା ଓ ବିଜ୍ଞାନର ଉତ୍ସ ଏକାଭଳି । ଗୋଟିଏ ବୃକ୍ଷ କବିଙ୍କୁ କବିତା ରଚନା କରିବାପାଇଁ ସ୍ୱୀୟ କଳ୍ପନା ପ୍ରବଣତାର ସଦୁପଯୋଗ କରିବାକୁ ଯେପରି ଭାବରେ ଉଦ୍‌ବୁଦ୍ଧ କରିପାରେ, ଜନୈକ ଉଦ୍ଭିଦ ବିଜ୍ଞାନୀଙ୍କୁ ମଧ୍ୟ ତାହା ଗବେଷଣା ଚଳାଇବାକୁ ସେହିପରି ଉପାଦାନ ଯୋଗାଇପାରେ । ଜନନୀ ଓ ସନ୍ତାନମାନଙ୍କ ମଧ୍ୟରେ ସମ୍ପର୍କ, ବିଭିନ୍ନ ସ୍ଫଟିକୀୟ ବସ୍ତୁପିଣ୍ଡଗୁଡ଼ିକର ସମମିତିକ (Symmetrical) ଗଠନ, ଆଲୋକ ଓ ରଙ୍ଗବେରଙ୍ଗ ଦୃଶ୍ୟଗୁଡ଼ିକର ପ୍ରଭାବ, ମନୁଷ୍ୟର ଅବୟବ ପ୍ରଭୃତି ଦୃଶ୍ୟ ବା ଘଟଣାଗୁଡ଼ିକ କବି, ଚିତ୍ରକର ମନସ୍ତତ୍ତ୍ୱବିତ୍‌, ଶିଳ୍ପୀ, ଚିକିତ୍ସା ବିଜ୍ଞାନୀ, ପଦାର୍ଥ ବିଜ୍ଞାନୀ ଓ ରସାୟନବିତ୍‌ମାନଙ୍କୁ ଚିନ୍ତା କରିବାର ଉପାଦାନ ଯୋଗାଇ ଦିଏ । ବ୍ରହ୍ମାଣ୍ଡୋତ୍ପତ୍ତି, ମୃତ୍ୟୁର ରହସ୍ୟ ଭେଦ, ସଜୀବ ଓ ନିର୍ଜୀବ ବସ୍ତୁଗୁଡ଼ିକର କ୍ରିୟାଶୀଳତା ପରିପ୍ରେକ୍ଷୀରେ ପ୍ରାଣ ବା ଜୀବନର ଉତ୍ସ ପ୍ରଭୃତି ଜଟିଳ ସମସ୍ୟାଗୁଡ଼ିକ ସମ୍ୱନ୍ଧରେ ସ୍ପଷ୍ଟୀକରଣ ପାଇବା ପାଇଁ ପଦାର୍ଥ ବିଜ୍ଞାନୀ, ଦାର୍ଶନିକ ଓ କବିମାନେ ନିଜ ନିଜ ଚିନ୍ତା-ଶକ୍ତି ଓ କଳ୍ପନା ପ୍ରବଣତାର ସଦୁପଯୋଗ କରିବାକୁ ସ୍ୱତଃପ୍ରବୃତ୍ତ ଭାବରେ ଆଗ୍ରହୀ ହୁଅନ୍ତି ।

ଏକାଭଳି ଉପାଦାନ ଉଭୟ କଳା ଓ ବିଜ୍ଞାନ କ୍ଷେତ୍ରରେ ସୃଷ୍ଟିଶୀଳତାର ଉତ୍ସ ହୋଇଥିଲେ ମଧ୍ୟ ଉଭୟର ପରିପ୍ରକାଶ ଭଙ୍ଗୀ ଭିନ୍ନ ରୂପ ଧାରଣ କରେ । ଗୋଟିଏ ଦୃଶ୍ୟ ଜଣେ କବିଙ୍କୁ ନିଜ ସୃଷ୍ଟିଶୀଳତାର ଉପଯୋଗ ଘଟାଇ ଭାବାଭିବ୍ୟକ୍ତି ପାଇଁ ଯେଉଁ ପ୍ରକାର ପଦ୍ଧତିର ଅନୁଗାମୀ କରାଏ, ବୈଜ୍ଞାନିକମାନେ ସେପରି ପନ୍ଥା ଅନୁସରଣ କରନ୍ତି ନାହିଁ । ଅନୁଭବ ବଳରେ ବୈଜ୍ଞାନିକମାନେ ପ୍ରକୃତିକୁ ବୁଝିବାକୁ ଚେଷ୍ଟା କରନ୍ତି; ମାତ୍ର ବୈଜ୍ଞାନିକମାନେ ଏଥିପାଇଁ ତର୍କସଂଗତ ବିଚାରବୋଧ ଉପରେ ନିର୍ଭର କରନ୍ତି । କଳାତ୍ମକ କୃତି ବିଦଗ୍‌ଧ ମନୁଷ୍ୟର ମାନସପଟରେ ଭାବାବେଗ ସୃଷ୍ଟି କରେ; ମାତ୍ର କୌଣସି ବୈଜ୍ଞାନିକ ଆବିଷ୍କାର ବା ଉଦ୍ଭାବନ ଗୋଟିଏ ଦୃଶ୍ୟ ବା ଘଟଣା ସମ୍ପକରେ ମନୁଷ୍ୟକୁ ବସ୍ତୁନିଷ୍ଠ ଜ୍ଞାନ ଯୋଗାଇ ଦିଏ । କଳାକାରମାନେ ପ୍ରକୃତିର ଯତ୍ନ ନେଉଥିବା ପରି ଜଣାପଡ଼ନ୍ତି, ମାତ୍ର ବୈଜ୍ଞାନିକମାନେ ପ୍ରକୃତି ସମ୍ପର୍କରେ ବସ୍ତୁନିଷ୍ଠ ଦୃଷ୍ଟିରୁ ଚିନ୍ତା କରନ୍ତି । ଜନମାନସରେ କଳା ଓ ବିଜ୍ଞାନ ସମ୍ୱନ୍ଧରେ ତୁଳନାତ୍ମକ ଦୃଷ୍ଟିରୁ ଏପରି ଯେଉଁ ଧାରଣା ବଳବତ୍ତର ହୋଇଛି, ତାହାକୁ ଉପଲକ୍ଷ୍ୟ କରି ପ୍ରବୀଣ ବୈଜ୍ଞାନିକ ତଥା ସିଦ୍ଧହସ୍ତ ଲେଖକ କେ. ସି. କୋଲ୍‌ ‘ଦି ସାଇଣ୍ଟିଫିକ୍‌ ଆସ୍‌ଥେଟିକ୍‌’ ଶୀର୍ଷକ ଏକ ଭାବୋଦ୍ଦୀପକ ପ୍ରବନ୍ଧରେ ଲେଖିଛନ୍ତି, *୨.‘‘Artists approach nature with feeling; Scientists rely on logic. Art elecits emotion; Science makes sense. Artists are supposed to care : Scientists are supposed to think.’’

 

*୨.

K. C. Colw; The Scientific Aesthetic, Discover, December 1983,

 

ବିଜ୍ଞାନକୁ କେନ୍ଦ୍ରକରି ଜନମାନସରେ ଯେଉଁ ବିଭ୍ରାନ୍ତକାରୀ ଧାରଣା ସୃଷ୍ଟି କରାଯାଉଛି, ତାହା ବହୁ ସୃଷ୍ଟିଶୀଳ ପ୍ରତିଭାସଂପନ୍ନ ବୈଜ୍ଞାନିକଙ୍କୁ ବିଚଳିତ କରିଛି । ସେମାନେ ଜାଣି ପାରୁଛନ୍ତି ଯେ ସୃଷ୍ଟିଶୀଳ ପ୍ରତିଭା ବିନିମୟରେ ବୈଜ୍ଞାନିକ ଗବେଷଣା ଚଳାଇବାକୁ ଅପାରଗ ହୋଇଥିବା ବୁଦ୍ଧିଜୀବୀମାନେ କେବଳ ଅନ୍ତଃସାରଶୂନ୍ୟ ବାହ୍ୟ ଚାକଚକ୍ୟକୁ ଆଶ୍ରୟ କରି ବିଜ୍ଞାନର ସୃଷ୍ଟି ଓ ବିକାଶ ସମ୍ୱନ୍ଧରେ ବିଭ୍ରାନ୍ତକାରୀ ମତବ୍ୟକ୍ତି କରୁଛନ୍ତି । ଏପରି ମତକୁ ଖଣ୍ଡନ କରିବା ସଙ୍ଗେ ସଙ୍ଗେ ବିଜ୍ଞାନ ସମ୍ୱନ୍ଧରେ ପ୍ରତ୍ୟକ୍ଷ ଅଭିଜ୍ଞତାଭିତ୍ତିକ ସ୍ପଷ୍ଟୀକରଣ ଯୋଗାଇ ଦେବାପାଇଁ ଆଧୁନିକ ଯୁଗର ମୁଷ୍ଟିମେୟ ପ୍ରବୀଣ ବୈଜ୍ଞାନିକ ଲେଖନୀ ଚାଳନା କଲେଣି । କର୍ମ-ପଦ୍ଧତି ଭିତ୍ତିକଉଲ୍ଲିଖିତ ତୁଳନାତ୍ମକ ବିଚାରକୁ ବିରୋଧ କରିବା ଉଦ୍ଦେଶ୍ୟରେ ଜନୈକ ପ୍ରବୀଣ ପଦାର୍ଥ ବିଜ୍ଞାନୀ ସୂଚାଇଛନ୍ତି ଯେ *୩. ଜନସାଧାରଣଙ୍କୁ ବିଜ୍ଞାନ ସମ୍ୱନ୍ଧରେ ଅଦ୍ଭୂତ ଧାରଣା ଯୋଗାଇ ଦିଆଯାଉଛି । ସେମାନଙ୍କୁ ବୁଝାଇ ଦିଆଯାଉଛି ଯେ ବୈଜ୍ଞାନିକ ଗବେଷଣାରେ କୃତକାର୍ଯ୍ୟ ହେବାପାଇଁ ଏକ ନିର୍ଦ୍ଦିଷ୍ଟ ଶୃଙ୍ଖଳାକୁ ମାନିନେବା ଅପରିହାର୍ଯ୍ୟ । ସତ୍ୟର ଆବିଷ୍କାର ପାଇଁ ପ୍ରକୃତି ପ୍ରତି ବ୍ୟକ୍ତିନିଷ୍ଠ (subjective) ଦୃଷ୍ଟିଭଙ୍ଗୀ ପ୍ରୟୋଗ କରାଯିବା ପରିବର୍ତ୍ତେ ବସ୍ତୁନିଷ୍ଠ ଦୃଷ୍ଟିକୋଣରୁ ଗବେଷଣା ପରିଚାଳନା କରାଯିବାର ବିଧିବଦ୍ଧତା ସମ୍ପକରେ ଶିକ୍ଷା ପ୍ରଦାନ କରାଯାଉଛି । ମାତ୍ର ଆବିଷ୍କର୍ତ୍ତା ବା ଉଦ୍ଭାବକ ଏପରି ବସ୍ତୁନିଷ୍ଠ ବ୍ୟବହାର ପ୍ରଦର୍ଶନ କରିବାର ଅବକାଶ କାହିଁ ? କୌଣସି ଏକ ଦୃଶ୍ୟ ବା ଘଟଣା ଜଣେ ଭାବୁକଙ୍କଠାରେ କୌଣସି ଅଭିନବ ଚେତନାର ଉନ୍ମେଷ ଘଟାଇ ନ ପାରିଲେ, ଅର୍ଥାତ୍‌ ସେ ସଂପୃକ୍ତ ଦୃଶ୍ୟ ବା ଘଟଣାରେ କୌଣସି ନୂତନତ୍ୱ ବାରି ନ ପାରିଲେ, ତତ୍‌ସଂପର୍କୀୟ କୌଣସି ଗବେଷଣା ଚଳାଇବା ପାଇଁ କାହିଁକି ବା କୌତୁହଳୀ ହେବେ ?

 

*୩.

‘‘What a strange misconception has been taught to people ! They have been taught that one cannot be disciplined enough to discover the truth unless one is indifferent to it. Actually, there is no point in looking for the truth unless what it is makes a difference.’’

-DISCOVER, December 1983 (P 54)

 

ବିଜ୍ଞାନର ଇତିହାସରୁ ଏହି ପଦାର୍ଥବିଜ୍ଞାନୀଙ୍କ ଦ୍ୱାରା ପରିବେଷିତ ଉଲ୍ଲିଖିତ ବିବୃତିର ସତ୍ୟତା ପ୍ରତିପାଦନ କରିବା ଭଳି ପ୍ରଭୂତ ପ୍ରମାଣ ମିଳୁଛି । ଗାଲାପାଗୋସ ଦ୍ୱୀପପୁଞ୍ଜଠାରେ ନିଜେ ବହୁ କଷ୍ଟ ସ୍ୱୀକାର କରି ଅତି ଯତ୍ନରେ ସଂଗ୍ରହ କରିଥିବା ଜୀବଜନ୍ତୁମାନଙ୍କୁ ବିଚାରକୁ ନେଇ ଶେଷକୁ ଚାର୍ଲସ ଦାରଉଇନ ଜୈବିକ ବିବର୍ତ୍ତନ ସମ୍ପର୍କରେ ଏକ ଯୁଗାନ୍ତକାରୀ ତତ୍ତ୍ୱ ପ୍ରତିଷ୍ଠା କଲେ । ଏହି ଚମକପ୍ରଦ ତଥା ଐତିହାସିକ ଆବିଷ୍କାର ପାଇଁ ସେ ପ୍ରକୃତିକୁ ବସ୍ତୁନିଷ୍ଠ ଦୃଷ୍ଟିକୋଣରୁ ବିଚାର କରି ନଥିଲେ । ପ୍ରକୃତି ଉପାସନାରୂପୀ ନିଜର ଚାରିତ୍ରିକ ବୈଶିଷ୍ଟ୍ୟ ହିଁ ତାଙ୍କୁ ଏପରି ବ୍ୟାପାରରେ ସ୍ୱତଃପ୍ରବୃତ୍ତ ଭାବରେ ଆତ୍ମନିୟୋଗ କରିବାପାଇଁ ପ୍ରେରଣା ଯୋଗାଇଥିଲା । ନିଜର ମନୋଭାବ ତଥା ସୃଷ୍ଟିଶୀଳ କ୍ରିୟାଶୀଳତା ସମ୍ପର୍କରେ ସେ ନିଜେ ଉଲ୍ଲେଖ କରିଛନ୍ତି ଯେ ଜଣେ ଜୁଆ ଖେଳାଳୀ ଭଳି ପ୍ରକୃତିଲବ୍‌ଧ ତଥ୍ୟରାଜିକୁ ଅଭିକ୍ରିୟାତ୍ମକ ଗବେଷଣାର ଉପାଦାନ ରୂପେ ଗ୍ରହଣ କରିବାକୁ ସେ ସୁଖପ୍ରଦ ମଣୁଥିଲେ । ଏପରି କର୍ମପ୍ରବଣତା କୌଣସି ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ ହୋଇ ନଥିଲା । ସ୍ୱକୀୟ ଯୁଗାନ୍ତକାରୀ ଆବିଷ୍କାର ସମ୍ୱନ୍ଧରେ ମତବ୍ୟକ୍ତ କରିବା ଉପଲକ୍ଷେ ସେ ବିନମ୍ରତା ସହକାରେ ସୂଚାଇଛନ୍ତି ଯେ *୪. ଏକ ପ୍ରବୃତ୍ତିଗତ ଆବେଗ ହିଁ ତାଙ୍କୁ ବିଶୃଙ୍ଖଳ ପ୍ରାମାଣିକ ତଥ୍ୟରାଜି ମଧ୍ୟରେ ଏକ ବିଚିତ୍ର ଶୃଙ୍ଖଳାର ଅବସ୍ଥିତି ସମ୍ପର୍କରେ ସଚେତନ କରାଇଥିଲା । ଈଶ୍ୱରଙ୍କ ଆଶୀର୍ବାଦ ବଳରେ ସେ ପ୍ରବୃତ୍ତିଗତ ଅବବୋଧକୁ ଏକ ତତ୍ତ୍ୱ ଆକାରରେ ପ୍ରକାଶ କରିବାକୁ ସମର୍ଥ ହୋଇଛନ୍ତି ବୋଲି ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସ୍ପଷ୍ଟ ଭାବରେ ଜଣାଇଛନ୍ତି ଯେ ନିଜ ନିଷ୍ପତ୍ତି ସମ୍ୱନ୍ଧରେ କ୍ୱଚିତ୍‌ କ୍ଷେତ୍ରରେ ସେ ଯୁକ୍ତିଯୁକ୍ତ କାରଣ ଉପସ୍ଥାପନା କରି ପାରିଛନ୍ତି । ବରଂ ସେ ସୂଚାଇଛନ୍ତି ଯେ ପ୍ରକୃତି ଉଚ୍ଛୃଙ୍ଖଳ ଓ ଦୁର୍ଦ୍ଦମ । ତାଙ୍କ ମତାନୁଯାୟୀ ବା କୌଣସି ବ୍ୟକ୍ତିବିଶେଷଙ୍କ ଇଚ୍ଛା ଅନୁଯାୟୀ ପ୍ରକୃତି କେବେହେଲେ କ୍ରିୟାଶୀଳ ହେଉନାହିଁ । ଏପରି ଚିନ୍ତନର ବଶବର୍ତ୍ତୀ ହୋଇ ଦାର୍‌ ଉଇନ ନିଜ ବାଲ୍ୟକାଳର ସୁଖଦ ସ୍ମୃତିକୁ ମନେ ପକାଇଛନ୍ତି । ସ୍ୱାଭାବିକ ଆନନ୍ଦ ଉପଭୋଗ କରିବାପାଇଁ ସମୁଦ୍ରବେଳାରୁ ଶାମୁକା ସଂଗ୍ରହକୁ ସେ କୌଣସି ନୂଆ ଜିନିଷ ପାଇବାର ଇଚ୍ଛାକୃତ କର୍ମତତ୍ପରତାଠାରୁ ଅଧିକ ଆନନ୍ଦପ୍ରଦାୟକ ବୋଲି ବିଚାରିଛନ୍ତି ।

 

*୪.

‘‘I am like a gambler and love a wild experiment. I am horribly afraid. I trust to a sort of instinct and God knows can seldom give any reason for my remarks. All nature is perverse and will not do as I wish it. I wish I had my old barnacles to work at, and nothing new.’’

 

ଆପେକ୍ଷିକ ତତ୍ତ୍ୱ ଓ କ୍ୱାଣ୍ଟମ୍‌ ତତ୍ତ୍ୱ ଚଳିତ ଶତାବ୍ଦୀର ଦୁଇଟି ଯୁଗାନ୍ତକାରୀ ମହନୀୟ ଆବିଷ୍କାର । ଆଇନଷ୍ଟାଇନ ଆପେକ୍ଷିକ ତତ୍ତ୍ୱର ସୃଷ୍ଟିକର୍ତ୍ତା । ମାତ୍ର କ୍ୱାଣ୍ଟମ୍‌-ତତ୍ତ୍ୱର ଭିତ୍ତି ପ୍ରସ୍ତରକୁ ସୁଦୃଢ଼ କରିବା ପାଇଁ ପ୍ଳାଙ୍କ୍‌, ଆଇନଷ୍ଟାଇନ, ବୋହର, ସ୍କ୍ରୋଡ଼ିଞ୍ଜର, ହାଇଜେନବର୍ଗ, ଡରାକ୍‌ ବର୍ନ ଓ ପାଉଲି ପ୍ରମୁଖ ବହୁ ବୈଜ୍ଞାନିକ ମହନୀୟ ଅବଦାନ ଯୋଗାଇଛନ୍ତି । କ୍ୱାଣ୍ଟମ୍‌-ତତ୍ତ୍ୱର ଆଦ୍ୟ ବିକାଶ ପର୍ବରେ, ଅର୍ଥାତ୍‌ ୧୯୦୫ ମସିହାରେ ଆଇନଷ୍ଟାଇନ ପ୍ରଶଂସନୀୟ ଭୂମିକା ଗ୍ରହଣ କରିଥିଲେ । ପରବର୍ତ୍ତୀ କାଳରେ ଏହି ତତ୍ତ୍ୱକୁ ଯେପରି ସମୁନ୍ନତ କରାଗଲା ଏବଂ ଏହାର ପ୍ରୟୋଗିକ ଆଭିମୁଖ୍ୟକୁ ଯେପରି ଭାବରେ ବଦଳାଇ ଦିଆଗଲା, ତାହା ସହିତ ସେ ଏକମତ ହୋଇ ପାରିଲେ ନାହିଁ । ‘କାରଣ ଓ ପରିଣତି’ (cause and effect) ହିଁ ନିଉଟନଙ୍କ ଅମଳ ଠାରୁ ବିଜ୍ଞାନର ଦାର୍ଶନିକ ପୃଷ୍ଠଭୂମି ରୂପେ ବିବେଚିତ ହେଉଥିଲା । ଏପରି ନିର୍ଣ୍ଣୟାତ୍ମକ ଦର୍ଶନ (deterministic philosophy)କୁ କ୍ୱାଣ୍ଟମ୍‌ ପଦାର୍ଥବିଜ୍ଞାନୀମାନେ ଅସ୍ୱୀକାର କଲେ । ବୋହର, ହାଇଜେନବର୍ଗ, ଡିରାକ, ବର୍ନ ଓ ପାଉଲି ପ୍ରମୁଖ ବୈଜ୍ଞାନିକମାନଙ୍କ ଅସାମାନ୍ୟ କୃତିତ୍ୱ ବଳରେ ଜଣାଗଲା ଯେ ପ୍ରାକୃତିକ କ୍ରିୟାଶୀଳତା ଚାନ୍‌ସ ନିର୍ଭରଶୀଳ ହୋଇଛି । କୌଣସି ଏକ ଦୃଶ୍ୟ ସମ୍ପର୍କରେ ମନୁଷ୍ୟ ଚରମ ସତ୍ୟର ସନ୍ଧାନ ପାଇବା ସମ୍ଭବ ନୁହେ । ପ୍ରାକୃତିକ କ୍ରିୟାଶୀଳତା ଏପରି ବିଚିତ୍ର ମାର୍ଗରେ ସଂଘଟିତ ହେଉଛି ଯେ ପ୍ରକୃତିର ଅଙ୍ଗୀଭୂତ ହୋଇଥିବା ମନୁଷ୍ୟ କେବଳ ତାହାର କ୍ରିୟାଶୀଳତା ସମ୍ପର୍କରେ ସମ୍ଭାବ୍ୟ (probable truth) ସନ୍ଧାନ ପାଇବା ଭଳି ସୀମିତ ଯୋଗ୍ୟତାର ଅଧିକାରୀ ହୋଇଛି । ଆଇନଷ୍ଟାଇନ ‘କାରଣ ଓ ପରିଣତି’ ଆଧାରିତ ଦର୍ଶନକୁ ପ୍ରତ୍ୟାଖ୍ୟାନ କରି ପାରିଲେ ନାହିଁ । ସେ ଜଣାଇ ଦେଲେ ଯେ, ଅନ୍ୟ ପଦାର୍ଥବିଜ୍ଞାନୀମାନେ ପ୍ରାକୃତିକ କ୍ରିୟାଶୀଳତା ସମ୍ୱନ୍ଧରେ ଯଦି ଏପରି ବିକୃତ ଚିତ୍ରଅଙ୍କନ କରିବାରେ ବ୍ରତୀ ହୁଅନ୍ତି ଏବଂ ଏହାକୁ ବିଜ୍ଞାନର ଦର୍ଶନ ରୂପେ ଗ୍ରହଣ କରାଯାଏ, ତାହାହେଲେ ସେ ପଦାର୍ଥବିଜ୍ଞାନୀ ଭାବରେ ଜୀବନଯାପନ କରିବା ଅପେକ୍ଷା ଜଣେ ମୋଚି ଭାବରେ ଜୀବନ ବିତାଇବାକୁ ସୁଖପ୍ରଦ ମଣିବେ । ନିଜ ମର୍ମ ବେଦନାକୁ ବ୍ୟକ୍ତ କରିବାପାଇଁ ସେ ଆହୁରି ମଧ୍ୟ କହିଥିଲେ ଯେ ଏପରି ଦର୍ଶନକୁ କର୍ମଭିମୁଖୀ ରୂପେ ଆଦରି ନେଇ ବୈଜ୍ଞାନିକ ଗବେଷଣା ଚଳାଇବା ଅପେକ୍ଷା ଗୋଟିଏ କାସିନୋରେ ଜୁଆ ଖେଳିବା ହିଁ ଶ୍ରେୟସ୍କର । ଆଇନଷ୍ଟାଇନଙ୍କ ମୁଖ ନିଃସୃତ ଏପରି ମନ୍ତବ୍ୟ ବୋହରଙ୍କୁ ବିବ୍ରତ କରିଥିଲା । କେବଳ ସ୍କ୍ରୋଡ଼ିଞ୍ଜରଙ୍କ ଭଳି ଜଣେ ସମସାୟିକ ତୁଙ୍ଗ ଚିନ୍ତାନାୟକଙ୍କୁ ବାଦ୍‌ ଦେଲେ ଅନ୍ୟ ପ୍ରବୀଣ ପଦାର୍ଥବିଜ୍ଞାନୀମାନେ ବୋହରଙ୍କ ନେତୃତ୍ୱରେ ଆଇନଷ୍ଟାଇନଙ୍କ ମନ୍ତବ୍ୟକୁ ନିର୍ମମ ଭାବରେ ସମାଲୋଚନା କରିଥିଲେ । ବସ୍ତୁ-କଣିକାଗୁଡ଼ିକ କ୍ୱାଣ୍ଟମ୍‌-କୁଦା (Quantum gump) ମାରି ନିଜ ନିଜ ସ୍ଥାନ ବଦଳାଉଥିବା ତଥା ଶକ୍ତିର ଉଦ୍‌ଗୀରଣ ବା ଅବଶୋଷଣ ଘଟାଉଥିବା ସମ୍ପର୍କରେ କ୍ୱାଣ୍ଟମ୍‌ ଯାନ୍ତ୍ରିକୀ ଅବଲମ୍ୱନରେ ଯେଉଁ ଧାରଣା ସୃଷ୍ଟି ହେଲା, ତାହା ତରଙ୍ଗ-ଯାନ୍ତ୍ରିକାର (wave mechanics) ପ୍ରତିଷ୍ଠାତା ସ୍କ୍ରୋଡ଼ିଞ୍ଜରଙ୍କର ଗ୍ରହଣଯୋଗ୍ୟ ହେଲା ନାହିଁ । ଏହାକୁ ନାପସନ୍ଦ କରିବା ଅବସରରେ ସେ ଭାବ ବିହ୍ୱଳ ହୋଇ କହିଥିଲେ ଯେ କ୍ୱାଣ୍ଟମ୍‌-ପଦାର୍ଥବିଜ୍ଞାନ ଯେପରି ରୂପ ଧାରଣ କଲାଣି, ତାହା ସହିତ ପୂର୍ବରୁ ଜଡ଼ିତ ହୋଇଥିବା ଯୋଗୁ ସେ ବର୍ତ୍ତମାନ ଅନୁତାପ କରୁଛନ୍ତି । *୫. ଆଇନଷ୍ଟାଇନ ମହାନୁଭବତା ବଳରେ ପ୍ରକୃତିକୁ ଏକ ବିରାଟ, ଚିରନ୍ତନ ପ୍ରହେଳିକା’ (great, eternal riddle) ରୂପେ ବିଚାର କରୁଥିଲେ ଏବଂ ସେ ଅନୁଭବ କରିଥିଲେ ଯେ ଆତ୍ମାର ପରିତ୍ରାଣ ପାଇଁ, ଜାଗତିକ ବନ୍ଧନରୁ ମୁକ୍ତ ହେବା ପାଇଁ ପ୍ରକୃତି ଆମ୍ଭମାନଙ୍କୁ ଇଙ୍ଗିତ ଦେଉଛି । (‘‘beckoned like a liberation’’) ସୁପ୍ରସିଦ୍ଧ ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ପ୍ରଫେସର ଜର୍ଜ୍‌ ସାର୍ଟନ ‘ହିଷ୍ଟ୍ରୀ ଅଫ ସାଇନ୍‌ସ’ (‘ବିଜ୍ଞାନର ଇତିହାସ’) ଶୀର୍ଷକ ତଥ୍ୟଗର୍ଭକ ଓ ଭାବୋଦ୍ଦୀପକ ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି ଯେ, ଉଭୟ କଳା ଓ ଜ୍ୟାମିତି ଶୋଣିତ ଓ ଲହୁର ସ୍ୱାକ୍ଷର ବହନ କରିଛି । *୬. ।।

 

*୫.

‘‘If one has to stick to this damned quantum jumping, then I regret having ever been involved in this thing.’’

*୬.

‘‘There are blood and tears in geometry as well as in art.’’

 

ବୈଜ୍ଞାନିକମାନେ ସେମାନଙ୍କ ଗବେଷଣା ସଂକ୍ରାନ୍ତୀୟ କାର୍ଯ୍ୟଗୁଡ଼ିକୁ ଆବେଗପ୍ରବଣତା ବିନିମୟରେ ସମ୍ପାଦନ କରୁଥିବା ଭଳି ଏକ ଧାରଣାକୁ ଅଧିକାଂଶ ବ୍ୟକ୍ତି ପ୍ରବୃତ୍ତିଗତ ବିଚାର ବଳରେ ପ୍ରତ୍ୟାଖ୍ୟାନ କରନ୍ତି । ନିଜ ସୃଷ୍ଟିଶୀଳତାକୁ କଡ଼ା ନିୟନ୍ତ୍ରଣ ବଳରେ ସୁସଂଯତ ମାର୍ଗରେ ପ୍ରକାଶ କରି ନ ପାରିଲେ ଯେପରି ଜଣେ ଭଲ କବି ଭାବରେ ପ୍ରତିଷ୍ଠା ଅର୍ଜନ କରି ପାରନ୍ତି ନାହିଁ, ଠିକ୍‌ ସେହିପରି ଜଣେ ବୈଜ୍ଞାନିକ କେବଳ ବୈଜ୍ଞାନିକ ପଦ୍ଧତି ପ୍ରତି ଏକାନ୍ତ ଆନୁଗତ୍ୟ ପ୍ରଦର୍ଶନ କରିବା ଦ୍ୱାରା ବୈଜ୍ଞାନିକ ଗବେଷଣା କ୍ଷେତ୍ରରେ ଅସାମାନ୍ୟ କୃତିତ୍ୱ ପ୍ରଦର୍ଶନ କରିବାକୁ ସମର୍ଥ ହୁଅନ୍ତି ନାହିଁ । ରୈଖିକ ଚିନ୍ତନ ପ୍ରକ୍ରିୟାକୁ ଅଗ୍ରଗାମୀ କରାଇବା ପାଇଁ ନିଗମନୀୟ (seductive) ପଦ୍ଧତିର ଆଶ୍ରୟ ନିଆଯାଏ । ଏତଦ୍ଦ୍ୱାରା ଗୋଟିଏ ସମସ୍ୟାର ସମାଧାନ ପାଇଁ ଉଦ୍ଦିଷ୍ଟ ରୈଖିକ ଚିନ୍ତନର ବିଭିନ୍ନ ସୋପାନକୁ ଗୋଟିକ ପରେ ଗୋଟିଏ କ୍ରମରେ ଅତିକ୍ରମ କରିବା ସମ୍ଭବ ହୁଏ । ମାତ୍ର ଅଭିନବ ଧାରଣା ବା ସିଦ୍ଧାନ୍ତର ସୂତ୍ରପାତ ଘଟାଇବା ପାଇଁ କେବଳ ରୈଖିକ ଚିନ୍ତନ ତଥା ନିଗମନୀୟ ପଦ୍ଧତିର ଅନୁଗାମୀ ହେବା ଦ୍ୱାରା ଅନେକ କ୍ଷେତ୍ରରେ ଗବେଷକ ଅନ୍ଧଗଳିର ଉପକଣ୍ଠରେ ପଦାର୍ପଣ କରନ୍ତି । ଏହା ପରେ ତାଙ୍କୁ ବୁଦ୍ଧି ବାଟ ଦିଶେ ନାହିଁ । ଫାଇନ୍‌ମ୍ୟାନ୍‌ଙ୍କ ମତାନୁଯାୟୀ ଗୋଟିଏ ଅଭିନବ ଧାରଣା ସମ୍ପର୍କରେ ଚିନ୍ତା କରିବା ଅତୀବ ଆୟାସସାଧ୍ୟ ବ୍ୟାପାର । କେବଳ ବିଚକ୍ଷଣ କଳ୍ପନାପ୍ରବଣତା ବଳରେ ହିଁ ଏପରି ବ୍ୟାପାରରେ ସଫଳତା ମିଳେ । *୭. ।।

 

*୭.

‘‘Each time we get into this log jam. it is because the methods we are using are just like the ones we have used before.......A new idea is extremely difficult to think of. It takes fantastic imagination.’’

 

ବିଜ୍ଞାନ ଜଗତରେ କୌଣସି ଏକ କ୍ଷେତ୍ରର କ୍ରାନ୍ତିକାରୀ ଉତ୍ତରଣ ଘଟାଇବା ପାଇଁ ଅନେକ କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ସେମାନଙ୍କ ନିଜସ୍ୱ ସୌନ୍ଦର୍ଯ୍ୟବୋଧ ହିଁ ପଥ ପ୍ରଦର୍ଶନ କରିଥାଏ । କୌଣସି ଏକ ତତ୍ତ୍ୱର ମହନୀୟତା ବା ତାତ୍ପର୍ଯ୍ୟକୁ ହୃଦୟଙ୍ଗମ କରିବା ପରେ ଆଇନଷ୍ଟାଇନ ତାକୁ ‘ଭଲ’ (good) ତତ୍ତ୍ୱ ଭାବରେ ପ୍ରଶଂସା କରିବା ପରିବର୍ତ୍ତେ କହୁଥିଲେ, ‘‘ଏହା କେଡ଼େ ସୁନ୍ଦର !’’ (Oh, how, beautiful !) । କୌଣସି ଗୋଟିଏ ତତ୍ତ୍ୱ ନାପସନ୍ଦ କଲାବେଳେ ସେ ତାହାକୁ ଭୁଲ ବା ତ୍ରୁଟିପୂର୍ଣ୍ଣ ଭାବରେ ସମାଲୋଚନା କରିବା ପରିବର୍ତ୍ତେ କହୁଥିଲେ, ‘‘ଏହା କେତେ ଅସୁନ୍ଦର-!’’ (Oh, how ugly !) ଆଇନ୍‌ଷ୍ଟାଇନ ଅନେକ ସମୟରେ ଧାରଣାଗୁଡ଼ିକର ସୌନ୍ଦର୍ଯ୍ୟବୋଧାଶ୍ରୟୀ ଆକର୍ଷଣ ପ୍ରତି ଗୁରୁତ୍ୱ ଆରୋପ କରୁଥିଲେ । ସେ କହୁଥିଲେ ଯେ, କେବଳ ତର୍କର ସାହାଯ୍ୟ ନେବାଦ୍ୱାରା ଆମେ ପୁନରୁକ୍ତିକର ବ୍ୟାପାର ଗୁଡ଼ିକରେ ଆତ୍ମନିୟୋଗ କରିବା ହିଁ ସାର ହେବ । *୮. ।। ସ୍ୱନାମଧନ୍ୟ ଫରାସୀ ପଦାର୍ଥ ବିଜ୍ଞାନୀ ଓ ଦାର୍ଶନିକ ହେନେରି ପଏନ୍‌କେଆର ସୂଚାଇଛନ୍ତି ଯେ କେବଳ ଯୁକ୍ତିସଙ୍ଗତ ଚିନ୍ତନ ବଳରେ କୌଣସି ଅଭିନବ ଧାରଣାର ଅଭ୍ୟୁଦୟ ଘଟେନାହିଁ । କେବଳ ଏପରି ବୌଦ୍ଧିକ ପ୍ରୟାସ ପ୍ରତି ଅନୁରକ୍ତ ହେବା ଫଳରେ କେହି ବିଜ୍ଞାନର ଯଥାର୍ଥ ସମୃଦ୍ଧି ସାଧନ କରିପାରନ୍ତି ନାହିଁ । *୯. ।।

 

*୮.

‘‘Pure logic could never lead us to anything but tantologies.’’

*୯.

‘‘It could create nothing new, not from it alone can any science issue.’’

 

ପଏନ୍‌କେଆରଙ୍କ ମତାନୁଯାୟୀ ବୈଜ୍ଞାନିକ ଗବେଷଣା ଚଳାଇବା କ୍ଷେତ୍ରରେ ସୌନ୍ଦର୍ଯ୍ୟବୋଧ ଗୋଟିଏ ସୁକ୍ଷ୍ମ ଚାଲୁଣୀ (delicate sieve) ଭଳି ପଥପ୍ରଦର୍ଶକର ଭୂମିକା ଗ୍ରହଣ କରେ । ଏତଦ୍ଦ୍ୱାରା ବିଭ୍ରାନ୍ତିକର ଚିନ୍ତାଧାରା ବୈଜ୍ଞାନିକଙ୍କୁ ପଥଭ୍ରଷ୍ଟ କରେନାହିଁ । ସେ ନିଜ କାର୍ଯ୍ୟରେ ଅଭିନିବେଶ କରିବାପାଇଁ ତଥା ଠିକଣା ମାର୍ଗର ଅନୁଗାମୀ ହେବାପାଇଁ ଏହା ତାଙ୍କୁ ଇଙ୍ଗିତ ପ୍ରଦାନ କରେ । ଏହାର ସଙ୍କେତଧର୍ମୀ ତାଡ଼ନା ବଳରେ ଚିତ୍ତ-ବିକ୍ଷେପର ପଥ ସଙ୍କୁଚିତ ହେଉଥିବାଯୋଗୁଁ ବୈଜ୍ଞାନିକ ବିଭ୍ରାନ୍ତକାରୀ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି ନାହିଁ । ଆମେ ବୁଝିବାର କଥା ଯେ ବିଜ୍ଞାନ କେବଳ ପ୍ରାମାଣିକ ତଥ୍ୟରାଜିର ଏକ ତାଲିକା ନୁହେଁ । ଅଙ୍କାବଙ୍କା ସୂତାରେ ଏହି ତଥ୍ୟରୂପୀ ମାଳିଗୁଡ଼ିକ ଠିକଣା ଭାବରେ ଗୁନ୍ଥି ଗୋଟିଏ ସୁନ୍ଦର ହାର ପ୍ରସ୍ତୁତି କରିବା ହିଁ ବୈଜ୍ଞାନିକଙ୍କ କର୍ମଭିମୁଖ୍ୟ । ସତ୍ୟତା ପ୍ରତିପାଦନକ୍ଷମ ଏକ ତତ୍ତ୍ୱ ବା ସିଦ୍ଧାନ୍ତକୁ ଅର୍ଥସୂଚକ ମାର୍ଗରେ ପ୍ରତିଷ୍ଠା କରିବା ପାଇଁ ବୈଜ୍ଞାନିକ ନିଜ ସୃଷ୍ଟିଶୀଳ ପ୍ରତିଭା ବଳରେ ଏକନିଷ୍ଠ ଗବେଷଣା ଚଳାଉଥିବାବେଳେ ସୌନ୍ଦର୍ଯ୍ୟାନୁରାଗ ହିଁ ତାଙ୍କୁ ସୁସଂଯତ ମାଗରେ ଠିକଣା ପଥର ଅନୁଗାମୀ ହେବାକୁ ପଥ ପ୍ରଦର୍ଶନ କରିପାରେ । ସ୍କ୍ରୋଡ଼ିଞ୍ଜର ତରଙ୍ଗ-ଯାନ୍ତ୍ରିକାର ପ୍ରତିଷ୍ଠାତା ରୂପେ ସୁବିଦିତ । ମାତ୍ର ସେ ଏହାକୁ ପ୍ରତିଷ୍ଠା କରିବା ପରେ ନିଜ ଆବିଷ୍କାରରୁ କିଛି କାଳ ପାଇଁ ଗୋପନୀୟ ରଖିବାକୁ ଶ୍ରେୟସ୍ୱର ମଣିଥିଲେ । ତତ୍‌କାଳୀନ ପ୍ରାମାଣିକ ତଥ୍ୟରାଜି ସହ ଏହି ଯାନ୍ତ୍ରିକୀ ସଙ୍ଗତିରକ୍ଷା କରିବାକୁ ଅସମର୍ଥ ହୋଇଥିଲା । ସର୍ବୋପରି ଦାର୍ଶନିକ ମନୋଭାବାପନ୍ନ ସ୍କ୍ରୋଡିଞ୍ଜର ନିଜ ଗାଣିତିକ ସମୀକରଣରେ ପ୍ରାକୃତିକ ସୌନ୍ଦର୍ଯ୍ୟର ପ୍ରତିଫଳନ ଘଟି ନଥିବା ପରି ଅନୁଭବ କଲେ । ବିଜ୍ଞାନର ଇତିହାସରୁ ଏହି ସ୍ମରଣୀୟ ଘଟଣାଟିକୁ ଉଦ୍ଧାର କରି ତାଙ୍କର ଜଣେ ସମସାୟିକ ପଦାର୍ଥବିଜ୍ଞାନୀ ପାଲ୍‌ ଡିରାକ୍‌ ପରବର୍ତ୍ତୀ କାଳରେ ମତବ୍ୟକ୍ତ କରିଛନ୍ତି ଯେ ଏହି ଘଟଣାସହ ସଂପୃକ୍ତ ନୈତିକ ବିଚାରଟିକୁ ଆମେ ସମ୍ୟକ୍‌ ଭାବରେ ହୃଦୟଙ୍ଗମ କରିବା ବାଞ୍ଛନୀୟ । ତାତ୍ତ୍ୱିକ ଗବେଷଣାଶ୍ରୟୀ କୌଣସି ସିଦ୍ଧାନ୍ତକୁ ପ୍ରାମାଣିକ ତଥ୍ୟରାଜିଦ୍ୱାରା ସତ୍ୟାପିତ କରାଇବା ଅପେକ୍ଷା ନିଜଦ୍ୱାରା ପ୍ରଣୀତ ସମୀକରଣଟିର ସୌନ୍ଦର୍ଯ୍ୟ ପ୍ରତି ଅଧିକ ଗୁରୁତ୍ୱ ଆରୋପ କରାଯିବା ଉଚିତ-।....ଯଦି ଜଣେ ଗବେଷକ ସ୍ୱକୀୟ ଗବେଷଣା ବଳରେ ପ୍ରତିଷ୍ଠା କରୁଥିବା ସମୀକରଣର ସୌନ୍ଦର୍ଯ୍ୟ ପ୍ରତି ଗୁରୁତ୍ୱ ଆରୋପ କରନ୍ତି, ଯଦି ତାଙ୍କର ତୀକ୍ଷ୍‌ଣ ଅନ୍ତଃଦୃଷ୍ଟି ବଳରେ ସେ ଏହି ଦିଗ ପ୍ରତି ସମ୍ୟକ୍‌ ଗୁରୁତ୍ୱ ଆରୋପ କରନ୍ତି, ତାହାହେଲେ ବୁଝିବାକୁ ହେବ ଯେ ସେ ନିଶ୍ଚିତ ଭାବର ଗବେଷଣାଗତ ବ୍ୟାପାରରେ ଅଗ୍ରଗାମୀ ହେଉଛନ୍ତି । *୧୦.।।

 

*୧୦.

‘‘I think there is a moral to this story. Namely, that it is more important to have beauty in one’s equations than to have them fit experiment..........It seems that if one is working from the point of view of getting beauty in one’s equations and if one has really a sound insight, one is on a sure line of progress.’’

 

କଳା ଓ ବିଜ୍ଞାନ କାହିଁକି ଏପରି ବିସ୍ତୃତ ଭାବରେ ପରସ୍ପରଠାରୁ ପୃଥକ୍‌ ହୋଇଯାଇଛି ?-ଏହି ପ୍ରଶ୍ନଟି ବର୍ତ୍ତମାନ କେତେକ ବୁଦ୍ଧିଜୀବୀଙ୍କ ମନରେ ବିସ୍ମୟ ସୃଷ୍ଟି କରୁଛି । ଅତୀତରେ ବିଜ୍ଞାନକୁ ପ୍ରାକୃତିକ ଦର୍ଶନର ଅନ୍ତର୍ଭୁକ୍ତ କରାଯାଇଥିଲା । ହସ୍ତଶିଳ୍ପୀ ବା କାରିଗରମାନଙ୍କଦ୍ୱାରା ନିର୍ମିତ କୃତିଗୁଡ଼ିକୁ କଳାପ୍ରାଣତାର ପରିପ୍ରକାଶ ରୂପେ ବିଚାର କରାଯାଉଥିଲା । ଆଧୁନିକ ଯୁଗର କୁଶଳୀ କାରିଗରମାନେ ଯେଉଁ ପ୍ରକାର ବିଚକ୍ଷଣଭାବେ କର୍ମନିପୁଣ ତ୍ୱରକ ଯନ୍ତ୍ରଗୁଡ଼ିକୁ (accelerators) ନିର୍ମାଣ କରୁଛନ୍ତି, ଅତୀତରେ ତଦନୁରୂପ କୃତିଗୁଡ଼ିକୁ କଳାର ଅନ୍ତର୍ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ କଳାତ୍ମକ ଭାବାଭିବ୍ୟକ୍ତି ଦୃଷ୍ଟିରୁ ସେଗୁଡ଼ିକରେ ମୂଲ୍ୟାୟନ କରାଯାଉଥିଲା-। ମାତ୍ର କାଳକ୍ରମେ ବିଜ୍ଞାନ ଓ ଦର୍ଶନର ସଂଜ୍ଞା ସଂକୁଚିତ ହୋଇଗଲା ଏବଂ ଊନବିଂଶ ଶତାବ୍ଦୀର ଅବ୍ୟବହିତ ପୂର୍ବରୁ ବିଜ୍ଞାନର ପରିସରକୁ ଆଧୁନିକ ଢାଞ୍ଚାରେ ସୀମିତ କରାଗଲା । ସାର ଜିଏଫ୍ରେଭିକରସ ସ୍ୱରଚିତ ‘ଅନ୍‌ ଏସ୍‌ଥେଟିକ୍‌ ଇନ୍‌ ସାଇନ୍‌ସ’ (ବିଜ୍ଞାନରେ ସୌନ୍ଦର୍ଯ୍ୟବୋଧ) ଶୀର୍ଷକ ଏକ ପ୍ରବନ୍ଧ ସଂକଳନରେ ଏପରି ଅଭିମତ ବ୍ୟକ୍ତି କରିବା ସଙ୍ଗେ ସଙ୍ଗେ ସୂଚାଇଛନ୍ତି ଯେ ତାତ୍ତ୍ୱିକ ଚିନ୍ତନ ବଳରେ ପ୍ରକୃତିର କ୍ରିୟାଶୀଳତାର ରହସ୍ୟ ଭେଦ ସମ୍ପର୍କରେ ପ୍ରତିଷ୍ଠା କରାଯାଉଥିବା ପ୍ରକଳ୍ପ ବା ତତ୍ତ୍ୱଗୁଡ଼ିକର ସଠିକତାକୁ ଅଭିକ୍ରିୟା ଅବଲମ୍ବନରେ ସତ୍ୟାପିତ କରାଇବା ହିଁ ଏଣିକି ବୈଜ୍ଞାନିକ କ୍ରିୟାଶୀଳତାରୂପେ ବିବେଚିତ ହେଲା । ଏପରି ବୌଦ୍ଧିକ ପ୍ରୟାସକୁ କଳା ସହିତ ସଂଯୋଜିତ କରାଇବାର କୌଣସି ଅବକାଶ ରହିଲା ନାହିଁ । ମାତ୍ର ଭିକରସ ସଂଶୟ ପ୍ରକାଶ କରିଛନ୍ତି ଯେ କଳା ଓ ବିଜ୍ଞାନ ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ସମ୍ଭବତଃ ଅନ୍ୟ କୌଣସି ସୁଗଭୀର ପ୍ରଭାବଯୋଗୁଁ ଏତେବେଶି ସମ୍ପ୍ରସାରିତ ହେଉଛି । ଜନସାଧାରଣ ବିଜ୍ଞାନକୁ ଏକ ତର୍କସଂଗତ ପ୍ରକ୍ରିୟା ରୂପେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସେମାନେ ବିଚାରୁଛନ୍ତି ଯେ ବାସ୍ତବତାକୁ ତର୍କସଂଗତ ବିଚାର ବଳରେ ବର୍ଣ୍ଣନା କରିହେବ । ଯାହା ବାସ୍ତବ, ତାହା ନିଶ୍ଚିତଭାବରେ ବର୍ଣ୍ଣନୀୟ-। ଯାହାର ଅବସ୍ଥିତିକୁ ମନୁଷ୍ୟ କେବଳ ନିଜ ଅବବୋଧ (intuition) ଜରିଆରେ ଠାବ କରୁଛି ତାହା ଅବର୍ଣ୍ଣନୀୟ । ଏଣୁ ସେପରି ଉପଲବ୍‌ଧିକୁ ବିଜ୍ଞାନର ପରିସରଭୁକ୍ତ କରାଯିବା ଅସମୀଚିନ । ଆମ ସଂସ୍କୃତି ବର୍ତ୍ତମାନ ଏପରି ଏକ ଅସମର୍ଥିତ ତଥା ଅସମ୍ଭବ ବିଶ୍ୱାସକୁ ବଦ୍ଧମୂଳ ଧାରଣା ଭାବରେ ଗ୍ରହଣ କରୁଛି । ଏହା ବିଜ୍ଞାନ ଜଗତର ଅବବୋଧର ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରୁନାହିଁ । ବାସ୍ତବତାକୁ ବର୍ଣ୍ଣନୀୟ ରୂପ ପ୍ରଦାନ କରିବା ସଙ୍ଗେ ସଙ୍ଗେ କେବଳ ତର୍କସଙ୍ଗତ କ୍ରିୟାଶୀଳତା ଅବଲମ୍ୱନରେ ବାସ୍ତବତା ସମ୍ପର୍କରେ ପୂର୍ଣ୍ଣାଙ୍ଗ ବର୍ଣ୍ଣନା ମିଳିପାରିବାର ଭ୍ରମାତ୍ମକ ଧାରଣାହିଁ ବିଜ୍ଞାନର ସ୍ୱରୂପ ଉଦ୍‌ଘାଟନ ବ୍ୟାପାରରେ ଅନ୍ତରାୟ ସୃଷ୍ଟି କରୁଛି । *୧୧. ।।

 

*୧୧.

‘‘Because our culture has somehow generated the unsupported and improbable belief that everything real must be fully describable, it is unwilling to acknowledge the existence of intuition.’’

 

ଅବଶ୍ୟ ଏହା ସ୍ୱୀକାର୍ଯ୍ୟ ଯେ ବିଜ୍ଞାନ ଓ କଳା ମଧ୍ୟରେ ଗୁଣାତ୍ମକ ପାର୍ଥକ୍ୟ ରହିଛି । ବିଜ୍ଞାନର ଅବଦାନଗୁଡ଼ିକୁ ଏକ ସାର୍ବତ୍ରିକଭାବେ ବୋଧଗମ୍ୟ ଗାଣିତିକ ଭାଷାରେ ପ୍ରକାଶ କରାଯାଏ । ବୈଜ୍ଞାନିକ ଗବେଷଣାଲବ୍‌ଧ ସିଦ୍ଧାନ୍ତର ଅର୍ଥକୁ ସମସ୍ତେ ଏକାଭଳି ବୁଝିପାରନ୍ତି । ବୈଜ୍ଞାନିକ ଅନ୍ତଃଦୃଷ୍ଟିର ସତ୍ୟତା ଗତାନୁଗତିକ ବୈଜ୍ଞାନିକ ପଦ୍ଧତି ଅବଲମ୍ୱନରେ ପ୍ରତିପାଦନ କରାଯାଏ । ଉଭୟବିଧ ବୌଦ୍ଧିକ ପ୍ରୟାସର ଉତ୍ସ ଏକା ହୋଇଥିଲେ ମଧ୍ୟ ନିଜ ଅନ୍ତଃଦୃଷ୍ଟିକୁ ବାସ୍ତବରୂପ ଦେବାବେଳେ ଉଭୟେ ଭିନ୍ନ ଭିନ୍ନ ମାର୍ଗ ଅନୁସରଣ କରନ୍ତି । ବୈଜ୍ଞାନିକମାନେ ଅଭିକ୍ରିୟା ଚଳାଇଲାବେଳେ ନିଜ ନିଜ ଅନ୍ତଃଦୃଷ୍ଟିର ଯଥାର୍ଥତା ପ୍ରତିପାଦନ ଉଦ୍ଦେଶ୍ୟରେ ଆବେଗଧର୍ମିତାର ବଶବର୍ତ୍ତୀ ହୁଅନ୍ତି ନାହିଁ । ସେମାନେ ବ୍ୟକ୍ତିନିଷ୍ଠ ହେବା ପରିବର୍ତ୍ତେ ବସ୍ତୁନିଷ୍ଠତା ପ୍ରତି ଚରମ ଆନୁଗତ୍ୟ ପ୍ରଦର୍ଶନ କରନ୍ତି । ପ୍ରାମାଣିକ ତଥ୍ୟ ରାଜି ସମ୍ମୁଖରେ ସେମାନେ ଆବେଗର ପରିପ୍ରକାଶ ଘଟାଇବାର ବିରତ ହୁଅନ୍ତି । ତଥାପି ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ବେଳେବେଳେ ଭୁଲ୍‌ କରନ୍ତି । ପ୍ରବୀଣ ମାର୍କିନ୍‌ ବୈଜ୍ଞାନିକ ଓ ସିଦ୍ଧହସ୍ତ ଲେଖକ ଷ୍ଟିଫେନ୍‌ ଦେ ଗୋଲ୍‌ଡ଼ ବୈଜ୍ଞାନିକମାନଙ୍କ କର୍ମ-ପଦ୍ଧତ୍ତିକୁ ଉପଲକ୍ଷ୍ୟ କରି ସୂଚାଇଛନ୍ତି ଯେ ବୈଜ୍ଞାନିକମାନେ ନିଜ ନିଜ ଅବବୋଧ ଓ ଅନ୍ତଃଦୃଷ୍ଟି ବଳରେ ହାସଲ କରୁଥିବା ଧାରଣା ବା ଅନୁମାନଟିର ସତ୍ୟତା ପ୍ରତିପାଦନ କରିବାକୁ ଲାଳାୟିତ ହୁଅନ୍ତି । ସେମାନେ ନିଜ ମନରେ ଉଙ୍କି ମାରୁଥିବା ଧାରଣା ଅବଲମ୍ୱନରେ ପ୍ରାକୃତିକ କ୍ରିୟାଶୀଳତାକୁ ବୁଝାଇଦେବା ପାଇଁ କଠିନ ଅଧ୍ୟବସାୟ ଚଳାନ୍ତି । ଏଣୁ, ମହାନ ଚିନ୍ତାନାୟକମାନେ ମଧ୍ୟ ବେଳେବେଳେ ବିରାଟ ଭୁଲ କରନ୍ତି । *୧୨.।। ଏପରି ତ୍ରୁଟିଗୁଡ଼ିକ ବହୁକାଳବ୍ୟାପୀ ବିଜ୍ଞାନର ବିକାଶ ଧାରାକୁ ପ୍ରଭାବିତ କରୁଥିବାର ଦୃଷ୍ଟାନ୍ତ ବିଜ୍ଞାନର ଇତିହାସରେ ବିରଳ ନୁହେଁ । ଅବଶ୍ୟ, ପରବର୍ତ୍ତୀ କାଳରେ ଅନ୍ୟ ବୈଜ୍ଞାନିକମାନେ ଏପରି ତ୍ରୁଟିଗୁଡ଼ିକୁ ସୁଧାରିଦେବାକୁ ଯତ୍ନବାନ ହୁଅନ୍ତି । ଏହାର ପରିଣତି ସ୍ୱରୂପ ମନୁଷ୍ୟ-ଚେତନାର କ୍ରମଉତ୍ତରଣ ଘଟେ ।

 

*୧୨.

‘‘Great thinkers are never passive before the facts. They have hopes and hunches and they try hard to construct the world in their light. Hence, great thinkers also make great errors.’’

 

ଆମେ ସାଧାରଣ ଭାବରେ ବିଜ୍ଞାନ ଓ କଳା ମଧ୍ୟରେ ଯେପରି ସଂଯୋଗ ପ୍ରତିଷ୍ଠା କରୁଛୁ, ଉଭୟବିଧ ବୌଦ୍ଧିକ ପ୍ରୟାସ ମଧ୍ୟରେ ତଦପେକ୍ଷା ନିବିଡ଼ ସମ୍ପର୍କର ସମ୍ଭାବ୍ୟ ଅବସ୍ଥିତିକୁ ଆମେ ଅସ୍ୱୀକାର କରିପାରିବା ନାହିଁ । ଜଣେ ପ୍ରତିଭାଧର ବ୍ୟକ୍ତି କଳାକାର ଭାବରେ ବା ବୈଜ୍ଞାନିକ ଭାବରେ ନିଜ ପ୍ରତିଭାର ବିକାଶ ଓ ଉପଯୋଗ ଘଟାଇବା ସମ୍ଭବତଃ ତାଙ୍କ ନିଜସ୍ୱ ମନୋବୃତ୍ତି ବା ଆତ୍ମପ୍ରବୃତ୍ତି ପ୍ରବର୍ତ୍ତନା ଉପରେ ନିର୍ଭର କରେ । ସୁପ୍ରସିଦ୍ଧ ମାସାଚ୍ୟସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲଜିର ସିରିଲ୍‌ ଷ୍ଟାନ୍‌ଲେ ସ୍ମିଥ୍‌ ନାମକ ଜଣେ ପ୍ରବୀଣ ଧାତୁବିଜ୍ଞାନୀ ଧାତୁ-ବିଜ୍ଞାନର ଇତିହାସ ସମ୍ୱନ୍ଧରେ ଜ୍ଞାନ ଅର୍ଜନ କରିବାକୁ ଆଗ୍ରହୀ ହେଲେ । ସେ ଜାଣି ଆଶ୍ଚର୍ଯ୍ୟ ହେଲେ ଯେ ଉପଯୋଗୀ ଧାତୁଗୁଡ଼ିକର ପ୍ରକୃତି ସମ୍ୱନ୍ଧୀୟ ଆଦ୍ୟ ଜ୍ଞାନ ମନୁଷ୍ୟ ମ୍ୟୁଜିଅମ୍‌ ଗୁଡ଼ିକରେ ସଂରକ୍ଷିତ କଳାତ୍ମକ କୃତିଗୁଡ଼ିକରୁ ପାଇ ପାରିଛି । ନିଜ ଐତିହାସିକ ଗବେଷଣାରେ କିଛି ବାଟ ଆଗେଇ ଯିବା ପରେ ସେ ଏହାର ତାତ୍ପର୍ଯ୍ୟ ହୃଦୟଙ୍ଗମ କଲେ । ସେ ଜାଣି ପାରିଲେ ଯେ ଏପରି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣାକୁ ଏକ ଆକସ୍ମିକ ମେଳ ଭାବରେ ବିଚାର କରିବା ଠିକ୍‌ ନୁହେଁ; ବରଂ ଏହା ମନୁଷ୍ୟର ଆବିଷ୍କାର-ପ୍ରବଣତାର ଫଳ । ସୌନ୍ଦର୍ଯ୍ୟାନୁରାଗ ଦ୍ୱାରା ପ୍ରବର୍ତ୍ତିତ କୌତୂହଳ ହିଁ ଆବିଷ୍କାରର ଉତ୍ସ । *୧୩. ।। ମନୁଷ୍ୟ ପ୍ରୟୋଗାତ୍ମକ ଆଭିମୁଖ୍ୟ କୌଣସି ଗବେଷଣା ଚଳାଇବା ଦ୍ୱାରା ବିଜ୍ଞାନର ଯଥାର୍ଥ ବିକାଶ ସାଧନ ଦିଗରେ କ୍ୱଚିତ୍‌ କୃତକାର୍ଯ୍ୟ ହୁଏ । ମାତ୍ର ସୌନ୍ଦର୍ଯ୍ୟାନୁରାଗ ପ୍ରବର୍ତ୍ତିତ ଅନ୍ତଃଦୃଷ୍ଟି ବଳରେ ମନୁଷ୍ୟର ମାନସପଟରେ ଯେଉଁ ଅଭିନବ ଚେତନାର ସ୍ଫୁରଣ ଘଟେ, ତାହାକୁ ଅନ୍ୟମାନଙ୍କ ଗ୍ରହଣଯୋଗ୍ୟ ମାର୍ଗରେ ଉପସ୍ଥାପନା କରିବା ପାଇଁ ବୌଦ୍ଧିକ ଉଦ୍ୟମ ଚଳାଇବା ଦ୍ୱାରା ହିଁ ସେ ବିଜ୍ଞାନର ଗନ୍ତାଘରକୁ ପରିପୁଷ୍ଟ କରେ ।

 

*୧୩.

‘‘Slowly I came to see that this was not a coincidence but a consequence of the very nature of discovery, for discovery derives from aesthetically motivated curiosity and is rarely a result of practical purposerfulness.’’

 

ଯେଉଁ ଯୁଗସ୍ରଷ୍ଟା ବୈଜ୍ଞାନିକମାନଙ୍କ ଅବିନଶ୍ୱର ସୃଜନଶୀଳତା ବିଜ୍ଞାନର ସମୃଦ୍ଧି ସାଧନ କରିଛି ଓ କରୁଛି, ସେମାନଙ୍କ ଅଭିଜ୍ଞତା ଭିତ୍ତିକ ବକ୍ତବ୍ୟଗୁଡ଼ିକରୁ ସ୍ପଷ୍ଟ ଉପଲବ୍‌ଧ ହେଉଛି ଯେ ସୌନ୍ଦର୍ଯ୍ୟବୋଧ ହିଁ କଳା ଭଳି ବିଜ୍ଞାନର ଉତ୍ସ । ଲାବଣ୍ୟମୟୀ ପ୍ରକୃତିର ଶୋଭାସମ୍ଭାର ଯୁଗେ ଯୁଗେ ମନୁଷ୍ୟକୁ ନିଜ ଚେତନାର ଦିଗ୍‌ ବଳୟକୁ ସଂପ୍ରସାରିତ କରିବାପାଇଁ ଆହ୍ୱାନ କରୁଛି । ସେ ମାତୃରୂପିଣୀ ପ୍ରକୃତିର ଆହ୍ୱାନକୁ ସାଦରେ ଗ୍ରହଣ କରି କଳା ଓ ବିଜ୍ଞାନ ଜରିଆରେ ପରିବର୍ତ୍ତନଶୀଳ ସଭ୍ୟତା ଓ ସଂସ୍କୃତିଗୁଡ଼ିକର ଅଭ୍ୟୁଦୟ ଘଟାଉଛି । ଯେଉଁ ସୌନ୍ଦର୍ଯ୍ୟାନୁରାଗର ପ୍ରବର୍ତ୍ତନା ପ୍ରକୃତିର ରହସ୍ୟ ଭେଦ କରିବାପାଇଁ ବୈଜ୍ଞାନିକଙ୍କ ସଂବେଦନଶୀଳ ମାନସପଟରେ ନବ ନବ ଚେତନାର ସ୍ଫୁରଣ ଘଟାଉଛି, ସେହି ସୌନ୍ଦଯ୍ୟାନୁରାଗର ଜନ୍ମଦାତ୍ରୀ ପ୍ରକୃତିକୁ ମନୁଷ୍ୟ ଅପରିଣାମଦର୍ଶୀ ବଣିକ-ସୁଲଭ ମନୋବୃତ୍ତି ବିନିମୟରେ ବର୍ତ୍ତମାନ ବୀଭତ୍ସ, ବିକୃତ ତଥା କଳୁଷିତ କରିପକାଇବାକୁ କୁଣ୍ଠାବୋଧ କରୁନାହିଁ । ଏକ ବିଭ୍ରାନ୍ତିକର ଜୀବନାଦର୍ଶର ଅନୁଗାମୀ ହୋଇ ତଥା ବିଜ୍ଞାନର ଅସଲ ରୂପ ସମ୍ପକରେ ବିଭ୍ରାନ୍ତିକର ଧାରଣାର ବଶବର୍ତ୍ତୀ ହୋଇ ସେ ବିଜ୍ଞାନାଶ୍ରୟୀ ଟେକ୍‌ନୋଲଜିଗୁଡ଼ିକ ବଳରେ ପ୍ରକୃତିର ସନ୍ତୁଳିତ ବିନ୍ୟାସକୁ ଅନୁକରଣୀୟ ମାର୍ଗରେ ବିକୃତ କରୁଛି-। ବର୍ତ୍ତମାନସର୍ବସ୍ୱ ତଥା ସ୍ୱାର୍ଥାନ୍ୱେଷୀ ଆଚରଣ ବଳରେ ସେ ଏଥିପାଇଁ ନିଜ ସମେତ ସମଗ୍ର ଜୀବଜଗତର ସ୍ଥାୟିତ୍ୱକୁ କିପରି ଭାବରେ ବିପଦାପନ୍ନ କରୁଛି, ତତ୍‌ସଂପର୍କୀୟ ସଠିକ ଧାରଣା କରିବାକୁ ମଧ୍ୟ ସେ ଅପାରଗ ହୋଇଛି । ମାତ୍ର ନିଜ ପାରିପାର୍ଶ୍ୱିକ ପରିବେଶ ଓ ପରିସଂସ୍ଥାର ପ୍ରଦୂଷଣ ଚରମ ସୀମା ସ୍ପର୍ଶ କରିବାର ତିକ୍ତ ଅର୍ଜନ କରିବା ପରେ ସେ ନିଜର ତ୍ରୁଟି ସୁଧାରିବା ପାଇଁ ଚିନ୍ତା କରୁଛି । ଏପରି ଏକ କ୍ରାନ୍ତିକାରୀ ପରିସ୍ଥିତିରେ ବିଚାରବୋଧସଂପନ୍ନ ମନୁଷ୍ୟ ବିଜ୍ଞାନର ସୃଷ୍ଟି ସମ୍ୱନ୍ଧରେ ଯଥାର୍ଥ ଜ୍ଞାନ ପରିବେଷଣ କରିବା ଏକାନ୍ତ ବାଞ୍ଛନୀୟ ବୋଧ ହେଉଛି । ବିଜ୍ଞାନ ସମ୍ୱନ୍ଧୀୟ ଶିକ୍ଷା ପ୍ରଦାନ କରିବା ପାଇଁ, ବିଜ୍ଞାନକୁ ଜନପ୍ରିୟ କରିବା ପାଇଁ ତଥା ଜନରୁଚିକୁ ବିଜ୍ଞାନସମ୍ମତ ମାର୍ଗରେ ପରିମାର୍ଜିତ କରିବା ପାଇଁ ବୁଦ୍ଧିଜୀବୀ ତଥା ଶିକ୍ଷାବିତ୍‌ମାନେ ଯେଉଁ ପ୍ରକାର ଉଦ୍ୟମ ଚଳାଉଛନ୍ତି, ସେଥିରେ ବିଜ୍ଞାନକୁ ଏକ ନୀରସ, ଶୁଷ୍କ, ବସ୍ତୁନିଷ୍ଠ ପ୍ରକ୍ରିୟା ରୂପେ ଅପଚିତ୍ରଣ କରାଯାଉଛି । ତେଣୁ ବିଜ୍ଞାନ ଶିକ୍ଷାପ୍ରାପ୍ତ ବୈଜ୍ଞାନିକ, ଇଞ୍ଜିନିୟର ଓ ଚିକିତ୍ସକମାନଙ୍କ ଅବଚେତନ ମାନସରେ ସୌନ୍ଦର୍ଯ୍ୟନୁରାଗ ବଳବତ୍ତର ସ୍ଥାନ ଅଧିକାର କରିବା ସମ୍ଭବ ହେଉନାହିଁ । ମାତ୍ର ଇତ୍ୟବସରରେ ପୃଥିବୀର ବିଭିନ୍ନ ଦେଶରେ ଏ ଦିଗରେ ବୌଦ୍ଧିକ ଉଦ୍ୟମର ଅୟମାରମ୍ଭ ଘଟିଛି । ବହୁ ସ୍ୱନାମଧନ୍ୟ ବୈଜ୍ଞାନିକ ଓ ବିଜ୍ଞାନ ଶିକ୍ଷାପ୍ରାପ୍ତ ସିଦ୍ଧହସ୍ତ ଲେଖକ ମନୁଷ୍ୟକୁ ବିଜ୍ଞାନର ସ୍ୱରୂପଟିକୁ ଚିହ୍ନାଇ ଦେବା ପାଇଁ ପ୍ରଶଂସନୀୟ ଅବଦାନ ଯୋଗାଇ ଦେଲେଣି । ଏହାଦ୍ଦ୍ୱାରା ମନୁଷ୍ୟ ବିଜ୍ଞାନକୁ ଆପଣାର କରିବାକୁ ସମର୍ଥ ହେବ । ସେ ବିଜ୍ଞାନଠାରୁ ଦୂରେଇରହି ବିଜ୍ଞାନ-ନିର୍ଭରଶୀଳ ଟେକ୍‌ନୋଲଜିଗୁଡ଼ିକର ବିଚକ୍ଷଣ କରାମତି ଦ୍ୱାରା ବିଜ୍ଞାନର ଜନକଲ୍ୟାଣକାମୀ ଉପଯୋଗ ଘଟାଇ ସୁସଂଯତ ତଥା ବହୁ ଶୃଙ୍ଖଳାଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ କାର୍ଯ୍ୟକାରୀ କରାଇବା ପାଇଁ ସଂପୃକ୍ତ ରାଜନୈତିକ, ବ୍ୟବସାୟିକ ବା ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ପ୍ରବର୍ତ୍ତନାମୂଳକ ଦିଗ୍‌ଦର୍ଶନ ଯୋଗାଇ ପାରିବ । ବିଳମ୍ୱରେ ହେଲେ ମଧ୍ୟ ଆମ ରାଜ୍ୟର ବୁଦ୍ଧିଜୀବୀମାନେ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆଗ୍ରହୀ ହେଲେ ଆମ ରାଜ୍ୟର ସର୍ବାଙ୍ଗୀନ ପ୍ରଗତି ସାଧନ ପାଇଁ ଆମେ ଉପଯୁକ୍ତ ଜନସମ୍ୱଳ ସୃଷ୍ଟି କରିପାରିବା ।

***

 

 

Unknown

ଗୋପବନ୍ଧୁଙ୍କ ଗଦ୍ୟ

ଶ୍ରୀ ସୌରୀନ୍ଦ୍ର ବାରିକ

ଆଧୁନିକ ଓଡ଼ିଶାର କାୟିକ ଓ ମାନସିକ ଗଠନରେ ଗୋପବନ୍ଧୁଙ୍କ ଦାନ ଅତୁଳନୀୟ । ଆଧୁନିକ ଓଡ଼ିଶାର ସେ ଥିଲେ ବିବେକ ସଦୃଶ । ତାଙ୍କ ଜୀବନ ଓ ରଚନା ଗୋଟିଏ ଉଜ୍ଜ୍ୱଳ ଆଦର୍ଶର ପ୍ରତୀକ । ସେ ଆଦର୍ଶ ଏକ ମହନୀୟ ବଞ୍ଚିବାର ଆଦର୍ଶ, କ୍ଷୁଦ୍ରତା ଭିତରେ ସଢ଼ି ନଯାଇ ବିଶାଳତା ଆଡ଼କୁ ସଞ୍ଚରି ଯିବାର ଆଦର୍ଶ, ଭୟରେ ସଙ୍କୁଚିତ ହୋଇ ମୂକ ନ ପାଲଟି ନିର୍ଭିକ ଭାବରେ ନିଜକୁ ପ୍ରତିପାଦତ କରିବାର ଆଦର୍ଶ ଏବଂ ଶେଷରେ ଅନ୍ୟ ପାଇଁ ନିଜକୁ ସଂପୂର୍ଣ୍ଣ ଭାବେ ନିଃଶେଷ କରି ଦେଇ ଜୀବନର ପୂର୍ଣ୍ଣତା ଲାଭ କରିବାର ଆଦର୍ଶ । ଏ ଆଦର୍ଶ ନିଜକୁ ଏବଂ ନିଜ ଅଞ୍ଚଳକୁ ଯେତିକି ନିବିଡ଼ ଭାବରେ ଚିହ୍ନି ଥିଲା । ସେହିପରି ଉଦାର ଭାବରେ ସାରା ଭାରତକୁ ଗ୍ରହଣ କରିଥିଲା ଏବଂ ଗଭୀର ଭାବରେ ଅନ୍ୟ ସହ ନିଜକୁ ସାମିଲ୍‌ କରିଥିଲା । ଏହି ସମନ୍ୱୟ ହିଁ ଗୋପବନ୍ଧୁଙ୍କ ବ୍ୟକ୍ତିତ୍ୱ, ତାଙ୍କ ସଂଗ୍ରାମୀ ଜୀବନ ଏବଂ ଏହାର ପ୍ରତିଧ୍ୱନି ତାଙ୍କ ରଚନାରେ । ସେ ଏକଧାରାରେ ଥିଲେ ଜଣେ ନିପଟ ଓଡ଼ିଆ ଯିଏ କି ଓଡ଼ିଆର ଭାଷା, ସଂସ୍କୃତି, ତା’ର ବିଚ୍ଛାନ୍ନାଞ୍ଚଳ ଏବଂ ଶେଷର ତା’ର ଦାରିଦ୍ର୍ୟ ପାଇଁ ସାରା ଜୀବନ ସଂଗ୍ରାମ କରିଥିଲେ; ପୁଣି ସେ ଥିଲେ ଜଣେ ସର୍ବଭାରତୀୟ ନେତା ଯିଏ କି ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଓଡ଼ିଆ ସ୍ୱାର୍ଥକୁ ସର୍ବଭାରତୀୟ ସ୍ରୋତରେ ମିଶାଇ ଦେଇଥିଲେ ।

 

ସେ ଥିଲେ ଜଣେ ନିଷ୍ଠୁର ବାସ୍ତବବାଦୀ । ସମାଜର ନିତିଦିନିଆ ସୁଖ, ଦୁଃଖ, ନ୍ୟାୟ, ଅନ୍ୟାୟ, ଶୋଷଣ, ଅତ୍ୟାଚାର ବିରୁଦ୍ଧରେ ସେ ଖାଲି ସ୍ୱର ତୋଳି ନ ଥିଲେ, ମୁମୂର୍ଷୁ ଓଡ଼ିଆ ପ୍ରାଣରେ ଆଧାର ମଧ୍ୟ ଦେଇଥିଲେ; ପୁଣି ସେ ଏପରି ଜଣେ ଆଦର୍ଶବାଦୀ ଯିଏ ସ୍ୱପ୍ନ ଦେଖିଥିଲା ବିଳାସର ନୁହେଁ, କଳ୍ପନାର ନୁହେଁ, ବାସ୍ତବର; ଏକ ସୁସ୍ଥ, ସବଳ ଓ ସୁନ୍ଦର ସମାଜର; ଓଡ଼ିଶାର ପୁଣି ସାରା ଭାରତର । ତାଙ୍କ ଭିତରେ ତେଣୁ ସମନ୍ୱିତ ହୋଇଥିଲା ଜଣେ ବାସ୍ତବବାଦୀ ଦେଶସେବୀ ଚିନ୍ତାନାୟକର, ପୁଣି ସ୍ୱପ୍ନଦଗ୍‍ଧ ଏକ ସମ୍ବେଦନଶୀଳ ଦରଦୀ କବିର । ତାଙ୍କ ଲେଖା ତେଣୁ ଏହି ଦୁଇ ଚେତନାର ଏକ ସାନ୍ଦ୍ର ମିଶ୍ରଣ ।

 

କର୍ମମୟ ଜୀବନରେ ଗୋପବନ୍ଧୁ ବିଭିନ୍ନ ଭୂମିକା ଗ୍ରହଣ କରିଅଛନ୍ତି । ସେ ଏକାଧାରେ ରାଜନୈତିକ ନେତା, ସମାଜସେବୀ, ସାମ୍ୱାଦିକ, ଶିକ୍ଷକ ଏବଂ ଏ ସବୁ ଉପରେ ଜଣେ ଆଦର୍ଶ ପୁରୁଷ, ଅନ୍ୟ ପାଇଁ ଯିଏ ଅନ୍ତତଃ କାନ୍ଦିପାରେ । ଏ ସମସ୍ତ ଭୂମିକାର ପ୍ରଭାବ ତାଙ୍କ ଲେଖାରେ ସ୍ପଷ୍ଟ ଓ ବିଭିନ୍ନ ଭାବରେ ପ୍ରକାଶିତ । ତାଙ୍କ କବିତାରେ ତାଙ୍କ ଯନ୍ତ୍ରଣା-ଦଗ୍‌ଧ ପ୍ରାଣ ଛଳଛଳେଇ ଉଠିଛି ତ ‘ସମାଜ’ର ସ୍ତମ୍ଭରେ କେଉଁଠି ଶାଣିତ ବ୍ୟଙ୍ଗରେ ରୂପ ପାଇଛି । ଏ ପ୍ରବନ୍ଧର ଉଦ୍ଦେଶ୍ୟ ହେଉଛି ଗୋପବନ୍ଧୁଙ୍କ ଗଦ୍ୟରଚନାକୁ କିପରି ତାଙ୍କ ବ୍ୟକ୍ତିତ୍ୱ ପ୍ରଭାବିତ କରି ରୂପାୟିତ କରିଛି ଏବଂ ଏ ରଚନା ଓଡ଼ିଶା ଗଦ୍ୟ-ସାହିତ୍ୟକୁ କେଉଁ ଭାବରେ ପ୍ରଭାବିତ କରିଛି, ଅର୍ଥାତ୍‌ ଗୋପବନ୍ଧୁଙ୍କ ଗଦ୍ୟରଚନାର ଏକ ସମ୍ୟକ୍‌ ଆଲୋଚନା ।

 

ପ୍ରଥମରୁ କହିଛି ଗୋପବନ୍ଧୁଙ୍କ ମନ ଆଦର୍ଶ ଏବଂ ବାସ୍ତବତାର ଏକ ଅପୂର୍ବ ସମନ୍ୱୟ । ଅବଶ୍ୟ ଏ ଆଦର୍ଶ ବାସ୍ତବତାକୁ ଅବହେଳା କରି କେବଳ ସ୍ୱପ୍ନ ଦେଖିବା ନୁହେଁ । ଏହା ବାସ୍ତବତାକୁ ଅଧିକ ସୁନ୍ଦର ଓ ସୁଖଦ କରି ଗଢ଼ି ତୋଳିବା ପାଇଁ । ଏହା କର୍ମ ପାଖରୁ ବିଚ୍ଛିନ୍ନ ନୁହେଁ ବରଂ ଏହା ଅଧିକ କର୍ମଚଞ୍ଚଳ । ତେଣୁ ଏ ପ୍ରକାର ଚେତନା ତାଙ୍କୁ ସାଂପ୍ରତିକ ଜୀବନର ନିତିଦିନିଆ ଘଟଣା ଭିତରକୁ ଟାଣି ନେବା ବେଳେ ତାଙ୍କର ଆଦର୍ଶ ଏକ ମହାନ ପୃଥିବୀର ରୂପ ଗନ୍ଧରେ ବିଭୋର । ସେ ସବୁବେଳେ କିଛି ଗୋଟେ ବିରାଟତର, ମହତ୍ତରର ଡାକ ଶୁଣିଛନ୍ତି । ଆଉ ତାଙ୍କ କର୍ମମୟ ଜୀବନ ଏହି ଡାକର ଉତ୍ତର, ସେହି ଉଜ୍ଜ୍ୱଳ ଦିଗ୍‍ବଳୟ ଆଡ଼କୁ କଣ୍ଟକିତ ପଥରେ ଧୀର ଅଥଚ ଦୃଢ଼ ପଦାପାତ । ତେଣୁ ସେ ଏକ ବିରାଟ ଗ୍ରହଣର ପ୍ରତୀକ । ଏକ ମହାଯୋଗୀ, ଯିଏ ସବୁ ତ୍ୟାଗକୁ ଗ୍ରହଣ କରିନିଏ ଏବଂ ଏହି ତ୍ୟାଗ ପାଇଁ ସବୁ ଗ୍ରହଣ କରି ନିଏ-ନୀଳକଣ୍ଠ ଯେପରି କରିଥିଲେ ଗ୍ରହଣର ତ୍ୟାଗ । ତେଣୁ ସେ ସମାଜସେବୀ, ରାଜନୈତିକ ନେତା । ତାଙ୍କ ଆଖିର ଲୁହ, ହାତରେ ଚୂଡ଼ା ଆଉ ଗୁଡ଼ ପୁଣି ଲାଟ୍‌ ସଭାରେ ଭାଷଣ । ଆଉ ସେଇଥିପାଇଁ ସେ ସତ୍ୟବାଦୀର ଶିକ୍ଷକ, ଧର୍ମପଦର କବି, ଯିଏ ଛୁରିଅନା କୁଞ୍ଜରେ ଭଲ ମଣିଷ ଗଢ଼ିବାର ସ୍ୱପ୍ନ ଦେଖେ, ଚିଲିକାର ନୀଳ ଢେଉରେ ଅତୀତର ଗୌରବ ଇତିହାସକୁ ଖୋଜିବୁଲେ ପୁଣି ବନ୍ଦୀଶାଳ ଭିତରେ ମଧ୍ୟ ଦେଶବାସୀଙ୍କ ସ୍ୱପ୍ନ ଦେଖେ ।

 

ଗୋପବନ୍ଧୁଙ୍କ ଗଦ୍ୟ ଏହି ଦ୍ୱନ୍ଦ୍ୱରୁ ଜାତ, ତାଙ୍କ ଜୀବନର ବିଭିନ୍ନ ଉଦ୍ଦେଶ୍ୟକୁ ରୂପଦେବାର ମାଧ୍ୟମ । ଏହି ବିଭିନ୍ନ ଭୂମିକା ମୁଖ୍ୟତଃ ସମାଜ ସଂସ୍କାରକ, ବିପ୍ଳବୀ ଆଦର୍ଶବାଦୀ ଶିକ୍ଷକ, ସ୍ୱାଧୀନତା ସଂଗ୍ରମୀ ରାଜନୈତିକ ନେତା ପୁଣି ଆବେଗ-ଦଗ୍‌ଧ କବି, ପୁଣି ବାସ୍ତବବାଦୀ ସାମ୍ୱାଦିକ ଭାବେ ପ୍ରକାଶିତ । ତେଣୁ ତାଙ୍କ ଗଦ୍ୟ ମଧ୍ୟ ଏହି ଭୂମିକାର ସଫଳ ପ୍ରକାଶ । ସମ୍ୱାଦପତ୍ର ‘ସମାଜ’ର ଅଗ୍ରଲେଖା ପୁଣି ‘ସତ୍ୟବାଦୀ’ ଆଦି ପତ୍ରିକାରେ ପ୍ରକାଶିତ ଲେଖାମାନଙ୍କରେ ଆମେ ଗୋପବନ୍ଧୁଙ୍କ ଗଦ୍ୟର ସଂସ୍ପର୍ଶରେ ଆସିଥାଉଁ । ଏହା ବ୍ୟତୀତ ବିହାର-ଓଡ଼ିଶା ଲାଟ୍‌ ସଭାରେ ପାରିଷଦ ହିସାବରେ ଏବଂ ଉତ୍କଳସମ୍ମିଳନୀ ଓ ଅନ୍ୟାନ୍ୟ ସଭାରେ ଦେଇଥିବା ଭାଷଣମାନଙ୍କରେ ମଧ୍ୟ ତାଙ୍କ ଶକ୍ତିଶାଳୀ ଗଦ୍ୟର ପରିଚୟ ପାଇବା ସଙ୍ଗେ ସଙ୍ଗେ ତାଙ୍କ ଚିନ୍ତାଧାରା ସହ ପରିଚିତ ହୋଇଥାଉଁ । ଏହା ସବୁ ଲେଖାମାନଙ୍କର ଆମେ ପାଇଁଥାଉଁ ଏକ ଦରଦୀ ମନର ପ୍ରକାଶ, ଏକ ନିର୍ଭିକ ସ୍ୱରର ଝଙ୍କାର ଆଉ ଏହାକୁ ରୂପ ଦେଇଥାଏ ନିହାତି ସରଳ ନିଚ୍ଛକ ଓଡ଼ଆ ଭାଷା, ଯହିଁରେ କୃତ୍ରିମତା ନାହିଁ, ଅଳଙ୍କାର ନାହିଁ । ଗୋଟିଏ ବ୍ୟକ୍ତିର ଆବେଗର ଉଷ୍ଣତାକୁ ବହନ କରି ସତ୍ୟକୁ ପ୍ରକାଶ କରିଥାଏ ଗୋଟିଏ ଜାତିର ପ୍ରାଣକୁ ସ୍ପର୍ଶ କରିଥାଏ ।

 

ସାମ୍ୱାଦିକ ହିସାବରେ ଗୋପବନ୍ଧୁଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ତତ୍‌କାଳୀନ ଓଡ଼ିଶାରେ ଏକ ନିର୍ଭିକ ସମ୍ୱାଦପତ୍ରର ଅଭାବକୁ ଉପଲବ୍‌ଧି କରି ଗୋପବନ୍ଧୁ ‘ସମାଜ’ ପ୍ରକାଶ କରନ୍ତି । ଏହାର ଉଦ୍ଦେଶ୍ୟ ଲୋକଙ୍କ ଭିତରେ ଚେତନା ଜାଗ୍ରତ କରିବା ସଙ୍ଗେ ସଙ୍ଗେ ନିଜର ଦାବୀକୁ ନିର୍ଭିକ ଭାବରେ ପ୍ରକାଶ କରିବା ପାଇଁ ଗୋଟିଏ ମାଧ୍ୟମ ସୃଷ୍ଟି କରିବା । ଜଣେ ସଫଳ ସାମ୍ୱାଦିକ ନିର୍ଭିକ, ସତ୍ୟଶୀଳ ହେବା ସଙ୍ଗେ ସଙ୍ଗେ କୁଶଳୀ ରିପୋର୍ଟର ହେବା ବାଞ୍ଛନୀୟ । ସମ୍ବାଦ ପରିବେଷଣରେ ଯେପରି ନିରପେକ୍ଷତା ରଖିବା ପ୍ରୟୋଜନୀୟ ମତାମତ ଦେବାରେ ସେହିପରି ନିର୍ଭୀକ ହେବା ଉଚିତ୍ । ନିଜର ଭାଷା ଏବଂ ହୃଦୟଛୁଆଁ ଶୈଳୀ ଜରିଆରେ ଗଣମନକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଆଶା, ଆକାଂକ୍ଷା ଓ ସୁଖ-ଦୁଃଖର ପ୍ରତିନିଧିତ୍ୱ କରିବା ପାଇଁ କ୍ଷମତା ଥିବା ପ୍ରୟୋଜନ । ତେଣୁ ଏକ ସାମ୍ୱାଦିକ ପାଖରେ ପକ୍ଷପାତହୀନ ବିଚାର ଶକ୍ତି ସହ ଏକ ଉଚ୍ଚ ଆଦର୍ଶର ସମନ୍ୱୟ ଘଟିବା ବିଧେୟ । ତା’ର ଆଦର୍ଶ ସତ୍ୟର ସୁରକ୍ଷା ଆଉ ତାର ମାଧ୍ୟମ ଏହି ସତ୍ୟର ନିର୍ଭିକ ପରିବେଷଣ । ଏହି ଦୁଇଟିର ଅପୂର୍ବ ସମନ୍ୱୟ ଘଟିଥିଲା ଗୋପବନ୍ଧୁଙ୍କ ନିକଟରେ । ତାଙ୍କ ହାତରେ ‘ସମାଜ’ ହୋଇ ପାରିଥିଲା ଉତ୍କଳ-ମାନସର ବିଶ୍ୱସ୍ତ ମୁକୁର । ଏହା ଥିଲା ଦାରିଦ୍ର୍ୟ ଜର୍ଜରିତ, ଚିର ଅବହେଳିତ ଓଡ଼ିଆ ଜାତିର ପ୍ରାଣ ସ୍ପନ୍ଦନ । ଏହାର ସାହାଯ୍ୟରେ ସେ ଗାଁ ଗଣ୍ଡାରେ ଖବର ପରିବେଷଣ କରୁ ନ ଥିଲେ, ଏହାରି ଜରିଆରେ ଗାଁ ଗଣ୍ଡାର ସୁଖ ଦୁଖକୁ ସମସ୍ତଙ୍କ ଆଗରେ ଥୋଉଥିଲେ । ଉତ୍କଳବାସୀଙ୍କର ଅଭିଯୋଗ ଦାବୀ ସବୁକିଛିକୁ ସକାର ପାଖରେ ଜଣାଉଥିଲେ । ପୁଣି ଅନ୍ୟାୟ ଅତ୍ୟାଚାର ଆଉ ଅବହେଳା ବିରୁଦ୍ଧରେ ନିର୍ଭୀକ ପ୍ରତିବାଦ କରୁଥିଲେ । ‘ସମାଜ’ ଥିଲା ଓଡ଼ିଆ ଜାତିର ଭାଷାର ବାହାକ, ଅର୍ଦ୍ଧମୃତ ଓଡ଼ିଆ ଜାତିର ଏକମାତ୍ର ପ୍ରାଣ ସଙ୍କେତ, ଏହା ସମ୍ଭବ ହୋଇଥିଲା ଗୋପବନ୍ଧୁଙ୍କର ବଳିଷ୍ଠ ସାମ୍ୱାଦିକତା ଯୋଗୁଁ । ସାମ୍ୱାଦିକ ହିସାବରେ ସେ ସତ୍ୟର ଅବୈୟକ୍ତିକ ପ୍ରକାଶ କରୁଥିଲେ-। ଏଥିପାଇଁ ଯେଉଁ ସାହାସ ଓ ନୈତିକତାର ପ୍ରୟୋଜନ, ତାହା ତାଙ୍କ ପାଖରେ ଥିଲା । ତାଙ୍କ ହାତରେ ଭାଷାର ସରଳତା ଭିତରେ ଲୁଚିରହିଥିବା ସମସ୍ତ ଶକ୍ତି ଅଦ୍‌ଭୁତ ଭାବରେ ରୂପ ପାଇ ପାରୁଥିଲା । ତେଣୁ ଢୋକେ ପି ଘଡ଼ିଏ ଜୀଇଁବା’ ନ୍ୟାୟରେ ପଡ଼ି ରହିଥିବା ଓଡ଼ିଆ ଜାତି ପ୍ରାଣରେ ଏହା ଦମ୍ଭ ଆଣି ଦେଇଥିଲା; ବର୍ତ୍ତମାନର କ୍ରୁର କୁଣ୍ଡଳ ଭିତରେ ଭାଙ୍ଗି ପଡ଼ୁଥିବା ଓଡ଼ିଆ ମନରେ ସଚେତନତା ଜଗାଇ ଭବିଷ୍ୟତର ସ୍ୱପ୍ନ ବୁଣି ଦେଇଥିଲା । ଲୁପ୍ତ ଐତିହ୍ୟର ଗୌରବକୁ ଆଉ ଥରେ ସ୍ମରଣ କରାଇ ପାରିଥିଲା । ସେଇଥିପାଇଁ ‘ସମାଜ’ ଏତେ ପ୍ରିୟ । ଆଜି ବି ଗାଁ ଗଣ୍ଡରେ ସବୁ ସମ୍ୱାଦପତ୍ର ସମାଜ । ତେଣୁ ଗୋପବନ୍ଧୁଙ୍କୁ କେବଳ ନିଚ୍ଛକ ସାମ୍ୱାଦିକ ହିସାବରେ ଆମେ ପାଉନା । ଏଠାରେ ଆମେ ତାଙ୍କୁ ଏକ ବିପ୍ଲବୀ ସମାଜସେବୀ ହିସାବରେ ପାଉଁ । ତେଣୁ ସମାଜର ଆବିର୍ଭାବ ପରିପ୍ରେକ୍ଷୀରେ ସେ ଲେଖିଥିଲେ- ‘‘ଏହ ଶୁଖିଲା ପ୍ରାଣରେ ନିରାଶ ଘେନି ‘‘ସମାଜ’’ କାର୍ଯ୍ୟ ଆରମ୍ଭ କରୁଅଛି । ଭରସା କେବଳ ଏତିକି ଯେ କୌଣସି ଜାତି ବା ସମାଜ ସହଜରେ ମରେ ନାହିଁ, ଏହି ବିଶ୍ୱାସ ହୃଦୟରେ ଆଦ୍ୟାପି ଦୃଢ଼ ଅଛି । ଅନ୍ନ ବସ୍ତ୍ର ପାଇ ଓଡ଼ିଆମାନେ ପ୍ରାଣଧରି ନରହିଲେ କିପରି ଉତ୍କଳ ସମାଜ ବର୍ତ୍ତିବ ଏହା ହିଁ ସମାଜର ପ୍ରଥମ ଚିନ୍ତାର ବିଷୟ । ଲକ୍ଷ ଲକ୍ଷ ଓଡ଼ିଆଙ୍କ ତୁଣ୍ଡ ଫିଟୁ ନାହିଁ । ଗାଁର କୁ କଣରେ ଏପରି କି କଲିକତା ସହରର କୁ ଗଳିରେ ପଡ଼ି ସେ କେତେ କାହା ଠାରୁ କଷ୍ଟ ସହୁଛି ତାହା କେହି ଜାଣୁ ନାହିଁ । ତାହା ଲାଗି ସେ ନିଜେ କିଛି ଭାବି ପାରୁ ନାହିଁ କିମ୍ୱା ଅନ୍ୟ କେହି ଭାବୁ ନାହିଁ । କେହି ତା’ ଦୁଃଖ ଶୁଣି ନାହିଁ । ସେ ମଧ୍ୟ କାହାର କଥା କିଛି ଭାବି ପାରୁ ନାହିଁ କିମ୍ୱା ଅନ୍ୟ କେହି ଭାବୁ ନାହିଁ । କେହି ତା‘ଦୁଃଖ ଶୁଣି ନାହିଁ । ସେ ମଧ୍ୟ କାହାର କଥା କିଛି ଜାଣିପାରୁ ନାହିଁ । ଚାଷୀ, ଶ୍ରମଜୀବୀ, ବ୍ୟବସାୟୀ, ମଫସଲ ଗାଁର ସହସ୍ର ସହସ୍ର ଲୋକ ଜାତିର ମୂଳଦୁଆ, ମାତ୍ର ସେ ମୂଳଦୁଆ ତ ଏବେ ଟଳମଳ; ଜାତିର ବୁକୁ ଫାଟି ପଡ଼ୁଅଛି । ଏ ଅବସ୍ଥାରେ ‘‘ସମାଜ’’ ଯେବେ ଟିକିଏ ଦମ୍ଭଧରି ପଦେ ଅଶ୍ୱାସନାର କଥା ଶୁଣାଇ ପାରେ ତେବେ କାମନା ପୂର୍ଣ୍ଣ ହେବ । ଆମ୍ଭମାନଙ୍କ ଆଶା କେବଳ ଆଶ୍ୱାସନାରେ ନୁହେଁ । ସମାଜର ମଙ୍ଗଳ ପାଇଁ ଆମ୍ଭେମାନେ ସମାଜର ଉଚ୍ଚପଦସ୍ଥ ବ୍ୟକ୍ତିମାନଙ୍କର ସହାୟତା ପାଇବାକୁ ଆଶା କରୁଁ । ଅନାଥର ନାଥ ପ୍ରଭୁ ଜଗନ୍ନାଥଙ୍କ କରୁଣା ଆମ୍ଭମାନଙ୍କର ପ୍ରଧାନ ସମ୍ୱଳ । ଆମ୍ଭମାନଙ୍କର ସବୁ ପ୍ରକାରେ ବର୍ତ୍ତମାନ ଘୋର ଆର୍ତ୍ତର ସମୟ । ଆର୍ତ୍ତତ୍ରାଣଙ୍କ ଆଶ୍ରା ବିନା ପରିତ୍ରାଣ ନାହିଁ । ଆମ୍ଭମାନଙ୍କ ପ୍ରାଣରେ ଉତ୍ସାହ ନାହିଁ, ଅଛି କେବଳ ବିଶ୍ୱାସ ।’’

(ସମାଜ-୪. ୧୦. ୧୯.-ଗୋପବନ୍ଧୁ ରଚନାବଳୀ-୪ର୍ଥ ଖଣ୍ଡ ପୃ. ୩୪-୩୫)

 

ଜାତିପ୍ରାଣରେ ଏହି ବିଶ୍ୱାସ ଆଣି ଦେବା ପାଇଁ ‘ସମାଜ’ର ଜନ୍ମ । ଏ ବିଶ୍ୱାସ ଆସିବ, ଯେତେବେଳେ ସେ ନିଜକୁ ବୁଝିବ; ନିଜର ପରିବେଶ ସହ ସାଂପ୍ରତିକ ଜୀବନଧାରାକୁ ଅନୁଭବ କରିବ ।

 

ଏହି ଅନୁଭବ ସମ୍ଭବ ହୋଇଛି ‘ସମାଜ’ ଦ୍ୱାରା, ଗୋପବନ୍ଧୁଙ୍କ ଶକ୍ତିଶାଳୀ ସରଳ ଭାଷା ଦ୍ୱାରା । ଗୋପବନ୍ଧୁଙ୍କ ଗଦ୍ୟ ଏ ଜାତିର ଭାଷା । ଗୋଟିଏ ସ୍ତରରେ ଅତି ସହଜ ଓ ସରଳ ଭାବରେ ଏହା ଘଟଣାକୁ ବର୍ଣ୍ଣନା କରିଥାଏ । ଏ ବର୍ଣ୍ଣନାରେ ଭାଷାର ଆଡ଼ମ୍ବର ନାହିଁ ବା କୌଣସି ନାଟକୀୟତା ନାହିଁ । ସେ ନିଜେ ସଫଳ ଦୂରତା ରକ୍ଷା କରି ଘଟଣାର ଅବୈୟକ୍ତିକ ବର୍ଣ୍ଣନା କରିଥାନ୍ତି, ମାତ୍ର ତାଙ୍କ ମତାମତ ଦେଲାବେଳେ ସେ ଖୁବ୍‌ ସରଳ ଯେମିତି ସାଧାରଣ ପାଠକ ତାକୁ ଗ୍ରହଣ କରି ପାରିବ ଶୁଣି ଖୁବ୍‌ ଶାଣିତ, ଯା’ ଫଳରେ ଏହା ଆଲୋଡ଼ନ ସୃଷ୍ଟି କରିପାରେ । ଏ ମତାମତରେ ସେ ସମାଲୋଚନା କରନ୍ତି, ନିଜର ଆବେଗକୁ ପ୍ରକାଶ କରନ୍ତି । ବ୍ୟଙ୍ଗ, ଥଟ୍ଟ ଏପରିକି ବିରକ୍ତ ମଧ୍ୟ ପ୍ରକାଶ କରିଥାନ୍ତି । ‘‘ଏପରିକି ବମ୍ବେଇ ଭଳିଆ ସହରରେ ଖାଇବା ବିନା କେହି ମରିବାର ଜଣାଗଲେ ଲୋକେ ତାହା ସହଜରେ ସହନ୍ତେ ନାହିଁ; ମାତ୍ର ଓଡ଼ିଆଙ୍କ ଦେହରେ ରକ୍ତ ନାହିଁ, ପାଟିରେ ଜୋର ନାହିଁ , ହୃଦୟରେ ଦମ୍ଭ ନାହିଁ, ଅଣ୍ଟାରେ ବଳ ନାହିଁ ସେମାନଙ୍କ କଥା କିଏ କାହିଁକି ଶୁଣିବ ? ଏଥିରେ ସେମାନେ ନ ଖାଇ ମଲେ ତ କାହାର ଦୋଷ ?’’

(ସମାଜ୨୨.୫. ୨୦ ଗୋପବନ୍ଧୁ ରଚନାବଳୀ ୨ୟ ଖଣ୍ଡ, ପୃ:୬୮)

 

ଉପରୋକ୍ତ ପଂକ୍ତିରେ ଆମେ ପାଇଁ ଆବେଗ ଏବଂ ବ୍ୟଙ୍ଗ ମିଶି ଯାଇଛି । ବ୍ୟଙ୍ଗ ଜରିଆରେ ସେ ଓଡ଼ିଆ ଜାତିର ଦୁର୍ବଳତାକୁ ଦେଖାଇ ଦେବା ସଙ୍ଗେ ସଙ୍ଗେ ସରକାରଙ୍କ ଉଦାସୀନତା ପ୍ରତି ଆକ୍ଷେପ କରିଛନ୍ତି । ମାତ୍ର ଏସବୁ ଉପରେ ଅଧିକ ପ୍ରକାଶିତ ଗୋପବନ୍ଧୁଙ୍କ ବ୍ୟକ୍ତିଗତ ଦୁଃଖ । ଏହିପରି ବ୍ୟଙ୍ଗ ପରେ ଆମ୍ଭେମାନେ ଦେଖୁ ବ୍ୟଙ୍ଗ କେମିତି ସମାଲୋଚନାର ଆୟୁଧ ହୋଇଛି ଏବଂ ଏହି ସମାଲୋଚନା କିପରି ହାସ୍ୟରସ ଦ୍ୱାରା ରସାଣିତ ହୋଇପାରିଛି- ‘‘ଏଥର ବ୍ୟବସ୍ଥାପକ ସଭାରେ ଯେଉଁମାନେ ସଭ୍ୟ ହୋଇ ଯାଉଛନ୍ତି ସେମାନେ ମାନ୍ୟବର ପଦ ପାଇବେ ନାହିଁ । ସହଯୋଗୀ ଅମୃତ ବଜାର କହନ୍ତି ଗଭର୍ଣ୍ଣମେଣ୍ଟ ବଡ଼ ନିଷ୍ଠୁର । କେତେ ଲୋକ ସେହି ପଦଟି ପାଇବେ ବୋଲି ସଭ୍ୟ ହେଉଥିଲେ । ତାଙ୍କ ଲାଞ୍ଜ କଟା ହେଲା । ତାଙ୍କ ବିଶେଷତ୍ୱ ଆଉ ରହିଲା କେଉଁଠି ? ସହଯୋଗୀ ସରକାର ପୁଣି ସେ ପଦ ଦେଇ ପାରନ୍ତି । ତଥାଚ ଯେବେ ସରକାର ନ ଶୁଣିବେ ତେବେ ସଭ୍ୟମାନେ ପଦ ନ ପାଇବାଯାଏ ଉପବାସ କରନ୍ତୁ ; ତେବେ ବଳେ ସରକାର ଉପାଧି ଦେବେ । ସରକାର ସବୁ ସହି ପାରନ୍ତି । ଉପବାସୀ ଲୋକ ଦେଖିଲେ ତାଙ୍କର ଅସହ୍ୟ ହୁଏ ।’’

(ରଚନାବଳୀ ୪ର୍ଥ ଖଣ୍ଡ-ପୃଷ୍ଠା-୧୩୦)

 

ଏହି ପରିଚ୍ଛେଦରେ ବ୍ୟଙ୍ଗ ଓ ବିଦ୍ରୂପଦ୍ୱିମୁଖୀ । ପ୍ରଥମେ ପଦଲୋଭୀ ବ୍ୟବସ୍ଥାପକ ପ୍ରତି, ଦ୍ୱିତୀୟରେ ସରକାରଙ୍କ ପ୍ରତି । ଏଥିରେ ପ୍ରକାଶିତ ବ୍ୟଙ୍ଗ ହାସ୍ୟରସ ଦ୍ୱାରା ଅଧିକ ଶାଣିତ ହୋଇଥିବାରୁ ପ୍ରଭାବଶାଳୀ । ଏହିପରି ଥଟ୍ଟା ପରିହାସ ଛଳରେ ସମାଲୋଚନା ଆମେ ପାଉଁ ‘‘ମୋ’ ପେଁକାଳି ବଜାଇଦେ’ ରାଜନୀତି’’, ‘‘ବୁଢ଼ା ମୂରବୀ ଏବେ ମାଳି ଜପନ୍ତୁ’’ ଆଦି ଲେଖାରେ ।

 

ଏ ସବୁ ଲେଖାରେ ତାଙ୍କର ନିର୍ଭୀକ ମନର ପରିଚୟ ମିଳିଥାଏ । ନିର୍ଭିକ ଭାବରେ ସେ ସତ୍ୟକୁ ପ୍ରକାଶ କରନ୍ତି; ସରକାରକୁ ସମାଲୋଚନା କରି କହି ପାରନ୍ତି ସାରା ଭାରତ ଗୋଟିଏ ‘ଜେଲଖାନା’ କିମ୍ୱା କହିପାରନ୍ତି ଇଂରେଜ ବିଚାରରେ ‘ନ୍ୟାୟ ନାହିଁ’ ।

 

ଏପରି ରାଜନୈତିକ ଲେଖାଗୁଡ଼ିକରେ କେବଳ ଇଂରେଜ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ବିପ୍ଲବ ପାଇଁ ସର୍ବ ଭାରତୀୟ ଏକ ଜାଗରଣ ସୃଷ୍ଟି କରି ମଣିଷର ମଣିଷତ୍ୱକୁ ଜାହିର କରିବାର ସ୍ୱପ୍ନ ପ୍ରକାଶିତ ହୁଏ । ତେଣୁ ସମାଜ, ଦେଶର ପରିବର୍ତ୍ତନ ଭିତରେ ମଣିଷ ମନର ପରିବର୍ତ୍ତନ ଚାହିଁଥିଲେ । ତାକୁ ସୁସ୍ଥ, ସୁନ୍ଦର ଓ ସବଳ କରି ଗଢ଼ିବାର ଚେଷ୍ଟା କରିଥିଲେ । ଆଉ ସେଇଥି ପାଇଁ ପ୍ରଥମେ ସେ ପାରିପାର୍ଶ୍ୱିକ ପରିବେଶ ସୁସ୍ଥ କରିବାର ଚେଷ୍ଟା କରିଥିଲେ । ଏଥିପାଇଁ ତାଙ୍କର ଭୂମିକା ଥିଲା ସେବାର ଭୂମିକା ସଂସ୍କାରକର ଭୂମିକା । ସମାଜ ସଂସ୍କାରକ ହିସାବରେ ପ୍ରଥମ ପର୍ଯ୍ୟାୟରେ ସେ ତାଙ୍କ ଲେଖାରେ ସାଂପ୍ରତିକ ସମାଜର ବିଶ୍ଳେଷଣ କରିଛନ୍ତି । ଏ ସମାଜର ଦୋଷ ଦୁର୍ବଳତାକୁ ଅବୈୟକ୍ତିକ ଭାବେ ଆଲୋଚନା କରିଛନ୍ତି । ଯେଉଁଠି ଅନ୍ୟାୟ ଶଠତା ଲୁଚିରହିଛି ତାକୁ ପଦାରେ ପକାଇ ଦେଇଛନ୍ତି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଯା’ ଭଲ, ଯା’ ମହତ୍‌, ଯା’ ଦ୍ୱାରା ଆମ ସମାଜ ଆଗେଇ ପାରିବ ତାକୁ ପ୍ରତିଷ୍ଠା କରିବାରେ ଚେଷ୍ଟା କରିଛନ୍ତି । ଏପରି ଲେଖାରେ ଅବୈୟକ୍ତିକ ବିଶ୍ଳେଷଣ ଆବେଗମୟ ନିବେଦନ ସହ ଏକ ଆଦର୍ଶ ପ୍ରତିଷ୍ଠା ପାଇଁ ଏକ ଉତ୍ତରିତ ସ୍ୱରର ସୂଚନା ମିଳିଥାଏ । ସାଂପ୍ରତିକ ସମାଜର ବିଶ୍ଲେଷଣରେ ମୁଖ୍ୟତଃ ଦୁଇଟି ଦିଗ । ପ୍ରଥମତଃ ସମାଜର ଅର୍ଥନୈତିକ ବିଚାର; ଦ୍ୱିତୀୟତଃ କୁସଂସ୍କାର ବିରୁଦ୍ଧରେ ବିପ୍ଳବର ସ୍ୱର ।

 

ଗୋପବନ୍ଧୁଙ୍କ ସାଂପ୍ରତିକ ସମାଜ ନାନା କୁସଂସ୍କାରର ଆବର୍ଜନରେ ପରିପୂର୍ଣ୍ଣ ହୋଇ ରହିଥିଲା । ଗୋଟିଏ ଦିଗରେ ଅଜ୍ଞତା ଏବଂ ଅନ୍ୟ ଦିଗରେ ଆଧୁନିକ ଇଂରାଜୀ ଶିକ୍ଷାର ଅନ୍ଧ ଅହଂକାର । ଏକ ଦିଗରେ ଆଧୁନିକତାର ତଥାକଥିତ ପ୍ରଗତି, ଅନ୍ୟଦିଗରେ ଅନ୍ଧ ବିଶ୍ୱାସ, ଜାତିଭେଦ, ନିଶା-ସେବନ ଆଦି ମନ୍ଦ ଅଭ୍ୟାସରେ ସମାଜ ଅଣନିଶ୍ୱାସୀ ହୋଇ ପଡ଼ିଥିଲା । ସେତେବେଳେ ସମାଜର ଗୋଟିଏ, ବଡ଼ ବ୍ୟାଧି ଥିଲା ଯୌତୁକ ପ୍ରଥା । ଏହା ତଥାକଥିତ ‘ନବ ସଭ୍ୟତା’ର ‘ନବତମ’ ଅଭିଶାପ ହିସାବରେ ଗୋପବନ୍ଧୁଙ୍କ ପାଖରେ ଦେଖା ଦେଇଥିଲା । ଏହା ମଣିଷକୁ କେମିତି ଛୋଟ କରିଦିଏ- ଅର୍ଥ, ଯଶ, ଖ୍ୟାତି, ପ୍ରତିଷ୍ଠା ସବୁ କିପରି, ତା’ର ବର୍ଣ୍ଣନା କରିଛନ୍ତି । ଏସବୁ କୁଶିକ୍ଷାର ପ୍ରଭାବ । ଗୋପବନ୍ଧୁଙ୍କ ପାଖରେ ଆଧୁନିକ ଶିକ୍ଷା କେବଳ ‘ଏକ ଲାଭଜନକ ବ୍ୟବସାୟ’ ଏବଂ ଆଧୁନିକ ଶିକ୍ଷିତ ଯୁବକଙ୍କୁ ଆଜି ଘାରିଛି ଅର୍ଥ-ପିପାସା । ସେ ଆଦରି ନେଇଛି ‘‘ନାନାବିଧ ଦାସତ୍ୱର ସୁଖ ଶୈଥିଲ୍ୟର ସମ୍ଭୋଗ’’; ତେଣୁ ‘‘ବିବାହ ବିପଣୀରେ ଆତ୍ମବିକ୍ରୟ କରି ବିଭବଶାଳୀ କ୍ରେତାଙ୍କ ପାଖରେ ସେ ଦାସତ୍ୱ ସ୍ୱୀକାର କରିବାକୁ ପ୍ରସ୍ତୁତ ।’’ ତେଣୁ ଗୋପବନ୍ଧୁ ଶାଣିତ ଭାଷାରେ ଏ ସମସ୍ୟା ପଛରେ ଶିକ୍ଷିତ ଯୁବକଙ୍କ ମାନସିକ ଦୃଷ୍ଟିଭଙ୍ଗୀଟିକୁ ବିଶ୍ଳେଷଣ କରି ଏହା କିପରି ମାନବିକତାର ବିରୋଧୀ, ତାହା ଦେଖାଇବା ସଙ୍ଗେ ସଙ୍ଗେ ଏ ପ୍ରଥାର ଶିକାର ହେଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇଅଛନ୍ତି । ଏହି ପରିପ୍ରେକ୍ଷୀରେ ମଣିଷପଣିଆର ପ୍ରତିଷ୍ଠା କରିବାକୁ ଯାଇ ସେ କହିଛନ୍ତି- ‘‘ମହତ୍ୱ ଅର୍ଜନ କର, ସଂରକ୍ଷଣ କର, ମହତ୍ତ୍ୱ ସର୍ବୋପରି । ମହତ୍ତ୍ୱ ଉପାର୍ଜନ ଓ ସଂରକ୍ଷଣ ନିମନ୍ତେ ଏ ସମସ୍ତ ଯଦି ତ୍ୟାଗ କରିବା ପ୍ରୟୋଜନ ହୁଏ ତାହାହେଲେ ସେସବୁ ଅକାତରେ ତ୍ୟାଗ କରିବା ଉଚିତ ଏବଂ ମହତ୍ତ୍ୱ ନିମନ୍ତେ ଏ ସକଳ ତ୍ୟାଗ କରିବା ହିଁ ମନୁଷ୍ୟର ମହତ୍ତ୍ୱର ପରିଚୟ ।’’ (ରଚନାବଳୀ ୭ମ ଖଣ୍ଡ ପୃଷ୍ଠା-୧୪୮) ଏହିପରି ସମାଜକୁ ଅସ୍ପୃଶ୍ୟତା, ବିଧବା ବିବାହ ପୁଣି ନିଶା ଦ୍ରବ୍ୟ ସେବନ ଆଦି ସମସ୍ୟା ଗୁଡ଼ିକର ସେ ବିଚାର କରିଛନ୍ତି । ନିଶା କିପରି ସମାଜକୁ ଧ୍ୱଂସ କରି ଦେଉଛି ଏବଂ ସରକାର କିପରି ପରୋକ୍ଷଭାବେ ଏହାକୁ ଉତ୍ସାହିତ କରି ଭାରତୀୟ ଜୀବନ ଓ ଭବିଷ୍ୟତ ବିନିମୟରେ ଲାଭ ଉଠାଉଛନ୍ତି, ତାର ଏକ ଆଲୋଚନା ‘‘ନିଶାରୁ ଦୁର୍ଦ୍ଦଶା’’ ଶୀର୍ଷକ ଲେଖାରୁ ପାଇଥାଉଁ ।

 

ଉପରୋକ୍ତ ଆଲୋଚନାରେ ସମସ୍ୟାର ବିଶ୍ଲେଷଣ, ସମାଲୋଚନା ଏବଂ ଶେଷରେ ଉପଦେଶ ରହିଛି । ଜୀବନର କ୍ଷୁଦ୍ରତାଠାରୁ ଊର୍ଦ୍ଧକୁ ଉଠି ଏକ ମୂଲ୍ୟବୋଧ ପ୍ରତିଷ୍ଠା କରିବା ପାଇଁ ଆହ୍ୱାନ ରହିଛି ଏବଂ ଶେଷରେ ସାମାଜିକ ସ୍ତରରେ ଏ ପ୍ରକାର ବ୍ୟାଧିକୁ କିପରି ଲୋପ କରାଯାଇ ପାରିବ, ତାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଗୁଡ଼ିକର ଭାଷା ସରଳ ହେଲେହେଁ ଗମ୍ଭୀର । ଧାଡ଼ିଗୁଡ଼ିକ ପଛରେ ଏକ ସଚେତନ ସମାଜସେବୀର ସମ୍ୱେଦନଶୀଳତା ଖାଲି ନାହିଁ, ଅଛି ଏକ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ।

 

ଠିକ୍‌ ଏହପରି ଦୃଷ୍ଟିଭଙ୍ଗୀ ଆମେ ପାଉଁ ତାଙ୍କ ଅର୍ଥନୈତିକ ବିଚାରରେ । ସମାଜର ଅର୍ଥନୈତିକ ବିକାଶ ସକାଶେ ସେ ସମବାୟ ଋଣ ସମିତି, ଖଦଡ଼ର ବ୍ୟବହାର ବିଦେଶୀ ବର୍ଜନ ଗୋ-ସମ୍ପଦ ବୃଦ୍ଧି, ପୁଣି ଲୁଣ ମାରିବାର ସ୍ୱାଧୀନତା ଆଦି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି-। ଏହି ପରିପ୍ରେକ୍ଷୀରେ ଭାରତର କୃଷିଭିତ୍ତକ ଅର୍ଥନୀତି କିପରି ଯତ୍ନଶିଳ୍ପଦ୍ୱାରା ନଷ୍ଟ ହୋଇଯିବ ଏବଂ ଆମର ସମାଜ ପରାଶ୍ରୟୀ ହୋଇ ପଙ୍ଗୁ ପାଲିଟିଯିବ-ଏ ବିଷୟ ସେ ବାରମ୍ୱାର ଚେତାଇ ଦେଇଛନ୍ତି । ଏ କ୍ଷେତ୍ରରେ ସେ ଗାନ୍ଧିବାଦ ଦ୍ୱାରା ପ୍ରଭାବିତ ଏବଂ ଅରଟ ପ୍ରଚଳନର ପକ୍ଷପାତୀ । କଳ କାରଖାନା ବିରୁଦ୍ଧରେ ସେ ଲେଖିଛନ୍ତି- ‘‘କ୍ରମେ କ୍ରମେ ଏହିପରି ଆମ୍ଭେମାନେ କଳାକାରଖାନା ଉପରେ ନିର୍ଭର କଲେ କୁଢ଼ି ହୋଇ ବସିବା । ହାତଗୋଡ଼ ଚଳାଇବା ଦରକାର ହେବନାହିଁ । ଶେଷକୁ କଳାକାରଖାନା ଆସ୍ତେ ଆସ୍ତେ ଆମ୍ଭମାନଙ୍କ ରକ୍ତ, ରସ ସବୁ ଏପରି ଶୋଷି ନେବେ ଯେ ଅନ୍ନବିହୁନରେ ହାତଗୋଡ଼ ମଧ୍ୟ ଆପେ ଆପେ ଥକି ପଡ଼ିବ ।’’

(୭ମ ଖଣ୍ଡ, ପୃ-୮୨)

 

ଯତ୍ନଶିଳ୍ପର ସର୍ବଗ୍ରାସୀ ଅଭିଯାନ ବିରୁଦ୍ଧରେ ସ୍ୱର ତୋଳିବା ତାଙ୍କ ଅର୍ଥନୀତିର ମୂଳମନ୍ତ୍ର । ସେ ଚାହିଁଥିଲେ ମଣିଷ ନିଜ ଗୋଡ଼ରେ ଠିଆହୋଇ ଆତ୍ମନିର୍ଭରଶୀଳ ହେଉ । ତେବେ ଯାଇ ସେ ମଣିଷଭାବରେ ନିଜର ଦାବୀ ହାସଲ କରିପାରିବ । ଏସବୁ ଲେଖା ଯୁକ୍ତିପ୍ରଧାନ, ଆବେଗଠାରୁ ଦୂରରେ ରହି ସତ୍ୟ ଉପରେ ଆଧାରିତ, ମାତ୍ର ଭାଷା ସରଳ ଏବଂ ଢଗ ଢମାଳି କବିତା ଉଦ୍ଧୃତି ସାହାଯ୍ୟରେ ସାଧରଣ ମନରେ ରେଖାପାତ କରିବାରେ ଶକ୍ତି ପ୍ରଚୁର । ଉଦାହରଣ ସ୍ୱରୂପ ‘‘ମାତ୍ର ଆଜିକାଲି ଗାଁ ଲୋକଙ୍କ ମଧ୍ୟରେ ପରସ୍ପରର ବିବାଦ; ଏକାଠେଇଁ ମିଳିମିଶି କାର୍ଯ୍ୟ କରିବାର ସେତେ ଦେଖାଯାଏ ନାହଁ; କାହାରି ଶ୍ରୀ କେହି ଦେଖି ପାରୁନାହିଁ ।’’      

 

‘‘ଆପଣା ଦୋଷେ ପ୍ରାଣୀ ମରେ

ବ୍ୟାଧି ଯେସନେ କଳେବରେ ।’’

(୭ମ ଖଣ୍ଡ, ପୃ-୩୪)

କିମ୍ବା ‘‘ଯେଉଁ ମାନେ ଗରିବ ବୋଲି କହି ଶସ୍ତା ବିଦେଶୀ ଲୁଗା କିଣିବାଦ୍ୱାରା ଆପଣାର ଲାଭ କରୁଛନ୍ତି ବୋଲି ବିଚାରୁଛନ୍ତି, ସେମାନେ ନିଜ ହାତରେ ନଜ ଜିଭ କାଟୁଛନ୍ତି । ଜାଣି ପାରୁନାହାନ୍ତି-

 

‘‘ଆପଣ ହସ୍ତ ଜିହ୍ୱା ଛେଦି

କେ ତାର ଅଛି ପ୍ରତିବାଦୀ’’

(୭ମ ଖଣ୍ଡ, ପୃ-୬୯)

 

ଏହି ନୀତି ଏବଂ ଏହ ଭାଷା ଭାରତୀୟ ପ୍ରାଣତନ୍ତ୍ରୀକୁ ଛୁଇଁ ପାରୁଥିଲା । ଏଥିରେ ପାଶ୍ଚାତ୍ୟର ଅନ୍ଧ ଅନୁକରଣ ନାହିଁ, ଅଛି ନିଜ ସାମର୍ଥ୍ୟକୁ ବୁଝି ତାର ପ୍ରକୃତ ବିନିଯୋଗ କରିବାର ଆହ୍ୱାନ ।

 

ତାଙ୍କ ଅର୍ଥନୀତି, ରାଜନୀତି ସବୁଥିରେ ଗୋଟିଏ ଆଦର୍ଶର ସ୍ପଷ୍ଟ ଛାପ ଦେଖିବାକୁ ମିଳେ-। ସେ ଆଦର୍ଶ ହେଉଛି ମଣିଷକୁ ମଣିଷ ଭାବେ ବିଚାର କରିବା; ବ୍ୟକ୍ତିର ସମସ୍ତ ସମ୍ମାନ ସହ ଏ ପୃଥିବୀରେ ବଞ୍ଚିବାର ଅଧିକାର ଲାଭ କରିବା । ଏହି ପରିପ୍ରେକ୍ଷୀରେ ତାଙ୍କର ଭାରତୀୟ କଂଗ୍ରେସରେ ଯୋଗଦାନ, ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପାଇଁ ଆନ୍ଦୋଳନ । କାରଣ ଏହି ଆନ୍ଦୋଳନ ପଛରେ ରାଜନୈତିକ ସ୍ୱାଧୀନତା ସହ ଥିଲା ଏହି ବ୍ୟକ୍ତି ବିଶେଷର ସମ୍ମାନ ପ୍ରତି ଦାବୀ । କାରଣ ବ୍ୟକ୍ତି, ତା’ର ସସମ୍ମାନ ସ୍ଥିତି ହିଁ ସବୁ ପ୍ରକାର ସ୍ୱାଧୀନତର ନିର୍ଯ୍ୟାସ । ତେଣୁ ଏହି ମହତ୍ତର ଆଦର୍ଶକୁ ଲାଭ କରିବା ପାଇଁ ସେ ମହାତ୍ମା ଗାନ୍ଧିଙ୍କ ପଦାଙ୍କ ଅନୁସରଣ କରିଥିଲେ । ସ୍ୱାଧୀନତା ଆନ୍ଦୋଳନ, ଅର୍ଥନୈତିକ ସାଂସ୍କୃତିକ ସ୍ୱାଧୀନତା ପାଇଁ ସେ ନିଜକୁ ଜଳାଞ୍ଜଳି ଦେଇଥିଲେ । କାରଣ ସେ ଅନୁଭବ କରିଥିଲେ ଏହାରି ଜରିଆରେ ହିଁ ବ୍ୟକ୍ତିର ସମ୍ମାନକୁ ରକ୍ଷା କରାଯାଇ ପାରେ । ତେଣୁ ବୃହତ୍ତର ପରିପ୍ରେକ୍ଷୀରେ ଏ ଆନ୍ଦୋଳନ ଏକ ମାଧ୍ୟମ । ଏବଂ ଏହି ଉଦ୍ଦେଶ୍ୟ ନେଇ ସେ ସତ୍ୟବାଦୀରେ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ଉଦ୍ଦେଶ୍ୟ, ଶିକ୍ଷା ବିସ୍ତାର ସଙ୍ଗେ ସଙ୍ଗେ ଭଲ ମଣିଷ ଗଢ଼ିବା ।’ କାରଣ ମଣିଷ, ମଣିଷ ପରି ବଞ୍ଚି ପାରିବନି, ଯଦି ସେ ରାଜନୈତିକ ଓ ଅର୍ଥନୈତିକ-ସ୍ୱାଧୀନତା ଲାଭ ନ କରିଛି । ପୁଣି ଯେପର୍ଯ୍ୟନ୍ତ ମଣିଷ ଏ ସ୍ୱାଧୀନତା ବିଷୟରେ ସଚେତନ ହୋଇ ନାହିଁ । ସେତେଦିନ ପର୍ଯ୍ୟନ୍ତ ସେ ସ୍ୱାଧୀନତା ପାଇବାରୁ ବାରମ୍ବାର ବଞ୍ଚିତ ହେଉଥିବ । ତେଣୁ ସେ କିରାଣୀଗଢ଼ା ଶିକ୍ଷା ପରିବର୍ତ୍ତେ ପ୍ରକୃତ ଶିକ୍ଷା ପ୍ରଚଳନ କରିଥିଲେ; ଯେଉଁ ଶିକ୍ଷା ଦ୍ୱାରା ମଣିଷ ନିଜ ଗୋଡ଼େ ଛିଡ଼ା ହୋଇ ପାରିବ; ନିଜକୁ ଉପଲବ୍‌ଧ କରି ନିଜର କ୍ଷୁଦ୍ରତାକୁ ଟପି ବୃହତ୍ତର ସହ ସାମିଲ ହୋଇ ପାରିବ । ତେଣୁ ଏ ଶିକ୍ଷା ପଦ୍ଧତି ଉଭୟ ବାସ୍ତବ ପୁଣି ଆଦର୍ଶ । ତାଙ୍କ ପାଖରେ ପ୍ରକୃତ ଶିକ୍ଷା ସାକ୍ଷରତା ନୁହେଁ ଯଦିଓ ସେତେବେଳେ ଏହାର ପ୍ରୟୋଜନୀୟତା ଥିଲା ଖୁ‌ବ୍‌ ବେଶୀ । ମାତ୍ର ବନ ବିଦ୍ୟାଳୟର ଉଦ୍ଦେଶ୍ୟ ଥିଲା, ମଣିଷ ଗଢ଼ିବା ଏକ ଚରିତ୍ରବାନ ମଣିଷ ଗଢ଼ିବା । ତେଣୁ ସେ କହିଥିଲେ - ‘‘କେବଳ ବିଜ୍ଞାନ ଦର୍ଶନ ପଢ଼ି କେତେ ଗୁଡ଼ିଏ ପ୍ରାକୃତିକ ବା ଆଧ୍ୟାତ୍ମିକ ସତ୍ୟ ଜଣିରଖିଲେ ମନୁଷ୍ୟ ପକ୍ଷେ ଯଥେଷ୍ଟ ହେଲାନାହିଁ । କେବଳ ଭାଷା ଶିକ୍ଷା ତ ଶିକ୍ଷା ନୁହେଁ । ଶିକ୍ଷାର ମୁଖ୍ୟ ଲକ୍ଷ୍ୟ ଜୀବନ ସୁଗଠନ ଓ ବିକାଶ । ତାହା କେବଳ ତର୍କ, ଯୁକ୍ତି ଶକ୍ତି ବଢ଼ିଲେ ହେଲା ନାହିଁ କିମ୍ବା ଫୁଟ୍‌ବଲ କ୍ରିକେଟ୍‌ରେ ପଟୁତା ଦେଖାଇ ପୁରସ୍କାର ପାଇବାରେ ନାହିଁ । ଏ ସବୁର ଆବଶ୍ୟକତା ଅବଶ୍ୟ ଅସ୍ୱୀକାର କରାଯାଇ ନ ପାରେ । କିନ୍ତୁ ନୈତିକ ଜୀବନର ବିକାଶରେ ହିଁ ମାନବର ପ୍ରକୃତ ମାନବତ୍ୱ ।’’

(ରଚନାବଳୀ ୧ମ ଖଣ୍ଡ-ପୃ-୪୩)

 

ତେଣୁ ଏହି ମାନବତ୍ୱର ବିକାଶ ହିଁ ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ । ତାଙ୍କ ଭାଷାରେ ‘‘ପ୍ରକୃତ ନୀତିଶିକ୍ଷାର ପନ୍ଥା ଲୋକସେବା । ଲୋକ ସେବା ଅଭ୍ୟାସ କରିବାରେ ଜୀବନର ପ୍ରକୃତ ତତ୍ତ୍ୱ ଅନୁଭବରେ ଶିକ୍ଷା ହୁଏ ।’’ କାରଣ ‘‘ମାନବ ସାଧରଣର ସମ୍ପର୍କରେ ଆସି ସେମାନଙ୍କର ଅଭାବ, ଆକାଙ୍‌କ୍ଷା, ରୋଗ, ଦୁଃଖ, ଭାବ, ବିକାର ପ୍ରଭୃତି ଅନୁଭବରେ ନ ଆଣିଲେ ଜୀବନର ସତ୍ୟ ଶିଖିବା ଅସମ୍ଭବ । ମାନବକୁ ସ୍ନେହ କରି ନଶିଖିଲେ, ମାନବ ପ୍ରତି ପ୍ରାଣରେ ସହାନୁଭୂତି ନ ଆସିଲେ, ଜୀବନର ବିକାଶ ହେବନାହିଁ ।’’

(ରଚନାବଳୀ ୧ମ ଖଣ୍ଡ-ପୃ-୪୪)

 

ଏହାହିଁ ପ୍ରକୃତ ଶିକ୍ଷା । ଏହା ଜୀବନ ସହ ନିବିଡ଼ କରେ । ମଣିଷକୁ ଭଲ ପାଇବାକୁ ଶିଖାଏ । ଏବଂ ଏହାରି ଜରିଆରେ ମଣିଷ ଦେବତ୍ୱ ଆଡ଼କୁ ପ୍ରସାରିତ ହୁଏ । ତେଣୁ ସେ କହିଛନ୍ତି- ‘‘ମନେରଖ ଚରିତ୍ର ହିଁ ଏ ସମସ୍ତର ପୀଠ । ତେଣୁ ଚରିତ୍ର ହିଁ ମାନବର ସର୍ବସ୍ୱ, ମାନବର ମାନବତ୍ୱ ଓ ଦେବତ୍ୱ । ଏହି ଚରିତ୍ର ହିଁ ମାନବର ସମ୍ବଳ ଓ ପରମ ବଳ ।’’

(ରଚନାବଳୀ ୧ମ ଖଣ୍ଡ-ପୃ-୧୦୪)

 

ଏ ଲେଖାଗୁଡ଼ିକରେ ଆମେ ଗୋପବନ୍ଧୁଙ୍କୁ ଏକ ଆଦର୍ଶ ଶିକ୍ଷକ ଭାବେ ଦେଖିବାକୁ ପାଉଁ-। ନୀତିଶିକ୍ଷା ଦେଇ ସେ ବାଳକମାନଙ୍କ ମନକୁ ଠିକ୍‌ ରାସ୍ତାରେ ଚାଳିତ କରିବାର ପ୍ରୟାସ । କାରଣ ସେହିମାନେ ହିଁ ତାଙ୍କ ସ୍ୱପ୍ନର ସମ୍ଭାବନା, ସେମାନଙ୍କ ବିନା ସ୍ୱରାଜ୍ୟ ଅସମ୍ଭବ । ତେଣୁ ତାଙ୍କ ସତ୍ୟବାଦୀର ବନବିଦ୍ୟାଳୟ ଏହି ଆଦର୍ଶର ଏକ ପ୍ରକାଶ । ଏହା ତାଙ୍କ ଜୀବନର ସ୍ୱପ୍ନର ଗୋଟିଏ ଦିଗ । ତାଙ୍କର ଆଉ ଗୋଟିଏ ଦିଗର ପରିଚୟ ମିଳେ ତାଙ୍କ ରାଜନୈତିକ ଜୀବନରୁ । ରାଜନୀତିରେ ସେ ବିଭନ୍ନ ଭୂମିକାରେ ଅଂଶଗ୍ରହଣ କରିଛନ୍ତି । ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଛନ୍ତି । ଓଡ଼ିଶା ସହ ସହ ବିଚ୍ଛିନ୍ନାଞ୍ଚଳ ମିଶ୍ରଣର ସ୍ୱପ୍ନ ଦେଖିଛନ୍ତି । ଓଡ଼ିଆ ସଂସ୍କୃତି ଓ ଭାଷାକୁ ସୀମାଞ୍ଚଳରେ ବଞ୍ଚାଇରଖିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ପୁଣି ଦେଶ ପାଇଁ, ନିରନ୍ନ ଗ୍ରାମବାସୀଙ୍କ ମୁହଁରେ ମୁଠାଏ ଭାତ ପାଇଁ ଲାଟ୍‌-ସଭାରେ ଅଶ୍ରୁଳ ଭାଷଣ ଦେଇଛନ୍ତି । ଏ ସମସ୍ତ ତାଙ୍କର ସେହି ମୂଳ ଉଦ୍ଦେଶ୍ୟ କେନ୍ଦ୍ରକରି । ମଣିଷକୁ ମଣିଷ ପରି ବଞ୍ଚିରହିବାର ଅଧିକାର-ଏହା ଏକ ବୃହତ୍‌ ମାନବିକତା । ସେ ବୁଝିଛନ୍ତି ଏହି ମାନବିକତା ସ୍ୱାର୍ଥର ଚାପରେ ନିଷ୍ପେଷିତ; ତେଣୁ ତାଙ୍କର ସଂଗ୍ରାମ । ପୂର୍ଣ୍ଣାଙ୍ଗ ଉତ୍କଳ ଏହି ବୃହତ୍ତର ସଂଗ୍ରାମର ଏକ ଅଂଶ । ବିକଳାଙ୍ଗ ଉତ୍କଳ ବିକଟ ସ୍ୱାର୍ଥର ପରିଣତି । ରାଜନୀତିର କପଟପାଶାରେ ଗୋଟାଏ ଜାତି ମୃଢ଼ପ୍ରାୟ । ତା’ର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ସବୁ ଅନ୍ଧକାରାଚ୍ଛନ୍ନ । ତେଣୁ ଏ ସମସ୍ୟା ତାଙ୍କ ପାଖରେ ଏତେ ବଡ଼ । ଏ ସମସ୍ୟା ସହିତ ଜଡ଼ିତ ଥିଲା ଗୋଟିଏ ଜାତିର ପ୍ରାଣ-ସ୍ପନ୍ଦନ । ଜଣେ ଖାଣ୍ଟି ଓଡ଼ିଆ ହିସାବରେ ସେ ସ୍ପନ୍ଦନ ଅନୁଭବ କରିଥିଲେ ଏବଂ ନିଜକୁ ସମ୍ପୂର୍ଣ୍ଣ ରୂପେ ଏଥିପାଇଁ ବିସର୍ଜନ କରିଥିଲେ । ତାଙ୍କର ଅନେକ ଲେଖା ଏହି ଜାତୀୟତାବୋଧର ଝଙ୍କାର । ଏ ଲେଖାରେ ଆବେଗ ଓ ବିଚାରର ମିଳନ ଘଟିଥିଲା । ସେ ଆବେଗ-ଦଗ୍‌ଧ ଭାଷାରେ ଏ ଜାତିକୁ ଆହ୍ୱାନ ଦେଇଥିଲେ ତା’ର ଅତୀତକୁ ସ୍ମରଣ କରାଇ ତାଙ୍କ ପ୍ରାଣରେ ହୃତ୍‌-ଶକ୍ତିକୁ ଉଜ୍ଜୀବତ କରିବାର ଚେଷ୍ଟା କରିଥିଲେ । ଅନ୍ୟ ଦିଗରେ ବିଦେଶରେ ଓଡ଼ିଆଙ୍କ ଦୁଃଖ ଦୁର୍ଦ୍ଦଶାର ବାସ୍ତବ ଛବି ଆଙ୍କି ତା’ର ପ୍ରତିକାରର ଯୁକ୍ତିଯୁକ୍ତ ଉପାୟ ସ୍ଥିର କରୁଥିଲେ । ସେ ଲେଖିଥିଲେ- ‘‘ଆମ୍ଭମାନଙ୍କ ପରାମର୍ଶ ଯେ ଓଡ଼ିଆ ଜାତୀୟ ସଂଘ ଗଢ଼ାଯାଉ, ସଂଘର କାର୍ଯ୍ୟ ପ୍ରସାର ଲାଗି ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳ କେନ୍ଦ୍ରସ୍ଥାନମାନଙ୍କରେ ଶାଖାରହୁ, ଓଡ଼ିଆ ଦେଶରେ ସର୍ବତ୍ର ଓଡ଼ିଆ ଜାତୀୟ ଭାବ ପ୍ରସାରର ଆୟୋଜନ ହେଉ, ସଂଘର ଶକ୍ତି ଓ ଦୃଢ଼ତା ଲାଗି ଧନୀ ଧନ ଦେଉ ପାଠୁଆମାନେ ଆପଣାର ବିଦ୍ୟାବୁଦ୍ଧି ଖଟାନ୍ତୁ, ଜାତୀୟ ଭାବ ପ୍ରଚାରି ଲାଗି କର୍ମୀ ନିଯୁକ୍ତ ହୁଅନ୍ତୁ, ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳରେ ଓଡ଼ିଆ ସ୍କୁଲ ବସୁ, ଓଡ଼ିଆ ଖବରକାଗଜ ହେଉ, ଓଡ଼ିଆମାନେ କ୍ରମାଗତ ନାନା ବିଷୟରେ ରଡ଼ି କରି ଲଗାନ୍ତୁ । ଦେଖିବ ଦେଶ-ମିଶ୍ରଣର ଦିନ ନିକଟବର୍ତ୍ତୀ ହେବ । ଦେଶ-ମିଶ୍ରଣ ଲାଗି ସରକାର ଯେବେ ନୂଆ ଯୁକ୍ତି ଚାହେଁ ଏହି ଆନ୍ଦୋଳନ ସେ ଯୁକ୍ତି ହେବ । କଥାରୁ କାର୍ଯ୍ୟକୁ ଆସ, ଲାଟ୍‌ ମୁହଁକୁ ନ ଚାହିଁ ଲୋକଙ୍କ ମୁହଁଙ୍କ ମୁହଁକୁ ଚାହିଁ କାଉନ୍‌ସିଲ୍‌ ଉପରେ ନିର୍ଭର ନ କରି ଦେଶ ଉପରେ ନିର୍ଭର କର । ସିଦ୍ଧି ସୁନଶ୍ଚିତ ।’’

(ରଚନାବଳୀ ୩ୟ ଖଣ୍ଡ-ପୃ ୨୭)

ଏହି ଗଦ୍ୟାଂଶଟିରେ ଗୋପବନ୍ଧୁଙ୍କର ବାସ୍ତବୋଧ, ଓଡ଼ିଆ ଜାତିର ଏକତ୍ରିକରଣ ପାଇଁ ବ୍ୟାକୁଳତା ସୁନ୍ଦର ଭାବେ ପ୍ରକାଶ ପାଇଛି । କ୍ଷୁଦ୍ର କ୍ଷୁଦ୍ର ଅଂଶବିଶିଷ୍ଟ ଏହି ଦୀର୍ଘ ବାକ୍ୟଟି ତାଙ୍କର ବ୍ୟାକୁଳତା ସହ ନିଜ ଯୁକ୍ତିରେ ବିଶ୍ୱାସର ସୂଚନା ଦିଏ । ଏ ଶୈଳୀରେ କେମିତି ଏକପ୍ରକାର ଗତି ଅଛି, କର୍ମ-ଚଞ୍ଚଳତା ଅଛି । ଯେଉଁ ଚଞ୍ଚଳତା, ଯେଉଁ ଶକ୍ତି ତାଙ୍କର ବିଶ୍ୱାସ ‘କଥାରୁ କାର୍ଯ୍ୟକୁ ଆସ’କୁ ପାଠକ ପ୍ରାଣରେ ଖୋଦିତ କରି ପାରୁଛି ତାଙ୍କ ଗଦ୍ୟର ଏହାହିଁ ବିଶେଷତ୍ୱ । ସେ କର୍ମର, ସଂଗ୍ରାମର ପ୍ରତୀକ । ତାଙ୍କ ଭାଷା, ଶୈଳୀ ତା’ର ସୂଚକ -ଗୋପବନ୍ଧୁଙ୍କ ପରି ସରଳ, ଉଦାର, ନିର୍ଭୀକ ଅଥଚ କେତେ ଶକ୍ତିଶାଳୀ । ଦାବାନଳ ପରି ଅତି ସହଜରେ ମନରୁ ମନକୁ ସଞ୍ଚରିଯାଏ । ଉଦାସୀନତା, ଭୀରୁତାକୁ ଜାଳି ପୋଡ଼ି ପାଉଁଶ କରିଦିଏ । ପୁଣି କେତେବେଳେ ତାଙ୍କରି ଆଖିର ଲୁହ ପରି, ମୁହଁର ସରଳତା ପରି ସୁପ୍ତ-ପ୍ରାଣରେ କମ୍ପନ ଆଣିଦିଏ ।

 

ବିଭିନ୍ନ ପରିପ୍ରେକ୍ଷୀରେ ଦେଶମିଶ୍ରଣ ପାଇଁ ତାଙ୍କର ସ୍ୱର ଭିନ୍ନ ହେବାର ଦେଖାଦିଏ । କେତେବେଳେ ତାଙ୍କ ଲେଖାରେ ସମାଲୋଚନାପୂର୍ଣ୍ଣ ବ୍ୟଙ୍ଗୋକ୍ତି ମଧ୍ୟ ଦେଖିବାକୁ ମିଳିଥାଏ । କେତେବେଳେ ଏହା ରାଜନୀତିର କପଟତା ପ୍ରତି ଉଦ୍ଦିଷ୍ଟ । ଯଥା- ‘‘ଓଡ଼ିଆମାନଙ୍କ ସଙ୍ଗେ ସହାନୁଭୂତି ଦେଖାଇ ତୈଲଙ୍ଗ ପ୍ରଭୃତି ଅନ୍ୟାନ୍ୟମାଙ୍କୁ ତିଆରି ଉପଦେଶ ଦେଲାବେଳକୁ ଠିକ୍‌ । ମାତ୍ର ବଙ୍ଗଳା ଓଡ଼ିଶା ମଧ୍ୟରେ ଟଣାଟଣି ପଡ଼ଲା ବେଳକୁ ଆମ ନିରପେକ୍ଷ ବଙ୍ଗାଳୀ ଭାଇମାନେ ଠିକ୍‌ରହିପାରୁ ନାହାନ୍ତି । ସ୍ୱାର୍ଥ ସବୁବେଳେ ମନୁଷ୍ୟକୁ ନିପେକ୍ଷ କରି ରଖି ଦେଉନାହିଁ ।’’

(ରଚନାବଳୀ ୩ୟ ଖଣ୍ଡ-ପୃ-୨୮୦)

 

ଏହି ଲେଖାଗୁଡ଼ିକର ସ୍ୱର ଅନେକ ସମୟରେ ଉପଦେଶାତ୍ମକ ହୋଇପଡ଼େ । ଗୋପବନ୍ଧୁଙ୍କ ଭିତରେ ଲୁଚିରହିଥିବା ଶିକ୍ଷକ ବାହାରକୁ ଫୁଟିଉଠେ । ଶକ୍ତି ଓ ସାହସିକତାର ଉପଯୋଗିତା ସମ୍ପର୍କରେ କହିବାକୁ ଯାଇ ସେ କହିଛନ୍ତି- ‘‘ପୂର୍ବେ ଓଡ଼ିଶାର ରାଜ ଜମିଦାରଙ୍କ ମଧ୍ୟରୁ କେହି କେହି ନିଜ ଢଙ୍ଗରେ ଲୋକଙ୍କୁ ଡରାଉଥିଲେ । ଏବେ ସରକାରଠାରୁ ଡରାଇବାର ଧାରାବାହିକ ନୂତନ ରୀତି ସେମାନେ ଶିଖିଲେଣି । ସରକାର ନିଜେ ଡରୁଛନ୍ତି ଏବଂ ସରକାର ସାହାଯ୍ୟ ଓ ପ୍ରଶୟ ପାଇଁ ଅନ୍ୟମାନଙ୍କୁ ଅଧିକ ଡରାଉଛନ୍ତି । ଓଡ଼ିଆ ଜାତିର ମଜ୍ଜାରୁ ଏ ବ୍ୟାଧି ନ ମଲେ ଏ ଜାତି ବଞ୍ଚିବ ନାହଁ । ଓଡ଼ିଆ ମାନେ ମନୁଷ୍ୟ ହୋଇରହିବେ ନାହିଁ । ଶିକ୍ଷିତ ଦେଶନାୟକମାନେ, ଯୁବକ-କର୍ମୀମାନେ ଆତ୍ମପରୀକ୍ଷା କରନ୍ତୁ । ନିଜ ହୃଦୟରୁ ଭୟ ଦୂର କରନ୍ତୁ ଏବଂ ‘ମା ଭୈ ମା ଭୈ’ ନାଦରେ ଓଡ଼ିଶାର ଜନସାଧରଣଙ୍କ ପ୍ରାଣେ ନୂତନ ସାହସ ଓ ଶକ୍ତି ଜଗାନ୍ତୁ-।’’

(ରଚନାବଳୀ ୩ୟ ଖଣ୍ଡ-ପୃ-୨୮୬)

 

ଏହି ଉପଦେଶ ଛଳରେ ମନରୁ ଭୟକୁ ଦୂର କରିବାକୁ କହିଛନ୍ତି । ଭୟହୀନତା ହିଁ ଜାତୀୟତାବୋଧ ଜାଗରିତ କରିବାର ପ୍ରଥମ ସୋପାନ । ଏଥିପାଇଁ ପ୍ରୟୋଜନ ଶିକ୍ଷା, ନିଃସ୍ୱାର୍ଥପରତା । ଏହିସବୁ ପାଇଁ ଗୋପବନ୍ଧୁ ସାରା ଜୀବନ କଟାଇଥିଲେ । ସେ ତାଙ୍କ କର୍ମମୟ ଜୀବନରେ ଏହିସବୁ ଗୁଣକୁ ଜାତୀୟ ପ୍ରାଣରେ ଜଗାଇବାର ଆପ୍ରାଣ ଚେଷ୍ଟା କରିଥିଲେ । ଏହି ଆନ୍ତରିକତାର ସ୍ୱର ତାଙ୍କ ଗଦ୍ୟରେ ଝଙ୍କୃତ । ଯଥା ...‘‘ଓଡ଼ିଆମାନଙ୍କ ପ୍ରାଣରେ ଜାତୀୟଭାବ ହିଁ ଏକମାତ୍ର କାର୍ଯ୍ୟ । ଓଡ଼ିଆର ଜାତୀୟ ଭାବ ଜାଗିଲେ ଓଡ଼ିଆ ନିଜ ଆକାଂକ୍ଷାର ଏପରି ପ୍ରମାଣ ଓ ପରିଚୟ ଦେବା କୌଣସି ସରକାରର ସନ୍ଦେହ ରହିବ ନାହିଁ । ଜାତୀୟ ବଳରେ ବଳୀୟାନ ହେଲେ ଓଡ଼ିଆ ଯେଉଁଠାରେ ଥିଲେ ସୁଦ୍ଧା ଆପଣାକୁ ନିଃସହାୟ ଓ ଦୁର୍ବଳ ମନେ କରିବ ନାହିଁ । ତେଣିକି ତା’ର ସ୍ୱତନ୍ତ୍ର ଶାସନ ହେବା ନହେବା ସମାନ ।

(ରଚନାବଳୀ-୩ୟ ଖଣ୍ଡ, ପୃ-୩୧୮)

 

ରାଜନୈତିକ ବିଚାରର ଅନ୍ୟ ଏକ ଦିଗ ହେଲା ମହାଜାତୀୟ, ଭାରତୀୟ ଭାବ । ଓଡ଼ିଆ ଚେତନାକୁ ଜାତୀୟ-ଚେତନା ସହ ଅଙ୍ଗାଙ୍ଗୀ କରିବା ଏହାର ଉଦ୍ଦେଶ୍ୟ । ଏଥିପାଇଁ ସେ ଭାରତୀୟ କଂଗ୍ରେସ ସହ ଉତ୍କଳ ସମ୍ମିଳନୀର ମିଶ୍ରଣ ଚାହୁଁଥିଲେ । ମହାଭାରତୀୟ ସ୍ରୋତରେ ନିଜକୁ ସାମିଲ୍‌ କରି ଏକ ବୃହତ୍ତର ସହ ଏକ ହେବା ଏବଂ ମିଶ୍ରଣ ମାଧ୍ୟମରେ ହିଁ ନିଜର ସ୍ୱାତନ୍ତ୍ର୍ୟ ଓ ନିଜ ଭିତରର ସୁପ୍ତ ଶକ୍ତିକୁ ଉପଲବଧି କରିବା ତାଙ୍କର ଲକ୍ଷ୍ୟ । ରାଜଭକ୍ତିରେ ସଢ଼ି ଯାଉଥିବା ଓଡ଼ିଆଜାତି ପ୍ରତି ତାଙ୍କର କଟୁକ୍ତି ଏହି ଚେତନାକୁ ଜାଗ୍ରତ କରିବାର ପ୍ରଚେଷ୍ଟା ମାତ୍ର । ସେ ଦେଖିଛନ୍ତି- ‘‘ଜଣେ ବଡ଼ଲାଟ କହିଥିଲେ ପରା ଓଡ଼ିଆଗୁଡ଼ାକ ରାଜଭକ୍ତିରେ ସଢ଼ି ଯାଇଛନ୍ତି । ଯଥାର୍ଥରେ ଭକ୍ତି ଓ କୃତଜ୍ଞତାରେ ଓଡ଼ିଆ ଜାତି ଧୂଳିସାତ ହୋଇଗଲା । ସତେ ମହାପ୍ରଭୁ ଏମାନଙ୍କୁ ଧୂଳିରୁ ଉଠାଇ ମନୁଷ୍ୟ ପରି ସ୍ୱରାଜ୍ୟ ବଡ଼ଦାଣ୍ଡରେ ଛିଡ଼ା କରାଇବେ ।’’

(ରଚନାବଳୀ ୪ର୍ଥ ଖଣ୍ଡ-୧୩୯)

 

ଏହି ଉକ୍ତିରେ କେବଳ କଟୁ ସମାଲୋଚନା ନାହିଁ, ତା’ର ଉନ୍ନତି ପାଇଁ ବ୍ୟାକୁଳତା ମଧ୍ୟ ଧ୍ୱନିତ ହେଉଅଛି । ଏହା ବୋଧହୁଏ ତାଙ୍କ ଗଦ୍ୟର ମୁଖ୍ୟ ସ୍ୱର । କୃତ୍ରିମତା ବା ଅତିରଞ୍ଜନର ଅଭାବ ତାଙ୍କ ଭାଷାକୁ ସାବଲୀଳା କରିଥାଏ । ଜୀବନ ସହ, ଆଦର୍ଶ ସହ ଗୋପବନ୍ଧୁଙ୍କର ଆତ୍ମିକତାରୁ ଏହାର ଜନ୍ମ ହେଉଥିବାରୁ ଏହା ଏତେ ସରଳ ପୁଣି ପ୍ରାଣ-ସ୍ପର୍ଶୀ । ପୁଣି ଏହା ଯେତେବେଳେ ବ୍ୟଙ୍ଗ ରସାଣିତ ହୁଏ ଏହା ହୋଉଠେ ଅଧିକ ଶାଣିତ । ଯେମିତି- ‘‘ଯଥାର୍ଥ କହିଲେ ଏବେ ସରକାର ଓଡ଼ିଶା ବନ୍ୟା ବା ଦୁର୍ଭିକ୍ଷ ଲାଗି ଯାହା ଟିକିଏ କରୁଛି ତାହା ଖୁସିରେ ନୁହେଁ; କେବଳ ଲୋକମତ ଭୟରେ । ସମସ୍ତେ ନୀରବ ହୁଅନ୍ତୁ । ଲୋକଙ୍କ ପକ୍ଷରୁ ତୁଣ୍ଡମୁଣ୍ଡ ନବାଜୁ, କାଉନସିଲରେ ଆମ ରାଜବଲ୍ଲଭ ମହାପାତ୍ରମାନେ ସରକାର ହୋଇ ମାରିଲା ବେଳକୁ ଫୁଟିକି ମାରିବାକୁ ତିଆରି ରହନ୍ତୁ, ଦେଖିବ, ସରକାର ମଧ୍ୟ ନିଶ୍ଚିନ୍ତ ହୋଇରହିବ । ଅନାହାରରେ ଲୋକ ମରନ୍ତୁ । ଗ୍ରାମ ଜନଶୂନ୍ୟ ହେଉ; ଏ କାନକୁ ସେ କାନ ଜାଣିବ ନାହିଁ, ମହାଘୋର ଶାନ୍ତି ଦେଶରେ ବିରାଜମାନ କରିବ । ଆତ୍ମଶକ୍ତି ଦୃଢ଼ କରି ନ ପାରିଲେ କାହାରିଠାରୁ ଆସ୍ଥା, ଆଦର ଏପରିକି ନ୍ୟାୟ ଏବଂ ଆପଣାର ହକ ମିଳିବ ନାହିଁ । ଲୋକଶକ୍ତି ଏକା ସରକାରକୁ ସାଧ୍ୟ କରେ ଏବଂ ସରକାର ନୀତିକୁ ବଦଳାଇପାରେ ।’’

(ରଚନାବଳୀ, ୪ର୍ଥ-୨୮୨)

 

ଏହି ଗଦ୍ୟାଂଶଟିରେ ମୃଦୁ ବ୍ୟଙ୍ଗ ନିଜ ଭିତରେ ଛପି ରହିଥିବା ଶକ୍ତିପ୍ରତି ସଚେତନ କରାଇବାର ଚେଷ୍ଟା । ଭାଷାର ଗତିରେ ନିର୍ଭୀକତା ସ୍ପଷ୍ଟ । କଂଗ୍ରେସ ବିରୋଧୀ ଶିକ୍ଷିତ ଓଡ଼ିଶାବାସୀଙ୍କ ବିଷୟରେ ସେ କହିଛନ୍ତି ‘‘ଏମାନଙ୍କ ସେପରି ସାଧାରଣ ନିର୍ଦ୍ଦିଷ୍ଟ ନୀତି ବା ପନ୍ଥା ନାହଁ, ସୁତରାଂ ଏମାନେ ଦଳବଦ୍ଧ ନୁହନ୍ତି । ଏମାନଙ୍କ ମଧ୍ୟରେ କାହାରି କାହାରି ପ୍ରକୃତ ଦେଶାନୁରାଗ ନାହିଁ ବୋଲି କୁହାଯାଇ ନପାରେ । ମାତ୍ର ଏମାନଙ୍କର ଦୃଷ୍ଟି ସଂକୀର୍ଣ୍ଣ; ସାହସ ଅତି ଊଣା ଏବଂ ଦେଶାନୁରାଗ ସେପରି ଉଦାର ଏବଂ ଉଜ୍ଜ୍ୱଳ ନୁହେଁ । ଏମାନଙ୍କର ରାଜଭକ୍ତି ବଡ଼ ବେଶୀ ।’’

(୪ର୍ଥ ଖଣ୍ଡ ପୃଷ୍ଠା-୨୮୭)

 

ରାଜନୀତିଜ୍ଞ ହିସାବରେ ସେ ଚାହିଁଥିଲେ ପ୍ରତ୍ୟେକ ବ୍ୟକ୍ତି ଭତରେ ନିଜର ଅହଂଚେତନାକୁ ଜାଗ୍ରତ କରିବା ପାଇଁ । ଫଳରେ ବ୍ୟକ୍ତି ଭୟଶୂନ୍ୟ ହୋଇ ଜନମତ ଗଢ଼ିପାରେ । ପୁଣି ଦ୍ୱିତୀୟରେ ଓଡ଼ିଶାର ସ୍ୱାତନ୍ତ୍ର୍ୟ ସାଙ୍ଗକୁ ମହାଭାରତୀୟ ଭାବସହ ଏକୀଭୂତ ହେବା । ଏହି ଉଦ୍ଦେଶ୍ୟେ ସେ ଉତ୍କଳ ସମ୍ମିଳନୀର ଭାଷଣ ଦେଇ କହିଥିଲେ- ‘‘ସମୟ ଆସିନାହିଁ’’ ଏ କେବଳ ଅକର୍ମା ଭୀରୁର ବଚନ । ଏ ଗୋଟିଏ ଦାସତ୍ୱର ମୋହ । ଶୀଘ୍ର ଏହା ଛାଡ଼ି ଜାତୀୟ ସ୍ରୋତରେ ଭାସିବାକୁ ହେବ ।’’ ସେ ପୁଣି କହିଥିଲେ, ‘‘ଜାତୀୟ ଶକ୍ତି ଗୋଟିଏ ପ୍ରେରଣା । ଗୋଟିଏ ଈଶ୍ୱର- ଦତ୍ତ ଭାବ ।’’ ଏହି ପ୍ରସଙ୍ଗରେ ସେ କହିଥିଲେ- ‘‘ପରାଧୀନ ଭାବ ଦାସତ୍ୱ, ସ୍ୱାଧୀନଭାବ ବିଭୁତ୍ୱ । ସ୍ୱାଧୀନତାର ଭାବରେ ସାକ୍ଷାତ୍ ଭଗବାନଙ୍କୁ ଆଗରେ ଦେଖି ତାଙ୍କର ସତ୍ତା ଅନୁଭବ କରିବାକୁ ହେବ, ତାଙ୍କର ଆହ୍ୱାନ ଶୁଣିବାକୁ ହେବ । ସ୍ୱାଧୀନତା ବାହାରେ ନାହିଁ । ଏହା ଆତ୍ମାରେ ପ୍ରତିଷ୍ଠିତ । ଆତ୍ମଶାସନ ହିଁ ଏହାର ସାଧନା; ତିତିକ୍ଷା ହିଁ ଏହାର ମନ୍ତ୍ର ।’’

(୪ର୍ଥ ଖଣ୍ଡ ପୃ-୪)

 

ଏହିଥିରେ ହିଁ ତାଙ୍କ ଦର୍ଶନର ମୂଳମନ୍ତ୍ର । ତାଙ୍କ ଜୀବନର ନିର୍ଯ୍ୟାସ । ସାରା ଜୀବନ ସେ ଏଇ ସ୍ୱାଧୀନତା ପାଇଁ ସଂଗ୍ରାମ ଚଳାଇ ଆସିଛନ୍ତି । ଏହାର ଆରମ୍ଭ ନିଜ ମନରୁ; ତା’ ପରେ ସାରାମାନବ ଜାତି ଆଡ଼କୁ ପ୍ରସାରିତ ହୁଏ । ଏଇଥିରୁ ଜନ୍ମ ନିଏ ଇଂରେଜ ସହ ଅସହଯୋଗ । ସ୍ୱତନ୍ତ୍ର ଉତ୍କଳ ପାଇଁ ସଂଗ୍ରାମ ପୁଣି ଭୋକିଲା ପାଟିରେ ଭାତ ବୁଣି ବକୁଳ ବନରେ ମଣିଷ ଗଢ଼ା । ସବୁ ସେଇ ବିଭୂତ୍ୱ ଆଡ଼କୁ ଯାତ୍ରା । ତାଙ୍କ କର୍ମ ଏହି ଯାତ୍ରା ତାଙ୍କ ଜୀବନ ଏହି ସ୍ୱାଧୀନତା ପାଇଁ ସଂଗ୍ରାମ ।

 

ଏହି ଚେତନା ତାଙ୍କ ଗଦ୍ୟରେ ବିଭିନ୍ନ ଭାବରେ ରୂପ ପାଇଛି । ତାଙ୍କ କର୍ମ- ବହୁଳ ଜୀବନର ବିଭିନ୍ନ ଲକ୍ଷ୍ୟ ବିଭିନ୍ନ ଭାବରେ ତାଙ୍କ ଗଦ୍ୟରେ ପ୍ରକାଶ ପାଇଛି । କେତେବେଳେ ସାମ୍ବାଦିକ ହିସାବରେ ବନ୍ୟା ଦୁର୍ଭିକ୍ଷର ନିଚ୍ଛକ ଛବି ଆଙ୍କିଛନ୍ତି, କେତେବେଳେ ଶିକ୍ଷକ ରୂପେ ଉପଦେଶ ଦେଇଛନ୍ତି, କେତେବେଳେ ବ୍ୟଙ୍ଗବିଦ୍ରୁପ ଆମ ସୁପ୍ତ- ଚେତନାରେ ଶିହରଣ ଜନ୍ମାଇଛନ୍ତି ତ କେତେବେଳେ ଆବେଗ-ଦଗ୍‌ଧ ହୋଇ ନିଜ ଜାତିର ପରମ୍ପରା ଗୌରବରେ ହଜିଯାଇ ରାମରାଜ୍ୟର ସ୍ୱପ୍ନ ଦେଖିଛନ୍ତି । ତାଙ୍କ ଲେଖାରେ ବାସ୍ତବବାଦୀ କର୍ମୀ ଗୋପବନ୍ଧୁ ଆଉ ଆଦର୍ଶବାଦୀ କବି ଗୋପବନ୍ଧୁ ହାତ ଧରାଧରି । ଏଇଥିରେ ହିଁ ତାଙ୍କର ବିଶେଷତ୍ୱ ।

 

ତାଙ୍କ ଲେଖାରେ ଏହି ସମନ୍ୱୟ ସହ ଅନ୍ୟ ଏକ ସମନ୍ୱୟ ଦେଖାଦିଏ । ତାହା ଜାତୀୟତା ସହ ମହାଭାରତୀୟ ଭାବ । ତାଙ୍କ ଭାଷା କିନ୍ତୁ ସତ୍ୟବାଦୀ ଯୁଗର ଆଦର୍ଶରେ ଅନୁପ୍ରାଣିତ । ଏହା ଖାଣ୍ଟି ଓ କଥିତ ଓଡ଼ିଆ । ଅନେକ ସମୟରେ ଛୋଟ ଛୋଟ ବାକ୍ୟ, ଓଡ଼ିଆ ପ୍ରାଣକୁ ଛୁଇଁଲାଭଳି ଢଗଢମାଳିରେ ପୂର୍ଣ୍ଣ । ଅନେକ ସମୟରେ ସଂସ୍କୃତ ଶ୍ଳୋକର ଉଦାହରଣ । ମାତ୍ର ସବୁଠାରୁ ଆଶ୍ଚର୍ଯ୍ୟ କଥା ଇଂରାଜୀର ବିରଳ ବ୍ୟବହାର । ସେ ଯେମିତି ଓଡ଼ିଆ ଭାଷାର କଥିତ ଛନ୍ଦର ସବୁ ସମ୍ଭାବନାକୁ ବିନିଯୋଗ କରିବାର ପ୍ରୟାସୀ । ସାମ୍ବାଦିକର ନିଚ୍ଛକ ଘଟଣାର ବର୍ଣ୍ଣନା ପୁଣି ଆବେଗମୟ ଭାଷଣ ଉଭୟରେ ଏହି ଛନ୍ଦର ସ୍ପର୍ଶ ।

 

ଏହା ଯେମିତି ତାଙ୍କ ବ୍ୟକ୍ତିତ୍ୱର ପ୍ରତିଧ୍ୱନି । ଏକ ନିର୍ଭିକ କୋମଳ ମନର ସେବା ଆଉ ସଂଗ୍ରାମ ଜରିଆରେ ସେଇ ବିଭୁ କୋଳକୁ ଯାତ୍ରାର ପଦଧ୍ୱନୀ । ନିଜ ସହ, ସାରା ସୃଷ୍ଟି ସହ ସତ୍ୟଶୀଳ ହେବା ମନ୍ତ୍ରର ବିଶ୍ୱସ୍ତ ଉଚ୍ଚାରଣ ।

***

 

ସଂସାରୀ

କବିତା ବାରିକ

ଯେଉଁ ଦିନ ମୀତା ବାହା ହୋଇଗଲା ସେଦିନ ସତରେ ମୁଁ ଭାଙ୍ଗି ପଡ଼ିଲି । ବର୍ଷ ବର୍ଷ ଧରି ଯେଉଁ ସ୍ୱପ୍ନସବୁ ମୁଁ ମୋର ଭାବପ୍ରବଣତାର ଇଲାକା ଭିତରେ ସାଇତି ରଖିଥିଲି ସେ ସବୁ ଟୁକୁରା ଟୁକୁରା ହୋଇଯିବାର ଦେଖି ମୁଁ ସହି ପାରିଲିନି । ପଢ଼ିପଢ଼ିରେ ଆଦୌ ମନ ଦେଇ ପାରିଲିନି । ସବୁ ହରାଇଦେବାର ଗ୍ଲାନିବୋଧ ମୋତେ ଏମିତି କରିଦେଲା ଯେ ବଞ୍ଚିବା ପ୍ରତି ବିତୃଷ୍ଣା ଆସିଗଲା । ସେଥିପାଇଁ ଆତ୍ମହତ୍ୟାର ନିଷ୍ପତ୍ତି ନେଇ ଯେଉଁ ଦିନ ମୁଁ ସ୍ଲିପିଙ୍ଗ ଟ୍ୟାବ୍‍ଲେଟ ଖାଇ ଶୋଇପଡ଼ିବାର ଯୋଜନା କଲି ସେଦିନ ମୋ’ ବନ୍ଧୁ ଦୀପୁ ଆସି ମୋର ବୋକାମୀ ଲାଗି ବହେ ହସିଲା । ନିଦ ବଟିକାଗୁଡ଼ାକୁ ଝରକା ଦେଇ ଫିଙ୍ଗୁ ଫିଙ୍ଗୁ କହିଲା, ଚିନୁ ! ତୁ ମରିଗଲେ ଯେ ତୋ’ ପାଇଁ ସଭା ସମିତି ହେବ ଅଥବା ରେଡ଼ିଓ, ସମ୍ବାଦପତ୍ରରେ ଶୋକଖବର କେତେଦିନ ଧରି ପ୍ରଚାରି ହେବ କିମ୍ବା ନିଜେ ମିତା ଆସି ତୋ’ ସମାଧିରେ ଆଞ୍ଜୁଳା ଭରି ଫୁଲ ଚଢ଼ାଇବ ତାହା ନୁହେଁ-। ସାମାନ୍ୟ ପ୍ରେମ ପାଇଁ ତୁ’ ତୋର ଏତେ ମୂଲ୍ୟବାନ ଜୀବନଟାକୁ ନଷ୍ଟ କରିଦେବୁ ? ଚିନୁ ! ଏଇଥି ପାଇଁ କ’ଣ ମଉସା ତୋତେ ଜମି ବିକି, ଏତେ ଆଶା କରି ପଢ଼ାଉଛନ୍ତି ? ଏଇଥିପାଇଁ କ’ଣ ମାଉସୀ କୋଳରେ କାଖେଇ ତୋତେ ବଡ଼ କରିଛନ୍ତି ? ତୁ ମୀତାକୁ ଏତେ ଅଳ୍ପଦିନ ଭିତରେ ଚିହ୍ନି ପାରିଲୁ କିନ୍ତୁ ତୋ’ ବାପା, ମା’ ଯେଉଁମାନେ ଝାଳ ସରସର ହୋଇ ତୋର ଗୁହମୂତ ପୋଛିଛନ୍ତି, ସେମାନଙ୍କୁ କ’ଣ ଥରେହେଲେ ଚିହ୍ନି ପାରିଲୁନି ଚିନୁ ? ମାଉସୀ ସଞ୍ଜବତୀ ଜାଳିଲାବେଳେ ହୁଏତ ଅପେକ୍ଷା କରିଥିବେ ଗୋଟାଏ ଲାଜକୁଳୀ ବୋହୂର ରୁଣୁ ଝୁଣୁ କାଚର ଶବ୍ଦ ପାଇଁ । ମଉସା ଆଜି ବି ବିଲରେ ମାଟି ହାଣୁ ହାଣୁ କେତେ କ’ଣ ସ୍ୱପ୍ନ ଦେଖି ନଥିବେ । ଆଉ ତୁ ତୋ’ ପ୍ରେମିକା ପାଇଁ ନିଜ ସହିତ ଏତେ ଜଣଙ୍କୁ ମାରିବାକୁ ଚାହୁଁଛୁ ?

 

ମୁଁ ଦୀପୁର ହାତଟାକୁ ଧରି ପକାଇ କହିଲି, ଦୀପୁ ! ବିଶ୍ୱାସ କର, ଏହି ବ୍ୟର୍ଥତା ନେଇ ତିଳ ତିଳ ମୁଁ ଯେମିତି ମରିଯାଉଛି । ଆଦୌ ଭଲ ଲାଗୁନି । ମୋତେ ଟିକେ ବୁଝିବାକୁ ଚେଷ୍ଟା କର-

 

ମୋ’କଥା ଶୁଣି ଦୀପୁ ପୁଣିଥରେ ହସି ହସି ଗଡ଼ିଗଲା । ତା’ପରେ କହିଲା, ତୁ’ ନା ଚିନୁ ! ମୀତାକୁ ନେଇ ଏଇ ସେଦିନ ଏତେସବୁ କଳ୍ପନା କରୁଥିଲୁ ! ଅଧିକ ଦିନ ବଞ୍ଚିରହିବାର ସ୍ୱପ୍ନ ଦେଖୁଥିଲୁ । ଆଜି ମୀତା ଚାଲିଗଲା ପରେ ତୋ’ ଆଖିରୁ ଏତେ ଶୀଘ୍ର ସେହି ବଞ୍ଚି ରହିବାର ରଙ୍ଗ ଛାଡ଼ିଗଲା ? ମୀତା ଛଡ଼ା ତୁ’ ଆଉ କ’ଣ କାହାରିକୁ ଆପଣାର ଭାବି ପାରିଲୁନି ? ଏତେଦିନ ଧରି ସ୍ନେହ କରି ଆସିଥିବା ମଉସା ମାଉସୀ ବି ତୋର ଆପଣାର ମନେ ହେଲେନି ? ପ୍ରେମକୁ ଛାଡ଼ିଦେଲେ ଜୀବନରେ କଣ ଆଉ କିଛି ହେଲେ ନାହିଁ ?

 

ଦୀପୁର ପ୍ରଶ୍ନ ପାଖରେ ମୁଁ ମୂକ ପାଲଟି ଗଲି । ପ୍ରତିବାଦ କରି ପାରିଲି ନି । ଦୀପୁ ମୋ’ ନୀରବତା ଦେଖି ଭାଷଣ ଆରମ୍ଭ କରିଦେଲା, ଚିନୁ ! ଥରଟିଏ ତୁ ତୋ’ ବୁଢ଼ା ବାପାଙ୍କର ଅବସ୍ଥା, ଭବିଷ୍ୟତ କଥା ଭାବିଛୁ ? ତୁ ଯାହାକୁ ଯନ୍ତ୍ରଣା ବୋଲି କହୁଛୁ, ସେଇଟା ଆଦୌ ଯନ୍ତ୍ରଣା ନୁହେଁ । ପ୍ରେମ କରି ଧୋକ୍‌କା ଖାଇବାଟା କେବଳ ଜୀବନର ସବୁତକ ବ୍ୟର୍ଥତା ନୁହେଁ । ତୁ ହୁଏତ, ଜାଣୁନା, ଜୀବନର ସବୁ ବ୍ୟର୍ଥତା ସତ୍ତ୍ୱେ କେମିତି ପାଦ ଘୋଷାରି କ୍ଳାନ୍ତ ହୋଇ ବି ମଣିଷକୁ ବଞ୍ଚିବାକୁ ପଡ଼େ । ଆଉ ଗୋଟାଏ କାଲି ପାଇଁ ତାକୁ ମରଣ ଶେଯରେ ବି ଅପେକ୍ଷା କରିବାକୁ ପଡ଼େ ।

 

ଥରେ ନୁହେଁ ଦୁଇଥର ନୁହେଁ, ବାରବାର ଦୀପୁର ଏଇ ଉପଦେଶ ଓ ବୁଝାଇବାର ଚେଷ୍ଟା ଆରମ୍ଭ ହୋଇ ଯାଇଥିଲା । କିଛି କହିବାକୁ ଚେଷ୍ଟା କରି ବି ମୁଁ ତା’ ପାଖରେ ମୁହଁ ଖୋଲି ପାରୁ ନଥିଲି ।

 

ଆତ୍ମହତ୍ୟା ତ କରି ପାରିଲିନି, ତା’ଛଡ଼ା ମୀତାକୁ ବି ମୁଁ ଆଦୌ ଭୁଲି ପାରିଲିନି, ପ୍ରତି ମୁହୂର୍ତ୍ତରେ ସବୁ ହଜିଯିବାର ଗ୍ଳାନି ମୋତେ ଦୁର୍ବଳ କରିଦେଲା । ସେଥିପାଇଁ ଦୀପୁ ପରାମର୍ଶ ଦେଲା ପୂଜା ଛୁଟିରେ ତା’ ଗାଁ ଆଡ଼େ ବୁଲିଆସିବାକୁ । ଅନ୍ତତଃ ମନଟା ତ କିଛିଦିନ ଲାଗି ଭଲରହିବ । ମନା କରିବାର କିଛି କାରଣ ନଥିଲା । ମୁଁ ରାଜି ହୋଇଗଲି । ଦୀପୁ ମା’ଙ୍କ ବ୍ୟବହାର ମୋର କିଛି ଦୁଃଖକୁ ଭୁଲାଇଦେଲା । ଦୀପୁ ତାଙ୍କ ପୋଖରୀ ଆମ୍ବ ତୋଟା ବୁଲାଇ ବୁଲାଇ ଦେଖାଉଥିଲା । ମୋ’ ନିଜ ଗାଁ କଥା ସେତେବେଳକୁ ଖୁବ୍ ମନେ ପଡ଼ୁଥିଲା । ସତରେ ସବୁ ଗାଁ’ ଯାକ ଏକାଭଳି । ସେହି ଆମ୍ବତୋଟା ପୋଖରୀରେ ପଦ୍ମ, କଇଁଫୁଲ, ତା’ ଚାରିଆଡ଼େ ଶାଗ ଓ ଶିମ୍ବ ଗଛର ବୁଦୁବୁଦିକା ଜଙ୍ଗଲ । ଦୂରରେ ମାଇଲ ମାଇଲ ଧରି ବିଲ, ତା’ପାଖକୁ ସବୁଜ ପାହାଡ଼, ନାଲି ଧୂଳି ରାସ୍ତା ଓ ଶଗଡ଼ିଆର ପ୍ରାଣଖୋଲା ଗୀତ । ସବୁ ଗାଁ’ରେ ଆକାଶ ଓ ମାଟି ମିଶି ଯାଉଥିବା ଜାଗାରେ ପାହାଡ଼ ଥାଏ ଓ ତା ଉପରୁ ଉଠିଆସେ ଲାଲ ସୂର୍ଯ୍ୟ । ଦୀପୁ ଗାଁ’ରେ ବି ମୁଁ ପାଇଲି ସେହି ମିଠା ମିଠା ବହୁ ପରିଚିତ ବାସ୍ନା, ବଉଳଫୁଲ ତଳେ ବିଞ୍ଚି ହୋଇଯିବାର ଦୃଶ୍ୟ ।

 

ଦୀପୁ ମୋତେ ସାରା ଗାଁ’ଟା ବୁଲାଇ ଦେଖାଉଥିଲା ଓ ଗାଁ’ ମୁଣ୍ଡର ସିନ୍ଦୁର ମୁଣ୍ଡି ଠାକୁରାଣୀଙ୍କ ମାହାତ୍ମ୍ୟ ବୁଝାଉଥିଲା । ଫେରିଆସିଲାବେଳେ ଗୋଟାଏ ଛୋଟ ନୂଆଣିଆ ଚାଳ ଘରଆଡ଼େ ହାତ ବଢ଼ାଇ ଦୀପୁ କହିଲା, ଚିନୁ, ଏଠି ଯିଏ ରହନ୍ତି, ତାଙ୍କୁ ଆମେ ସମସ୍ତେ ରାଧିମାଉସୀ ବୋଲି ହିଁ ଡାକୁ । ରାଧିମାଉସୀ ଏକ ବିଚିତ୍ର ଚରିତ୍ର । ତାଙ୍କ କଥା ଯଦି ତୁ ଶୁଣନ୍ତୁ, ହୁଏତ ବୁଝନ୍ତୁ ପ୍ରକୃତ ବ୍ୟର୍ଥତା, ପ୍ରକୃତ ଯନ୍ତ୍ରଣା କ’ଣ, କେମିତି ସବୁ ବିଦାୟ ସତ୍ତ୍ୱେ ମଣିଷ ବଞ୍ଚି ରହିବାକୁ ଭଲପାଏ, ଭଲରେ, ସୁଖରେ ରହିଛି ବୋଲି ଛଳନା କରେ ।

 

ମୁଁ ଦୀପୁ କଥା ଶୁଣୁଥିଲି । ରାଧି ମାଉସୀଙ୍କ ବିଷୟରେ ସତକୁ ସତ ମୋର କିଛି ଶୁଣିବା ଲାଗି ଆଗ୍ରହ ବଢ଼ି ଯାଉଥିଲା । ଆସୁ ଆସୁ ଏଆଡ଼ୁ ସେଆଡ଼ୁ କଥା ଭିତରେ ଦୀପୁ ରାଧି ମାଉସୀଙ୍କ ବିଷୟରେ କହିବାକୁ ଭୁଲି ଯାଇଥିଲା । ଖାଇସାରି ଖରାବେଳେ ଶୋଇବାକୁ ଯାଉଛୁ, ଜଣେ ବିଧବା ସ୍ତ୍ରୀଲୋକ ଆସି ପିଣ୍ଡାରେ ବସି ଦୀପୁ ମା’ଙ୍କ ସହିତ ଗପ ଜମାଇ ଦେଇଥିଲେ । ଦୀପୁ ମୋତେ ଦେଖାଇ ଦେଲା, ଏଇ ରାଧି ମାଉସୀ । ସେ ହସି ହସି କ’ଣ ସବୁ କହୁଥିଲେ । ମୁଁ ବିଛଣାରେ ଶୋଉ ଶୋଉ ଦୀପୁକୁ ଚାହିଁ କହିଲି, ଡ୍ରାମା ନ କରି ରାଧି ମାଉସୀଙ୍କ କଥା ସିଧା ସିଧା କହ । ଦୀପୁ ଗପ କହିଲା ଭଳି ସଜାଡ଼ି ହୋଇ ବସୁ ବସୁ କହିଲା, ରାଧି ମାଉସୀ ଦିନେ ହାତେ ଓଢ଼ଣା ଦେଇ, ବୋହୁ ବେଶ ହୋଇ ଏ ଗାଁ’କୁ ଆସିଥିଲେ । ସେ ଅନେକ ବର୍ଷ ତଳର କଥା । ରଘୁ ମଉସାଙ୍କ ସହିତ ତାଙ୍କର ଛୋଟ ସଂସାରଟା ଆରମ୍ଭ ହୋଇଥିଲା । ରଘୁ ମଉସା କ’ଣ ଏକ ସାନ ଚାକିରୀ କରୁଥିଲେ । ତାଙ୍କ ସଂସାରରେ ଅଭାବ, ଅନାଟନ ଲାଗି ରହିଥିଲା । ସବୁ ଅଭାବ, ଅସୁବିଧା ସତ୍ତ୍ୱେ ବି ରାଧି ମାଉସୀ ରଘୁ ମଉସାଙ୍କ ପାଇଁ ଓଠରେ ହସ ଖେଳାଉଥିଲେ । ତାଙ୍କର ଫେରିବା ବାଟକୁ ଆଖିଭରା ଅପେକ୍ଷା ନେଇ ଚାହିଁରହୁଥିଲେ । ରଘୁ ମଉସାଙ୍କ ସହିତ ସେ ଛଅଟି ବର୍ଷ କାଟିଥିଲେ । ଏହି ଛଅ ବର୍ଷ ଭିତରେ ଗୋଟିଏ ପୁଅ ଗୋଟିଏ ଝିଅ ନେଇ ଏକପ୍ରକାର ଜୀବନ ଗଡ଼ାଇ ଦେଉଥିଲେ । ତାଙ୍କ ବଡ଼ ପୁଅ ଥିଲେ ମୋର ପିଲା ଦିନର ସାଙ୍ଗ, ଏକା ବୟସର । ତା’ପରେ ସାନ ଝିଅ ।

 

ଚିନୁ ! ଯେଉଁ ଦିନ ଏକମାତ୍ର ପୁଅ କୁନ୍‌ମୁନ୍‌ ରୋଗ ଶଯ୍ୟାରେ ଛଟପଟ ହେଉଥିଲା, ରାଧି ମାଉସୀ ଆଖିଭରା ଲୁହରେ ବିଛଣା ପାଖରେ ବସିଥିଲେ । ଡାକ୍ତର ଲେଖି ଦେଇଥିବା ଔଷଧ ଆଣିବା ପାଇଁ ପାଖରେ ଟଙ୍କା ନ ଥିଲା । ସେହି ପ୍ରେସ୍‌କିପ୍‌ସନଟା ଧରି ରଘୁ ମଉସା ଥରେ କୁନ୍‌ମୁନ୍‌ ଓ ଥରେ ମାଉସୀଙ୍କୁ ଦେଖୁଥିଲେ । ଦେହରେ ଟେମ୍ପରେଚର ବଢ଼ିବା ଦେଖି ସେମିତି ଔଷଧ ଚିଠାଟାକୁ ଧରି ରଘୁ ମଉସା ଘରୁ ବାହାରି ଯାଇଥିଲେ । ରୋଗଣା ପୁଅକୁ ନେଇ ଆଉ ମଉସାଙ୍କ ଔଷଧ ଧରି ଫେରିବା ବାଟକୁ ଚାହିଁ ଚାହିଁ ରାଧି ମାଉସୀଙ୍କ ଆଖିରୁ ପାଣି ମରିଗଲା । ରଘୁ ମଉସା ଆଉ ଫେରିଲେନି... । ଚିନୁ ! ସେଦିନୁ ପ୍ରାୟ ଦୀର୍ଘ ଚଉଦ ବର୍ଷ ହେଲା ରଘୁ ମଉସାଙ୍କ ଖବର କେହି ବି ଜାଣନ୍ତି ନି । ପୁଅ ପାଇଁ ଔଷଧ ଯୋଗାଡ଼ ନ କରିପାରିବାର ଅସହାୟତା ହିଁ ରଘୁ ମଉସାଙ୍କୁ ସବୁଦିନ ପାଇଁ ଘରଛଡ଼ା କରିଦେଲା... କେତେଟା ଟଙ୍କାର ଅଭାବହିଁ ତାଙ୍କୁ ତାଙ୍କ ସଂସାରରୁ ନିର୍ବାସିତ କରିଦେଲା ।

 

ଦୀପୁ ଆଉ କହିପାରିଲାନି । ମୁଁ ବିଛଣାରୁ ଏ ଭିତରେ ଉଠିପଡ଼ିଥିଲି । ଦୀପୁ ତା’ପର କଥା ସବୁକୁ ହୁଏତ ମନେ ପକାଇ ପକାଇ ଆରମ୍ଭ କରୁଥିଲା । ରଘୁ ମଉସା ଗଲାପରେ ତା’ ଆରଦିନ ସକାଳେ ହିଁ କୁନ୍‌ମୁନ୍ ରାଧି ମାଉସୀଙ୍କ ସ୍ନେହ- ମମତାର ଡୋରିକୁ କାଟିଦେଇ ସବୁଦିନ ପାଇଁ ଚାଲିଗଲା । ନିଜ ହାତରେ ହିଁ କୁନ୍‌ମୁନ୍ ମୁହଁରେ ମୁଠା ମୁଠା ମାଟି ଦେଇ ରାଧି ମାଉସୀ ମଶାଣୀ ପଦାରେ ଶୁଆଇ ଦେଇ ଆସିଲେ । ଯେଉଁ କୁନ୍‌ମୁନ୍‌କୁ କେତେଥର କୋଳରେ ଚାପି ନିଜ ଲୁଗାରେ ତା’ ମୁହଁକୁ ପୋଛି ଦେଇଛନ୍ତି, ସେହି କୁନ୍‌ମୁନ୍‌କୁ ଶେଷଥର ପାଇଁ ଗୋଟାଏ ଚୁମା ଦେଇ ସେଦିନ ରାଧି ମାଉସୀ ତା’ ଉପରେ କୁଆଡ଼େ ନିଜେ ମାଟି ଚଳାଇ ଦେଇଥିଲେ । ମାଆଙ୍କଠୁ ଶୁଣିଛି ରାଧି ମାଉସୀ ଆଦୌ ମୁଣ୍ଡ ବାଡ଼େଇ କାନ୍ଦି ନ ଥିଲେ କି ଗଳା ଫଟାଇ ପାଟି କରି ନ ଥିଲେ-। କେବଳ ପଥର ଭଳି କେତେ ଘଣ୍ଟା ସେମିତି ବସି ପଡ଼ିଥିଲେ । ହଲାଇଲେ କି ଡାକିଲେ ବି ଆଦୌ ଶୁଣିପାରୁ ନ ଥିଲେ । ତାଙ୍କର ସେହି ପଥର ଆଖିରୁ ଢଳ ଢଳ ହୋଇ ବଡ଼ ବଡ଼ ଲୁହ ଠୋପା ବାହାରିଥିଲା ସତ, ମାତ୍ର ଝରି ନ ଥିଲା ।

 

ପର ଘରେ କାମ କରି, ଦୁଇମାଣ ଜମିକୁ ସମ୍ବଳ କରି ଏକମାତ୍ର ଝିଅ ଝିଲୀକୁ ରାଧି ମାଉସୀ ବଡ଼ କରିଥିଲେ । ତା’ରି କଥା ବୁଝୁ ବୁଝୁ ପଛ ଦିନର ଦୁର୍ଘଟଣାକୁ ସେ ଯେମିତି ସଂପୂର୍ଣ୍ଣ ପାସୋରି ପକାଇ ଥିଲେ । ଝିଲୀକୁ ପାଖ ଗାଁ’ରେ ବାହା ଦେଲାବେଳେ ସେ ସେଦିନ କୁଆଡ଼େ ଖୁବ୍ କାନ୍ଦିଥିଲେ । ଚିନୁ ! ଝିଲୀର ବାହାଘର ବର୍ଷେ ପୁରିଛି ନା ନାହିଁ ଝିଲୀ ବି ହଇଜାରେ ଚାଲିଗଲା... ରାଧି ମାଉସୀଙ୍କୁ ଏଡ଼େ ବଡ଼ ଦୁନିଆରେ ସଂପୂର୍ଣ୍ଣ ଏକା କରି, ଅସହାୟ କରି । ଝିଲୀ ମରିବା ଖବର ପାଇ ସେଦିନ ବି ରାଧି ମାଉସୀ ଆଦୌ କାନ୍ଦି ନ ଥିଲେ । କେବଳ ପଞ୍ଜରାଥରା ଦୀର୍ଘ ନିଶ୍ୱାସଟିଏ ଛାଡ଼ିଥିଲେ । ଚିନୁ ! ଏଇ ଛୋଟିଆ ଜୀବନ ଭିତରେ ରାଧି ମାଉସୀ ନିଜକୁ ତିନି ତିନିଥର ଶ୍ମଶାନରେ ପରିଣତ କରି ବି ବଞ୍ଚିଛନ୍ତି । ତଥାପି ସେ ଦୀର୍ଘ ଚଉଦ ବର୍ଷ ଧରି ରଘୁ ମଉସାଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି । ପ୍ରତିଥର ସଞ୍ଜ ଦେଲାବେଳେ ତାଙ୍କର ମଙ୍ଗଳ କାମନା କରୁଛନ୍ତି; ଯେଉଁଠି ଥାଆନ୍ତୁ, ଭଲରେ ଥାଆନ୍ତୁ ବୋଲି କହି ହେଉଛନ୍ତି । ଦୁଇ ଦୁଇଟା ମୃତ୍ୟୁକୁ ନିଜ ଆଖିରେ, ଅନୁଭୂତି ଭିତରେ ଲିଭାଇ ବି ସେ ଆଦୌ ରଘୁ ମଉସାଙ୍କର ମୃତ୍ୟୁ ସ୍ୱୀକାର କରୁନାହାନ୍ତି; ଯଦିଓ ବାରବର୍ଷ ପରେ ପ୍ରଥା ଅନୁସାରେ ସେ ବିଧବା ହୋଇଛନ୍ତି । ଯେଉଁ ଦିନ ବାରବର୍ଷ ପୁରିଲା ରଘୁ ମଉସାଙ୍କ ଘର ଛାଡ଼ିବାର ସେଦିନ ସେ ନିଜେ ନିଜେ ହାତରୁ ଶଙ୍ଖା କାଢ଼ିଦେଇ, ସିନ୍ଦୁର ପୋଛି ଦେଇ ପିଲାଙ୍କ ଭଳି କାନ୍ଦିଥିଲେ । କେହି ସାନ୍ତ୍ୱନା ଦେଇ ପାରି ନ ଥିଲେ । ଏସବୁ ସତ୍ତ୍ୱେ ବି ରାଧି ମାଉସୀ ଅପେକ୍ଷା କରିଛନ୍ତି, ସବୁ ହରାଇବା ସତ୍ତ୍ୱେ ବି ବଞ୍ଚି ରହିଛନ୍ତି, କାଳେ ରଘୁ ମଉସା ହଠାତ୍ କେବେ ଫେରି ଆସିବେ, ନିଜ ହାତରେ ସେ ତାଙ୍କର ସୀମନ୍ତ ସଜାଇ ଦେବେ, ନୂଆ ଶଙ୍ଖା ପିନ୍ଧାଇ ଦେବେ ଓ ଆନନ୍ଦରେ ତାଙ୍କୁ ଆତ୍ମହରା କରିଦେବେ ।

 

ଏତେ ବିଦାୟ ପରେ ବି ପୁଣି ମଣିଷ ପାଇବାର ଆଶା ରଖେ ଦୀପୁ ? ମୁଁ ଭାବପ୍ରବଣ ହୋଇ ପଚାରିଦେଲି । ମୋ’ କଥା ନ ଶୁଣିଲା ଭଳି ଦୀପୁ ସେମିତି କହି ଚାଲିଥିଲା, ଜାଣିଛୁ ନା ଚିନୁ-! ଏବେ ବି କୁନୁର ଜନ୍ମଦିନ ତିଥିରେ ମାଉସୀ ପିଠା ତିଆରି କରନ୍ତି । କୁନ୍‌ମୁନ୍‌ରେ ଖାଇବୁ ଆ’ କହି ବିଛଣାରେ ତକିଆକୁ ଶୁଆଇ ଡାକନ୍ତି । ଏବେ ବି ଝିଲୀର ବାହାଘର ଦିନରେ ଶାଶୁଘରର ଭାର ସଜାଡ଼ିବା ପାଇଁ ରାଧି ମାଉସୀ ଉଖୁଡ଼ା, ମିଠେଇ ତିଆରି କରନ୍ତି । ଆମମାନଙ୍କୁ କୁନ୍‌ମୁନ୍‌ର ଜନ୍ମଦିନରେ, ଝିଲୀର ବାହାଘର ତିଥିରେ ଖାଇବା ପାଇଁ ଡାକନ୍ତି । ସବୁଠୁ ଆଶ୍ଚର୍ଯ୍ୟ କଥା କ’ଣ ଜାଣୁ ଚିନୁ ! ରାଧାର ସେହି ଅନନ୍ତ ପ୍ରତୀକ୍ଷା ନେଇ ନିଜ ବାହାଘରର ତାରିଖରେ ରାଧି ମାଉସୀ ନିଜକୁ ବଧୂ ବେଶରେ ସଜାନ୍ତି । କେଉଁ ପୁରୁଣା କାଳର ଦି’ପଟ ରୁପା ଚୁଡ଼ି ପିନ୍ଧନ୍ତି ଆଉ ପେଡ଼ି ଭିତରେ ସାଇତିଥିବା ସିନ୍ଦୁର ଫରୁଆରୁ ସିନ୍ଦୁର କାଢ଼ି ନିଜର ସାଦା ସୀମନ୍ତଟାକୁ ଭରି ଦିଅନ୍ତି । ବାହାଘରର ପୁରୁଣା ବଉଳପାଟଟାକୁ ପିନ୍ଧି ସାଇ ବୁଲିଆସନ୍ତି । ତୁ ଆଶ୍ଚର୍ଯ୍ୟ ହେବୁ ଚିନୁ, ରାଧି ମାଉସୀ ଟିକିଏ ଟିକିଏ କଥାକୁ ଭୁଲିଗଲେ ମଧ୍ୟ କୁନ୍‌ମୁନ୍‌ର ଜନ୍ମଦିନ, ଝିଲୀର ବାହାଘର ଦିନ ଏବଂ ନିଜର ଚଉଠି ତିଥିକୁ ଆଦୌ ଭୁଲି ଯା’ନ୍ତି ନାହିଁ । ପ୍ରତିବର୍ଷ ଏଇ ତିନିଟା ତାରିଖରେ ରାଧି ମାଉସୀଙ୍କ ଉଦାସ ଓଠରେ ସବୁ ହସ ଚହଟି ଉଠେ । ସଂସାର ଏକ ଦୁଃଖର ସମୁଦ୍ର, ପରୀକ୍ଷାର ସମୁଦ୍ର, ଯିଏ ସଂସାରର ସବୁ ଦୁଃଖକୁ ପିଇପାରେ, ସେ ହିଁ ବଡ଼ ସଂସାରୀ । ତେବେ ତୁ କହ ଚିନୁ ! ବ୍ୟର୍ଥତା କ’ଣ, ଯନ୍ତ୍ରଣା କ’ଣ ? ଜୀବନର ଏତେ ବ୍ୟର୍ଥତା, ଏତେ ବିଚ୍ଛେଦ ନେଇ ବି ତ ରାଧି ମାଉସୀ ବଞ୍ଚିଛନ୍ତି । ସେ ବି କ’ଣ ଆତ୍ମହତ୍ୟା କରି ପାରନ୍ତେ ନି ? ତାଙ୍କ ପାଇଁ ଝୁରିବାକୁ କିଏ ଅଛି-?

 

ଦୀପୁ ମିଛ କହୁ ନଥିଲା । ସତେ ତ ରାଧି ମାଉସୀଙ୍କର ମାୟା-ସଂସାରରେ ସବୁ ବନ୍ଧନ ଛିଡ଼ି ଯାଇଥିଲେ ବି ଆଉ ଥରେ ମାୟା-ମୋହକୁ ସାଉଁଟି ନେବାକୁ ସେ ପ୍ରତୀକ୍ଷା କରିଛନ୍ତି । ଜୀବନର ଏତେ ତୁଚ୍ଛତା ଭିତରେ ବି ତ ସେ ହସୁଛନ୍ତି । କାଚର ଦୁନିଆରେ କାଚ-ସଂସାର ତାଙ୍କର ଚୁନା ହୋଇଗଲା ପରେ ବି ସେ ତଥାପି କାଚ ଯୋଡ଼ି ହେବାର ସ୍ୱପ୍ନ ଦେଖୁଛନ୍ତି । ରଘୁ ମଉସାଙ୍କର ଫେରିବାର କୌଣସି ସମ୍ଭାବନା ନଥିଲେ ବି, ହାତରୁ ଚୁଡ଼ି ଭାଙ୍ଗିଦେଲା ପରେ ବି ରାଧି ମାଉସୀ ତୁଳସୀ ଚଉରା ମୂଳେ ସଞ୍ଜଦୀପ ଜାଳି ‘‘କାଚବଜ୍ର’’ ହେଉ ବୋଲି ନିତି ମନାସୁଛନ୍ତି । ତଥାପି ପୁଅଝିଅଙ୍କ ବାହାନାରେ ପିଠା ତିଆରି କରୁଛନ୍ତି । ଜୀବନଟା ତା’ହାଲେ ଏକ ଖିଆଲ ନୁହେଁ, ଏକ ଛଳନା ଭିତରେ, ଅଭିନୟ ଭିତରେ ବଞ୍ଚିବାର ନବୀକରଣ । ତାରି ଭିତରେ ଯେ ନୂଆ କରି ଜୀଇଁ ଶିଖେ ସେ ହିଁ ତ ପ୍ରକୃତରେ ବଞ୍ଚିବା ଭଳି ବଞ୍ଚିପାରେ ।

 

ମୋତେ ହଲାଇ ଦେଇ ଦୀପୁ କହୁଥିଲା, ତେବେ ତୁ କହ ଚିନୁ, କ’ଣ ପାଇଁ ରାଧି ମାଉସୀ ମରିବାର ଶପଥ ନେଇପାରୁ ନାହାନ୍ତି ? କାହିଁକି ସେ ଏତେ ଯନ୍ତ୍ରଣା ଭିତରେ ବି କାନ୍ଦିପାରୁ ନାହାନ୍ତି-? କାହିଁକି ବର୍ଷ ବର୍ଷ ଧରି ଏକ ମିଛ ଖେଳଘରକୁ ନେଇ ବଞ୍ଚିବା ଶିଖୁଛନ୍ତି ? ଆଉ ତୁ ସାମାନ୍ୟ ପ୍ରେମିକାଟିଏ ପାଇଁ ଭାଙ୍ଗି ପଡ଼ୁଛୁ ? ଜୀବନର ସାଥୀ ଯୋଗାଡ଼ କରିବା, ସାଥୀ ନେଇ ବାଟ ଚାଲିବା କେବଳ ମାୟା ନୁହେଁ ତ ଆଉ କ’ଣ ?

 

ଝରକା ଦେଇ ମୁଁ ଉଙ୍କି ମାରିଲି । ରାଧିମାଉସୀ ପିଣ୍ଡାରୁ ଓହ୍ଲାଇ ଚାଲି ଯାଉଛନ୍ତି । କେତେ ନୀରବ ସେ ଚାଲି ! କେତେ ନିଶବ୍ଦ ସେ ଗତି ! ଦୁନିଆରେ ଏ ମଣିଷ କେତେ ଅସହାୟ ସତେ ! ଅନେକ ସମୟ ଧରି ରାଧିମାଉସୀଙ୍କ ଯିବା ବାଟକୁ ମୁଁ ଚାହିଁରହିଥିଲି । ଦୀପୁ ମୋତେ ହଲାଇ ଦେଇ କହିଲା, କ’ଣ ଦେଖୁଛୁରେ ? ଶୋଇବୁ ନି ? ମୁଁ ସେମିତି ଝରକା ଦେଇ ସେ ଅଙ୍କାବଙ୍କା ନାଲି ସଡ଼କଟାକୁ ଚାହିଁ ଚାହିଁ କହିଲି, ପ୍ରଥମ ଥରପାଇଁ କାଚ ଆଖିକୁ ଛାଡ଼ି ମୁଁ ମୋ’ ନିଜ ଆଖିରେ କେବଳ ମୋ’ ନିଜକୁ ଦେଖୁଛି ଦୀପୁ ! କେବଳ ମୋ’ ନିଜକୁ ଦେଖୁଛି... । ଦୀପୁ ମୋ କଥା ଶୁଣି ହସି ହସି କହିଲା, ଦେଖ୍‌, ଭଲ କରି ଦେଖ୍, ଆଖି ପାଇବା ଯାଏଁ, ଆଖି ଥକି ନ ଯିବାଯାଏଁ ଦେଖ୍ ।

 

ଛୁଟିଟା ଦୀପୁର ସେଇ ସବୁଜ ଗାଁରେ କଟାଇ ଦେଲି । ବସ୍ ବେଳ ହୋଇ ଯାଉଛି ବୋଲି ଦୀପୁ ଓ ମୁଁ ଶୀଘ୍ର ଶୀଘ୍ର ଚାଲି ଆସୁଥିଲୁ । ହାତେ ଓଢ଼ଣା ଦେଇ ରଙ୍ଗୀନ ପାଟଟିଏ ପିନ୍ଧି ଆସୁଥିବା ବୋହୂଟିକୁ ଦେଖି ଦୀପୁ ମୋତେ ଚିମୁଟି ଦେଇ କହିଲା, ରାଧିମାଉସୀ ଆସୁଛନ୍ତି । ଆଜି ବୋଧହୁଏ ତାଙ୍କର ବାହାଘର ତାରିଖ । ଏଇ ଶାଢ଼ୀଟା କୁଆଡ଼େ ବାହାଘର ବେଳେ ନିଜେ ରଘୁ ମଉସା ତାଙ୍କୁ ପ୍ରେଜେଣ୍ଟ କରିଥିଲେ । ସବୁବର୍ଷ ଏଇ ଦିନରେ ସେ ଏମିତି ସଜ ହୋଇ ସାହିସାରା ବୁଲି ଆସନ୍ତି । ନିଜକୁ ଏମିତି ସେ ଦୀର୍ଘ କୋଡ଼ିଏ ବର୍ଷ ତଳକୁ ଫେରାଇ ନିଅନ୍ତି । ସବୁ ବୟସକୁ, ସବୁ ବିଚ୍ଛେଦକୁ, ଜୀବନର ଅସଂଖ୍ୟ ଅନୁଭୂତିକୁ ଅସ୍ୱୀକାର କରି ସେ ଏଇଦିନରେ ହିଁ ଯେମିତି ବଧୂଟିଏ ପାଲଟି ଯାଆନ୍ତି ।

 

ମୁଁ ଚାହିଁ ରହିଥିଲି ଏକଲୟରେ । ଚାହିଁ ରହିଥିଲି ଧୀରେ ଧୀରେ ଝୁଲି ଝୁଲି ଚାଲୁଥିବା ସେହି ନୂଆ ରଙ୍ଗ ମାଖି ବେଶ ହୋଇଥିବା ବୋହୂଟିକୁ । କେତେ ବିଚିତ୍ର ଏ ରାଧିମାଉସୀ ! କେତେଦିନ ସେ ଏମିତି ନିଜକୁ ନିଜ ପାଖରେ ଭୁଲାଇ, ଦୁନିଆ ପାଖରେ ଓଠରେ ହସ ଖେଳାଇ ଅଭିନୟ କରି ଚାଲିଥିବେ ? କେତେଦିନ ସେ ନିଜସ୍ୱ ଜ୍ୱଳନକୁ ନିଜ ଭିତରେ ଚାପି ଧରି ପୁଆଣୀ ବୋହୂ ସାଜୁଥିବେ ? କେତେଦିନ ସେ ନିଜ ବାହାଘର ଶାଢ଼ୀରେ ଲୁହ ସବୁକୁ ସାଇତିରଖି, କୁନ୍‌ମୁନ୍‌, ଝିଲୀର ସ୍ମୃତିକୁ ଧରି ରଘୁ ମଉସାଙ୍କ ଫେରିବା ବାଟକୁ ଚାହିଁ ରହିଥିବେ ? ସେ ଅପେକ୍ଷାର ବି ମୂଲ୍ୟ କ’ଣ ? ସେ ଦୀର୍ଘ ଅପେକ୍ଷାର କ’ଣ ସତରେ ଏକ ପରିସମାପ୍ତି ଅଛି ? ଅପେକ୍ଷା କରି କରି ରାଧିମାଉସୀ ସ୍ୱୟଂ ନିଜେ ଶେଷ ହୋଇ ଯିବେନି ତ ?

 

କୃଷ୍ଣ କ’ଣ ସତରେ ଆଉ ଗୋପକୁ ଫେରିଥିଲେ ? ତଥାପି ରାଧା ପ୍ରତି ରାତିରେ ହୁଏତ ଅଭିସାରିକା ସାଜି ଦଗାଦିଆ କାହ୍ନୁକୁ ମରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ତଥାପି ସେ ଯମୁନା କୂଳରେ କାହାର ଏକ ଆକୁଳ ବଇଁଶୀ ଭିତରେ ‘‘ରାଧା ରାଧା’’ ନାଆଁ ପାଇଁ କାନ ଡେରିଥିଲେ । ନିତି କୃଷ୍ଣମୟ ସେହି ଅଜସ୍ର ସ୍ମୃତି ଭିତରେ ରାଧା ହଜି ଯାଉଥିଲେ । ଲୁହ ତାଙ୍କ ବିଛଣା ଛୁଉଁଥିଲା । ସେମିତି ଠିକ୍ ସେହି ବିରହିଣୀ ରାଧା ଭଳି ତୃଷ୍ଣଭରା କ୍ଳାନ୍ତ ଆଖିପତା ନେଇ ଅନାଇଛନ୍ତି ରାଧି ମାଉସୀ । ପୁଅଝିଅଙ୍କ ଚିତା ନିଜ ହାତରେ ପ୍ରସ୍ତୁତ କରି ବି ଗୋଟାଏ ଆଶା ନେଇ ସେ ବଞ୍ଚିଛନ୍ତି; ହୁଏତ କେବେ ନା କେବେ ତାଙ୍କର ସେ କୃଷ୍ଣ ଫେରିବେ, ରାଧିମାଉସୀଙ୍କ ଶୂନ୍ୟ ପତ୍ରଝଡ଼ା ସଂସାରରେ ପୁଣି ପରିପୂର୍ଣ୍ଣ ତା’ର ପତ୍ର କଅଁଳି ଉଠିବ, ତାଙ୍କର ନିର୍ଜ୍ଜନ ନିରାସକ୍ତ ଜୀବନରେ ପୁଣି କୋଇଲି ଗାଇବ, ସେଠି ଆମ୍ବ କଷି ଧରିବ ଆଉ ଅତୀତର ସେହି ଦୁଃଖଦ ଦିନଗୁଡ଼ିକ ମନ- ସିଲଟରୁ ପୋଛି ହୋଇଯିବ, ଅବଲମ୍ବନହୀନ ଶେଷ ଜୀବନଟା ହୁଏତ ସାହାରାହା ପାଇବ, ମରୁଭୂମିରେ ଫୁଲ ଫୁଟିବ ।

 

ହେଲେ... କିଏ, ବା ଦେବ ରାଧାକୁ ସେହି ହଜିଲା କୃଷ୍ଣର ଠିକଣା ?

ପ୍ରତିଯୁଗରେ କୃଷ୍ଣ ପ୍ରତିଶ୍ରୁତି ଦେଇ ମଥୁରା ଯାଇଛି । ରାଧାକୁ ଫେରିଆସିବା ଯାଏଁ ଅପେକ୍ଷା କରିବାକୁ କହିଛି । କିନ୍ତୁ ଗଲାକୃଷ୍ଣ କେବେ ବି ଫେରିଆସି ନି । ଆଉ ଗୋପପୁରରେ ତା’ର ବଂଶୀ ଲହରେଇ ନି କି ଯମୁନା କୂଳରେ ‘ରାଧା’ ଡାକ ଶୁଭି ନି । ଅଥଚ ପ୍ରତିଯୁଗରେ ଅନନ୍ତ ପ୍ରତିକ୍ଷାକୁ ନେଇ ରାଧା ବାଟ ଚାହିଁ ବସିଛି । ରାଧାର ସୃଷ୍ଟି ସତେ ଯେମିତି ଅପେକ୍ଷା ଭିତରେ ଜଳି ଯିବାକୁ, ରାଧାର ସାର୍ଥକତା ସତେ ଯେମିତି ଅପ୍ରାପ୍ତିର ଜ୍ୱଳନ ଭିତରେ ।

 

ରାଧିମାଉସୀ ଯଦି ଏ ଯୁଗରେ ସେମିତି ଏକ ପ୍ରାପ୍ତିର ଆଶାରଖି କୃଷ୍ଣର ବାଟ ଚାହିଁ ପାରନ୍ତି ତେବେ ଚିନୁ ନାମକ ମୁଁ କାହିଁକି ନିଜକୁ ଆତ୍ମବଳୀ ଦେବି ? ବଞ୍ଚିବାର ଏତେ ସରଳ ବୁଝାମଣାଟିଏ ଥିଲାବେଳେ ସଂସାରୀଟିଏ କାହିଁକି ସଂସାରକୁ ଅଙ୍ଗେଇ ନିଏ ନିଜେ !

 

ସତରେ ସଂସାର ଏକ ସମୁଦ୍ର । ସେ ସମୁଦ୍ର ଭିତରେ ମିଶିଯିବାପାଇଁ ହିଁ ତ ମଣିଷର ଅନନ୍ତ ପରୀକ୍ଷା ! ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଥିବା ମଣିଷଟି ତ ପ୍ରକୃତ ସଂସାରୀ ! ସଂସାରୀଟିଏ ହେବା ପାଇଁ ତେଣୁ ପ୍ରଥମେ ଦରକାର ନୂଆ କରି ବଞ୍ଚି ଶିଖିବା, ସବୁ ଦୁଃଖ ବେଦନା, ଝଡ଼ ସତ୍ତ୍ୱେ ଜୀବନକୁ ଭଲ ପାଇବା, ସବୁ ପରିସ୍ଥିତିକୁ ନିଜର କରି ନେବା... ।

 

ଏମ୍. ଫିଲ୍ ଛାତ୍ରୀ

ଦ୍ୱିତୀୟ ଛାତ୍ରୀ ନିବାସ

ବାଣୀବିହାର, ଭୁବନେଶ୍ୱର- ୪

***

 

ଅନିର୍ବାଣ’

ଶ୍ରୀରବି ସିଂ

ମୋ’ ଜୀବନର ଶୁଖିଲା ପତ୍ରରେ

ଜଳୁଥିବା ନିଆଁକୁ

ଅଧିକ ପ୍ରଜ୍ଜ୍ୱଳିତ କରିଛ ତମେ ।

ହୃଦୟର ଅଭ୍ୟନ୍ତରରେ

ଆଣି ଗଦା କରିଛ

ଘୃଣା, ବିସ୍ମୟ ଆଉ ଅନୁଶୋଚନାର

ଗ୍ଳାନିକର ଜ୍ୱଳନ୍ତ ଅଙ୍ଗାର ।

ମୋ’ ସୃଜନଶୀଳ ମନୋଜଗତରେ ଚାଲିଛି

ପାଇବାର- ହରାଇବାର

ପ୍ରଚଣ୍ଡ ସଂଘାତ ।।

ସବୁ ସତ୍ତ୍ୱେ

ମୁଁ ଅପଲକ ଆଖିରେ

ଚାହିଁଛି ତମକୁ...

ତମରି ମୁହଁକୁ,

ଚାରଣ କରୁଛି ତମ ଅତୀତର

 

ସ୍ମୃତି ଆଉ ସଂଳାପକୁ ।

ଅତି ଆବେଗମଣ୍ଡିତ ଭାବରେ

ସ୍ତବ୍‌ଧ ହୋଇ ଯାଇଛି ମୁଁ

ଏକ ଜୀବନ୍ତ ଆଗ୍ନେୟଗିରି ।।

ଏଇ ସ୍ତବ୍‌ଧତା ଭିତରେ

ଏଇ ଦ୍ୱନ୍ଦ୍ୱ- ସଂଘାତ ଭିତରେ

ସାପପରି ନୀରବରେ ସହ୍ୟ କରୁଥିବା

ଏଇ ଅବ୍ୟକ୍ତ ଯନ୍ତ୍ରଣା ଭିତରେ

ଅକଳୁଷ ଆଶା ନେଇ

ମୁଁ ଅପେକ୍ଷା କରିଛି ।

ସର୍ବନିମ୍ନ ପବିତ୍ରତାର ଚାଟଶାଳୀରେ

 

କେବେ ଭର୍ତ୍ତି ହେବ ତମେ !

ଜୀବନଟା ମୋର

ଗୋଟାଏ ପ୍ରକାଣ୍ଡ ମହାବିଦ୍ରୋହର ଅଗ୍ନିକୁଣ୍ଡ,

ସ୍ୱାହାହୀନ ଶିଖାର ଅନଳରେ

ତାହା ଉତ୍ତପ୍ତ ।

ଏଠି କପଟତା, ଛଳନା, ଅଭିନୟ, ଦ୍ୱୈତ ଚିନ୍ତାର

ସ୍ଥାନ ନାହିଁ- ନାହିଁ- ନାହିଁ ।।

ଜୀବନଟା ମୋର

ସକାଳର ଘଣ୍ଟାଧ୍ୱନି ପରି

ନିଷ୍ପାପ ଆଉ ପବିତ୍ର,

ଈଶ୍ୱରରୁ ବଳି ନୀରବ,

ପ୍ରେମଠାରୁ ବଳି ଆବେଗମଣ୍ଡିତ,

ଅଗ୍ନିଠାରୁ ବଳି ଉଦ୍‌ଗ୍ରୀବ ।।

।। ୨ ।।

ମୋର ମହିମାମଣ୍ଡିତ ଏଇ ଜୀବନ,

ତା’ର ତୃତୀୟ ନୟନର ଅଗ୍ନିରେ

ତମେ ଆଜି ଦଗ୍‌ଧୀଭୁତ,

ଜଳି ଯାଉଛି ତମର ଆବର୍ଜନା,

ମୋ’ ସାଂଭ୍ରାନ୍ତ୍ୟର ଶ୍ଳୀଳତାକୁ ହାନୀ କରି

ତମେ ଚିତ୍‌କାର କରୁଛ

ନୈତିକ- ବିବସନା

ଏ ଯୁଗର ପାଞ୍ଚାଳୀ ଗୋ !

ମୋର ପବିତ୍ରତା ଆଉ ସରଳତା

ମୋର ଘାଏଲ୍ ହୋଇଥିବା

ବିଦ୍ରୋହୀ ଅଥଚ ମଦନ- ମନୋହର ପୌରୁଷ

ଆଜି ନିଷ୍ଠୁର ଗବେଷକ

ନାରୀ, ତମ ଅଜ୍ଞାତ ଚରିତ୍ରର ।।

ସବୁ ସତ୍ତ୍ୱେ

ମୁଁ ଅପେକ୍ଷା କରିଛି

ପୂର୍ବବତ୍ ଅଧୀର ଆଗ୍ରହରେ ।

ମୋ ତପୋଭଙ୍ଗ- ତାଣ୍ଡବର,

ମୋ ଅନିର୍ବାଣ ସ୍ୱାହାହୀନ ଶିଖାର

ଜଠର ମଧ୍ୟରୁ

ମୋ ନିଷ୍ଠା

ମୋ ନିର୍ଭେଜାଲ ପ୍ରେମର

ରକ୍ତକେଶୀ ଅରୁଣୀ

ତମେ ଉଦୟ ହେବ ।

 

ଭୁବନେଶ୍ୱର,

୮।୧୦।୮୨

 

ଏଲ୍/୫ ଲେବରକଲୋନି

ଖପୁରିଆ, କଟକ

***

 

ଶବ୍ଦ ସଂହାର

ଶ୍ରୀ କୃଷ୍ଣ ମିଶ୍ର

-୧-

ତୋ’ ଆଖି-ଅପହଞ୍ଚ କାଉଁରୀ ରାଇଜରେ

ମୋ’ ଉଦଗ୍ର କାମନାର ମେଣ୍ଢା ଛୁଆଟି

ବୋବାଲି ଛାଡ଼ିଛି ।

ବୋବାଳି ଛାଡ଼ିଛି ସତେ ଯେମିତି ମିଳିଯିବ

ଏକ ଅନନୁଭୂତ ତତ୍ତ୍ୱ

ବିନ୍ଦୁରୁ, ନାଦରୁ ଅଥବା ବ୍ରହ୍ମରୁ !

ଜାଣି ହୁଏ ନି ସମସ୍ତ ସମୟ

କେମିତି ଏକାନ୍ତି ଆପଣାର କରି ଆବୋରି ନିଏ

ଏକ ଦୀର୍ଘ ନୀରବତା ।

ନୀରବତାରେ ଆଖି ଯେତେଦୂର ପାଏ

ମଣିଷ ଦେଖିବା ସ୍ୱପ୍ନ ।

ମୋ’ ପରି ଏକଲା ମେଣ୍ଢାଟି

ଯାହା ଖାଲି ମାୟାର ସାମ୍ରାଜ୍ୟ ତଳେ

ନିଜକୁ ହିଁ ଏକ ନିରୀହ ମୁକାବିଲା କରେ ।

-୨-

ଶବ୍‌ଦର ମାଲୁଣୀ ବୁଢ଼ୀ

ଅକ୍ତିଆର କରିନିଏ ସମସ୍ତ ଶବ୍ଦକୁ ।

କଳା କଳା ଦୁଦୁରାରେ

ରୁପ-ରଙ୍ଗ-ରସ ଚହଟେ ନି ।

କେବଳ ଧଳା ଫୁଲକୁ ଲୋଭ କରି କରି

ନୀରବତା, ନିଃସଙ୍ଗତା ସଂକୁଚିତ ହେବ ବୋଲି

ମୁଁ ଦିଅଇ ପ୍ରଚଣ୍ତ ବୋବାଲି,

ଶବ୍ଦ ଆଉ ଶବ୍ଦ ମିଶି ନିଃଶବ୍ଦ ପ୍ରତିଧ୍ୱନି

ଅବିରାମ ହସୁଥାଏ

ଲକ୍ଷେ ଚମ୍ପା ମାୟାବିନୀ ହସ ।

-୩-

ଏ ମାୟାବିନୀ ! ଅଳି କରୁଛି, ମଣିଷ କରିବେ ।

କଥା ଦେଉଛି, ତୁ’ଇ ମୋ’ର ମାୟାର ଈଶ୍ୱରୀ ।

ଅସମ୍ଭବ କାମନାକୁ ଛାତିତଳେ ଯାକି

ହଠାତ ପାଲଟିଯାଏ ଏକଲା ମଣିଷଟିଏ

ଭାଙ୍ଗିଯାଏ ମୋ’ ମନର କୂଳ-ଉପକୂଳ ।

ଏତେବେଳେ ଶବ୍ଦ ଅସୁରିଣୀଟିର ଉଦଗ୍ର କାମନା

ଗ୍ରାସ କରେ ସମଗ୍ର ସତ୍ତାକୁ ମୋ’ର

ମୁହୂର୍ତ୍ତଟି ଯୁଗଯୁଗ ହୁଏ,

ଅଙ୍ଗରେ ଅନଙ୍ଗ ଚରେ

ସୃଷ୍ଟି ହୁଏ ପୂର୍ଣ୍ଣାଙ୍ଗ ସମ୍ପର୍କ ଏକ

ଭ୍ରାନ୍ତ ଶୂନ୍ୟତାରେ, ଜଟିଳ ମାଟିରେ ।

ତାଳୁରୁ ତଳିପାଯାଏ

ବିଷ ପରି ଶୋଷି ଶୋଷି ସବୁ ଅସ୍ଥିରତା

ଥାନ ଅଥାନରେ ପଡ଼ି

ଶବ୍ଦଟିର କାଲୁବାଲୁ ହୁଏ ନିଶବ୍ଦ ଆଶାରେ

 

ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର

ଗ୍ରା ଓ ପୋ. ଅ. ଜୟପୁର,

ଭାୟା: ତାରପୁର, ଜିଲା: କଟକ-୭୫୪୧୬୧

 

ଗ୍ରନ୍ଥ ସମୀକ୍ଷା

ପୁନଶ୍ଚ

ରଚନା : ଶ୍ରୀରଘୁନାଥ ଦାସ (ଜଟାୟୁ)

ପ୍ରକାଶନ : ଶ୍ରୀମତୀ ରଞ୍ଜିତା ଦାସ

 

ପ୍ରଥମ ସଂସ୍କରଣ

୧୯୮୩

ଆଲୋଚନା : ଡକ୍‌ଟର ବନମାଳୀ ବାରିକ

‘ପୁନଶ୍ଚ’ କବି ରଘୁନାଥ ଦାସ (ଜଟାୟୁ)ଙ୍କ ଦ୍ୱିତୀୟ କାବ୍ୟ ସଂକଳନ । ଏଥିରେ ୪୩ ଗୋଟି କବିତା ସଂଯୋଜିତ । ଗ୍ରନ୍ଥର ପ୍ରକାଶକାଳ ୧୯୮୩ ହେଲେହେଁ କବିତାଗୁଡ଼ିକ ୧୯୭୨ ରୁ ୧୯୮୨ ମଧ୍ୟରେ ରଚିତ ହୋଇଥିବା କଥା ଗ୍ରନ୍ଥର ‘ଦିଗବାରିଣୀ’ରେ ଉଲ୍ଲିଖିତ । ଏହା ପୂର୍ବରୁ ପ୍ରକାଶିତ ତାଙ୍କର ‘ଅଗଷ୍ଟ ପନ୍ଦର ଓ ଅନ୍ୟାନ୍ୟ କବିତା’ ସଂକଳନ ଓଡ଼ିଶାର ସୁଧୀ ସାହିତ୍ୟିକମାନଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିଥିଲା; ଏହି ଗ୍ରନ୍ଥରେ ସଂଯୋଜିତ କବିତାସମୂହ ୧୯୩୯-୫୩ କାଳରେ ଲିଖିତ ଓ ପ୍ରକାଶିତ । ଓଡ଼ିଶାର ସାମ୍ୟବାଦୀ କାବ୍ୟାନ୍ଦୋଳନ କ୍ଷେତ୍ରରେ ସେ ସବୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମଗ୍ର ବିଶ୍ୱର ନିର୍ଯ୍ୟାତିତ ମଣିଷର ବିପୁଳ ସ୍ୱପ୍ନ ଓ ସମ୍ଭାବନା ସେହି ସକଳ କବିତାରେ ଗଭୀର ପ୍ରୀତି ଓ ଆନ୍ତରିକତା ସହ ଲିପିବଦ୍ଧ । ପଦଧ୍ୱନି, ଅଗଷ୍ଟ ପନ୍ଦର, ଗଣପତି, ସାଂଘାଇ, ଚୀନ, ମାଓ ସେତୁଙ୍ଗ, କୋରିଆ, ହୀରୋସୀମା ପ୍ରଭୃତି କବିତାରେ ତାଙ୍କର ସଂଗ୍ରାମୀ ସ୍ୱର ଏଭଳି ଉଦାର ଓ ଶାଣିତ ଯେ ପୃଥିବୀର ଯେକୌଣସି ଶ୍ରେଣୀସଚେତନ । ମୁକ୍ତିକାମୀ ମଣିଷ ନିକଟରେ ତାହାର ମୂଲ୍ୟ ଅତୁଳନୀୟ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଯୁଯୁତ୍ସୂ କବିଙ୍କର ଦୀର୍ଘକାଳବ୍ୟାପୀ (୧୯୫୩-୭୨) ନୀରବତା ।

 

‘ପୁନଶ୍ଚ’ ସଂକଳନରେ କବିଙ୍କ ସେହି ସାମ୍ୟବାଦୀ ବୈପ୍ଳବିକ ସ୍ୱର ପୁନର୍ଝଂକୃତ । କିନ୍ତୁ ଏଥିରେ ପୂର୍ବର ସେହି ଉଗ୍ରତା/ପ୍ରାଣଶକ୍ତି ନାହିଁ । ମାତ୍ର ଜଣେ ସମରକ୍ଳାନ୍ତ ମହାରଥୀର ଅପରାଜିତ ତପସ୍ୟାର ମହିମା ଏହାର ବିଶିଷ୍ଟ ସମ୍ପଦ । କବିଙ୍କ ନିଜସ୍ୱ ଉକ୍ତି ଏ ପ୍ରସଙ୍ଗରେ ସ୍ମରଣୀୟ- ‘‘ପୁନଶ୍ଚ କବିତାଗୁଚ୍ଛରେ ମୋର ପୂର୍ବ କବିତାର ଶୌର୍ଯ୍ୟ ନାହିଁ, ଉଷ୍ଣତା ନାହିଁ, ଉଦ୍ଦୀପନା ନାହିଁ । ଦିଗନ୍ତ ନୈରାଶ୍ୟରେ ମୁଁ କାତର ହୋଇଯାଇଛି । ଜନଶତ୍ରୁପ୍ରତି କେଉଁଠି ବିଦ୍ରୁପ ପ୍ରକାଶ କରି, କେଉଁଠି ଚେଇଁ ଉଠୁଥିବା ଆନ୍ଦୋଳନକୁ ସ୍ୱାଗତ ଜଣାଇ ମୁଁ ପାଇଛି ଆତ୍ମତୃପ୍ତି । କେଉଁଠି ପୁଣି ମୁଁ ଦାର୍ଶନିକ ସ୍ତରକୁ ଉଠି ସମଗ୍ର ଜୀବନ ପ୍ରବାହର ଚିତ୍ର ଆଙ୍କିଛି ।’’ (ପୃ.୭ ଅଣା) ସ୍ୱାଧୀନ ଭାରତବର୍ଷରେ ଦୁର୍ନୀତି, କୁଶାସନ, ଭ୍ରଷ୍ଠାଚାର, ଦୁଃଖ, ଦୈନ୍ୟର ସୀମାରେଖା ଯେପରି ବଢ଼ି ଚାଲିଛି ତାହାର ପରିଣାମ ସମ୍ପର୍କରେ ଭବିଷ୍ୟତବାଣୀ କରିବା ଆଜି ବଡ଼ ଆୟାସସାପେକ୍ଷ । ଶାସନକୁ ମୁଖ୍ୟତଃ ସମାଜବାଦୀ ବୋଲି ଘୋଷଣା କରାଯାଇଛି; କିନ୍ତୁ ସମଗ୍ର ଶାସନକଳ ଆଜି ପୁଞ୍ଜିବାଦୀ ଢ଼ାଞ୍ଚାରେ ପରିଚାଳିତ । ଧନୀର ଧନଭଣ୍ତାର ଯେଭଳି ବଢ଼ି ବଢ଼ି ଚାଲିଛି, ଦରିଦ୍ର ଜନତା ଉପରେ କର ଓ କାନୁନ ସେହିପରି ବୋଝ ଉପରେ ନଳିତା ବିଡ଼ା ପରି ଲଦା ହେବାରେ ଲାଗିଛି । ଯୋଜନା ପରେ ଯୋଜନା, ନେତୃତ୍ୱ ପରେ ନେତୃତ୍ୱ-ସବୁ ଆନି ଧୋକ୍‌କାବାଜି ଓ ଧୁଆଁ ବାଣ । କୋଟି କୋଟି ଭାରତୀୟ ଜନଗଣର ମୁକ୍ତିସ୍ୱପ୍ନ ଆଜି ବିଡ଼ମ୍ବିତ । ସ୍ୱାଧୀନତାର ସୀତା ଆଜି ଅନ୍ୟାୟ ଅତ୍ୟାଚାରର ବିଂଶବାହୁ କବଳରେ ବିଳାପରତା । କ୍ଷୁଦ୍ରପକ୍ଷ ଜଟାୟୁ କବି ସେହି ଧୂର୍ତ୍ତ ଦୁରାଚାରୀ ରାବଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ବଦ୍ଧପରିକର । ଏକଥା ସତ୍ୟ ଯେ ପ୍ରତିପକ୍ଷର ପ୍ରବଳ ଅନ୍ୟାୟ ଶକ୍ତି ନିକଟରେ ଏହି ପକ୍ଷୀ ଛିନ୍ନପକ୍ଷ ହେବା ସ୍ୱାଭାବିକ । ତଥାପି ଇତିହାସ କହିବ -

 

‘‘ଏକକ ସେ ସେନା

ପକ୍ଷେ ସତ୍ୟ ପକ୍ଷେ ନ୍ୟାୟ

ଅବିନୀତ ଜଟାୟୁର ଡେଣା ’’

ଜଟାୟୁ (ପୃ.୪)

 

ଆମର ସାମାଜିକ ଜୀବନ ବର୍ତ୍ତମାନ ନିର୍ବେଚନ ବେକାରୀ ପୋଲିସରରକ୍ତମୁଖା ବ୍ୟବହାର, ମିଥ୍ୟା ପ୍ରତିଶ୍ରୁତି ଓ ଶସ୍ତା ସ୍ଳୋଗାନ ଉପରେ ପର୍ଯ୍ୟବସିତ । ବାରମ୍ବାର ସମ୍ବିଧାନର ପରିବର୍ତ୍ତନ, ମନ୍ତ୍ରୀତ୍ୱର ମୁଖାତଳେ ସାମନ୍ତବାଦୀ ଶାସନ ଗଣତନ୍ତ୍ର ନାମରେ ସ୍ୱୈରାଚାର, ସଂସ୍କୃତ ନାମରେ ଅପସଂସ୍କୃତିର ବୀଭତ୍ସ ପ୍ରଦର୍ଶନ ଇତ୍ୟାଦି ନାନାବିଧ ସମସ୍ୟାରେ ତାହା ବିଷାୟିତ । ଏଥିରୁ ମୁକ୍ତି ଲାଭ କରିବାର ସକଳ ଦ୍ୱାର ଯେପରି ଅବରୁଦ୍ଧ । ପୁନରାବୃତ୍ତି ଘଣ୍ଟା ପଦ୍ମତୋଳା ଭାରତବନ୍ଦନା କହ ଲୋ କୋଇଲି କପୋତୀ ଡ଼ାକୁଛି, ମାନଚିତ୍ର ଭାରତର, ପ୍ରବଞ୍ଚନା, ମୀଡ଼ାସ୍‌ ପ୍ରଭୃତି କବିତାରେ ଉପରୋକ୍ତ ସମସ୍ୟାବଳୀର ଅତ୍ୟନ୍ତ ମାର୍ମିକ ଚିତ୍ର ପ୍ରଦତ୍ତ । ସର୍ବତ୍ର କବିଚିତ୍ତ ଗଭୀର ବ୍ୟଥା ଓ ବେଦନାରେ ବିକଳ ଓ ଆତୁର । ଗୋଟିଏ ଉଦାହରଣ ଏଠାରେ ଦିଆଯାଇପାରେ-

 

‘‘ବ୍ୟାଧ ଯେ ବ୍ୟାଧ ! ବ୍ୟାଧ ପାତିଛି ତା’ ଜାଲ

ସେ କରେ ତ ମାଂସର ବେଉଷା, ବିକେ ହରିଣୀର ଛାଲ

ମୃଗୁଣୀର ସଦ୍ୟ ମାଂସେ ପ୍ରଲୁବ୍‌ଧ ଲୁବ୍‌ଧକ

କରିଛି ସେ ହତ୍ୟାଲାଗି ଯୋଜନାବ୍ୟାପିକ ।’’

ମୃଗଣୀ ସ୍ତୁତି (ପୃ.୪୧)

 

୧୯୭୨ ରୁ ୧୯୮୩ ମଧ୍ୟରେ ଘଟିଯାଇଥିବା ବହୁଘଟଣା ମଧ୍ୟରୁ ଜରୁରୀକାଳୀନ ପରିସ୍ଥିତି ଓ ଅଭୁତପୂର୍ବ ଜନଜାଗରଣ ଭାରତ ଇତିହାସର ଏକ ବିରାଟ ଅଧ୍ୟାୟ । ସେସବୁ ଦିନର ଶାସନ କୁଶାସନ, ନ୍ୟାୟ ଅନ୍ୟାୟ, ପ୍ରଗତି ଅଧୋଗତି ସମ୍ପର୍କୀୟ କାହାଣୀ ଜନମାନସରୁ ଅଦ୍ୟାପି ନିଷ୍ପ୍ରଭ ହୋଇନାହିଁ । ସେ ସମସ୍ତ ଘଟଣାବଳୀ କବିପ୍ରାଣ ଯେପରି ଭାବରେ ଆନ୍ଦୋଳିତ କରିଛି, ଆମେ ତାର ଛଳନାହୀନ ପରିପ୍ରକାଶ ଦେଖୁ କେତୋଟି କବିତାରେ । ଯଥା- ରାହୁଗ୍ରାସ, କବନ୍ଧର କବିତା, ୧୯୭୫, ପାରିଷଦ, ଅନ୍ଧଗଳିର କଥା, କାରାଗାର, ଇସ୍ତାହାର, ଆବାହନୀ ଇତ୍ୟାଦି । ଉପରୋକ୍ତ କବିତା ସମୂହରେ କୋଡ଼ିଏ ଦଫା+ପାଞ୍ଚଦଫା କାର୍ଯ୍ୟକ୍ରମ, ଗରିବୀ ହଟାଓ ସ୍ଲୋଗାନ ଓ କ୍ଷମତାର ତୋଷାମଦିକୁ ଯେପରି ବ୍ୟଙ୍ଗବିଦ୍ରୂପ କରାଯାଇଛି, ସେହିପରି ଅତ୍ୟାଚାରିତ ଜନଗଣଙ୍କୁ ବିପ୍ଳବ ମନ୍ତ୍ରରେ ଆବାହନ କରାଯାଇଛି । ଉଦାହରଣ ସ୍ୱରୂପ-

 

‘‘ତାଙ୍କ କାର୍ଯ୍ୟକ୍ରମ ଆମ କର୍ମ ହେଉ

ବିଂଶଦଫା ଆମ ଧର୍ମ ହେଉ ।’’

ତାଙ୍କ ଲାଗି ରାମରାଜ୍ୟ ଆସିଲା;

ତାଙ୍କ ଲାଗି ଘିଅମହୁ କେତେ ଭାସିଲା;

ତାଙ୍କ ଲାଗି କଳକାରଖାନା ବସିଲା,

ତାଙ୍କ ଲାଗି ସବୁଜ ଖେତ ତ ହସିଲା;

କୀର୍ତ୍ତନିଆ ଭାଇ ବୋଲରେ ବୋଲ

ପିଟ୍‍ରେ ଗିନି, କରତାଳି ଦେଇ

ପିଟ୍‌ ତୋ ଖୋଳ

କୀର୍ତ୍ତନିଆ ଭାଇ ବୋଲରେ ବୋଲ ।’’

କବନ୍ଧର କବିତା (ପୃ. ୭୧)

କିମ୍ବା

‘‘ଦୁରନ୍ତ ଝଡ଼କୁ କର କେନ୍ଦ୍ରୀଭୁତ

ଯେତେ କୁନ୍ତୀ ସୂତ

ଉତିଷ୍ଠିତ ଜାଗ୍ରତ ପ୍ରାପ୍ୟବରାନ୍ନି ବୋଧତ ।’’

ଲେନିନ (ପୃ-୭)

 

ତଥାକଥିତ ଆଇନ ଦୃଷ୍ଟିରେ ନାଗଭୁଷଣ ଜଣେ ଅପରାଧୀ ରୂପେ ସାବ୍ୟସ୍ତ ହୋଇଥିଲେହେଁ ବାମପନ୍ଥୀ ଆନ୍ଦୋଳନର ଇତିହାସରେ ସେ ଜଣେ ଅକୁତୋଭୟ ଯୋଦ୍ଧା । ତେଣୁ ତାଙ୍କୁ କବି ହୃଦୟର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା ନିବେଦନ କରିବାକୁ ଆଗେଇ ଆସିଛନ୍ତି । ଅନ୍ୟ ପକ୍ଷରେ ଏହି କାଳର ଅନ୍ୟ ଜଣେ ବ୍ୟକ୍ତି ଡ଼ାଃ ତଥାଗତ (?)ଙ୍କ କ୍ଳିନିକାଲ ରିପୋର୍ଟରେ ଉଲ୍ଲିଖିତ ବହୁ ଅଶ୍ଳୀଳ ତଥ୍ୟର ସୂଚନାକୁ ଆଧାର କରି କବି ‘ମୁକ୍ତି ସୂର୍ଯ୍ୟର ସ୍ମରଣିକା’ ରଚନା କରିଛନ୍ତି । ଚରିତ୍ର ନିର୍ବାଚନରେ ସ୍ୱାତନ୍ତ୍ର୍ୟ ଏଠାରେ ଲକ୍ଷ୍ୟ କରିବାର କଥା । ଜଣେ ଜୀବନ ବିନିମୟରେ ଲକ୍ଷ ଲକ୍ଷ ନିର୍ଯ୍ୟାତିତ ମଣିଷର ମୁକ୍ତିସ୍ୱପ୍ନ ଦେଖିଥିବା ବେଳେ ଆଉ ଜଣେ ସ୍ଖଳନର ଶେଷ ପାହାଚରେ ସଦର୍ପେ ଦଣ୍ତାୟମାନ । ସ୍ୱାଧୀନ ଭାରତ ବର୍ଷର ଏ କି ବିଚିତ୍ର ପରିଣତି ? ସ୍ୱାଧୀନତା ପରେ କଳକାରଖାନା ପରିବର୍ତ୍ତେ ମଣିଷ ଗଢ଼ିବା ଥିଲା ମହାତ୍ମା ଗାନ୍ଧୀଙ୍କର ପ୍ରଥମ ଆହ୍ୱାନ (Build men first) । ଆଜି ତାହା ଉପହାସର ବସ୍ତୁ ।

 

କବିତାଗୁଡ଼ିକର ଅନ୍ୟ ଏକ ବିଶିଷ୍ଟ ବିଭାବ ହେଲା- ପୌରାଣିକ ଆଖ୍ୟାନ ଜରିଆରେ ସାମ୍ୟବାଦୀ ଜିଜ୍ଞାସାର ରୂପାୟନ । ସର୍ବହରା ମଣିଷର ମୁକ୍ତିପାଗଳ କବି ରାବଣ କୌରବ, କଂସ, ଦେବକୀ, କୃଷ୍ଣ, ଅର୍ଜ୍ଜୁନ ଚରିତ୍ରଗୁଡ଼ିକୁ ଆଜିର ସାମାଜିକ ପୃଷ୍ଠଭୂମିର ବିଶ୍ଲେଷଣ କରିଛନ୍ତି । ଫଳତଃ କବିତାର ଭାବବସ୍ତୁ ପୌରାଣିକତା ସ୍ପର୍ଶରେ ଅଧିକ ହୃଦୟଗ୍ରାହୀ ଓ ଶାଣିତ ହୋଇପାରିଛି । ପୁନଶ୍ଚ ଭାରତୀୟ ଗଣମାନସ ସହିତ ଏହିସବୁ ଉପାଖ୍ୟାନ ଗଭୀର ଯୋଗସୂତ୍ରରକ୍ଷା କରୁଥିବାରୁ କବିତାଗୁଡ଼ିକର କଳାମୂଲ୍ୟ ଓ ବ୍ୟାବହାରିକ ମୂଲ୍ୟ ବିଶେଷଭାବେ ଉଲ୍ଲେଖଯୋଗ୍ୟ । ଦେବବାଣୀ ଶ୍ରୀମଦ୍‌ ଭାଗବତ, ମୃଗୁଣୀସ୍ତୁତି, ଦକ୍ଷଯଜ୍ଞ, ଓ ତତ୍‌ସତ୍‌, ବାସୁକୀ ପ୍ରଭୃତି କବିତା ଏହି ଜାତୀୟ । ଉଦାହରଣ ସ୍ୱରୂପ-

 

‘‘ଏ ଗର୍ଭେ ସଞ୍ଚରି ଅଛି ଯେ ଶିଶୁ ମହାନ୍‌

ମହାପ୍ରାଣ, ସେ ତ ଅନିର୍ବାଣ

ବ୍ୟଭିଚାରେ ଜର୍ଜ୍ଜରିତା ଉତ୍‌ଫେଣ ଯମୁନା

କୁଳେ କୁଳେ ହାଣେ ତା’ର କୃଷ୍ଣ ଉତ୍ତେଜନା

ଧସିବାକୁ ଚାହେଁ ତାହା, ଜରାଜୀର୍ଣ୍ଣ ଯା’ କିଛି ପୁରୁଣା

କଂସ ସାବଧାନ ।’’

ଦେବବାଣୀ (ପୃ. ୧୯)

 

କବିତାର ଗଠନ-କଳା ସମ୍ପର୍କରେ କିଞ୍ଚିତ୍‌ ସୂଚନା ଦେବା ଏଠାରେ ଏକାନ୍ତ ଆବଶ୍ୟକ । ଆଧୁନିକତା ନାମରେ ଦୁର୍ବୋଧ୍ୟତା କିମ୍ବା ଜଟିଳତାର ସ୍ପର୍ଶ ଏଥିରେ ନାହିଁ । ସର୍ବତ୍ର ଭାବର ଅବାଧ ବିଚରଣ । ପ୍ରତୀକ ଓ ଚିତ୍ରକଳ୍ପାଦି ପ୍ରୟୋଗରେ ପ୍ରାୟତଃ କବି ପୁରାଣମୁଖୀ । ସୁତରାଂ ଜଟାୟୁ, କଂସ, କାଳିନ୍ଦୀ, ରାହୁ, ଦକ୍ଷ, କବନ୍ଧ ପ୍ରଭୃତିକୁ ସେ ଭାବ-ପ୍ରକାଶର ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି-। ଫଳତଃ ଶବ୍ଦ ଓ ଅର୍ଥର ସଙ୍ଗତି ଅଧିକ ବଳିଷ୍ଠ ହୋଇଛି । ଚିତ୍ରକଳ୍ପ ପ୍ରୟୋଗରେ ପ୍ରାଚୁର୍ଯ୍ୟ ପରିଲକ୍ଷିତ ନହେଲେ ହେଁ ସ୍ଥଳ ବିଶେଷରେ ତାହା ବେଶ୍‌ ସମୃଦ୍ଧ, ଯେପରି-

 

‘‘ଦେବକୀ ମୁଁ

ମୁଁ ତ ଯୁଗ ପ୍ରସବିନୀ

ମୁଁ କୃଷ୍ଣ ଜନନୀ

ମୋ ରକ୍ତସ୍ରାବେ

ଦେଖ ଲାଲ ହୁଏ କଳାପାଣି

ଯମୁନାର ।

ହୋସିଆର ! ହୋସିଆର ! (ପୃ. ୨୫)

କିମ୍ବା

ନାଗ ଯେପରି ଚେକାମାରି

ଜଡ଼ିଯାଏ ସ୍ୱୟମ୍ଭୁ ଶିଳାରେ

ଆଉ ଫଣା ତୋଳି ସାବ୍ୟସ୍ତ କରେ ଆପଣାର ମର୍ଯ୍ୟାଦା (ପୃ. ୭୮)

 

କେତେକ କବିତା ଲୋକଗୀତର ଶୈଳୀ (ଯଥା- କହଲୋ କୋଇଲି, କପୋତୀ ଡାକୁଛି) ଓ କେତେକ କବିତା ଦର୍ଶନଶାସ୍ତ୍ରୀୟ ତାତ୍ତ୍ୱିକ ବିଚାର (ଯଥା-ସଂସାରୋଽୟଂ, ସୋଽହଂ, ଜ୍ଞାନାଂଜନ) ଉପରେ ଆଧାରିତ । ଶବ୍ଦ ନିର୍ବାଚନରେ କବିଙ୍କ ଅଖଣ୍ତ ସ୍ୱାଧୀନତା ଦେଖିଲେ ବିସ୍ମିତ ହେବାକୁ ପଡ଼େ । ସଂସ୍କୃତ ଶ୍ଳୋକ ବା ଶ୍ଳୋକାଂଶର ବହୁଳ ପ୍ରୟୋଗ ବ୍ୟତୀତ ହିନ୍ଦୁ, ଖ୍ରୀଷ୍ଟ, ବୌଦ୍ଧ, ଯାବନିକ ବୈଜ୍ଞାନିକ ଶାସ୍ତ୍ରୀୟ (ଜ୍ୟାମିତି, ବ୍ୟାକରଣ ଇତ୍ୟାଦି) ତଥା ଗ୍ରାମୀଣ ପରଂପରାରୁ ସେସବୁ ସଂଗୃହୀତ । ଉଦାହରଣ ସ୍ୱରୂପ-

 

‘‘ଜାହାଁପନା ହାମେ ସବୁ ଖାଲି ସର୍ବନାମ

ଆମ କାମ ନିର୍ବିଚାରେ ବିଶେଷ୍ୟକୁ କରିବା ପ୍ରଣାମ

ଆମେ ସବୁ ଖାଲି ସର୍ବନାମ

ଆମ ଧର୍ମ

କର୍ତ୍ତା ଆଉ ତାର କ୍ରିୟା କର୍ମ

ଅନୁସରି ମାରିବା ସଲାମ ।’’ (ପୃ-୬୦)

 

କେତେକ ସ୍ଥଳରେ କବି ପୂର୍ବସୂରୀଙ୍କ ଶବ୍ଦ ଓ ଛନ୍ଦ ସଂପଦ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିବା ଜଣାଯାଏ । ଉଦାହରଣ ସ୍ୱରୂପ ରାଧାମୋହନ ଗଡ଼ନାୟକଙ୍କ ‘ମାଟି ଓ ସଚ୍ଚିଦାନନ୍ଦ ରାଉତରାୟଙ୍କ ‘ବାଜିରାଉତ’ କବିତା ଯଥା କ୍ରମେ ‘ମହାନାଟକ’ ଓ ‘ଶ୍ରୀମଦ୍‌ ଭାଗବତର କିୟଦଂଶ (ଝଡ଼ଠାରୁ ସେ ଯେ ତ୍ରୁଟିତ୍ୟୁକ୍ତ ତା’ର ଛାଡ଼ିଦିଏ ବାଟ) ଉପରେ ପ୍ରଭାବ ବିସ୍ତାର କରିଅଛି ।

 

ସଂକଳନସ୍ଥ ଅଧିକାଂଶ କବିତା ଛନ୍ଦୋବଦ୍ଧ । କିନ୍ତୁ ଗଦ୍ୟ ରୀତି ପ୍ରୟୋଗରେ ମଧ୍ୟ ତାଙ୍କର ନିପୁଣତା ପ୍ରକଟିତ । ଏ ଦୁଇ ରୀତିରେ ଭାବର ଲୀଳା ତାଙ୍କର ଉଦ୍ଦାମ ଓ ଗତିଶୀଳ ।

 

ପରିଶେଷରେ ଏହା ନିଃସନ୍ଦେହରେ କୁହାଯାଇ ପାରେ ଯେ ‘‘ପୁନଶ୍ଚ’ କାବ୍ୟଗ୍ରନ୍ଥ ସଂପୂର୍ଣ୍ଣ ରୂପେ ତ୍ରୁଟିମୁକ୍ତ ନୁହେ । କେତେକ କ୍ଷେତ୍ରରେ ବକ୍ତବ୍ୟ ସାଟାୟାରଧର୍ମୀ ହେଲେ ହେ, ତାହା ଏକାନ୍ତ ଭାବେ ଭାଷଣ-ପ୍ରଧାନ । ‘ବିଂଶସୂତ୍ରୀ କାର୍ଯ୍ୟକ୍ରମ’ ଓ ‘ଗରିବୀ ହଟାଅ’ ଆନ୍ଦୋଳନର ବାସ୍ତବତା ବିରୁଦ୍ଧରେ ଗଭୀର କ୍ଷୋଭ ପ୍ରକାଶ ପାଇଥିଲେ ହେଁ ବିଭିନ୍ନ ସ୍ଥଳରେ ସେଇ ଗୋଟିଏ କଥାର ପୁନରାବୃତ୍ତି ଘଟିଛି । ବେଳେ ବେଳେ କବି ରୀତିମତ ସମାଲୋଚକ ଆସନରେ ବସି ଯାଇଥିବା ହେତୁ କାବ୍ୟିକ ମର୍ଯ୍ୟାଦା ସ୍ଥଳବିଶେଷରେ ବ୍ୟାହତ ହୋଇଥିଲା ପରି ମନେହୁଏ ।

 

କିନ୍ତୁ ଏ କଥା ସତ୍ୟ ଯେ ପ୍ରଗତିବାଦୀ କାବ୍ୟ-ଆନ୍ଦୋଳନ କ୍ଷେତ୍ରରେ କବି ଶ୍ରୀ ଦାସ ବଳିଷ୍ଠ ପ୍ରତିଭାର ଅଧିକାରୀ । ରଚନାର ସମ୍ଭାର ସ୍ୱଳ୍ପ ହେଲେ ହେଁ ସାମ୍ୟବାଦୀ ଜୀବନ-ଦର୍ଶନର ଜଣେ ଅନୁରକ୍ତ କଳାକାର ରୂପେ ତାଙ୍କର ଐତିହାସିକ ଭୂମିକା ଅବିସ୍ମରଣୀୟ ।

 

ଟାଇପ୍‌ ୫, ଐ-୧୫/୨

ୟୁନିଟ-୨

ଭୁବନେଶ୍ୱର-୯

***

 

ଏକାଡ଼େମୀ ସମାଚାର

 

(କ) ବାଲେଶ୍ୱରଠାରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକ କର୍ମଶାଳା

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଫେବୃଆରୀ ମାସ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନବ୍ୟାପୀ ବାଲେଶ୍ୱରସ୍ଥ ‘‘ଗାନ୍ଧୀସ୍ମୃତି’’ ଭବନଠାରେ ଓଡ଼ିଆ କ୍ଷୁଦ୍ରଗଳ୍ପ ଲେଖକମାନଆଙ୍କର ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ଏବଂ ଏହାର ଉଦ୍‌ଘାଟନ ୧୨-୨-୮୪ ତାରିଖ ପୂର୍ବାହ୍‌ଣ ୯ ଘଣ୍ଟା ସମୟରେ କଥାସମ୍ରାଟ ଫକୀରମୋହନଙ୍କ ସ୍ମୃତିତୀର୍ଥ ‘ଶାନ୍ତିକାନନ’ଠାରେ ଏକାଡ଼େମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନ ଅବସରରେ ତାଙ୍କର ସଂକ୍ଷିପ୍ତ ଭାଷଣରେ ଶ୍ରୀ ମହାନ୍ତି କହିଲେ ଯେ କଥାସମ୍ରାଟ ଫକୀର ମୋହନଙ୍କ ଦ୍ୱାରା ପ୍ରଥମେ ଓଡ଼ିଆ କ୍ଷୁଦ୍ରଗଳ୍ପର ଯେଉଁ ଅଙ୍କୁର ଜାତ ହୋଇଥିଲା ତାହା ସଂପ୍ରତି ବହୁ ଶାଖା- ପ୍ରଶାଖାଯୁକ୍ତ ଏକ ବିରାଟ ମହୀରୁହରେ ପରିଣତ ହୋଇଅଛି । ଏହି ଉଦ୍‌ଘାଟନ ଉତ୍ସବରେ ସଂସ୍କୃତି ବିଭାଗର ତତ୍‌କାଳୀନ ରାଷ୍ଟ୍ରମନ୍ତ୍ରୀ ବିଶିଷ୍ଟ ଅତିଥି ଭାବରେ ଯୋଗଦାନ କରିଥିଲେ । ଏକାଡ଼େମୀର ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା ତାଙ୍କର ପ୍ରାରମ୍ଭିକ ଭାଷଣରେ ବାଲେଶ୍ୱର ଆଧୁନିକ ଓଡ଼ିଆ ସାହିତ୍ୟ ଓ ରେନେସାଁର ସୂତିକାଗାର ବୋଲି କହିଥିଲେ-। ଫକୀରମୋହନ ଓ ରାଧାନାଥଙ୍କୁ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କ୍ଷୁଦ୍ରଗଳ୍ପ କର୍ମଶାଳା ସମ୍ପକରେ ସେ ସଂକ୍ଷିପ୍ତ ସୂଚନା ଦେଇଥିଲେ । ଏହି କର୍ମଶାଳାର ବିଭିନ୍ନ ଅଧିବେଶନରେ ସର୍ବଶ୍ରୀ ବସନ୍ତ କୁମାର ଶତପଥୀ, ଅଚ୍ୟୁତାନନ୍ଦ ପତି, ଡଃ କୃଷ୍ଣପ୍ରସାଦ ମିଶ୍ର, ବିଭୂତି ପଟ୍ଟନାୟକ, ଉମାଶଙ୍କର ମିଶ୍ର, ବ୍ରଜନାଥ ରଥ, ସୌରୀନ୍ଦ୍ର ବାରିକ, ଶ୍ରୀମତୀ ଶକୁନ୍ତଳା ପଣ୍ତା, ଶ୍ରୀମତୀ ସୁଧାଂଶୁବାଳା ପଣ୍ତା, ଅଧ୍ୟାପକ ଆକୁଳି ସାହାଣୀ, ଅଧ୍ୟାପକ ପ୍ରହ୍ଲାଦ ଚରଣ ମହାନ୍ତି ପ୍ରମୁଖ ଯୋଗଦାନ କରି କର୍ମଶାଳାରେ ଯୋଗ ଦେଇଥିବା ଉଦୀୟମାନ ଗାଳ୍ପଧାରା ସମ୍ପର୍କରେ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଗଳ୍ପ ଚରନା କ୍ଷେତ୍ରରେ ସ୍ୱ-ସ୍ୱ ଅନୁଭୁତି ଓ ଅବତାରଣା କରିଥିଲେ ।

 

ଏହି କର୍ମଶାଳାରେ ସର୍ବଶ୍ରୀ ଦାଶ ବେନେହୁର, ମଙ୍ଗୁଳୁ ଚରଣ ବିଶ୍ୱାଳ, କବିତା ବାରିକ, ସୁରେଶ ବଳବନ୍ତରାୟ, କୃତ୍ତିବାସ ନାୟକ, ରାଧାଗୋବିନ୍ଦ ନାୟକ, ରାମନାଥ ମାଝି, ନୃସିଂହପ୍ରସାଦ ମହାନ୍ତି, ସୁବ୍ରତ କୁମାର ପଟ୍ଟନାୟକ, ହାଡ଼ିବନ୍ଧୁ ସାହୁ, ଦିବାକର ସାହୁ, ଶିଶିର କୁମାର ମହାପାତ୍ର, ଉମେଶ ଚନ୍ଦ୍ର ବାରିକ, ପ୍ରଦୀପ୍ତ ଦାସ, ରତିକାନ୍ତ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଧାରଞ୍ଜନ ପଟ୍ଟନାୟକ, ନଟବର ପାଢ଼ୀ, ହରିହର ପଣ୍ତା, ଯତୀନ୍ଦ୍ର ନାଥ ମହାନ୍ତି ଓ କାଶୀନାଥ ବାରିକ ଯୋଗଦାନ କରିଥିଲେ ।

 

(ଖ) ଅନୁଗୁଳଠାରେ ‘ଓଡ଼ିଆ ଶିଶୁ-ସାହିତ୍ୟ’ ଆଲୋଚନା ଚକ୍ର

ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ଅନୁଗୁଳର ‘ସଭାଘର’ଠାରେ ମାର୍ଚ୍ଚ ୨୩ ଓ ୨୪ ତାରିଖ ଦୁଇଦିନବ୍ୟାପୀ ‘ଓଡ଼ିଆ ଶିଶୁ ସାହିତ୍ୟ’ ଶୀର୍ଷକ ଏକ ଆଲୋଚନା-ଚକ୍ର ଅନୁଷ୍ଠିତ ହୋଇଥିଲା । ୨୩ ତାରିଖ ପୂର୍ବାହ୍‌ଣ ୯ ଘଣ୍ଟା ୩୦ ମିନିଟରେ ଆଲୋଚନା ଚକ୍ରର ଉଦ୍‌ଘାଟନ ଉତ୍ସବ ଏକାଡ଼େମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହାର ଉଦ୍‌ଘାଟକ ଥିଲେ ବରେଣ୍ୟ ଶିଶୁସାହିତ୍ୟ ସ୍ରଷ୍ଟା ଓ ‘ସଂସାର’ ପତ୍ରିକାର ସମ୍ପାଦକ ଶ୍ରୀ ରାମକୃଷ୍ଣ ନନ୍ଦ । ଶ୍ରୀ ନନ୍ଦଙ୍କରଚିତ ‘‘ଆହେ ଦୟାମୟ ବିଶ୍ୱବିହାରି’’ ଗୀତଟି ପ୍ରାରମ୍ଭ ସଙ୍ଗୀତ ରୂପେ ଗାନ କରାଯିବା ପରେ ଏକାଡ଼େମୀର ସମ୍ପାଦକ ଶ୍ରୀ ଚିନ୍ତାମଣି ବେହେରା ଏକାଡ଼େମୀର ବିଭିନ୍ନ କାର୍ଯ୍ୟକଳାପ ତଥା ଏହି ଆଲୋଚନା ଚକ୍ରର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହାପରେ ଆନୁଷ୍ଠାନିକ ଭାବରେ ଶ୍ରୀ ନନ୍ଦ ଆଲୋଚନା ଚକ୍ର ଉଦ୍‌ଘାଟନ କରିବାକୁ ଯାଇ ଏକ ଉପାଦେୟ ଲିଖିତ ଅଭିଭାଷଣ ପାଠ କରିଥିଲେ ।

 

ଏହି ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶାର ଅନ୍ୟତମ ବରେଣ୍ୟ ସାଧକ ଓ ଶିଶୁ-ସାହିତ୍ୟ ସ୍ରଷ୍ଟା ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ‘‘ଓଡ଼ିଆ ଶିଶୁ ସାହତ୍ୟର ସଂଜ୍ଞା, ସ୍ୱରୂପ ଓ ଉନ୍ମେଷ ’’ ଶୀର୍ଷକ ଏକ ମୌଳିକ ଓ ଆଲୋଚନା ଧର୍ମୀ ଭିତ୍ତି-ପ୍ରବନ୍ଧ ପାଠ କରିଥିଲେ ।

 

ଅପରାହ୍‌ଣ ଅଧିବେଶନରେ ‘‘ଓଡ଼ିଆ ଶିଶୁ ସାହିତ୍ୟର ବିକାଶ ଧାରା’’ ସମ୍ପର୍କରେ ଭିତ୍ତିପ୍ରବନ୍ଧ ପାଠ କରିଥିଲେ ଡକ୍ଟର ପ୍ରସନ୍ନ କୁମାର ମିଶ୍ର । ଏହି ପ୍ରବନ୍ଧ ଉପରେ ଆଧାରିତ ଆଲୋଚନାରେ ‘ଶିଶୁଲେଖା’ର ସମ୍ପାଦକ ଶ୍ରୀ ରାମପ୍ରସାଦ ମହାନ୍ତି ଅଧ୍ୟାପକ କୁମୁଦଚନ୍ଦ୍ର ଦାଶ, ଶ୍ରୀମତୀ ପଙ୍କଜିନୀ ଦାଶ ଓ ଶ୍ରୀ ଜୟନାରାୟଣ ଦାଶ ଅଂଶ ଗ୍ରହଣ କରିଥିଲେ । ଓଡ଼ିଆ ଶିଶୁ-ସାହିତ୍ୟର ସାମାଜିକ ମର୍ଯ୍ୟାଦା କିପରି ବୃଦ୍ଧିଲାଭ କରିବ ଏବଂ ଯାନ୍ତ୍ରିକ ପରିବେଶର ଦୌରାତ୍ମ୍ୟରୁ ଆତ୍ମରକ୍ଷା କରି ଶିଶୁ-ସାହିତ୍ୟର ବିକାଶଧାରା କିପରି ଅବ୍ୟାହତ ରହିବ ସେଥିପାଇଁ ଯତ୍ନଶୀଳ ହେବାକୁ ଶ୍ରୀ ମହାନ୍ତି ସ୍ରଷ୍ଟା ଓ ସାହିତ୍ୟ ପ୍ରେମୀମାନଙ୍କୁ ନିବେଦନ କରିଥିଲେ । ଅଧ୍ୟାପକ କୁମୁଦଚନ୍ଦ୍ର ଦାଶ ଊନବିଂଶ ଶତକରୁ ଆରମ୍ଭ କରି ବିଂଶ ଶତକର ସାମ୍ପ୍ରତିକ କାଳ ପର୍ଯ୍ୟନ୍ତ ଓଡ଼ିଆ ଶିଶୁ-ସାହିତ୍ୟ ସୃଷ୍ଟିର ଏକ ସ୍ପଷ୍ଟ ଓ ପୂର୍ଣ୍ଣାଙ୍ଗ ବିବରଣୀ ଉପସ୍ଥାପନା କରିଥିଲେ ।

 

୨୪ ତାରିଖର ପୂର୍ବାହ୍‌ଣ ଅଧିବେଶନରେ ଡକ୍‌ଟର ମନୀନ୍ଦ୍ର ମହାନ୍ତି ‘‘ସାମ୍ପ୍ରତିକ ଓଡ଼ିଆ ଶିଶୁ-ସାହିତ୍ୟର ଏକ ତୁଳନାତ୍ମକ ବିଚାର’’ ଶୀର୍ଷକ ଭିତ୍ତି ପ୍ରବନ୍ଧ ପାଠକରି ଭାରତର ଅନ୍ୟାନ୍ୟ ପ୍ରାନ୍ତୀୟ ଶିଶୁସାହିତ୍ୟ ସହିତ ଓଡ଼ିଆ ଶିଶୁ-ସାହିତ୍ୟର ତୁଲନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ଏହି ଅଧିବେଶନର ଆଲୋଚନା-ଚକ୍ରରେ ଅଂଶ ଗ୍ରହଣ କରିଥିଲେ ଅଧ୍ୟାପକ ରବିନାରାୟଣ ବରାଳ, ଶ୍ରୀ କିଶୋରଚନ୍ଦ୍ର ମିଶ୍ର ଏବଂ ଶ୍ରୀ ମୁରାରିମୋହନ ଜେନା ।

 

ଅପରାହ୍‌ଣ ଅଧିବେଶନର ବିଷୟ ବସ୍ତୁ ଥିଲା- ‘‘ଓଡ଼ିଆ ଶିଶୁସାହିତ୍ୟର ଭବିଷ୍ୟ ଚିନ୍ତନ’’ ଏବଂ ଏ ବିଷୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ଡକ୍‌ଟର ପ୍ରସନ୍ନ କୁମାର ମିଶ୍ର, ଡକଟର ମନୀନ୍ଦ୍ର ମହାନ୍ତି, ଓ ଆକାଶବାଣୀ ‘ଶିଶୁସଂସାର’ ବିଭାଗର ପ୍ରଯୋଜକ ଶ୍ରୀ ନଦିଆବିହାରୀ ମହାନ୍ତି-। ଶ୍ରୀ ରାମକୃଷ୍ଣନନ୍ଦ ଏବଂ ଶ୍ରୀ ଉଦୟନାଥ ଷଡ଼ଙ୍ଗୀ ମଧ୍ୟ ଏହି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ । ଆଲୋଚନା ମାଧ୍ୟମରେ ଯେଉ ଅଭିମତ ସବୁ ପ୍ରକାଶିତ ହୋଇଥିଲା ସେଗୁଡ଼ିକ ହେଉଛି-ଶିଶୁ-ସାହିତ୍ୟ ପ୍ରଥମେ ସୃଜନ-ଧର୍ମୀ ହେବା ଆବଶ୍ୟକ, ଏହା ମୁକ୍ତଚିନ୍ତା ଓ ବୈଜ୍ଞାନିକ ବିଚାରଧାରା ଗ୍ରହଣ ପୂର୍ବକ ଶିଶୁ ତଥା ଦେଶ ଓ ଜାତିର କଲ୍ୟାଣକାମୀ ହେବା ବାଞ୍ଛନୀୟ, ଶିଶୁର ବ୍ୟକ୍ତି-ସ୍ୱାତନ୍ତ୍ର୍ୟ ସ୍ଫୁଟନ ଦିଗରେ ଏହା ସହାୟକ ହେବା କାମ୍ୟ ଓ ସାବଲୀଳ ଭାଷା-ଶୈଳୀ ସହିତ ଉନ୍ନତ ଚିନ୍ତାଧାରା ଏଥିରେ ପରିବେଷିତ ହେବା ଆବଶ୍ୟକ ଏବଂ ଲେଖକ, ପ୍ରକାଶକ, ଚିତ୍ରଶିଳ୍ପୀ, ଶିକ୍ଷକ ଓ ଅଭିଭାବକମାନଙ୍କ ମଧ୍ୟରେ ଏଥିପାଇଁ ଆନ୍ତରିକ ସହଯୋଗ ପ୍ରୟୋଜନ ଇତ୍ୟାଦି ।

 

ଉଦ୍‌ଘାଟନ ଉତ୍ସବରେ ସଭାପତିତ୍ୱ କରି ଶ୍ରୀଯୁକ୍ତ ରାଧାମୋହନ ଗଡ଼ନାୟକ ଓଡ଼ିଆ ସାହିତ୍ୟ ସଂସ୍କୃତିକୁ ଅନୁରାଳର ଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ ଏବଂ ପ୍ରତ୍ୟେକ ଅଧିବେଶନ ଶେଷରେ ଆଲୋଚକମାନଙ୍କ ଅଭିମତର ସଂକ୍ଷିପ୍ତ ସାରାଂଶ ଉଲ୍ଲେଖ ପୂର୍ବକ ଶିଶୁ-ସାହିତ୍ୟ ସମ୍ପର୍କରେ ସ୍ୱକୀୟ ଅଭିମତ ଶ୍ରୀ ଚିନ୍ତାମଣି ବେହେରା ଆଲୋଚନାରେ ଅଂଶ ଗ୍ରହଣ କରିଥିବା ଉଦ୍‌ଘାଟକ, ବିଭିନ୍ନ ଭିତ୍ତିପ୍ରବନ୍ଧର ଲେଖକ, ସ୍ରଷ୍ଟା, ସମୀକ୍ଷକ ଓ ବିଦଗ୍‌ଧ ଶ୍ରୋତାମାନଙ୍କୁ ଏକାଡ଼େମୀ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଶିଶୁ ସାହିତ୍ୟର ବିକାଶପାଇଁ ଏକାଡ଼େମୀ ପକ୍ଷରେ ଯାହା ସମ୍ଭବ, ତାହା ସମ୍ପାଦନ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ଆଲୋଚନା ଚକ୍ରର ଅନ୍ତିମ ଅଧିବେଶନ ପରେ ଏକାଡ଼େମୀ ପକ୍ଷରୁ ‘ଦଣ୍ତନାଟ’ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

 

(ଗ) ଓଡ଼ିଶା ସାହିତ୍ୟ ଏକାଡ଼େମୀର ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମ

ଓଡ଼ିଶା ସାହିତ୍ୟ ଏକାଡ଼େମୀର ସାହିତ୍ୟିକ ବିନିମୟ କାର୍ଯ୍ୟକ୍ରମରେ ଚଳିତବର୍ଷ ଡକ୍‌ଟର କାହ୍ନୁଚରଣ ମିଶ୍ର, ଡକ୍‌ଟର କୃଷ୍ଣପ୍ରସାଦ ମିଶ୍ର ଏବଂ ଡକ୍‌ଟର ଫନୀ ମହାନ୍ତି ଯଥାକ୍ରମେ ତାମିଲନାଡ଼ୁ, କେରଳ ଏବଂ ଆସାମ ପରିଦର୍ଶନ କରି ଇତିମଧ୍ୟରେ ଫେରି ଆସିଅଛନ୍ତି ।

 

ଡକ୍‌ଟର କାହ୍ନୁଚରଣ ମିଶ୍ର ମାର୍ଚ୍ଚ ୨୧ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ତାମିଲନାଡ଼ୁ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ, ଆଞ୍ଚଳିକ ସାହିତ୍ୟ ଏକାଡ଼େମୀ ପ୍ରଭୃତି ପରିଦର୍ଶନ କରିଥିଲେ । ମାନ୍ଦ୍ରାଜର ପ୍ରସିଦ୍ଧ ଆଢ଼ିଆର ପାଠାଗାର, ପ୍ରାଚ୍ୟବିଦ୍ୟା ପାଣ୍ତୁଲିପି ପାଠାଗାର, ଆନ୍ତର୍ଜାତିକ ତାମିଲ-ସାହିତ୍ୟ ଅନୁଷ୍ଠାନ ଇତ୍ୟାଦି ସେ ପରିଦର୍ଶନ କରିଥିଲେ । ୨୪-୩-୮୪ ରେ ପ୍ରାଚ୍ୟବିଦ୍ୟା ଅନୁଷ୍ଠାନ ଦ୍ୱାରା ଆୟୋଜିତ ଏକ ଆଲୋଚନା ଚକ୍ରରେ ସେ ‘‘ଜଗନ୍ନାଥ ଧର୍ମ ଓ ଦର୍ଶନ’’ ସମ୍ପର୍କରେ ଏକ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ । ଭ୍ରମଣ ସମୟରେ ସେ ତାମିଲନାଡ଼ୁର ସରକାରୀ ଦପ୍ତର ଓ ଜିଲ୍ଲାସ୍ତରରେ ଇଂରାଜୀ ଭାଷା ପରିବର୍ତ୍ତେ ତାମିଲ ଭାଷା ପ୍ରଚଳନ ପାଇଁ ସେଠାକାର ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଓ ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

 

ଡକ୍‌ଟର କୃଷ୍ଣପ୍ରସାଦ ମିଶ୍ର ୨୧-୨-୮୪ ଠାରୁ ୧-୩-୮୪ ପର୍ଯ୍ୟନ୍ତ କେରଳର ତ୍ରିଚୁର, ତ୍ରିଭେନ୍ଦ୍ରମ ଇତ୍ୟାଦି ସ୍ଥାନ ପରିଦର୍ଶନ କରି ସେଠାକାର ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ତଥା ବିଶିଷ୍ଟ ଲେଖକମାନଙ୍କ ସହିତ ଯୋଗାଯୋଗ ସ୍ଥାପନ କରିଥିଲେ । ତାଙ୍କର କେରଳ ରହଣି ସମୟରେ ସେ କେରଳ ସାହିତ୍ୟ ଏକାଡ଼େମୀର ସମ୍ପାଦକ ଶ୍ରୀଯୁକ୍ତ ପାବନନ, ବିଶିଷ୍ଟ ଲେଖକ ଡକ୍‌ଟର ଏନ୍‌. ଚନ୍ଦ୍ର ଶେଖରନ୍‌ ଆୟାର, ଅଧ୍ୟାପକ ଅର୍ଜ୍ଜୁନମ ପ୍ରଭୃତିଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ସେ ସେଠାକାର ବିଭିନ୍ନ ପୁସ୍ତକ ପ୍ରକାଶନ ସଂସ୍ଥା ଏବଂ ସମ୍ବାଦପତ୍ର ପ୍ରକାଶନ ସଂସ୍ଥାଗୁଡ଼ିକ ମଧ୍ୟ ପରିଦର୍ଶନ କରିଥିଲେ ।

 

ଡକ୍‌ଟର ଫନୀ ମହାନ୍ତି ୮-୨-୮୪ ତାରିଖରୁ ୨୧-୨-୮୪ ପର୍ଯ୍ୟନ୍ତ ଆସାମରାଜ୍ୟ ପରିଦର୍ଶନରେ ଯାଇଥିଲେ । ୯-୨-୮୪ ତାରିଖ ସନ୍ଧ୍ୟାରେ ଗୌହାଟୀସ୍ଥ ଭଗବତୀ ପ୍ରସାଦ ବରୁଆ ଭବନରେ ଆହୂତ ଏକ ସମ୍ବର୍ଦ୍ଧନା ସଭାରେ ସେ ତାଙ୍କର ଆସାମ ଗସ୍ତର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ଆସାମର ବହୁ ପ୍ରବୀଣ ଓ ତରୁଣ ସାହିତ୍ୟିକ ଓଡ଼ିଶା ସହିତ ଆସାମ ରାଜ୍ୟର ସୌହାର୍ଦ୍ଦ୍ୟପୂର୍ଣ୍ଣ ସାଂସ୍କୃତିକ ବନ୍ଧନ ସମ୍ପର୍କରେ ଆଲୋଚନା କରିଥିଲେ । ସେଦିନ ପୂର୍ବାହଣରେ ଗୌହାଟୀ ଆକାଶବାଣୀ ପକ୍ଷରୁ ଆୟୋଜିତ କବି-ସମ୍ମିଳନୀରେ ପ୍ରତିଷ୍ଠିତ ଅସମୀୟା କବିମାନଙ୍କ ସହିତ ସେ ନିଜର ଦୁଇଟି କବିତା ପାଠ କରିଥିଲେ । ଆସାମ ସରକାରଙ୍କ ତତ୍ତ୍ୱାବଧାନରେ ପରିଚାଳିତ ‘‘ପ୍ରକାଶନ ପରିଷଦ’’ ପରିଦର୍ଶନ କରି ସେଠାରୁ ପ୍ରକାଶିତ ବିଭିନ୍ନ ପୁସ୍ତକ ସେ ଦେଖିଥିଲେ । ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟର ଆସାମୀଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ତାଙ୍କ ସମ୍ବର୍ଦ୍ଧନା ପାଇଁ ଆୟୋଜିତ ସଭାରେ ସେ ସାଂପ୍ରତିକ ଓଡ଼ିଆ କବିତା ସମ୍ପର୍କରେ ଭାଷଣ ଦେଇଥିଲେ । ଜୋର୍‌ହାଟ୍‌ରେ ମଧ୍ୟ ତାଙ୍କର ସମ୍ୱର୍ଦ୍ଧନା ପାଇଁ ଏକ ସଭାର ଆୟୋଜନ କରାଯାଇଥିଲା । ତାଙ୍କର ରହଣି କାଳ ମଧ୍ୟରେ ସେ ଆସାମର ବହୁ ସାହିତ୍ୟିକ ଅନୁଷ୍ଠାନ ତଥା ବହୁ ବିଶିଷ୍ଟ ସାହିତ୍ୟିକଙ୍କ ସହିତ ସାକ୍ଷାତ ଓ ଆଲୋଚନା କରି ଭାବ-ବିନିମୟ କରିଥିଲେ ।

***

 

ସଂପାଦକୀୟ

ବରେଣ୍ୟା ରମା ଦେବୀ ଏବେ ସମ୍ମାନିତା

ଗତ ଏପ୍ରିଲ ମାସ, ୧୬ ତାରିଖ ୧୯୮୪ରେ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱାତ୍ରିଂଶତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଚି । ସେଇ ଉତ୍ସବରେ ଆମ ଦେଶର ବରେଣ୍ୟା ରମା ଦେବୀଙ୍କୁ ଡକ୍ଟରେଟ୍‌ (ବିଧି ପରମ ଭୁଷଣ) ଉପାଧି ଅର୍ପଣ କରି ବିଶ୍ୱବିଦ୍ୟାଳୟ ଗୌରବାନ୍ୱିତ ଓ ଦୀପ୍ତିମନ୍ତ ହୋଇ ପାରିଚି ।

 

କୁଳପତି ତାଙ୍କର ବିବରଣୀରେ ଉଲ୍ଲେଖ କରିଛନ୍ତି- ‘‘ଏହି ସମାବର୍ତ୍ତନ ଉପଲକ୍ଷେ ଉତ୍କଳ ଜନନୀର ଏହି ଶତାବ୍ଦୀର ସର୍ବଯୋଗ୍ୟା ଦୁହିତା ଏବଂ ସର୍ବଜନପୂଜ୍ୟା ବରେଣ୍ୟା ଶ୍ରୀମତୀରମା ଦେବୀଙ୍କୁ ବିଶ୍ୱବିଦ୍ୟାଳୟ ସର୍ବୋଚ୍ଚ ସମ୍ମାନସୂଚକ ‘‘ବିଧି ପରମ ଭୁଷଣ’’ ଉପାଧିରେ ଭୁଷିତ କରିବାକୁ ଯାଇ ଆମେ ଅପାର ଆନନ୍ଦ ଓ ପ୍ରଭୁତ ଗର୍ବ ଉପଲବ୍‌ଧି କରିବାକୁ ସୁଯୋଗ ପାଇଛୁଁ । ଶ୍ରୀମତୀରମା ଦେବୀଙ୍କୁ ସମ୍ମାନିତ କରିବା ଦ୍ୱାରା ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମାନିତ ହୋଇଛି ।’’

 

ମହୀୟସୀ ରମା ଦେବୀ ଆମ ଉତ୍କଳ ଦେଶର ଅନନ୍ୟା ଓ ଅଗ୍ରଗଣ୍ୟା ମହିଳା । ସାରା ଜୀବନ ସେ ଦେଶସେବାରେ, ଜନସେବାରେ ନିରତ ରହି ଚରମ ତ୍ୟାଗର ଆଦର୍ଶ ଦେଖାଇ ଯାଇ ଅଛନ୍ତି, ବାଧାବିଘ୍ନ, ଦୁଃଖ ନିର୍ଯ୍ୟାତନାକୁ, ସସ୍ମିତ ମୁଖରେ ବରଣ କରି ନେଇଛନ୍ତି ।

 

ଜୀବନର ସେଇ ଅତୁଳନୀୟ ଆଭିମୁଖ୍ୟ ପାଇଁ ୧୯୮୧ରେ ବଜାଜ ଫାଉଣ୍ତେସନ କର୍ତ୍ତୃପକ୍ଷ ତାଙ୍କୁ ଯମୁନା ଲାଲ ପୁରସ୍କାର ଦେଇ ତାଙ୍କ ହସ୍ତରେ ଏକ ଲକ୍ଷ ଟଙ୍କା ଅର୍ପଣ କରିଛନ୍ତି । ଏ ବର୍ଷର ସମାବର୍ତ୍ତନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ ତାଙ୍କୁ ସର୍ବୋଚ୍ଚ ସମ୍ମାନସୂଚକ ଉପାଧି ଅର୍ପଣ କରିବାରେ ଆମ୍ଭେ ଆଶାତୀତ ଆନନ୍ଦ ଅନୁଭବ କରୁଅଛି । ଆହୁରି ମଧ୍ୟ ପୂଜ୍ୟପୂଜା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜଣାଉଅଛୁଁ ।

 

ଓଡ଼ିଶାର ଅନ୍ୟତମ ସନ୍ନ୍ୟାସୀ ନେତା ଶ୍ରୀ ଗୋପବନ୍ଧୁ ଚଉଧୁରୀଙ୍କର ରମାଦେବୀ ଥିଲେ ସହଧର୍ମିଣୀ । ଆମ ଦେଶରେ ସେଇ ଅତୁଳନୀୟ ସଂଯୋଗ ମଣିକାଞ୍ଚନ ସଂଯୋଗ ବୋଲ କହିବାକୁ ହେବ । ଗୋପବନ୍ଧୁ ସ୍ୱର୍ଗତ; ତେଣୁ ତାଙ୍କ ସମ୍ପର୍କରେ ପ୍ରଥମେ କହିବାକୁ ମୁଁ ପ୍ରଲୁବ୍‌ଧ । ଗୋପବନ୍ଧୁଙ୍କ ସମ୍ପର୍କରେ ମୁଁ ଗୋଟିଏ କବିତା ଲେଖିଥିଲି- ତହିଁରୁ କିଞ୍ଚିତ୍‌ ଉଦ୍ଧାର କରୁଚି-

 

‘‘ସ୍ୱାଧୀନ ଦେଶେ.            ମନ୍ତ୍ରୀ ଲାଟ

କିଛି ହିଁ ହେଲ ନାହିଁ,

ଜୀବନ ଦେଲ             ପୁଣି ଏ ଦେଶେ

ମଣିଷ ସେବା ପାଇଁ ।

ଭୁଦାନ ପାଇଁ             ଗାଆଁ ରୁ ଗାଆଁ

ପାଦରେ ବୁଲି ବୁଲି

ପାତିଲ ତୁମ             ମୁକୁଳା ମନ

ପାତିଲ ତୁମ ଝୁଲି ।

ଦୁଃଖୀ, ଚାଷୀ,             ମୂଲିଆ କୁଳ

ହୋଇଲେ ଆସି ସାଥି,

ସନ୍ନ୍ୟାସୀର             ଜୀବନ ଘେନି

କାଟିଲ ଦିନ ରାତି ।

କ୍ଷମତା ଯେତେ             ଉଡ଼ାଇ ଧ୍ୱଜା

କରୁଚି ପଟୁଆର

ମମତା ଦେଇ             ଦୁନିଆ କଲ

ନିଜର ପରିବାର ।

ଦୁନିଆ କୋଳେ             ମିଶାଇ ଦେଲ

ନିଜର ପରିବାର

ଜୀବନ ପଥେ             ଗଢ଼ିଲ ଏକ

ବିଶାଳ ସଂସାର ।’’

 

୧୯୩୦ରେ ଶ୍ରୀ ଚଉଧୁରୀ ଯେତେବେଳେ ସେନାପତି ଭାବରେ ସେନା ସହିତ ଲବଣ ସତ୍ୟାଗ୍ରହକୁ ଅଭିଯାନ କରିଥିଲେ ସେଇ ବିଦାୟ ଉତ୍ସବରେ ରମାଦେବୀଙ୍କର ଭୂମିକା ଯାହା ଥିଲା, ତାହା ସେଇ କବିତାରେ ଅଛି-

 

‘‘ଆଖିରେ ତବ             ବିଜୟ ତେଜ

ଛାତିରେ ଥିଲା ବଳ

ପ୍ରାଣରେ ଥିଲା             ତ୍ୟାଗର ଧାରା

ତରଳ ଉଚ୍ଛଳ ।

ଅହିଂସାର             ଲଢ଼େଇ ପାଇଁ

ତୁମର ସେଇ ବେଶ

ସାଥିରେ ରହି             ଦେଖିଚୁ ଆମେ

ଦେଖିଚି ଆମ ଦେଶ ।

ସେଦିନ ଏଇ             ଯୋବରା ଘାଟେ

ଦେଶର ସେନା ଆମେ

ବିଜୟ ନାଦ             ତୋଳିଲୁ କେତେ

ଆମ ଏ ଦେଶ ନାମେ ।

ବିଜୟ ମାଳା             ଗଳାରେ ଦେଇ

ଶ୍ରୀମତୀ ରମା ଦେଈ

ବନ୍ଦାଇଲେ             ଯେପରି ଆଜି

ମନରୁ ଯାଇ ନାହିଁ ।’’

 

ରମା ଦେବୀ ୧୮୯୯ ଖ୍ରୀଷ୍ଟାବ୍ଦ ଡିସେମ୍ୱର ତିନି ତାରିଖରେ ଯେଉ ପରିବାରରେ ଜନ୍ମଲାଭ କରିଥିଲେ, ସେଇ ପରିବାର ଓଡ଼ିଶାରେ ଅତ୍ୟନ୍ତ ସ୍ୱନାମଧନ୍ୟ । କୁଳବୃଦ୍ଧ ଶ୍ରୀ ମଦୁସୂଦନଙ୍କର ଅନୁଜ କବି, ଔପନ୍ୟାସିକ ଓ ସମାଲୋଚକ ଶ୍ରୀ ଗୋପାଳ ବଲ୍ଲଭ ଦାସଙ୍କର ସେ ଥିଲେ କନ୍ୟା । ରମାଦେବୀଙ୍କର ମାତା ଶ୍ରୀମତୀ ବସନ୍ତ କୁମାରୀ ଦେବୀ ମଧ୍ୟ ସ୍ୱନାମଧନ୍ୟ ଶ୍ରୀ ନନ୍ଦକିଶୋର ଦାସଙ୍କର କନ୍ୟା ଓ ‘ପରିଚାଳିକା’’ ନାମକ ନାରୀ ପତ୍ରିକାର ସଂପାଦିକା ଥିଲେ । ରମା ଦେବୀ ସେଇ ପରିବାରର ଗୌରବ ନିଜ ଜୀବନରେ ପରିସ୍ଫୁଟ କରିଛନ୍ତି ।

 

୧୯୧୪ରେରମା ଦେବୀ ଶ୍ରୀଯୁକ୍ତ ଗୋପବନ୍ଧୁ ଚଉଧୁରୀଙ୍କର ପାଣିଗ୍ରହଣ କରିଥିଲେ । ସେତେବେଳକୁ ଶ୍ରୀଯୁକ୍ତ ଚଉଧୁରୀ ଥିଲେ ବିହାର-ଓଡ଼ିଶା ସରକାର ଅଧୀନରେ ଜଣେ ଡେପୁଟି କଲେକ୍ଟର ୧୯୨୦ରେ ସେ ପରାଧୀନତାର ଶୃଙ୍ଖଳ ତ୍ୟାଗ କରି ଦେଶସେବାରେ ନିଜକୁ ନିୟୋଜିତ କରିଥିଲେ । ସହଧର୍ମିଣୀ ରମାଦେବୀ ପତିଙ୍କର ପଦାଙ୍କ ବାଛି ନେଇଥିଲେ । ବହୁବାର କାରାବରଣ କରି ଦୁଃଖ କ୍ଳେଶକୁ ଜୀବନର ବ୍ରତ କରି ନେଇଥିଲେ ।

 

୧୯୨୦ ଖ୍ରୀଷ୍ଟାବ୍ଦ ଠାରୁ ମହାତ୍ମାଗାନ୍ଧିଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ଆନ୍ଦୋଳନରେ କାର୍ଯ୍ୟ କରି ବହୁତ ଥର କାରାବରଣ କରିଛନ୍ତି ।

 

୧୯୨୮ରେ ଜଗତସିଂହପୁରରେ ସେ ଅଳକାଶ୍ରମ ପ୍ରତିଷ୍ଠା କରି ମହାତ୍ମାଗାନ୍ଧିଙ୍କର ରଚନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ ।

 

୧୯୩୦ ରେ ସେ ପ୍ରାଦେଶିକ କଗ୍ରେଂସ କମିଟିର ସଭାନେତ୍ରୀ ନିର୍ବାଚିତ ହୋଇଥିଲେ ଓ ପ୍ରାଦେଶିକ ହରିଜନ ସଂଘର ସମ୍ପାଦିକା କାର୍ଯ୍ୟ ତୁଲାଇ ଥିଲେ ।

 

୧୯୩୦ରେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ, ମଦ ଦୋକାନ ଆଗରେ ପିକେଟିଂ କରି ତିନି ଥର କାରବାସର ନିର୍ଯ୍ୟାତନା ବରଣ କରି ନେଇଥିଲେ ।

 

୧୯୩୪ରେ ବରୀ ଠାରେ ମୌଳିକ ଶିକ୍ଷାର କେନ୍ଦ୍ର ରୂପେ ଏକ ଆଶ୍ରମର ଶୁଭାରମ୍ଭ କରିଥିଲେ; ପୁଣି ୧୯୩୮ ବେଳକୁ ସେଇ ଅଞ୍ଚଳରେ ୧୫ ଗୋଟି ମୌଳିକ ସ୍କୁଲ ସ୍ଥାପନ କରାଇଥିଲେ ।

 

୧୯୪୨ରେ ଯେତେବେଳେ ଭାରତଛାଡ଼ ଆନ୍ଦୋଳନ ଦେଶରେ ଅଗ୍ନି ସୃଷ୍ଟି କରିଥିଲା, ସେଇ ଆଗ୍ନେୟ ସ୍ରୋତରେ ଝାସ ଦେଇ ରମା ଦେବୀ ପୁଣି କାରାବରଣ କରିଥିଲେ ।

 

ଭୂଦାନ ଆନ୍ଦୋଳନରେ ସେ ପୁଣି ଯୋଗ ଦେଇ ଭୂମିହୀନ ଦୁଃଖୀ-ଦରିଦ୍ରଙ୍କ ପାଇଁ ଜମି-ମାଲିକଙ୍କ ଦ୍ୱାରଦେଶରେ ଉପସ୍ଥିତ ହୋଇଥିଲେ ଭୂମିଭିକ୍ଷା ପାଇଁ । ସେଇ ଭିକ୍ଷାରେ ସେ ଦରିଦ୍ରମାନଙ୍କ ପାଇଁ ଶହ ଶହ ହଜାର ଏକର ଜମି ଯୋଗାଡ଼ କରି ପାରିଥିଲେ ।

 

ଦେଶରେ ଯେତେବେଳେ ବନ୍ୟା, ମରୁଡ଼ି ଇତ୍ୟାଦି ଘଟିଚି, ସେଇ ଦୁର୍ଦ୍ଦିନରେ ସେ ତାଙ୍କର ମୁଷ୍ଟିମେୟ ସାଥି ଘେନି ବିପିନ୍ନ ଲୋକଙ୍କର ସେବା କରିଛନ୍ତି ।

 

ଗାନ୍ଧି ସ୍ମାରକନିଧି, କସ୍ତୁରବା ସ୍ମାରକନିଧି, ଉତ୍କଳ ଖଦିମଣ୍ଡଳ, ହରିଜନ ସଂଘ, ମୌଳିକ ଶିକ୍ଷା ଓ ପ୍ରୌଢ଼ଶିକ୍ଷା ପ୍ରଭୃତି ଅନୁଷ୍ଠାନ ପାଇଁ ସେ କାର୍ଯ୍ୟ କରିଛନ୍ତି ଉନ୍ନତ କରାଇଛନ୍ତି ମଧ୍ୟ । ଦେଶରେ ନାରୀଜାତିର ଜାଗରଣ ତାଙ୍କ ଜୀବନର ଲକ୍ଷ୍ୟ ଥିଲା ।

 

ବର୍ତ୍ତମାନ ତାଙ୍କର ବୟସ ୮୫ ବର୍ଷ, ଜରାଜର୍ଜର ଜୀବନରେ କ୍ଳାନ୍ତି ତ ସ୍ୱାଭାବିକ; ମାତ୍ର ସେ କ୍ଳାନ୍ତିକୁ କ୍ରାନ୍ତିରେ ପରିଣତ କରିଛନ୍ତି-ଅବଧି ସେବାବ୍ରତରେ ତତ୍ପର ଅଛନ୍ତି ।

 

ଶ୍ରୀଯୁକ୍ତ ଚୌଧୁରୀ ଓ ଶ୍ରୀମତୀ ରମାଦେବୀ ଜାତିଧର୍ମର ଉର୍ଦ୍ଧ୍ୱରେ ରହି ଦେଶ ପାଇଁ ପ୍ରାଣପାତ କରିଥିଲେ । ତାଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା । ପୁତ୍ର ଶ୍ରୀ ମନମୋହନଙ୍କୁ ବିବାହ କରାଇଛନ୍ତି ଶ୍ରୀ ବିଭୁତି ଭୂଷଣ ବନ୍ଦୋପାଧ୍ୟାୟଙ୍କର କନ୍ୟା ସୁମିତ୍ରାଙ୍କ ସହିତ ଓ କନ୍ୟା ଅନ୍ନପୂର୍ଣ୍ଣାଙ୍କୁ ଆମ ଓଡ଼ିଶାର ବରେଣ୍ୟ ସାହିତ୍ୟକ ଶ୍ରୀ ଚନ୍ଦ୍ର ମୋହନ ମହାରଣାଙ୍କର ପୁତ୍ର ଶ୍ରୀ ଶରତ ଚନ୍ଦ୍ର ମହାରଣାଙ୍କ ସଙ୍ଗରେ । ବର୍ତ୍ତମାନ ତାଙ୍କରି ଦୀକ୍ଷା ଧରି ପୁତ୍ର, କନ୍ୟା ଓ ଜାମାତା ସମସ୍ତେ ଜନସେବାରେ, ଦେଶ ସେବାରେ ବ୍ରତୀ ।

 

ଶ୍ରୀଯୁକ୍ତ ଗୋପବନ୍ଧୁ ଓ ଶ୍ରୀମତୀ ରମାଦେବୀଙ୍କର ପ୍ରଭାବ ସେମାନଙ୍କର ଜୀବନରେ ଓତପ୍ରୋତ ଭାବରେ ଜଡ଼ିତ ।

‘‘Lives of great men all remind us,

We can make our life sublime.’’

 

କବିଙ୍କର ବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଚି ।

୧୯୬୫ ଖ୍ରୀଷ୍ଟାବ୍ଦରେ ‘‘ରମାଦେବୀ’’ ଶୀର୍ଷକରେ ମୁଁ ଗୋଟିଏ କବିତା ଲେଖିଥିଲି ‘‘ଯୁଗନାରୀ’’ ପତ୍ରିକାରେ । ଆଜି ଏଇ ସୁବର୍ଣ୍ଣ ସୁଯୋଗରେ ତାହା ଉଦ୍ଧାର କରିବାର ଲୋଭ ସମ୍ୱରଣ କରିପାରୁ ନାହିଁ-

 

‘‘ରମାଦେବୀ’’

ବହୁ କ୍ଷେତ୍ରେ, ବହୁ ପଥେ

ଦେଖିଅଛି

ମୁହିଁ ଏକ ମୁକ୍ତିପଥଚାରୀ

ବହୁ ବିପ୍ଳବିନୀ ନେତ୍ରୀ ।

ବହୁ ଯୁଗନାରୀ

ଯଶୋବନ୍ନୀ ଦେଶ-ଜନ ସେବି,

ମାତ୍ର ଜଣକର ଲାଗି

ଅନ୍ତରେ ମୋ ବିନମ୍ର ପ୍ରଣାମ,

କିଏ ସେ ଜାଣିଛ ବନ୍ଧୁ ?

ଜାଣ ତା’ର ନାମ ?

ରମାଦେବୀ

ମାତୃସମା ସିଏ ରମାଦେବୀ ।

ମୋ ଦେଶର ମୁକ୍ତି ଡାକେ

ସୁଖ ସୁହାଗର ଶିରୀ ଏଡ଼ି ଦେଇ ଯିଏ

ଦୁଃଖ କ୍ଳେଶ

ଖରାବର୍ଷା

କାରାକ୍ଳେଶ ଗଣିନି ଟିକିଏ

ଉଷ୍ଣ ସ୍ୱରେ ଦେଇ ନାହିଁ ବକ୍ତୃତା ଭାଷଣ

ବିପ୍ଳବର ଅଭିଯାନେ

ଅବିରାମ ଢାଳିଚି ଜୀବନ,

ଅଗ୍ନି ସୃଷ୍ଟି କରି ନାହିଁ,

ଦେଇଅଛି ଆଲୋକର ଶିଖା -

ରମାଦେବୀ

ମୋ ଦେଶର ମୁକ୍ତି ସଇନିକା ।

ବଢ଼ି ମରୁଡ଼ିର ମୋର ଏଇ ଦୁଃସ୍ଥ ଦେଶେ

ଆଶ୍ରା ନାହିଁ

ଅନ୍ନ ନାହିଁ

ଛାତିଫଟା ହାହାକାର ଉଠଇ ବିଶେଷେ,

ବହୁ ତରୀ ସେଠି ଯାଇ ଭିଡ଼ୁଅଛି ତୀର

ଗଣତନ୍ତ୍ର ସରକାର

ବହୁ ଦଳ,

ବହୁ ସଂସ୍ଥା

ଖୋଲୁଅଛି ବହୁତ ବ୍ୟବସ୍ଥା

ମାତ୍ର ସେଠି କିଏ ଦେଖ,

ଦିଶୁ ଅଛି ବାରି

ସେବାରେ ସାଧନା ନେଇ

ମମତାର ମୁଗ୍‌ଧ ହିଆ ଦେଇଅଛି ଢାଳି ?

ରମାଦେବୀ

ମୋ ଦେଶର ତପସ୍ୱିନୀ ନାରୀ ।

ସ୍ୱାଧୀନ ମୋ ଦେଶେ ଆଜି

ବିଧାନର ବଳେ,

ଯାହା କିଛି ହେଉଅଛି

ତହିଁରେ କି ହୃଦୟ ବଦଳେ ?

ଦେଶେ ଯା’ର ଭୂମି ନାହିଁ,

ବାସ୍ତୁ ନାହିଁ,

ତା’ର ପାଇଁ

ଭୂମିବିତ୍‌-ଦ୍ୱାରେ ଦ୍ୱାରେ କିଏ ଯାଇ

ମାଗୁ ଅଛି ଭିକ୍ଷା ?

ରମାଦେବୀ,

ମୋ ଦେଶର ଅକ୍ଳାନ୍ତ ସେବିକା ।

ସେଦିନର ତ୍ୟାଗ ଲାଗି

ଆଜି ଥୁଆ ଅସରନ୍ତି ଭୋଗ,

ସେ ଦିନର ସେଇ ଲୋକ

ନିର୍ବିକାରେ

ନିର୍ବିଚାରେ

କରୁଅଛି ତାର ଉପଯୋଗ ।

ଜନସଭା, ଶୋଭାଯାତ୍ରା

ସମ୍ୱର୍ଦ୍ଧନା, ଫୁଲମାଳ

ଲାଭ, ଲୋଭ ଛାଡ଼ି,

ଦୀନ ଦୁଃଖୀ ଜନ ଲାଗି

କିଏ ଆଜି

ଗାଆ ଗଣ୍ଡା ପଥେ ଚାଲି ଚାଲି

ନେଇଅଛି ଦାରିଦ୍ର୍ୟର ଦୀକ୍ଷା ?

ରମାଦେବୀ

ମୋ ଦେଶର ଶୁଭ ଉପାସିକା ।

 

ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ସିନେଟ ସଭ୍ୟ ଭାବରେ ସେଦିନର ଉପାଧି ପ୍ରଦାନ ବେଳେ ଉପସ୍ଥିତ ରହି ମୁଁ ଅତୁଳନୀୟ ଆତ୍ମପ୍ରସାଦ ଅନୁଭବ କରିଅଛି ।

 

ଭଗବାନଙ୍କ ନିକଟରେ ଆମ୍ଭମାନଙ୍କର ଏତିକି ପ୍ରାର୍ଥନା-ଯେପରି ସେ ଆମର ମାତୃସମା ରମାଦେବୀଙ୍କର ଜୀବନ ନିରାମୟ କରନ୍ତୁ-ତାଙ୍କର ଜୀବନ୍ତ ଆଦର୍ଶ ଆମ୍ଭମାନଙ୍କୁ ଉଦ୍‌ବୁଦ୍ଧ କରୁ ।

 

ରାଧାମୋହନ ଗଡ଼ନାୟକ

ସମ୍ପାଦକ,

କୋଣାର୍କ

***